Unknown

 

 

 

 

 

 

 

 

 

 

 

ଆଧୁନିକ ଦୁନିଆର ପ୍ରତିଛବି

ଡକ୍ଟର ଦେବକାନ୍ତ ମିଶ୍ର

 

ଉତ୍ସର୍ଗ

ବରେଣ୍ୟ ଜନନାୟଙ୍କ ଓ ତୁଙ୍ଗ ଚିନ୍ତାନାୟକ

ତଥା

ପ୍ରବୀଣ ସାମ୍ବାଦିକ

ପଦ୍ମଭୂଷଣ ଡକ୍ଟର ରାଧାନାଥ ରଥଙ୍କ

କର କମଳରେ ଭକ୍ତିପୂତ ନିବେଦନ

 

ଦଶହରା, ୧୯୯୩

ଦେବକାନ୍ତ

 

ମୁଖବନ୍ଧ

 

ଘଟଣାବହୁଳ ବିଂଶ ଶତାବ୍ଦୀର ଶେଷ ଦଶକର ଅବ୍ୟବହିତ ପୂର୍ବରୁ ପୃଥିବୀ ବକ୍ଷରେ ସଂଘଟିତ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ପ୍ରତିରକ୍ଷା ସଂକ୍ରାନ୍ତୀୟ ଘଟଣାଗୁଡ଼ିକୁ ବିଚାରକୁ ନେଇ ବିଭିନ୍ନ ଦେଶର ବହୁ ସ୍ୱନାମଧନ୍ୟ ବୁଦ୍ଧିଜୀବୀ ଇତ୍ୟବସରରେ ଆମ୍ଭମାନଙ୍କୁ ଆମ ଭବିଷ୍ୟତର ରୂପରେଖ ସମ୍ବନ୍ଧରେ ସୁଚିନ୍ତିତ ସମୟୋପଯୋଗୀ ପରାମର୍ଶ ଦେଇଛନ୍ତି । ସିଦ୍ଧହସ୍ତ ସମାଲୋଚକ, ଭବିଷ୍ୟତ ପ୍ରବକ୍ତା, ସମାଜ-ବିଜ୍ଞାନୀ, ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ଓ ଦାର୍ଶନିକ ଭାବରେ ଏହି ବୁଦ୍ଧିଜୀବୀମାନେ ଆନ୍ତଃରାଷ୍ଟ୍ରୀୟ ବୌଦ୍ଧିକ ଜଗତରେ ସଶ୍ରଦ୍ଧ ସ୍ଥାନର ଅଧିକାରୀ ହୋଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କେତେକଙ୍କୁ ନୋବେଲ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଛି । ସେମାନେ ନିଜ ନିଜ ପାଣ୍ଡିତ୍ୟ, ଅବବୋଧ ଓ ଚିନ୍ତା-ଶକ୍ତି ପ୍ରୟୋଗ କରି ଆମ ଜ୍ଞାନ-ଭଣ୍ଡାରକୁ ସମୃଦ୍ଧ ତଥା ପରିପୃଷ୍ଟ କରାଇବା ଅବସରରେ ଆଧୁନିକ ଦୁନିଆଁର ଗତିବିଧି ପରିପ୍ରେକ୍ଷୀରେ ଆମ୍ଭମାନଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାକ୍‍ସୂଚନା ଯୋଗାଇଛନ୍ତି । ବୌଦ୍ଧିକ ଜଗତର ମଉଡ଼ମଣି ଏହି ପ୍ରତିନିଧି ସ୍ଥାନୀୟ ଚିନ୍ତାନାୟକମାନଙ୍କ ଦ୍ୱାରା ଲିଖିତ ଅମୂଲ୍ୟ ଗ୍ରନ୍ଥଗୁଡ଼ିକୁ ପାଠ କରିବା ଦ୍ୱାରା ଆମେ ଯେଉଁ ଉପଲବ୍‍ଧି ଓ ଭାବୋଦ୍ଦୀପକ ଉପାଦାନ ପାଇପାରୁଛୁ, ତାହାକୁ ଆଧୁନିକ ଦୁନିଆର ପ୍ରତିଛବି ଭାବରେ ବିଚାର କରିବା ଯୁକ୍ତିଯୁକ୍ତ ବୋଧ ହେଉଛି । ଏହି ଦୃଷ୍ଟିକୋଣରୁ ସମୀକ୍ଷାଶ୍ରୟୀ ପୁସ୍ତକଟିର ଏପରି ନାମକରଣ କରାଯାଇଛି ।

 

ନବମ ଦଶକର ଅୟମାରମ୍ଭ ଘଟିବା ବେଳକୁ ପୃଥିବୀ ପୃଷ୍ଠରେ ସଂଘଟିତ ନିମ୍ନଲିଖିତ ଘଟଣାଗୁଡ଼ିକ ହିଁ ଆମ୍ଭମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି :–

 

(୧) କମ୍ୟୁନିଜମକୁ ରାଜନୈତିକ ଆଦର୍ଶ ଭାବରେ ଗ୍ରହଣ କରିଥିବା ରାଷ୍ଟ୍ରଗୁଡ଼ିକରେ ବହୁଦଳୀୟ ଗଣତାନ୍ତ୍ରିକ ଶାସନ ପଦ୍ଧତି ତଥା ମୁକ୍ତ ବଜାର ଅର୍ଥନୀତି ପ୍ରତି ବିପୁଳ ଜନ ସମର୍ଥନ ମିଳିଛି । ସୋଭିଏତ ଋଷିଆ, ପୂର୍ବ ଜର୍ମାନୀ, ପୋଲାଣ୍ଡ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ବୁଲଗେରିଆ ପ୍ରଭୃତି ଦେଶମାନଙ୍କରେ କମ୍ୟୁନିଜମର ବିଲୟ ଘଟିଛି । ସୋଭିଏତ ଋଷିଆକୁ ଗଠନ କରିଥିବା ରାଜ୍ୟଗୁଡ଼ିକ ସ୍ଵାଧୀନ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଛନ୍ତି ଏବଂ ଏଥିପାଇଁ ‘କମନ ଓ୍ୱେଲ୍‍ଥ ଅଫ୍ ଇଣ୍ଡିପେଣ୍ଡାଣ୍ଟ ଷ୍ଟେଟସ୍’ (ସି ଆଇ ଏସ୍)ର ଅଭ୍ୟୁଦୟ ଘଟିଛି । ବହୁ ଚର୍ଚ୍ଚିତ ବର୍ଲିନ ପ୍ରାଚୀରକୁ ଭାଙ୍ଗି ଦିଆଯାଇଛି ଏବଂ ପୂର୍ବ ଜର୍ମାନୀ ଓ ପଶ୍ଚିମ ଜର୍ମାନୀର ମିଳନ ଘଟିଛି । ଏ ପ୍ରକାର ଐତିହାସିକ ପଟ୍ଟ ପରିବର୍ତ୍ତନ ଘଟିବା ଫଳରେ ଦ୍ଵିତୀୟ ମହାଯୁଦ୍ଧୋତ୍ତର କାଳଠାରୁ ଯେଉଁ ଶୀତଳ ଯୁଦ୍ଧର ପ୍ରକୋପ ସବୁ ରାଷ୍ଟ୍ରଗୁଡ଼ିକୁ ଊଣା ଅଧିକେ ପ୍ରଭାବିତ କରିଥିଲା, ସେହି କଳଙ୍କିତ ପର୍ଯ୍ୟାୟର ଯବନିକା ପାତ ହୋଇଛି ।

 

(୨) ମୁକ୍ତ ବଜାର ଅର୍ଥନୀତିର ପ୍ରସାର ପାଇଁ ତଥା ଏହାକୁ ତେଜାଇ ରଖିବା ପାଇଁ ବ୍ୟାପକ ଉଦ୍ୟମ ଚାଲିଥିବା ଅବସରରେ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ନିଜ ନିଜ ସ୍ୱାର୍ଥ ଦୃଷ୍ଟିରୁ ଆଞ୍ଚଳିକ ମେଣ୍ଟ ଗଠନ କରିବାକୁ ସ୍ଥିର କରିଛନ୍ତି । ପଶ୍ଚିମ ୟୁରୋପର ବାରଟି ରାଷ୍ଟ୍ର ଗୋଟିଏ ଅର୍ଥନୈତିକ ମେଣ୍ଟ ପ୍ରତିଷ୍ଠା ପାଇଁ ବ୍ୟାପକ ଆୟୋଜନ ଚଳାଇଛନ୍ତି । ସେମାନେ ଅର୍ଥନୈତିକ ଓ ବାଣିଜ୍ୟିକ ଦୃଷ୍ଟିରୁ ୟୁରୋପ ମହାଦେଶର ହୃତ ଗୌରବର ପୁନରୁଦ୍ଧାର ପାଇଁ ତଥା ଯୁକ୍ତରାଷ୍ଟ୍ର ଆମେରିକା ଓ ଜାପାନର ଅର୍ଥନୈତିକ ଆଧିପତ୍ୟର ସମ୍ୟକ ମୁକାବିଲା କରିବା ପାଇଁ ଇ.ଇ.ସି. ବା ୟୁରୋପୀୟାନ ଇକୋନୋମିକ୍ କମ୍ୟୁନିଟିର ପ୍ରତିଷ୍ଠା ଦିଗରେ ଅଗ୍ରାଧିକାର ଆରୋପ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା ଓ ମେକ୍ସିକୋ ଆଉ ଏକ ଅର୍ଥନୈତିକ ମେଣ୍ଟ ଜରିଆରେ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାରକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଲକ୍ଷ୍ୟ କରାଯାଉଛି ଯେ ଏସିଆ ମହାଦେଶ ମଧ୍ୟ ଏଭଳି ବ୍ୟାପାରରେ ପଶ୍ଚାତ୍‍ପଦ ହୋଇନାହିଁ । ଜାପାନ, ଦକ୍ଷିଣ କୋରିଆ, ତାଇଓ୍ୱାନ, ହଙ୍ଗକଙ୍ଗ୍, ଥାଇଲାଣ୍ଡ ପ୍ରଭୃତି ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅର୍ଥନୈତିକ ବୁଝାମଣା ଯେପରି ଭାବରେ ଚାଲିଛି ଏବଂ ଏହି ଦେଶଗୁଡ଼ିକର ଜାତୀୟ ଅର୍ଥନୀତିରେ ଯେପରି ତ୍ୱରାନ୍ୱିତ ସମୃଦ୍ଧି ସାଧିତ ହେଉଛି, ସେଥିରୁ ଜଣାପଡ଼ୁଛି ଯେ ଦରକାର ହେଲେ ସେମାନେ ମଧ୍ୟ ଏକ ଅର୍ଥନୈତିକ ମେଣ୍ଟ ଜରିଆରେ ପୃଥିବୀର ବାଣିଜ୍ୟ କାରବାରକୁ ପ୍ରଭାବିତ କରିବେ ।

 

(୩) ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏବେ ଜାତୀୟ ଅର୍ଥନୀତିକୁ ଅଧିକରୁ ଅଧିକ ଉଦାର କରାଯାଉଛି । ଆମ ଦେଶରେ ଖୋଲା ବଜାର ଅର୍ଥନୀତିର ପ୍ରବର୍ତ୍ତନ ପାଇଁ ବିଗତ ଦୁଇ ବର୍ଷ ମଧ୍ୟରେ ଆନୁଷଙ୍ଗିକ ଅର୍ଥନୈତିକ ପୁନର୍ଗଠନ ପ୍ରକ୍ରିୟାକୁ ସନ୍ତୋଷପ୍ରଦ ମାର୍ଗରେ କାର୍ଯ୍ୟକାରୀ କରାଯାଉଛି । ଚୀନ ଦେଶରେ ଏକଦଳୀୟ କମ୍ୟୁନିଷ୍ଟ ଶାସନ ବଳବତ୍ତର ରହୁଥିଲେ ମଧ୍ୟ ପ୍ରଯୁକ୍ତି ବିଦ୍ୟାଶ୍ରୟୀ ଉନ୍ନୟନମୂଳକ ପ୍ରକ୍ରିୟାଗୁଡ଼ିକର ଆଶୁ କାର୍ଯ୍ୟକାରିତା ପାଇଁ ସୀମିତ ଭାବରେ ବହୁଦେଶୀୟ କର୍ପୋରେସନଗୁଡ଼ିକର ସାହାଯ୍ୟ ନିଆଯାଉଛି ।

 

(୪) ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାରକୁ ସୁଶୃଙ୍ଖଳିତ ତଥା ନିରପେକ୍ଷ ମାର୍ଗରେ ଚଳାଇବା ପାଇଁ ଜି.ଏ.ଟି.ଟି. (ଜେନେରାଲ ଆଗ୍ରୀମେଣ୍ଟ ଅନ୍ ତାରିଫ୍ ଆଣ୍ଡ ଟ୍ରେଡ଼) ଆନୁକୂଲ୍ୟରେ ‘ଉରୁଗୁଏ ରାଉଣ୍ଡ’ ଶିରୋନାମାରେ ଯେଉଁ ପରିମାର୍ଜିତ ଆଇନଗୁଡ଼ିକୁ ପ୍ରଣୟନ କରାଯାଇଛି ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ଆର୍ଥର ଡଙ୍କେଲ୍ ଯେଉଁ ଚିଠା ପ୍ରସ୍ତାବଟିର ଅନୁମୋଦନ ପାଇଁ ବିଶେଷ ବ୍ୟଗ୍ର ହୋଇଛନ୍ତି, ତାହା ହିଁ ପୃଥିବୀ ବକ୍ଷରେ ଉତ୍ତର-ଦକ୍ଷିଣ ବିବାଦର ତୀବ୍ରତାକୁ ଆବର୍ଦ୍ଧିତ କରିଛି-ଡଙ୍କେଲ୍ ଡ୍ରାଫ୍ଟ ବିରୋଧରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଯେଉଁ ସ୍ଵର ଉତ୍ତୋଳନ କରୁଛନ୍ତି, ତାହାକୁ ବିଚାରକୁ ନିଆଯାଇ ଏକ ସର୍ବସମ୍ମତ ପ୍ରସ୍ତାବ ଅନୁମୋଦିତ ହେବାର ମହତ୍ତ୍ୱାକାଂକ୍ଷା କାର୍ଯ୍ୟକାରୀ ହେବାର ସମ୍ଭାବନା ଅତି କ୍ଷୀଣ ହୋଇଛି । ଉପସ୍ଥାପିତ ଡଙ୍କେଲ ଡ୍ରାଫ୍ଟରେ ବୌଦ୍ଧିକ ସମ୍ପଦର ଅଧିକାର, ପ୍ରଡ଼କ୍ଟ ପେଟେଣ୍ଟ, ପ୍ରୋସେସ ପେଟେଣ୍ଟ, ଜିନ୍‍ଗୁଡ଼ିକର ବ୍ୟାବସାୟିକ ବିନିଯୋଗ ବ୍ୟାପାରରେ ଜିନ୍ ଯୋଗାଣକାରୀ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଭବିଷ୍ୟତ, ଗ୍ରୀଷ୍ମମଣ୍ଡଳୀୟ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଚାଷୀ ଓ ଗବେଷକମାନଙ୍କ ସ୍ଵାର୍ଥର ସୁରକ୍ଷା ପ୍ରଭୃତି ଗୁରୁତ୍ଵପୂର୍ଣ୍ଣ ବ୍ୟାପରଗୁଡ଼ିକୁ କେନ୍ଦ୍ର କରି ସଂପ୍ରତି ଯେଉଁ ବିବାଦ ଚାଲିଛି, ତାହାର ଆଶୁ ସମାଧାନ ପାଇଁ ପ୍ରାୟ ୧୦୯ଟି ରାଷ୍ଟ୍ର କୂଟନୈତିକ ସମ୍ପର୍କ ଜରିଆରେ ପରସ୍ପର ସହିତ ଭାବ ବିନିମୟ କରୁଛନ୍ତି ।

 

(୫) ବସ୍ତୁବାଦୀ ସଭ୍ୟତାର ଚଳନ୍ତି ବିକାଶ ପର୍ବରେ ସର୍ବତ୍ର ମନୁଷ୍ୟର କାମନାକୁ କ୍ରମବର୍ଦ୍ଧମାନ ରୂପ ଦେବାପାଇଁ ତଥା ଉପଭୋକ୍ତା ଭାବରେ ତାହାର ସଂଗ୍ରହପ୍ରବଣତାକୁ ଆବର୍ଦ୍ଧିତ କରାଇବା ପାଇଁ ଅଧିକରୁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି ହେଉଛି । ଯୋଗାଯୋଗ କ୍ଷେତ୍ରର ଏପରି ଅଦ୍ଭୁତପୂର୍ବ ସମୃଦ୍ଧି ସାଧନ କରାଯାଉଛି ଯେ ନୂଆ ନୂଆ ଟେକ୍ନୋଲଜି ଏବଂ ତତ୍‍ନିର୍ଭରଶୀଳ ଯନ୍ତ୍ର ଓ ଉପକରଣଗୁଡ଼ିକର କରାମତି ସମ୍ପର୍କରେ ପୃଥିବୀର ସବୁ ସ୍ଥାନର ବାସିନ୍ଦାମାନେ ତଥ୍ୟ ସଂଗ୍ରହ କରିପାରୁଛନ୍ତି । ଉନ୍ନତ ରାଷ୍ଟ୍ରଗୁଡ଼ିକର ଜନସାଧାରଣଙ୍କ ଚଳଣି ଓ ଫେସନ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରମାନଙ୍କରେ ମଧ୍ୟ ତଦନୁରୂପ ପରିବେଶର ସର୍ଜନା ପାଇଁ ଜନମାନସକୁ ବିଶେଷଭାବରେ ଆଲୋଡ଼ିତ କରୁଛି । ଜନମତର ଚାପରେ ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜ ଦେଶର ବଜାରଗୁଡ଼ିକରେ ଉପଭୋକ୍ତାମାନଙ୍କ ମନଲାଖି ଦ୍ରବ୍ୟ ମିଳିପାରିବାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇବାକୁ ଚାହୁଁଛନ୍ତି । ମାତ୍ର ଉପଯୁକ୍ତ ଜନସମ୍ବଳ ଓ ଅବସ୍ଥାପନାର ଅଭାବ ଯୋଗୁଁ ଏବଂ ସମକାଳୀନ ଭାବରେ ଉପଭୋକ୍ତାମାନଙ୍କଠାରେ କ୍ରୟ-ଶକ୍ତିର ଅଭାବ ଯୋଗୁଁ ଏହା ସମ୍ଭବ ହେଉ ନଥିବାରୁ କେତେକ ‘‘ରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା, ଆଶାନ୍ତି ଓ ଉତ୍ତେଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି ।

 

(୬) ପରିବେଶୀୟ ପ୍ରଦୂଷଣ ସଂପ୍ରତି ଏକ ଆତଙ୍କପ୍ରଦ ପରିସ୍ଥିତିର ସୂତ୍ରପାତ ଘଟାଇଛି-। ଭିନ୍ନ ଭିନ୍ନ କାରଣ ଯୋଗୁଁ ଉନ୍ନତ ରାଷ୍ଟ୍ରଗୁଡ଼ିକ ଓ ଦରିଦ୍ର ରାଷ୍ଟ୍ରଗୁଡ଼ିକର ପରିବେଶକୁ ପ୍ରଦୂଷିତ କରୁଛନ୍ତି । ୧୯୯୨ ମସିହାରେ ବ୍ରାଜିଲ ଦେଶର ସୁପ୍ରସିଦ୍ଧ ରିଓ-ଦେ-ଜାନିରୋଠାରେ ‘ଧରିତ୍ରୀ ଶିଖର’ ଶିରୋନାମାରେ ଏକ ଆନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଅଧିବେଶନରେ ପୃଥିବୀର ସବୁ ବଡ଼ ବଡ଼ ଦେଶର ତୁଙ୍ଗ ରାଜନୈତିକ ନେତୃବର୍ଗ ଓ ବିଶେଷଜ୍ଞମାନେ ଯୋଗଦାନ କରିଛନ୍ତି । ଏତଦ୍ଦ୍ୱାରା ପୃଥିବୀ ରୂପୀ ବ୍ୟୋମପୋତର ସୀମିତ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ, ମୂଲ୍ୟବାନ ପରିସଂସ୍ଥାଗୁଡ଼ିକର ସଂରକ୍ଷଣ ପାଇଁ ଏବଂ ସର୍ବୋପରି ଆଦର୍ଶଗତ ଦୃଷ୍ଟିରୁ ପୃଥିବୀ ବକ୍ଷରେ ଗୋଟିଏ ପରିପୋଷଣକ୍ଷମ ବା ସସ୍‍ଟେନେବ୍‍ଲ ସମାଜର ପ୍ରତିଷ୍ଠା ପାଇଁ ଜନଚେତନାର ଜାଗରଣ ସମ୍ଭବ ହୋଇଛି । ଏହି ଆନ୍ତଃରାଷ୍ଟ୍ରୀୟ ଆଲୋଚନା-ଚକ୍ରରେ ପରିବେଶର ପ୍ରଦୂଷଣକାରୀ ବ୍ୟବସ୍ଥାଗୁଡ଼ିକର ନିରାକରଣ ପାଇଁ କେତେକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ମାତ୍ର ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶଙ୍କ ଏକତରଫା ଜିଦ୍ ଯୋଗୁଁ ଜୈବ-ବିବିଧତା ବା ବାୟୋଡ଼ାଇଭର୍ସିଟି–କେନ୍ଦ୍ରିକ ତାତ୍ପର୍ଯ୍ୟପୂର୍ଣ୍ଣ ସମସ୍ୟାଟିର ସମାଧାନ ଦିଗରେ କୌଣସି ଲକ୍ଷ୍ୟଣୀୟ ପଦକ୍ଷେପ କାର୍ଯ୍ୟକାରୀ କରାଯିବା ସମ୍ଭବ ହୋଇନାହିଁ । ସୁଖର କଥା ଯେ ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀ କ୍ଳିଣ୍ଟନ ଏବେ ଜୈବବିବିଧତା ଆଧାରିତ ଅନ୍ତଃରାଷ୍ଟ୍ରୀୟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସକ୍ରିୟ ହେବାର ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ଅବସ୍ଥାପିତ ଜିନ୍ ଭଣ୍ଡାରର ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ଆନୁକୂଲ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟାଶ୍ରୟୀ ବ୍ୟାବସାୟିକ ବିନିଯୋଗ କ୍ଷେତ୍ରରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା ଦିଗରେ ସେ କୌଣସି ସନ୍ତୋଷପ୍ରଦ ପ୍ରତିଶ୍ରୁତି ଦେଇନାହାନ୍ତି । ଏଣୁ ଏହି ଘଟଣାକୁ କେନ୍ଦ୍ର କରି ଉତ୍ତର-ଦକ୍ଷିଣ ବିବାଦର ତୀବ୍ରତା ଘନୀଭୂତ ହେବାଭଳି ଜଣା ପଡ଼ୁଛି ।

 

(୭) ଯୋଗାଯୋଗ ବ୍ୟବସ୍ଥାର ଯେପରି ଅଦ୍ଭୁତପୂର୍ବ ସମୃଦ୍ଧି ସାଧିତ ହେଇଛି ଏବଂ ଏହାର ତ୍ୱରାନ୍ୱିତ ସମୃଦ୍ଧି ସାଧନ ଦିଗରେ ଯେପରି ବିଚକ୍ଷଣ କୌଶଳଗୁଡ଼ିକୁ ପ୍ରୟୋଗ କରାଯାଉଛି, ସେଥିରୁ ଜଣାପଡ଼ୁଛି ଯେ ପୃଥିବୀ ବ୍ୟାବହାରିକ ଦୃଷ୍ଟିରୁ ଗୋଟିଏ ଇଲେକ୍ଟ୍ରୋନିକ୍ କୁଟୀରରେ ପରିଣତ ହୋଇଛି । ଏଥିପାଇଁ ବିଭିନ୍ନ ଧର୍ମ, ଲୋକାଚାର, ଫେଶନ ଓ ସଂସ୍କୃତି ଦ୍ୱାରା ପୃଥିବୀର ପ୍ରତ୍ୟେକ ଅଞ୍ଚଳର ବାସିନ୍ଦା ଅବଶିଷ୍ଟ ଅଞ୍ଚଳଗୁଡ଼ିକ ଦ୍ୱାରା ଅନିବାର୍ଯ୍ୟ ଭାବରେ ପ୍ରଭାବିତ ହେଉଛନ୍ତି । ଏରୂପ ତଥ୍ୟ ସଂଗ୍ରହ ଓ ତଥ୍ୟ ପ୍ରସାର ବ୍ୟବସ୍ଥା ତଥା ମୁକ୍ତ ବଜାର ଅର୍ଥନୀତିର ତୀବ୍ରତା ଯୋଗୁଁ ପୃଥିବୀ ଶିଳ୍ପ ବିପ୍ଳବ ପରେ ତଥ୍ୟ-ବିପ୍ଳବ ଦ୍ୱାରା ସଂକ୍ରମିତ ହୋଇଛି । ତଥ୍ୟ-ବିପ୍ଳବର ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ପୃଥିବୀର ପ୍ରତ୍ୟେକ ଦେଶରେ ଊଣା ଅଧିକେ ଏକ ପ୍ରକାର ସାମାଜିକ ଓ ସାଂସ୍କୃତିକ ବିଚଳନ ପରିଲକ୍ଷିତ ହେଉଛି । ସେ କେହି ନିଜ ପ୍ରତିଭା ବା କର୍ମନୈପୁଣ୍ୟ ବଳରେ ନିଜ ରୁଚି ଅନୁଯାୟୀ ଗୋଟିଏ ବୃତ୍ତିକୁ ଆଦରି ନେବାକୁ ତଥା ନିଜ ସାମାଜିକ ମର୍ଯ୍ୟାଦାରେ ଅଭିବୃଦ୍ଧି ଘଟାଇବାକୁ ଯତ୍ନବାନ ହେଉଛନ୍ତି । ଏଣୁ ଧର୍ମ ଜଗତର ରକ୍ଷଣଶୀଳ ତଥା ସ୍ୱାର୍ଥାନ୍ଵେଷୀ କର୍ଣ୍ଣଧାରମାନେ ନିଜ ନିଜ ଧର୍ମର ମୌଳିକତା ଓ ବଡ଼ିମା ପ୍ରଦର୍ଶନ ପାଇଁ ବ୍ୟଗ୍ର ହେଉଛନ୍ତି । ଇସଲାମୀ ରାଷ୍ଟ୍ରଗୁଡ଼ିକରେ ମୌଳିକତାବାଦୀମାନେ ଗୋଷ୍ଠୀଗତ ବା ସାଂପ୍ରଦାୟିକ ବା ଆଞ୍ଚଳିକ ସ୍ଵାର୍ଥର ବାହାନାରେ ପ୍ରଗତିର ପଥକୁ ଅବରୋଧ କରୁଛନ୍ତି । ଖ୍ରୀଷ୍ଟିଆନ, ହିନ୍ଦୁ ଓ ବୌଦ୍ଧ ଧର୍ମର ବଡ଼ପଣ୍ଡାମାନେ ମଧ୍ୟ ମାନବ ଜାତିର ଇତିହାସର ଏହି ସନ୍ଧିକ୍ଷଣରେ ନିଜ ନିଜ ଧର୍ମର ପ୍ରତିପତ୍ତି ବିସ୍ତାର ପାଇଁ ବିଶେଷ କର୍ମତତ୍ପର ହେଉଥିବାର ଲକ୍ଷ୍ୟ କରାଯାଉଛି । ସମକାଳୀନ ଭାବରେ ଆମେ ବୁଝିପାରୁଛୁ ଯେ ଗ୍ରାହକ ସ୍ତରରେ ମୂଲ୍ୟବାନ ତଥ୍ୟ ଯୋଗାଣ ପାଇଁ ତଥା ତଥ୍ୟାଶ୍ରୟୀ ବ୍ୟବସ୍ଥାଗୁଡ଼ିକୁ ଦାରିଦ୍ର୍ୟର ଅପସାରଣ ଦିଗରେ କାର୍ଯ୍ୟକାରୀ କରାଯିବା ଭଳି ଗୋଟିଏ ଆନ୍ତଃରାଷ୍ଟ୍ରୀୟ ଅର୍ଥନୈତିକ ଶୃଙ୍ଖଳାର ପ୍ରତିଷ୍ଠା ପାଇଁ ଯେଉଁ ଆନ୍ଦୋଳନ ଚାଲିଛି ତାହାକୁ ଯଦି ଠିକଣା ମାର୍ଗରେ ପରିଚାଳନା କରାଯାଏ, ତାହାହେଲେ ମୌଳିକତାବାଦୀମାନଙ୍କର ଏପରି ପ୍ରଗତି ପରିପନ୍ଥୀ ଆନ୍ଦୋଳନର ପ୍ରଭାବ ବେଶି ଦିନ ପାଇଁ ସ୍ଥାୟୀ ହେବନାହିଁ । ଶିକ୍ଷାର ପ୍ରସାର, ଜନସ୍ୱାସ୍ଥ୍ୟର ସୁରକ୍ଷା, ଜନସାଧାରଣଙ୍କ ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ପାଇଁ ବିଜ୍ଞାନ ନିର୍ଭରଶୀଳ ବହୁବିଧ ଟେକ୍ନୋଲଜିଗୁଡ଼ିକର ବିନିଯୋଗ ଦିଗରେ ଯଦି ସମ୍ବେଦନଶୀଳ ମୁକ୍ତ ପରିବେଶ ସୃଷ୍ଟି କରାଯିବା ସମ୍ଭବ ହୁଏ, ତାହାହେଲେ ମନୁଷ୍ୟ ନିଜ ବୁଦ୍ଧି ବଳରେ ପୃଥିବୀ ବକ୍ଷରେ ମନୁଷ୍ୟ ସମେତ ସମଗ୍ର ଜୀବଜଗତର କଲ୍ୟାଣ ପାଇଁ ଠିକଣା କର୍ମପଦ୍ଧତିର ଅନୁଗାମୀ ହୋଇପାରିବ । ଜୈବ-ପ୍ରଯୁକ୍ତି ବିଦ୍ୟା, ମାଇକ୍ରୋଇଲେକ୍ଟ୍ରୋନିକ୍ ଟେକ୍ନୋଲଜି ଓ ତତ୍‍ନିର୍ଭରଶୀଳ ଟେଲିଯୋଗାଯୋଗ, ନୂଆ ନୂଆ ପ୍ରକାରେ ଉପଯୋଗୀ କୃତ୍ରିମ ବସ୍ତୁଗୁଡ଼ିକର ପ୍ରସ୍ତୁତି ପାଇଁ ବସ୍ତୁ-ବିଜ୍ଞାନ ବା ମ୍ୟାଟେରିଆଲ୍ ସାଇନ୍‍ସର ସମୃଦ୍ଧି ସାଧନ, ନବୀକରଣକ୍ଷମ ତଥା ବିକେନ୍ଦ୍ରୀକୃତ ମାର୍ଗରେ କାର୍ଯ୍ୟକ୍ଷମ ଶକ୍ତି ଉତ୍ସଗୁଡ଼ିକର ବ୍ୟାବହାରିକ 'ବିନିଯୋଗ ପ୍ରଭୃତି କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯେପରି ତ୍ୱରାନ୍ୱିତ ସମୃଦ୍ଧି ସାଧିତ ହେଉଛି, ସେଥିରୁ ଜଣାପଡ଼ୁଛି ଯେ ଉପଯୁକ୍ତ ପ୍ରଶାସନିକ ଓ ପରିଚାଳନାଗତ ବ୍ୟବସ୍ଥାଗୁଡ଼ିକୁ ଏକ ଅଭିନବ ଜନକଲ୍ୟାଣକାମୀ ଯୁଗାଦର୍ଶର ପ୍ରବର୍ତ୍ତନାରେ କାର୍ଯ୍ୟକାରୀ କରାଯିବା ସମ୍ଭବ ହେଲେ ପୃଥିବୀର ବାସିନ୍ଦାମାନଙ୍କ ପାଇଁ ସୁସଭ୍ୟ ଓ ସୁସଂସ୍କୃତ ଜୀବନ ଯାପନ ଉଦ୍ଦେଶ୍ୟରେ ସମ୍ବଳର ଅଭାବ ଘଟିବ ନାହିଁ ।

 

(୮) ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍‍ତତ୍ତ୍ୱ ଭଳି ଦୁଇଟି ଯୁଗାନ୍ତକାରୀ ତତ୍ତ୍ୱର କ୍ରମ ସମୃଦ୍ଧି ସାଧନ ବଳରେ ଆଧୁନିକ ପଦାର୍ଥବିଜ୍ଞାନ ମନୁଷ୍ୟର ଚେତନାରେ ଏକ କ୍ରାନ୍ତିକ ଉତ୍ତରଣ ଘଟାଇବାକୁ ସମର୍ଥ ହୋଇଛି । ଆମେ ଅବଧାରିତ ହୋଇଛୁ ଯେ ସଜୀବ ଓ ନିର୍ଜୀବ ନିର୍ବିଶେଷରେ ଏ ବିଶ୍ୱରେ ପ୍ରତ୍ୟେକ ବସ୍ତୁ ଅପର ବସ୍ତୁ ସହିତ ଏକ ନିବିଡ଼ ବନ୍ଧନ-ସୂତ୍ର ଦ୍ୱାରା ଗ୍ରଥିତ ହୋଇଛି । ଏହି ସମ୍ପର୍କ ରୂପୀ ଜାଲର ସାର୍ବତ୍ରିକତା ଓ ମହତ୍ତ୍ୱ ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଦେବା ଅବସରରେ ପ୍ରବୀଣ ପଦାର୍ଥବିଜ୍ଞାନୀମାନେ ଆମ୍ଭମାନଙ୍କୁ ଜଣାଇ ଦେଲେଣି ଯେ ପର୍ଯ୍ୟବେକ୍ଷକ ଓ ପରିଲକ୍ଷିତ ବସ୍ତୁ ମଧ୍ୟରେ ଯେଉଁ ଅନ୍ତଃକ୍ରିୟା ସମାହିତ ହେଉଛି ତଜ୍ଜନିତ ଉଭୟଙ୍କୁ ପରସ୍ପରଠାରୁ ପୃଥକ ଭାବରେ ବିଚାର କରାଯିବାର ଅବକାଶ ନାହିଁ । ବହୁବିଧ କାର୍ଯ୍ୟ ସାଧନ ଅବସରରେ ଆମେ ପ୍ରକୃତିକୁ ଯେପରି ଭାବରେ ବ୍ୟବହାର କରୁଛୁ ତଜ୍ଜନିତ ତାହାର ସନ୍ତୁଳନ ଯେପରି ଉଦ୍ଧରଣୀୟ ବା ଅନୁଦ୍ଧରଣୀୟ ମାନରେ ବଦଳି ଯାଉଛି, ତତ୍‍ସମ୍ପର୍କୀୟ ନିର୍ଭରଯୋଗ୍ୟ ଜ୍ଞାନ ଅର୍ଜନ କରିବାକୁ ଆମେ ଅଦ୍ୟାବଧି ସମର୍ଥ ହୋଇନାହୁଁ । ଏଣୁ ପାରିପାର୍ଶ୍ଵିକ ପରିବେଶକୁ ଇଚ୍ଛା ମୁତାବକ ବଦଳାଇ ଦେବାଦ୍ୱାରା ହିଁ ପରିବେଶୀୟ ପ୍ରଦୂଷଣର କ୍ରମବର୍ଦ୍ଧମାନ କୁପ୍ରଭାବ ଆମ୍ଭମାନଙ୍କୁ ଆତଙ୍କପ୍ରଦ ପରିସ୍ଥିତିର ସମ୍ମୁଖୀନ କରାଇଛି । ପୃଥିବୀର ବିଭିନ୍ନ ଦେଶର ଓଜସ୍ୱିନୀ ପ୍ରତିଭାସମ୍ପନ୍ନ ପଦାର୍ଥ ବିଜ୍ଞାନୀମାନେ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟୋନ୍ମଚନ ଉଦ୍ଦେଶ୍ୟରେ ଗୋଟିଏ ‘ଗ୍ରାଣ୍ଡ୍ ୟୁନିଫିକେଶନ ଥିଓରି’ ବା ‘ମହା-ଏକତ୍ରୀକରଣ ତତ୍ତ୍ୱ’ (ଗଟ୍)ର ପ୍ରତିଷ୍ଠା ପାଇଁ ବିଶେଷ ଯତ୍ନବାନ ହୋଇଛନ୍ତି । ଏପରି ତତ୍ତ୍ୱ ପ୍ରତିଷ୍ଠିତ ହେବାଦ୍ଵାରା ଆମେ ପ୍ରକୃତିର ସାମଗ୍ରିକ ରୂପକୁ ଠିକଣା ଭାବରେ ଚିହ୍ନିପାରିବା ଏବଂ ସାମଗ୍ରିକତା ପରିପ୍ରେକ୍ଷୀରେ ତାହାର ପ୍ରତ୍ୟେକ ଅଂଶବିଶେଷର ମହତ୍ତ୍ୱକୁ ମଧ୍ୟ ଠିକଣା ଭାବରେ ବୁଝିପାରିବା । ଏପରି ତତ୍ତ୍ୱ ଆମ୍ଭମାନଙ୍କୁ ପୃଥିବୀ ବକ୍ଷରେ ସାମାଜିକ ଓ ସାଂସ୍କୃତିକ ବିବର୍ତ୍ତନର ଧାରାକୁ ଠିକଣା ଭାବରେ ପରିଚାଳନା କରିବା ପାଇଁ ନିର୍ଭରଯୋଗ୍ୟ ପ୍ରାକ୍‍ସୂଚନା ଓ ଦିକ୍‍ଦର୍ଶନ ଯୋଗାଇପାରିବ ।

 

ଆଧୁନିକ ପଦାର୍ଥବିଜ୍ଞାନର ପ୍ରଗତିର ଧାରାକୁ ଲକ୍ଷ୍ୟ କରି ଅନେକ ବୁଦ୍ଧିଜୀବୀ ସୂଚାଉଛନ୍ତି ଯେ ପୁନରଭ୍ୟୁଦୟ କାଳଠାରୁ ଯେଉଁ ଯୁଗାଦର୍ଶର (ପାରାଡାଇମ୍) ପ୍ରଚଳନ ଯୋଗୁଁ ବସ୍ତୁବାଦୀ ସଭ୍ୟତା ବୈଷୟିକ ବିପ୍ଳବ ଜରିଆରେ ସଂପ୍ରତି ସଂଗ୍ରହପ୍ରବଣ ମନୁଷ୍ୟକୁ ଏକ ପ୍ରକାର ଅଶାନ୍ତ, ଆତଙ୍କପ୍ରଦ, ନିଃସହାୟ ଓ ନିଃସଙ୍ଗ ପରିସ୍ଥିତିର ସମ୍ମୁଖୀନ କରାଇଛି ଏବଂ ଯେଉଁ ଯୁଗାଦର୍ଶର ପ୍ରଚଳନ ଯୋଗୁଁ ଶୋଷଣପ୍ରବଣତା ଓ ଖଳ କାରସାଦୀ ବଳରେ ପ୍ରାକୃତିକ ବିଭବରାଜିର ବ୍ୟାବସାୟିକ ବିନିଯୋଗ ଯୋଗୁଁ ପରିବେଶୀୟ ପ୍ରଦୂଷଣ ମନୁଷ୍ୟ ସମେତ ସମଗ୍ର ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥାୟିତ୍ୱକୁ ଧରଣୀ ବକ୍ଷରେ ବିପଦାପନ୍ନ ପରିସ୍ଥିତିର ସମ୍ମୁଖୀନ କରାଇଛି, ତାହାର ଅବସାନ ଘଟିବାର ଶୁଭ ଲକ୍ଷଣ ପ୍ରତିଭାତ ହେଲାଣି । ଟମାସ କୁହନଙ୍କ ଭାଷାରେ ଆଧୁନିକ ପଦାର୍ଥବିଜ୍ଞାନ ଆଉ ଏକ ଉନ୍ନତ ଯୁଗାଦର୍ଶ ବା ପାରାଡ଼ାଇମ୍‍ର ପ୍ରତିଷ୍ଠା ପାଇଁ ଆମ୍ଭମାନଙ୍କୁ ଇଙ୍ଗିତ ପ୍ରଦାନ କରୁଛି । ସାଂପ୍ରତିକ ଘଟଣାପ୍ରବାହକୁ ଲକ୍ଷ୍ୟ କରିବା ଦ୍ୱାରା ବୁଝିହେଉଛି ଯେ ପୃଥିବୀର ସବୁ ବାସିନ୍ଦାଙ୍କ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ସୁଖଶାନ୍ତିମୟ ଓ ବିପଦମୁକ୍ତ କରାଇବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ଠିକଣା ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇ ପାରିବ ଏବଂ ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ତଥ୍ୟବିଜ୍ଞାନ ଓ ଜୈବ-ପ୍ରଯୁକ୍ତି ବିଦ୍ୟା ବଳରେ ଏହି ମହାନ୍ ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ଉଜ୍ଜ୍ୱଳମୟ ହେବ । ପ୍ରତ୍ୟେକ ଧର୍ମ ବା ଜାତିର ଧର୍ମଭିତ୍ତିକ ବା ସାଂସ୍କୃତିକ ସ୍ୱାତନ୍ତ୍ର୍ୟକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ବିବିଧତା ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ ମନୁଷ୍ୟ ଠିକଣା ଅବସ୍ଥାପନାଗୁଡ଼ିକ ଜରିଆରେ ଜନକଲ୍ୟାଣକାମୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ସମର୍ଥ ହେବ । ମାନବ ଜାତିର କେତେକ ମହାନୁଭବ ଶୁଭଚିନ୍ତକ ସୂଚାଉଛନ୍ତି ଯେ ପ୍ରାଥମିକ ପର୍ଯ୍ୟାୟରେ ଏପରି ଘଟିବା ସମ୍ଭବ ହେବାପରେ ଗୋଟିଏ ‘ପୃଥିବୀ ସରକାର' ବା ଓ୍ୱାର୍ଲଡ଼ ଗଭର୍ଣ୍ଣମେଣ୍ଟ ପ୍ରତିଷ୍ଠା କରାଯିବାର ପଥ ସୁଗମ ହୋଇଯିବ ।

 

ଶିକ୍ଷାର ପ୍ରସାର, ପ୍ରାକୃତିକ ବିଭବରାଜିର ସୁଷମ ବିତରଣ ଓ ସୁସଂଯତ ଉପଯୋଗ, ଜନସାଧାରଣଙ୍କ ଜୀବନ ଧାରଣର ଗୁଣାତ୍ମକମାନରେ ଆବର୍ଦ୍ଧନ, ମହିଳାମାନଙ୍କ ସ୍ୱାର୍ଥ ସଂରକ୍ଷଣ, ମନୁଷ୍ୟର ନ୍ୟାଯ୍ୟ ମୌଳିକ ଅଧିକାରଗୁଡ଼ିକର ସୁରକ୍ଷା, ଜନସ୍ୱାସ୍ଥ୍ୟର ସୁରକ୍ଷା, ବୃଦ୍ଧ, ବିକଳାଙ୍ଗ ଓ ଜରାଜୀର୍ଣ୍ଣ ବ୍ୟକ୍ତିମାନଙ୍କ ଥଇଥାନ ବ୍ୟବସ୍ଥା, ପରିବେଶୀୟ ପ୍ରଦୂଷଣର ପ୍ରତିକାର, ପ୍ରଳୟଙ୍କରୀ ମାରଣାସ୍ତ୍ର–ଗୁଡ଼ିକର ପରୀକ୍ଷାମୂଳକ ବିସ୍ଫୋରଣ ଓ ପ୍ରୟୋଗ ବିରୋଧରେ ଆଇନସମ୍ମତ ନିଷେଧାଜ୍ଞାର ପ୍ରବର୍ତ୍ତନ ପାଇଁ ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାଶ୍ରୟୀ ନୂଆ ନୂଆ କୌଶଳଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ଅବସରରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତ ବଳରେ ସ୍ଥିତାବସ୍ଥାକୁ ବଜାୟ ରଖାଯିବାର ଅପଚେଷ୍ଟା ଅବ୍ୟାହତ ରହିଛି । ମନୁଷ୍ୟ ନିଜ ଭବିଷ୍ୟତର ସୁରକ୍ଷା ପାଇଁ ଠିକଣା ଯୁଗାଦର୍ଶର ଅନୁଗାମୀ ହେବା ଉଦ୍ଦେଶ୍ୟରେ ଦିକ୍‍ଦର୍ଶନ ପାଇପାରୁଥିଲେ ମଧ୍ୟ ଅନିଶ୍ଚିତ ଭବିଷ୍ୟତ, ମାନସିକ ଜଡ଼ତା ତଥା ନିଜ ସ୍ୱାର୍ଥର ସୁରକ୍ଷାକୁ କେନ୍ଦ୍ର କରି ପୃଥିବୀ ବକ୍ଷରେ ଅସୁସ୍ଥ ବ୍ୟାବସାୟିକ ପ୍ରତିଯୋଗିତା, ଧର୍ମଭିତ୍ତିକ ମୌଳିକତାବାଦୀ ଆନ୍ଦୋଳନ, ଆଞ୍ଚଳିକ ସ୍ୱାର୍ଥ ପ୍ରବର୍ତ୍ତିତ ଆତଙ୍କବାଦର ବଶବର୍ତ୍ତୀ ହୋଇ ଅଶାନ୍ତ ଓ ଉତ୍ତେଜନାମୟ ପରିସ୍ଥିତିକୁ ଉଜ୍ଜୀବିତ ରଖିଛି । ଏପରି ଆତ୍ମବିନାଶୀ କର୍ମପ୍ରବଣତାକୁ ଯଦି ପୃଥିବୀ ବକ୍ଷରେ ବେଶି ଦିନ ପାଇଁ ପ୍ରଶ୍ରୟ ଦିଆଯାଏ, ତାହାହେଲେ ବ୍ୟାପକ ବୌଦ୍ଧିକ ଆୟୋଜନ ସତ୍ତ୍ୱେ ନିଶ୍ଚିତ ଭାବରେ ଆତ୍ମ-ବିସ୍ମୃତ ମନୁଷ୍ୟ ନିଜ ସମେତ ସମଗ୍ର ପ୍ରାଣୀ ଓ ଉଦ୍ଭିଦ ଜଗତକୁ ଦାରୁଣ ଦୁର୍ଗତିର ସମ୍ମୁଖୀନ କରାଇବ । ତଥାପି, ଲେଡ଼ି ଗୁଡ଼ କହୁଣୀ ପର୍ଯ୍ୟନ୍ତ ବୋହିଯିବା ପରେ ମଧ୍ୟ ଏବଂ ବିଧ ଉପଲବ୍‍ଧ ପୃଥିବୀ ବକ୍ଷରେ ଜନମାନସକୁ ଲକ୍ଷଣୀୟ ମାର୍ଗରେ ପ୍ରଭାବିତ କରୁନାହିଁ । ଏଣୁ, ଆମ ଇତିହାସର ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମାନବ ଜାତିର ଶୁଭଚିନ୍ତକ ଭାବରେ ଅନେକେ ଅବସାଦଗ୍ରସ୍ତ ନୈରାଶ୍ୟବାଦୀ ମତ ବ୍ୟକ୍ତ କରୁଛନ୍ତି ଏବଂ ବସ୍ତୁବାଦୀ ସଭ୍ୟତାର ମୋଡ଼କୁ ଅଭିନବ ଯୁଗାଦର୍ଶ ବଳରେ ଶୁଭକାରୀ ମାର୍ଗରେ ବଦଳାଇ ଦେବା ଦିଗରେ ଅବସ୍ଥାପନାଗତ କ୍ରିୟାଶୀଳତା ବିଳମ୍ବିତ ହେଉଥିବାରୁ କ୍ଷୋଭ ପ୍ରକାଶ କରୁଛନ୍ତି । ପ୍ରାସଙ୍ଗିକତା ପରିପ୍ରେକ୍ଷୀରେ ଏଠାରେ ଆମ ଅମଳର ଜନୈକ ପ୍ରବୀଣ ବୁଦ୍ଧିଜୀବୀ, ରାଜନୀତିଜ୍ଞ ଓ ପରିବେଶଅନୁରାଗୀ ତଥା ଯୁକ୍ତରାଷ୍ଟ୍ର ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି ଶ୍ରୀ ଆଲ ଗୋରେଙ୍କ ଅଭିମତକୁ ଉଦ୍ଧାର କରିବା ସମୀଚୀନ ବୋଧ ହେଉଛି । ତାଙ୍କ ଦ୍ୱାରା ଲିଖିତ ତଥା ସଦ୍ୟ ପ୍ରକାଶିତ ‘ଆର୍ଥ ଇନ୍ ଦି ବାଲାନ୍‍ସ : ଫର୍ଜିଙ୍ଗ୍, ଏ କମନ୍ ଫିଉଚର୍’ ଶୀର୍ଷକ ପୁସ୍ତକଟିରେ ସେ ନିଜ ମର୍ମବେଦନାକୁ ନିମ୍ନମତେ ଅଭିବ୍ୟକ୍ତ କରିଛନ୍ତି :

 

‘‘The twentieth century has not been kind to the constant human striving for a sense of purpose in life. Two world wars, the Holocaust, the invention of nuclear weapons, and now the global environmental crisis have led many of us to wonder if survival-much less enlightened, joyous, and hopeful living-is possible. We retreat into the seductive tools and technologies of industrial civilisation, but that only creates new problems as we become increasingly isolated from one another and disconnected from our roots. Concern with self-narrowly defined as completely separate from others and from the rest of the world-is further reinforced as the primary motivation behind all social interactions and civilisation as a whole. We begin to value powerful images instead of tested truths. We begin to believe that in the face of possible destruction, only those images that reflect and enlarge the self matter. But that response cannot last, and ultimately it gives way to sense that what is real and right in our lives is slipping away from us. To me, this response has become so pervasive that it suggests a kind of collective identity crisis. I have for several years now been engaged in an intensive search for truths about myself and my life; many other people I know are doing the same. More people than ever before are asking, ‘‘Who are we ? What is our purpose ?’’ The resurgence of fundamentalism in every world religion, from Islam to Judaism to Hinduism to Christianity; the proliferation of new spiritual movements, ideologies, and cults of all shapes and descriptions; the popularity of New Age doctrines and the current fascination with explanatory myths and stories from cultures the world over-all serve as evidence for the conclusion that there is indeed a spiritual crisis in modern civilisation that seems to be based on an emptiness at its centre and the absence of a larger spiritual purpose’’.

 

ଇତ୍ୟବସରରେ ମଧ୍ୟ ପୃଥିବୀ ପୃଷ୍ଠରେ ମନୁଷ୍ୟର ଜୀବନ ଯାପନ ପ୍ରଣାଳୀରେ ଯେଉଁ ପ୍ରକାର ପରିବର୍ତ୍ତନ ଘଟିବ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ପ୍ରଗତିର ଧାରାକୁ ଯେପରି ଭାବରେ ବଦଳାଇ ଦିଆଯିବ, ସାଂପ୍ରତିକ ଘଟଣାପ୍ରବାହ ପରିପ୍ରେକ୍ଷୀରେ ତତ୍‍ସମ୍ପର୍କୀୟ ପ୍ରାକ୍‍ସୂଚନା ଯୋଗାଇଦେବା ପାଇଁ ବହୁ ନେତୃସ୍ଥାନୀୟ ବୁଦ୍ଧିଜୀବୀ ସ୍ୱରଚିତ ପୁସ୍ତକ ମାଧ୍ୟମରେ ଆମ୍ଭମାନଙ୍କୁ ସଚେତନ କରାଇଛନ୍ତି । ଉଦାହରଣସ୍ୱରୂପ, ଚଳିତ ଦଶକର ପରିସମାପ୍ତି ଘଟିବା ବେଳକୁ, ଅର୍ଥାତ୍ ଏକବିଂଶ ଶତାବ୍ଦୀ ଆରମ୍ଭ ହେବା ବେଳକୁ ଦଶ ବର୍ଷ ମଧ୍ୟରେ ପୃଥିବୀର ରାଜନୈତିକ, ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ପ୍ରତିରକ୍ଷା ଆଧାରିତ ବ୍ୟବସ୍ଥାଗୁଡ଼ିକରେ ଯେଉଁ ପରିବର୍ତ୍ତନ ଘଟିବ, ତତ୍‍ସମ୍ପର୍କୀୟ ପ୍ରାକ୍‍ସୂଚନା ଯୋଗାଇଦେବା ଉଦ୍ଦେଶ୍ୟରେ ଜନ ନିସବିତ ଓ ପାତ୍ରିସିଆ ଆଲବରଜିନଙ୍କଦ୍ୱାରା ପ୍ରଣୀତ ‘ମେଗାଟ୍ରେଣ୍ଡସ୍: 2000' ଶୀର୍ଷକ ପୁସ୍ତକଟି (Avon Books, 1990) ବିଶେଷ ଜନପ୍ରିୟ ହୋଇଛି । ଏହି ଉପଭୋଗ୍ୟ ଓ ଚିତ୍ତାକର୍ଷକ ପୁସ୍ତକଟିରେ ସେମାନେ ଆଗାମୀ ଦଶ ବର୍ଷ ମଧ୍ୟରେ ନିମ୍ନଲିଖିତ ବ୍ୟବସ୍ଥାଗୁଡ଼ିକ କାର୍ଯ୍ୟକାରୀ ହୋଇପାରିବାର ସମ୍ଭାବନା ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଛନ୍ତି :–

 

The Millennial Megatrends: Gateways To The 21st Century

 

As we enter the new decade, our candidates for the most important, the overarching trends influencing our lives are :

 

1. The Booming Global Economy of the 1990s.

 

2. A Renaissance in the Arts.

 

3. The Emergence of Free-Market Socialism.

 

4. Global Lifestyles and Cultural Nationalism.

 

5. The Privatization of the Welfare State.

 

6. The Rise of the Pacific Rim.

 

7. The Decade of Women in Leadership.

 

8. The Age of Biology.

 

9. The Religious Revival of the New Millennium.

 

10. The triumph of the Individual.

 

X X X

 

ଏପରି ଭାବରେ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆର ଗତିବିଧିକୁ ପ୍ରବୀଣ ବୁଦ୍ଧିଜୀବୀମାନେ ଯେପରି ଭାବରେ ସମୀକ୍ଷା କରୁଛନ୍ତି ଏବଂ ନିଜ ନିଜ ବୃତ୍ତିଗତ ପାରଦର୍ଶିତା, ଅବବୋଧ ଓ ମହାନୁଭବତା ବଳରେ ପ୍ରଗତିର ଧାରା ସମ୍ପର୍କରେ ଯେଉଁ ଗଠନମୂଳକ ସମାଲୋଚନାଶ୍ରୟୀ ପରାମର୍ଶଗୁଡ଼ିକୁ ପୁସ୍ତକ ମାଧ୍ୟମରେ ଜନଚେତନାର ଜାଗରଣ ଉଦ୍ଦେଶ୍ୟରେ ପରିବେଷଣ କରୁଛନ୍ତି, ସେଗୁଡ଼ିକ ଆମ୍ଭମାନଙ୍କ ପାଇଁ ବିଶେଷ ଶିକ୍ଷଣୀୟ, ଭାବୋଦ୍ଦୀପକ ଓ ଉପଭୋଗ୍ୟ ହୋଇପାରିଛି । ବିଗତ ୧୯୯୦ ମସିହାଠାରୁ ଏହି ପୁସ୍ତକର ପ୍ରକାଶନ ପାଇଁ ଏହାକୁ ମୁଦ୍ରଣାଳୟକୁ ପଠାଇବା ପର୍ଯ୍ୟନ୍ତ ମୁଁ ଆମ ଅମଳର ନେତୃସ୍ଥାନୀୟ, ମହାନୁଭବ ତଥା ଓଜସ୍ୱିନୀ ପ୍ରତିଭାସମ୍ପନ୍ନ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ରଚିତ ଅନେକଗୁଡ଼ିଏ ପୁସ୍ତକ ଅଧ୍ୟୟନ କରିଛି । ଏହି ପୁସ୍ତକଗୁଡ଼ିକ ମୋର ସମ୍ବେଦନଶୀଳ ସୁଗ୍ରାହୀ ମାନସପଟକୁ ବିଶେଷ ଭାବରେ ପ୍ରଭାବିତ କରିଛି । ପ୍ରାୟ ଚାଳିଶଟି ପୁସ୍ତକ ମଧ୍ୟରୁ ତେରଟି ପ୍ରତିନିଧି ସ୍ଥାନୀୟ ପୁସ୍ତକର ସାରମର୍ମ ଚୁମ୍ବକୀୟ ସମୀକ୍ଷା ଅବଲମ୍ୱନରେ ଏହି ପୁସ୍ତକରେ ପରିବେଷିତ ହୋଇଛି ।

 

‘ଫ୍ୟୁଚର୍ ସକ୍’ ଓ ‘ଦି ଥାର୍ଡ଼ ଓ୍ୱେଭ୍’ ଭଳି ପ୍ରାମାଣିକ ତଥ୍ୟାଶ୍ରୟୀ ଚିତ୍ତାକର୍ଷକ ପୁସ୍ତକଗୁଡ଼ିକର ରଚୟିତା ଆଲଭିନ ଟଫ୍‍ଲରଙ୍କ ଦ୍ୱାରା ରଚିତ ‘ଦି ପାଓ୍ୱାର୍‍ ସିଫ୍‍ଟ’ (କ୍ଷମତାର ବିଚଳନ) ଶୀର୍ଷକ ପୁସ୍ତକଟିରୁ ଆମେ ବୁଝି ପାରୁଛୁ ଯେ ହିଂସା ଓ ଅର୍ଥ ପରିବର୍ତ୍ତେ ଏଣିକି ତଥ୍ୟ ସକଳ କ୍ଷମତାର କେନ୍ଦ୍ର ଭାବରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଣୁ ତଥ୍ୟାଶ୍ରୟୀ ଯୁଗର ପ୍ରତିଷ୍ଠା ପାଇଁ ଯେଉଁ ବ୍ୟାପକ ଆୟୋଜନ ଚାଲିଛି, ତାହା ସହିତ ସଂପୃକ୍ତ ହେବା ପାଇଁ ବିକାଶଶୀଳ ବା ଉନ୍ନତ ରାଷ୍ଟ୍ର ନିର୍ବିଶେଷରେ ପୃଥିବୀର ପ୍ରତ୍ୟେକ ଅଞ୍ଚଳର ବାସିନ୍ଦାଙ୍କୁ ସେ ଏହି ସମୟୋପଯୋଗୀ ପ୍ରାମାଣିକ ତଥ୍ୟାଶ୍ରୟୀ ପରାମର୍ଶ ଦେବାକୁ ଉଚିତ୍ ମଣିଛନ୍ତି ।

 

କୋତ୍‍କିନ୍ ଓ କିସିମୋତୋ ‘ଦି ଥାର୍ଡ଼ ସେଞ୍ଚୁରୀ’ (ତୃତୀୟ ଶତାବ୍ଦୀ) ଶୀର୍ଷକ ଏକ ପୁସ୍ତକ ମାଧ୍ୟମରେ ପୃଥିବୀର ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଅର୍ଥନୈତିକ ସମ୍ପର୍କ ଓ ବାଣିଜ୍ୟ କାରବାରର ଏକ ନିଖୁଣ ବର୍ଣ୍ଣନା ପ୍ରଦାନ କରିଛନ୍ତି । ସେମାନେ ସୂଚାଇଛନ୍ତି ଯେ ଇନ୍ନୋଭେଶନପ୍ରବଣତାର ଜାଗରଣ ଓ ଆଶୁ ବ୍ୟାବହାରିକ ଉପଯୋଗ ପାଇଁ ଯେଉଁ ଦେଶ ଯେତେ ଅଧିକ ପାରଦର୍ଶୀ ହେବ ଏବଂ ସ୍ୱଦେଶୀ ଉପଯୁକ୍ତ ଜନସମ୍ବଳ ବିନିମୟରେ ଉତ୍ପାଦନପ୍ରକ୍ରିୟାକୁ ଠିକଣା ଭାବରେ କାର୍ଯ୍ୟକାରୀ କରାଇବା ପୂର୍ବକ ପୃଥିବୀର ବଜାରଗୁଡ଼ିକୁ ନୂଆ ନୂଆ ପ୍ରକାରର ଶସ୍ତା, ସୁନ୍ଦର ଓ ମଜବୁତ ଦ୍ରବ୍ୟ ଯୋଗାଇ ପାରିବ, ସେହି ଦେଶ ହିଁ ନିଜ ଦେଶର ପ୍ରଗତିକୁ ସେତେ ଅଧିକ ତ୍ୱରାନ୍ୱିତ କରାଇବାକୁ ସମର୍ଥ ହେବ । ଏହି ପୁସ୍ତକଟିରୁ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ବାସ କରୁଥିବା ଅଧିବାସୀମାନେ ନିଜ ନିଜ ଦେଶର ପ୍ରଗତି ପାଇଁ ଯଥେଷ୍ଟ ଶିକ୍ଷଣୀୟ ଉପାଦାନ ପାଇପାରିବେ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସମୃଦ୍ଧି ସାଧନ ପାଇଁ ତଥ୍ୟ ସଂଗ୍ରହ ଓ ତଥ୍ୟରାଜିର ଆତ୍ମୀକରଣର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଏଥିରୁ ସୂଚନା ମିଳୁଛି ।

 

ସତ୍ୟନିଷ୍ଠ ବୁଦ୍ଧିଜୀବୀ, ରାଜନୀତିଜ୍ଞ, ସୃଜନଶୀଳ ସାହିତ୍ୟର କାଳଜୟୀ ସ୍ରଷ୍ଟା ତଥା ଚେକ୍‍ର ରାଷ୍ଟ୍ରପତି ଭାକଲାଭ ହାଭେଲ ପୃଥିବୀର ଜଣେ ସମ୍ମାନିତ ବ୍ୟକ୍ତିତ୍ୱ । ସେ ଚାହାନ୍ତି ଯେ ପୃଥିବୀର ପ୍ରତ୍ୟେକ ବାସିନ୍ଦାଙ୍କ ସୃଜନଶୀଳ ବା କାରିଗରୀ ପ୍ରତିଭାର ସୁସଂଯତ ବିକାଶ ଓ ଉପଯୋଗ ପାଇଁ ପୃଥିବୀ ପୃଷ୍ଠରେ ସର୍ବତ୍ର ମୁକ୍ତ, ସ୍ୱଚ୍ଛନ୍ଦ ପରିବେଶର ସର୍ଜନା ସମ୍ଭବ ହେଉ । କମ୍ୟୁନିଷ୍ଟ ଶାସନ ପ୍ରବର୍ତ୍ତିତ ରାଷ୍ଟ୍ରମାନଙ୍କରେ ଏକଦଳୀୟ କେନ୍ଦ୍ରୀଭୂତ ପ୍ରଶାସନିକ ଓ ଅମଲାତାନ୍ତ୍ରିକ ବ୍ୟବସ୍ଥା ସୁଦୀର୍ଘ କାଳବ୍ୟାପୀ ସେଠାକାର ବାସିନ୍ଦାମାନଙ୍କ ସହଜାତ ପ୍ରତିଭାର ଅବାରିତ ପରିପ୍ରକାଶ ଦିଗରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି କରିଛି । ଏହା ହିଁ ଶେଷକୁ ଗଣତାନ୍ତ୍ରିକ ଶାସନ ଓ ମୁକ୍ତ ବଜାର ଅର୍ଥନୀତିର ପ୍ରବର୍ତ୍ତନ ପାଇଁ ସେହି ଦେଶମାନଙ୍କରେ ବ୍ୟାପକ ଜନ ଆନ୍ଦୋଳନର ସୁତ୍ରପାତ ଘଟାଇଛି । ହାଭେଲଙ୍କ ମତାନୁଯାୟୀ ପ୍ରଗତିମୂଳକ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ଜନସାଧାରଣଙ୍କ ସହଯୋଗରେ ପୃଥିବୀର ବାସିନ୍ଦାମାନଙ୍କ କଲ୍ୟାଣ ସାଧନ ପାଇଁ କାର୍ଯ୍ୟକାରୀ କରାଯିବା ଦ୍ୱାରା ହିଁ ପୃଥିବୀ ବକ୍ଷରେ ଶାନ୍ତି ପ୍ରତିଷ୍ଠିତ ହେବ ଏବଂ ନିଜର ତଥା ସମଗ୍ର ଜୀବମଣ୍ଡଳର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରାଇବା ଦିଗରେ ମନୁଷ୍ୟ ନିଜ ଚେତନା ଓ କାର୍ଯ୍ୟଦକ୍ଷତାର ଉତ୍ତରଣ ଘଟାଇବାକୁ ସମର୍ଥ ହେବ ।

 

ପୃଥିବୀ ବକ୍ଷରୁ ସାମ୍ରାଜ୍ୟବାଦ ପ୍ରାୟତଃ ବିଲୁପ୍ତ ହୋଇଥିଲେ ମଧ୍ୟ ଅର୍ଥନୈତିକ ଓ ବାଣିଜ୍ୟିକ ଦୃଷ୍ଟିରୁ ଉନ୍ନତ ରାଷ୍ଟ୍ରଗୁଡ଼ିକ ପୂର୍ବବତ୍ ଶୋଷଣପ୍ରବଣ ନୀତିଗୁଡ଼ିକର ଅନୁଗାମୀ ହୋଇଛନ୍ତି ଏବଂ ଏଥିପାଇଁ ପରୋକ୍ଷଭାବରେ ଅର୍ଥନୈତିକ ଦୃଷ୍ଟିରୁ ଏକ ନବ-ସାମ୍ରାଜ୍ୟବାଦର ଉତ୍ପୀଡ଼ନ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ପ୍ରଗତି ପଥରେ ଗୁରୁତର ଅନ୍ତରାୟ ସୃଷ୍ଟି କରୁଛି । ପାଶ୍ଚାତ୍ୟ ଚଳଣି ଉତ୍ପାଦନପ୍ରକ୍ରିୟା ଏବଂ ବିଦେଶୀ ଋଣ, ଅନୁଦାନ ଓ ସହଯୋଗ ବଳରେ ଦାରିଦ୍ର୍ୟର ଅପସାରଣ ପାଇଁ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଉନ୍ନୟନମୁଖୀ ପ୍ରକ୍ରିୟାଗୁଡ଼ିକୁ ଯେପରି ଭାବରେ କାର୍ଯ୍ୟକାରୀ କରାଯାଉଛି, ତଜ୍ଜନିତ ସେଠାକାର ମୂଲ୍ୟବାନ ପରିସଂସ୍ଥାଗୁଡ଼ିକ ଦିନକୁ ଦିନ ଦାରୁଣ ଦୁର୍ଗତିର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟାବରଣର ସୁରକ୍ଷା ଓ ଜନକଲ୍ୟାଣକାମୀ ପରିଚାଳନା ଦିଗରେ ଆମ ଦେଶ ସମେତ ଅନ୍ୟାନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ବାସିନ୍ଦାମାନଙ୍କୁ ସମୟୋପଯୋଗୀ ପରାମର୍ଶ ଦେବା ବ୍ୟାପାରରେ କ୍ଳଡ଼ ଆଲଭାରେଜ, ମାଧବ ଗାଡ଼ଗିଲ ଓ ରାମଚନ୍ଦ୍ର ଗୁହଙ୍କ ଭୂମିକା ବେଶ୍ ପ୍ରଭାବଶାଳୀ ହୋଇଛି । ‘ବିଜ୍ଞାନ, ପ୍ରଗତି, ହିଂସା : ଆଧୁନିକତାର ତମସାଚ୍ଛନ୍ନ କାଳ' ଏବଂ ‘ଆମ ଦେଶର ପର୍ଯ୍ୟାବରଣୀୟ ଇତିହାସ' ଭଳି ଦୁଇଟି ଭାବୋଦ୍ଦୀପକ ପୁସ୍ତକକୁ ପାଠ କରିବା ଦ୍ୱାରା ଆମେ ପ୍ରଗତି ଓ ପରିବେଶ କେନ୍ଦ୍ରିକ ସମସ୍ୟାରାଜିର ଗୁରୁତ୍ଵକୁ ଠିକଣା ଭାବରେ ହୃଦୟଙ୍ଗମ କରିବା ସଙ୍ଗେ ସଙ୍ଗେ ଏ ଦିଗରେ ନିଜ ନିଜର ଦାୟିତ୍ୱଗୁଡ଼ିକୁ ଠିକଣା ଭାବରେ ସମ୍ପାଦନ କରିବା ପାଇଁ ଶିକ୍ଷଣୀୟ ଉପାଦାନଗୁଡ଼ିକୁ ସଂଗ୍ରହ କରିପାରିବା ।

 

ଆଧ୍ୟାତ୍ମିକ ଚିନ୍ତନ ମନୁଷ୍ୟର ମାନସପଟକୁ ସନ୍ତୁଳିତ କରେ । ମାନବିକତାବୋଧ ଦ୍ୱାରା ରସାଣିତ ନୈତିକ ଜୀବନଯାପନ ପାଇଁ, ସୌନ୍ଦର୍ଯାନୁରାଗ ପ୍ରଣୋଦିତ ପ୍ରକୃତି ଉପାସକ ଭାବରେ ପର୍ଯ୍ୟାବରଣର ସୁରକ୍ଷା ପାଇଁ, ମାନସିକ ଶାନ୍ତି ଉପଭୋଗ କରିବା ଅବସରରେ ସମଗ୍ର ଜୀବଜଗତର କଲ୍ୟାଣ ସାଧନ ଦିଗରେ ଚିନ୍ତା କରିବା ପାଇଁ ପ୍ରତ୍ୟେକ ଧର୍ମ ମନୁଷ୍ୟକୁ ସତ୍‍ପଥଗାମୀ କରାଏ । ମାତ୍ର ଲକ୍ଷ୍ୟ କରିଯାଉଛି ଯେ ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆଁରେ ଧାର୍ମିକ ପରମ୍ପରା, ଚଳଣି ଓ ଲୋକାଚାରଗୁଡ଼ିକର ପ୍ରଭାବ କ୍ଷୀଣ ହେଉଛି । ପୁଣି, ଯୋଗାଯୋଗ ବ୍ୟବସ୍ଥାର କରାମତି ବଳରେ ବିଭିନ୍ନ ଧର୍ମ ଓ ସଂସ୍କୃତି ଦ୍ୱାରା ମନୁଷ୍ୟ ପ୍ରଭାବିତ ହେଉଥିବାରୁ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର ନୀତି ଓ ନିୟମଗୁଡ଼ିକୁ ମାନି ପାରମ୍ପରିକ ରୀତିରେ ଜୀବନ ବିତାଇବାକୁ ମନୁଷ୍ୟ ସ୍ପୃହଣୀୟ ମଣୁନାହିଁ । ଅର୍ଥ ଓ କ୍ଷମତା, ବ୍ୟବସାୟ ଓ ବାଣିଜ୍ୟକୁ କେନ୍ଦ୍ର କରି ଗ୍ରାହିକ ସ୍ତରରେ ଚାଲିଥିବା ଆନ୍ଦୋଳନ ପୃଥିବୀ ବକ୍ଷରେ ଧର୍ମର ସ୍ୱତନ୍ତ୍ର ପ୍ରଭାବକୁ ତଥା ପ୍ରତ୍ୟେକ ଧର୍ମାବଲମ୍ବୀ ବ୍ୟକ୍ତିମାନଙ୍କ ସ୍ୱାର୍ଥକୁ କ୍ଷୁଣ୍ଣ କରିବାର ଆଶଙ୍କା ଧର୍ମ ଜଗତର କେତେକ ମୌଳିକତାବାଦୀ ବଡ଼ପଣ୍ଡାଙ୍କୁ ଏବେ ବିଶେଷ କର୍ମତତ୍ପର କରାଇଛି । ସେମାନେ ଧର୍ମକୁ ଏକ ରାଜନୈତିକ ଆୟୁଧ ଭାବରେ ବ୍ୟବହାର କରି ଆଞ୍ଚଳିକ ମେଣ୍ଟ ଜରିଆରେ ପ୍ରଗତିଶୀଳ ପ୍ରକ୍ରିୟାଗୁଡ଼ିକର ପଥରୋଧ କରିବାର ଯେଉଁ ପ୍ରୟାସ ଚଳାଇଛନ୍ତି ଏବଂ ବିଜ୍ଞାନ ଓ ଟେକ୍ନୋଲୋଜିର କାର୍ଯ୍ୟକାରିତା ପଥରେ ଯେଉଁ ଅନ୍ତରାୟ ସୃଷ୍ଟି କରୁଛନ୍ତି, ତାହାର ଅଯଥାର୍ଥତା ସମ୍ପର୍କରେ ବହୁଶାସ୍ତ୍ରଦର୍ଶୀ ଶ୍ରୀ ବେଦ ଗ୍ରିଫିଥ୍‍୍‍ସ ଆମ୍ଭମାନଙ୍କୁ ‘ବାସ୍ତବତାର ଏକ ଅଭିନବ ଦର୍ଶନ' ଶୀର୍ଷକ ସୁଖ ପାଠ୍ୟପୁସ୍ତକ ଜରିଆରେ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ଏହି ପୁସ୍ତକଟିକୁ ପାଠ କରିବା ଦ୍ୱାରା ଗ୍ରାହିକ ସ୍ତରରେ ମାନବିକତାବୋଧର ଉତ୍କର୍ଷ ପ୍ରତିପାଦନ ପାଇଁ ଆମେ କଳା, ବିଜ୍ଞାନ ଓ ଧର୍ମର ପରିପୂରକ ଭୂମିକା ସମ୍ପର୍କରେ ସଚେତନ ହୋଇପାରିବା । ପ୍ରତ୍ୟେକ ଧର୍ମ ମନୁଷ୍ୟକୁ ଆତ୍ମିକ ଶାନ୍ତି ଯୋଗାଇ ଦେବା ପାଇଁ ଯେଉଁ ଜୀବନାଦର୍ଶର ଅନୁଗାମୀ ହେବାକୁ ଉଦ୍ଦୀପନା ଯୋଗାଉଛି, ଆଧୁନିକ ବିଜ୍ଞାନର ଯୁଗରେ ତାହାର ମହତ୍ତ୍ୱ ଉପଲବ୍‍ଧି କରିବା ସଙ୍ଗେ ସଙ୍ଗେ ସର୍ବଧର୍ମସାର ଜନକଲ୍ୟାଣକାରୀ ବ୍ୟବସ୍ଥାଗୁଡ଼ିକୁ ବିଜ୍ଞାନ ଓ ଟେକ୍ନୋଲୋଜି ବଳରେ ଯଥାବିଧି କାର୍ଯ୍ୟକାରୀ କରାଇବାଦ୍ୱାରା ହିଁ ମନୁଷ୍ୟ ସମଗ୍ର ପ୍ରାଣୀ ଓ ଉଦ୍ଭିଦ ଜଗତ ମଧ୍ୟରେ ନିଜ ଅନନ୍ୟସାଧାରଣ ବିଚାରବୋଧର ଯଥାର୍ଥତା ପ୍ରତିପାଦନ କରିବାକୁ ସମର୍ଥ ହେବ ।

 

ତୁମୁଳ ପ୍ରତିଯୋଗିତାମୟ ପରିବେଶରେ କର୍ମଚଞ୍ଚଳ ଜୀବନ ବିତାଉଥିବା ମନୁଷ୍ୟ ବସ୍ତୁବାଦୀ ପ୍ରତିଯୋଗିତାରେ ଏପରି ମଜ୍ଜିଯାଇଛି ଯେ ତାହାର ଏକ ପ୍ରକାର ଆତ୍ମବିସ୍ମରଣ ଘଟିଛି । ପ୍ରକୃତିର ସନ୍ତାନ ଭାବରେ ପ୍ରକୃତି ସହିତ ସହାବସ୍ଥାନ କରିବାର ମାର୍ଗକୁ ମନୁଷ୍ୟ ଠିକଣା ଭାବରେ ନିର୍ଦ୍ଧାରଣ କରିନାହିଁ । ଆଧୁନିକ ବିଜ୍ଞାନ ଏ ଦିଗରେ ମନୁଷ୍ୟକୁ ସମୟୋପଯୋଗୀ ପରାମର୍ଶ ଦେଉଥିବା ବେଳେ ଏବଂ ଏକ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ପାଇଁ ଦିକ୍‍ଦର୍ଶନ ଯୋଗାଉଥିବାବେଳେ ବର୍ତ୍ତମାନସର୍ବସ୍ୱ ମନୁଷ୍ୟ ସ୍ଥିତାବସ୍ଥାରେ ଶୁଭକାରୀ ପରିବର୍ତ୍ତନ ଘଟାଇବାକୁ ଅସମର୍ଥ ହୋଇଛି । ଏଣୁ ଫ୍ରିଜ ଅଫ୍ କାପ୍ରା, ଡେଭିଡ଼ ବୋହମ, ରୁପର୍ଟ ସେଲଡ଼୍ରେକ ଓ ୟୁରି ଜାକୋଭ ପ୍ରମୁଖ ବୁଦ୍ଧିଜୀବୀମାନେ ପାଶ୍ଚାତ୍ୟ ବିଜ୍ଞାନ ଓ ପ୍ରାଚ୍ୟ ଦର୍ଶନ ମଧ୍ୟରେ ଏକ ଅର୍ଥସୂଚକ ସଂଶ୍ଳେଷଣ ଘଟାଇବା ପୂର୍ବକ ପୃଥିବୀ ବକ୍ଷରେ ଏକ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ପାଇଁ ଅନୁକୂଳ ବୌଦ୍ଧିକ ପରିବେଶ ସୃଷ୍ଟି କରିବାକୁ ଯତ୍ନବାନ୍ ହୋଇଛନ୍ତି । କାପ୍ରା ଓ ତାଙ୍କ ସହଯୋଗୀମାନଙ୍କ କଥୋପକଥନ ଶୈଳୀରେ ରଚିତ ତଥା ସଦ୍ୟ ପ୍ରକାଶିତ ‘ବିଲଙ୍ଗିଙ୍ଗ୍ ଟୁ ଦି ୟୁନିଭର୍ସ' ଶୀର୍ଷକ ପୁସ୍ତକଟିରୁ ଏରୂପ ବୌଦ୍ଧିକ ପ୍ରୟାସ ସମ୍ପର୍କରେ ଆମେ ସମ୍ୟକ୍ ପରିଚିତ ପାଇପାରିବା । ମାତ୍ର ବିଦୂଷୀ ମହିଳା ଦାନା ଜୋହର ‘କ୍ୱାଣ୍ଟମ୍ ସେଲ୍‍ଫ' ଶୀର୍ଷକ ଗୋଟିଏ ଭିନ୍ନ ସ୍ୱାଦର ପୁସ୍ତକ ମାଧ୍ୟମରେ ସୂଚାଇଛନ୍ତି ଯେ ମନୁଷ୍ୟର ମାନସିକ ସଂସ୍ଥିତି ସମ୍ପର୍କରେ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ବିଜ୍ଞାନସମ୍ମତ ସ୍ପଷ୍ଟୀକରଣ ପାଇବା ପାଇଁ ବ୍ୟାପକ ଉଦ୍ୟମ ହେବା ଦରକାର । ମନୁଷ୍ୟର ମନସ୍ତତ୍ତ୍ୱକୁ ବିଜ୍ଞାନସମ୍ମତ ମାର୍ଗରେ ବୁଝିବା ପରେ ହିଁ ଧର୍ମ ଓ ବିଜ୍ଞାନ ମଧ୍ୟରେ ଅର୍ଥସୂଚକ ସଂଶ୍ଳେଷଣ ପ୍ରତିଷ୍ଠା କରାଯିବାର ଉଦ୍ୟମ ଫଳପ୍ରସୂ ହୋଇପାରିବ ।

 

ସୁବ୍ରମଣ୍ୟନ ଚନ୍ଦ୍ରଶେଖର, ଷ୍ଟିଭେନ ଓ୍ୱିନବର୍ଗ ଓ ରିଚାର୍ଡ଼ ଫାଇନମାନଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକର ସମୀକ୍ଷାରୁ ତଥା ମିକାଏଲ ହ୍ୱାଇଟ, ଜନ୍ ଗ୍ରୀବିନ ଓ ଜନ୍ ଡି. ବାରୋଙ୍କ ଭଳି ସୁଖପାଠ୍ୟ ବିଜ୍ଞାନ-ସାହିତ୍ୟ ରଚୟିତାମାନଙ୍କଦ୍ୱାରା ରଚିତ ପୁସ୍ତକ ଦୁଇଟିର ସାରମର୍ମରୁ ଆମେ ବିଜ୍ଞାନର ରୂପ, ବୈଜ୍ଞାନିକ ସୃଜନଶୀଳତାର ଉତ୍ସ, ବିଜ୍ଞାନର ସମୃଦ୍ଧି ସାଧନ ପାଇଁ ଉଦ୍ଦିଷ୍ଟ କର୍ମ-ପଦ୍ଧତି, ବିଜ୍ଞାନର ଲକ୍ଷ୍ୟ ଏବଂ ଆଧୁନିକ ବିଜ୍ଞାନର ପ୍ରଗତିର ଧାରା ସମ୍ପର୍କରେ ସ୍ପଷ୍ଟୀକରଣ ପାଇପାରିବା । ଚନ୍ଦ୍ରଶେଖର ଓ ଓ୍ୱିନବର୍ଗ ଓ ଫାଇନମାନ ପ୍ରତ୍ୟେକେ ବିଂଶ ଶତାବ୍ଦୀର ବିଜ୍ଞାନ ଜଗତର ଜଣେ ଜଣେ ପ୍ରମୁଖ ପ୍ରତିନିଧି । ପ୍ରତ୍ୟେକଙ୍କ ଓଜସ୍ୱିନୀ ପ୍ରତିଭା ସହିତ ଆମେ ଊଣା ଅଧିକେ ପରିଚିତ । ଏମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରି ଆମେ ପରୋକ୍ଷ ଭାବରେ ମନୁଷ୍ୟର ସୃଷ୍ଟିଶୀଳ ପ୍ରତିଭାକୁ ହିଁ ସମ୍ମାନିତ କରିଛୁ । ଏହି ପୁସ୍ତକଗୁଡ଼ିକୁ ପାଠ କରିବା ଦ୍ୱାରା ଆମେ ମୌଳିକ ବିଜ୍ଞାନର ମହତ୍ତ୍ୱକୁ ଠିକଣା ଭାବରେ ହୃଦୟଙ୍ଗମ କରିପାରିବା, ବିଜ୍ଞାନ ଓ ଟେକ୍ନୋଲଜି ମଧ୍ୟରେ ନିହିତ ସମ୍ପର୍କ ସମ୍ବନ୍ଧରେ ଅବଧାରିତ ହେବା ଏବଂ କଳା ଓ ଧର୍ମ ଭଳି ବିଜ୍ଞାନକୁ ମାନବୀୟ ସଂସ୍କୃତିର ଅବିଚ୍ଛେଦ୍ୟ ବିଭାବ ଭାବରେ ବିଚାର କରିବାକୁ ସମର୍ଥ ହେବା । ଆମ ସଭ୍ୟତା ଓ ସଂସ୍କୃତିର ବିକାଶର ଧାରାକୁ ଜନକଲ୍ୟାଣକାମୀ ମାର୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ବିଜ୍ଞାନର ସୀମିତ ତଥା ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ସମ୍ପର୍କରେ ସେମାନେ ଆମ୍ଭମାନଙ୍କୁ ସଚେତନ କରାଇବା ସଙ୍ଗେ ସଙ୍ଗେ ମନୁଷ୍ୟର ଚିନ୍ତା କରିବାର ସର୍ବୋଚ୍ଚ ସୀମାଟିକୁ ନିରୂପଣ କରିବା ଦିଗରେ ବୈଜ୍ଞାନିକମାନଙ୍କ ସାଂପ୍ରତିକ ପ୍ରଗାଢ଼ ଉଦ୍ୟମ ସମ୍ବନ୍ଧରେ ମଧ୍ୟ ଆଲୋକପାତ କରିଛନ୍ତି । ଗୋଟିଏ ‘ଏକତ୍ରିତ କ୍ଷେତ୍ର-ତତ୍ତ୍ୱ’ର ପ୍ରତିଷ୍ଠା ପାଇଁ ଚାଲିଥିବା ପ୍ରଗାଢ଼ ଉଦ୍ୟମର ଲକ୍ଷ୍ୟ ଓ ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ଆମେ ଏହି ଆଲୋଚନାଗୁଡ଼ିକରୁ ସ୍ପଷ୍ଟୀକରଣ ପାଇପାରୁଛୁ ଏବଂ ଜୀବନଧର୍ମୀ ଏକ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ଦିଗରେ କଳା ଓ ଧର୍ମ ସହିତ ବିଜ୍ଞାନର ପରିପୂରକ ଭୂମିକା ସମ୍ପର୍କରେ ମଧ୍ୟ ସଚେତନ ହୋଇପାରୁଛୁ ।

 

ସବୁ ଦେଶରେ ସାଧାରଣ ଶିକ୍ଷା ଓ ବୈଷୟିକ ଶିକ୍ଷାର ପ୍ରସାର ପାଇଁ ବ୍ୟାପକ ଆୟୋଜନ ଚାଲିଛି । ଯୁଗୋପଯୋଗୀ ଶିକ୍ଷାର ପ୍ରସାର ବଳରେ ଜାତୀୟ ପ୍ରଗତି ପାଇଁ ଉପଯୁକ୍ତ ଜନସମ୍ବଳର ସର୍ଜନା ଦିଗରେ ଅଗ୍ରାଧିକାର ଆରୋପିତ ହୋଇଛି । ପିଲାମାନଙ୍କ ସହଜାତ ବା ଅନ୍ତର୍ନିହିତ ପ୍ରତିଭାକୁ ଶୈଶବ କାଳରୁ ଚିହ୍ନୋଟ କରିବା ପାଇଁ ତଥା ସେମାନଙ୍କ ନିଜସ୍ୱ ପ୍ରତିଭାର ସୁସଂଯତ ବିକାଶ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ, ସର୍ବୋପରି ପିଲାମାନଙ୍କୁ ଏକ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ ହେବା ଦିଗରେ ବୟସାନୁପାତରେ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଶିକ୍ଷା-ବ୍ୟବସ୍ଥାର ପୁନର୍ଗଠନ କରାଯାଉଛି । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଉନ୍ନତ ମାନସମ୍ପନ୍ନ ଶିକ୍ଷା-ବ୍ୟବସ୍ଥାର ପ୍ରଚଳନ ଦିଗରେ ଉପଯୁକ୍ତ ଅବସ୍ଥାପନା ଯୋଗାଇଦେବା ସମ୍ଭବ ହେଉନାହିଁ । ଆର୍ଥିକ ଦୁରବସ୍ଥାକୁ କେନ୍ଦ୍ର କରି ଶିକ୍ଷା କ୍ଷେତ୍ରରେ ବହୁ ପ୍ରକାର ବିଭ୍ରାଟ ସୃଷ୍ଟି ହେଉଛି । ସ୍ୱନାମଧନ୍ୟ ଶିକ୍ଷାବିତ୍ ଏଡ଼ଓ୍ୱାର୍ଡ଼ ଦେ ବୋନୋ ପିଲାମାନଙ୍କୁ ସୀମିତ ସମ୍ବଳ ବିନିମୟରେ ଉପଯୁକ୍ତ ଶିକ୍ଷା ଦେବାର ବିଧି ସମ୍ପର୍କରେ ଆମ୍ଭମାନଙ୍କୁ ବେଶ୍ କିଛି ବର୍ଷ ହେଲା କ୍ରମାଗତ ଭାବରେ ପରାମର୍ଶ ଦେଉଛନ୍ତି । ତାଙ୍କ ବିଚାର ଅନୁଯାୟୀ କେବଳ ଅର୍ଥାଭାବକୁ ଶିକ୍ଷା ପ୍ରସାରର ପ୍ରତିବନ୍ଧକ ଭାବରେ ବିଚାର କରି କାଳକ୍ଷେପଣ ନୀତି ଅନୁସରଣ କରିବା ବିଜ୍ଞତାର ପରିଚାୟକ ନୁହେଁ । ସତ୍ୟନିଷ୍ଠ ଓ କର୍ତ୍ତବ୍ୟନିଷ୍ଠ ‘ବୁଦ୍ଧିଜୀବୀ ଭାବରେ ଅଭିଭାବକମାନେ ଯଦି ପିଲାମାନଙ୍କ ବ୍ୟକ୍ତିତ୍ୱର ସନ୍ତୁଳିତ ବିକାଶ ଦିଗରେ ଯତ୍ନବାନ୍ ହୁଅନ୍ତି ଏବଂ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଜନସମ୍ବଳରେ ରୂପାନ୍ତରୀତ କରାଇବାକୁ ଚାହାଁନ୍ତି, ତାହାହେଲେ ସ୍ଥାନୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଏଥିପାଇଁ ନୂଆ ନୂଆ କୌଶଳ ଓ ପ୍ରଶିକ୍ଷଣ-ପଦ୍ଧତିର ଆଶ୍ରୟ ନେବାକୁ ହେବ । ମୌଳିକ ଚିନ୍ତା ଓ ନିଷ୍ଠାପର ଉଦ୍ୟମ ବଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ଦେଶର ଅବସ୍ଥାକୁ ଚାହିଁ ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେବା ଉଦ୍ଦେଶ୍ୟରେ ଠିକଣା ପ୍ରଶିକ୍ଷଣ-ପଦ୍ଧତିଗୁଡ଼ିକୁ କାର୍ଯ୍ୟକାରୀ କରାଇ ପାରିବେ । ତାଙ୍କ ଦ୍ୱାରା ରଚିତ ତଥା ସଦ୍ୟ ପ୍ରକାଶିତ ପୁସ୍ତକଟିରୁ ଆମେ ତାଙ୍କ ଦ୍ୱାରା ପ୍ରଦର୍ଶିତ ‘ପାକ୍ଷିକ ଚିନ୍ତନ’ (ଲାଟରାଲ ଥିଙ୍କିଙ୍ଗ୍) ପ୍ରକ୍ରିୟାର ମହତ୍ତ୍ୱକୁ ଠିକଣା ଭାବରେ ହୃଦୟଙ୍ଗମ କରିପାରିବା । ଏହି ପୁସ୍ତକଟି ଗୋଟିଏ ପ୍ରଗତିଶୀଳ ଦେଶ ପାଇଁ ଉପଯୁକ୍ତ ଜନସମ୍ବଳ ସୃଷ୍ଟି କରିବାର ମାର୍ଗ ନିର୍ଦ୍ଧାରଣ ଦିଗରେ ଆମ୍ଭମାନଙ୍କୁ ଶିକ୍ଷଣୀୟ ଉପାଦାନ ଯୋଗାଇ ପାରୁଛି ।

 

X X X

 

ଏହି ପୁସ୍ତକଗୁଡ଼ିକୁ ପାଠ କରିବା ଦ୍ୱାରା ମୁଁ ଯେଉଁ ମାନସିକ ପ୍ରାସାଦ ଅନୁଭବ କରିଛି, ଏଗୁଡ଼ିକର ସମୀକ୍ଷାଶ୍ରୟୀ ପୁସ୍ତକଟିକୁ ପାଠ କରିବା ଦ୍ୱାରା ଜ୍ଞାନ-ବିଜ୍ଞାନ ପ୍ରେମୀ ପାଠକ-ପାଠିକାମାନେ ତଦନୁରୂପ ଆତ୍ମସନ୍ତୋଷ ପାଇପାରିଲେ ମୋର ଶ୍ରମ ସାର୍ଥକ ହୋଇଛି ବୋଲି ବିଚାରିବି । ମୁଁ ଆଶା କରୁଛି ଯେ ଏହି ସମୀକ୍ଷାଗୁଡ଼ିକୁ ପାଠ କରିବା ପରେ ଆମ ରାଜ୍ୟର ବିଦ୍ୟାନୁରାଗୀ ଉଦୀୟମାନ ପ୍ରତିଭାସଂପନ୍ନ ଛାତ୍ର-ଛାତ୍ରୀମାନେ ଏହି ବିଜ୍ଞ ଓ ପ୍ରାଜ୍ଞ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ରଚିତ ଆଲୋଚ୍ୟ ତଥା ଅନ୍ୟାନ୍ୟ ପୁସ୍ତକଗୁଡ଼ିକୁ ପାଠ କରିବାକୁ ଆଗ୍ରହୀ ହେବେ । ସାଂପ୍ରତିକ ଘଟଣାପ୍ରବାହ ତଥା ତତ୍‍ନିର୍ଭରଶୀଳ ଭବିଷ୍ୟତ ସମ୍ପର୍କରେ ସ୍ପଷ୍ଟ, ଧାରଣା ପାଇବା ପାଇଁ ତଥା ଆଧୁନିକ ସଭ୍ୟତା ଓ ସଂସ୍କୃତିର ବିଲକ୍ଷଣଗୁଡ଼ିକୁ ସୁଧାରିବା ପାଇଁ ପୃଥିବୀ ବକ୍ଷରେ ଯେଉଁ ବୌଦ୍ଧିକ ଆୟୋଜନ ଅବ୍ୟାହତ ରହିଛି, ତାହା ସହିତ ସଂପୃକ୍ତ ହେବା ପାଇଁ ଆମେ ଏପରି ଅମୂଲ୍ୟ ଗ୍ରନ୍ଥଗୁଡ଼ିକରୁ ଶିକ୍ଷଣୀୟ ତଥା ଭାବୋଦ୍ଦୀପକ ଉପାଦାନ ପାଇ ପାରିବା । ଜଣେ ଶିକ୍ଷକ ଭାବରେ ଆମ ରାଜ୍ୟର ଉଚ୍ଚାକାଂକ୍ଷୀ ଛାତ୍ରସମାଜକୁ ଗ୍ରାହିକ ସ୍ତରୀୟ ଏବଂବିଧି ବୌଦ୍ଧିକ ଉଦ୍ୟମ ସହିତ ପରିଚିତ କରାଇବାର ସୀମିତ ଲକ୍ଷ୍ୟ ହିଁ ଏ ପୁସ୍ତକଟିର ପ୍ରଣୟନ ପାଇଁ ମୋତେ କର୍ମ-ପ୍ରେରଣା ଯୋଗାଇଛି । ‘ଶବ୍ଦାଲୋକ-ସାହିତ୍ୟ-ସମୀକ୍ଷା’ ଶୀର୍ଷକ ସାଂସ୍କୃତିକ ଅନୁଷ୍ଠାନର ସମଧର୍ମୀ ବନ୍ଧୁମାନଙ୍କ ଉତ୍ସାହ ଓ ପରାମର୍ଶ ମଧ୍ୟ ଏହାର ଆଶୁ ପ୍ରକାଶନ ପାଇଁ ମୋତେ ଉତ୍ସାହିତ କରିଛି । ଏହି ପୁସ୍ତକଟିର ପ୍ରକାଶନକାଳୀନ ଶୁଭ ଅବସରରେ ମୁଁ ସେମାନଙ୍କ ପ୍ରତି ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ଏହି ସମୀକ୍ଷାଗୁଡ଼ିକୁ ସାପ୍ତାହିକ ‘ସମାଜ’ ଓ ରବିବାର ‘ସମାଜ’ର ବିଶେଷ ସଂଖ୍ୟାରେ ପ୍ରକାଶ କରି ‘ସମାଜ’ର ବରେଣ୍ୟ ସଂପାଦକ ପଦ୍ମଭୂଷଣ ଡକ୍‍ଟର ରାଧାନାଥ ରଥ ମୋତେ ଯେପରି ଉତ୍ସାହିତ କରିଛନ୍ତି, ସେଥିପାଇଁ ମୁଁ ତାଙ୍କ ପ୍ରତି ବିନମ୍ର କୃତଜ୍ଞତା ଜ୍ଞାପନ କରୁଛି ।

 

ଦେବକାନ୍ତ ମିଶ୍ର

ଜୁନ୍ ପହିଲା, ୧୯୯୩

☆☆☆

 

ସୂଚୀପତ୍ର

 

୧.

ମୁଖବନ୍ଧ

୨.

କ୍ଷମତାର ବିଚଳନ

୩.

ତୃତୀୟ ଶତାବ୍ଦୀ

୪.

ଭାକ୍‍ଲାଭ ହାଭେଲଙ୍କ ସତ୍ୟାନୁସନ୍ଧାନ

୫.

ବିଜ୍ଞାନ, ପ୍ରଗତି ଓ ହିଂସା : ଆଧୁନିକତାର ତମସାଚ୍ଛନ୍ନ କାଳ

୬.

ଆମ ଦେଶର ପର୍ଯ୍ୟାବରଣୀୟ ଇତିହାସ

୭.

ବାସ୍ତବତାର ଏକ ଅଭିନବ ଦର୍ଶନ

୮.

ଈଶ୍ୱର ଓ ପ୍ରକୃତି

୯.

କ୍ୱାଣ୍ଟମ୍-ଆତ୍ମା

୧୦.

ସତ୍ୟାନୁସନ୍ଧାନ ଓ ସୌନ୍ଦର୍ଯ୍ୟବୋଧ

୧୧.

ସୃଷ୍ଟି ଓ ସ୍ରଷ୍ଟା

୧୨.

ଭୌତିକ ନିୟମଗୁଡ଼ିକର ଚାରିତ୍ରିକ ବୈଶିଷ୍ଟ୍ୟ

୧୩.

ଅନ୍ତିମ ତତ୍ତ୍ୱର ଅନୁସନ୍ଧାନ

୧୪.

ସୃଜନଶୀଳତାର ଅନ୍ୟତମ ଉତ୍ସ : ପାକ୍ଷିକ ଚିନ୍ତନ

୧୫.

ପରିଶିଷ୍ଟ : ଆଧୁନିକତୋତ୍ତରତା ବା ପୋଷ୍ଟ-ମଡ଼ର୍ନିଜ୍‍ମ

☆☆☆

 

କ୍ଷମତାର ବିଚଳନ

 

POWER SHIFT

By

Alvin Toffler

Bantam Books, 1991

 

‘ଫ୍ୟୁଚର୍ ସକ୍’ ଓ ‘ଦି ଥାର୍ଡ଼ ଓ୍ୱେଭ’ ଭଳି ଦୁଇଟି ବହୁ ଶାସ୍ତ୍ରାଶ୍ରୟୀ ତଥା ବହୁ ଚର୍ଚ୍ଚିତ ପୁସ୍ତକର ରଚୟିତା ଭାବରେ ଆଲଭିନ ଟଫଲର ପୃଥିବୀର ବୁଦ୍ଧିଜୀବୀ ମହଲରେ ବେଶ୍ ସୁପରିଚିତ । ପୂର୍ବାପର ସଙ୍ଗତି କ୍ରମେ ପୃଥିବୀର ଘଟଣା ପ୍ରବାହକୁ ଲକ୍ଷ୍ୟକରି ସେ ପୃଥିବୀର ବାସିନ୍ଦାମାନଙ୍କୁ ଆଗାମୀ ଦଶକର ଭବିଷ୍ୟତର ରୂପରେଖ ସମ୍ବନ୍ଧରେ ସମ୍ୟକ ପ୍ରାକ୍ ସୂଚନା ଯୋଗାଇଦେବାର ବୌଦ୍ଧିକ ପ୍ରୟାସକୁ ସପ୍ତଦଶକଠାରୁ ଅବ୍ୟାହତ ରଖିଛନ୍ତି । ସପ୍ତଦଶକରେ ସେ ‘ଫ୍ୟୁଚର୍ ସକ୍’ ବା ‘ଭବିଷ୍ୟତର ଧକ୍‍କା’ ଶୀର୍ଷକ ସୁଖପାଠ୍ୟ ତଥା ଭାବୋଦ୍ଦୀପକ ପୁସ୍ତକ ମାଧ୍ୟମରେ ଆମ୍ଭମାନଙ୍କୁ ସଚେତନ କରାଇଦେଲେ ଯେ ବିଜ୍ଞାନର ଯୁଗରେ ପ୍ରଯୁକ୍ତି ବିଦ୍ୟାର ବିଚକ୍ଷଣ କରାମତି ଯୋଗୁଁ ପୃଥିବୀ ବକ୍ଷରେ ସର୍ବତ୍ର ଊଣା ଅଧିକେ ସଭ୍ୟତା ଓ ସଂସ୍କୃତିର ଦ୍ରୁତ ପରିବର୍ତ୍ତନ ଘଟୁଛି । ଏପରି ପରିବର୍ତ୍ତନ ସହିତ ସଙ୍ଗତି ରକ୍ଷା କରିପାରିଲେ ହିଁ ଗୋଟିଏ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ପରିବେଶରେ ଅସ୍ଥିରତା ଘଟିବ ନାହିଁ । ଭବିଷ୍ୟତର ଅନିବାର୍ଯ୍ୟ ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ପୂର୍ବରୁ ସଚେତନ ହେବା ଦ୍ୱାରା ହିଁ ଆମେ ଭବିଷ୍ୟତର ଧକ୍କାକୁ ସହ୍ୟକରି ପାରିବା ଏବଂ ସାମାଜିକ ଓ ଅର୍ଥନୈତିକ ପ୍ରଗତି କ୍ଷେତ୍ରରେ ଅସ୍ଥିରତା ବା ଅସନ୍ତୁଳନକୁ ଏଡ଼ାଇ ପାରିବା । ଅଷ୍ଟଦଶକର ପ୍ରାରମ୍ଭରେ ଟଫଲର ‘ଦି ଥାର୍ଡ଼୍ ଓ୍ୱେଭ, ବା ‘ତୃତୀୟ ତରଙ୍ଗ’ ଶୀର୍ଷକ ପୁସ୍ତକ ମାଧ୍ୟମରେ ସୂଚାଇଦେଲେ ଯେ ମନୁଷ୍ୟ ନିଜ ବୁଦ୍ଧି ଓ କର୍ମକୁଶଳତା ବଳରେ ପୃଥିବୀ ବକ୍ଷରେ ଦୁଇଟି ବିପ୍ଳବ ଘଟାଇଛି; ଯଥା:–କୃଷି ବିପ୍ଳବ ଓ ଶିଳ୍ପ ବିପ୍ଳବ । ବିଂଶ ଶତାବ୍ଦୀର ଶେଷ ଭାଗରେ ଆଉ ଏକ ବିପ୍ଳବର ବାସ୍ତବ ରୂପାୟନ ଦିଗରେ ବ୍ୟାପକ ସଜବାଜ ଚାଲିଛି । ଏହି ତୃତୀୟ ବିପ୍ଳବକୁ ସେ ତଥ୍ୟ-ବିପ୍ଳବ (ଇନଫର୍ମେସନ ରିଭୋଲ୍ୟୁସନ) ନାମରେ ଅଭିହିତ କରିଛନ୍ତି-। ମାଇକ୍ରୋ-ଇଲେକ୍‍ଟ୍ରୋନିକ୍‍ସ ତଥା କମ୍ପ୍ୟୁଟରାଶ୍ରୟୀ ତଥ୍ୟ ନିର୍ଭରଶୀଳ ସମାଜର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ସେ ଏହି ପୁସ୍ତକଟିରେ ସବିଶେଷ ତଥ୍ୟ ପରିବେଷଣ କରିଛନ୍ତି । ତାଙ୍କ ମତାନୁଯାୟୀ ଏଣିକି ମନୁଷ୍ୟ ପୃଥିବୀର ଯେ କୌଣସି ସ୍ଥାନରେ ଇଲେକ୍ଟ୍ରୋନିକ୍ କୁଟୀରରେ ବାସ କରିବା ଅବସ୍ଥାରେ ନିଜର ସର୍ବବିଧି ବ୍ୟକ୍ତିଗତ ଓ ବୃତ୍ତିଗତ ଚାହିଦା ପୂରଣ ପାଇଁ ପୃଥିବୀର ଅନ୍ୟ ଯେକୌଣସି ସ୍ଥାନର ବ୍ୟକ୍ତିବିଶେଷ, ସରକାରୀ ବା ବେସରକାରୀ ଅନୁଷ୍ଠାନ ବା ବ୍ୟବସାୟିକ ପ୍ରତିଷ୍ଠାନ ସହିତ ଭାବ ବିନିମୟ କରିପାରିବ । ତଥ୍ୟ ସଂଗ୍ରହ, ତଥ୍ୟରାଜିର ଆତ୍ମୀକରଣ ଓ ତତ୍‍ନିର୍ଭରଶୀଳ ଜନକଲ୍ୟାଣକାରୀ ବ୍ୟବସ୍ଥାଗୁଡ଼ିକର ଆଶୁ କାର୍ଯ୍ୟକାରିତା ଦିଗରେ ପୃଥିବୀର ପ୍ରତ୍ୟେକ ଦେଶରେ ବ୍ୟାପକ ସଜବାଜ ଚାଲିଥିବା ବେଳେ ଚଳିତ ଶତାବ୍ଦୀର ଶେଷ ଦଶକର ପ୍ରାରମ୍ଭରେ ଟଫଲର ‘ପାଓ୍ୱାର୍ ସିଫ୍‍ଟ’ ବା ‘କ୍ଷମତାର ବିଚଳନ’ ଶୀର୍ଷକ ପୁସ୍ତକ ଜରିଆରେ ଆମ୍ଭମାନଙ୍କୁ ଆଗାମୀ ଯୁଗର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିବେଶର ସ୍ୱାତନ୍ତ୍ର୍ୟ ତଥା ପୃଥିବୀ ବକ୍ଷରେ କ୍ଷମତାର ବିଚଳନ ବ୍ୟାପାରରେ ଜ୍ଞାନର ନିୟନ୍ତ୍ରଣକାରୀ ଭୂମିକା ସଂପର୍କର ସଚେତନ କରାଇବାକୁ ଉଚିତ ମଣିଛନ୍ତି । ପ୍ରାୟ ୬୦୦ ପୃଷ୍ଠା ସମ୍ବଳିତ ତଥା ୧୯୯୧ ମସିହାରେ ପ୍ରକାଶିତ ଏହି ପୁସ୍ତକଟିରେ ଟଫଲର ବହୁବିଧି ଚିତ୍ତାକର୍ଷକ ପ୍ରାମାଣିକ ତଥ୍ୟାବଲମ୍ବନରେ ପୃଥିବୀ ବକ୍ଷରେ ଘଟୁଥିବା ଚମକପ୍ରଦ ପରିବର୍ତ୍ତନଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣାତ୍ମକ ଅଧ୍ୟୟନ କରିଛନ୍ତି ଏବଂ ଏପରି ପ୍ରଗାଢ଼ ଅଧ୍ୟବସାୟ ପର୍ଯ୍ୟବସିତ ସଂଶ୍ଳେଷଣାତ୍ମକ ବିଚାର ଅବଲମ୍ବନରେ ସେ ଆମ୍ଭମାନଙ୍କୁ ଜ୍ଞାନାର୍ଜନ ଦିଗରେ ବ୍ରତୀହେବା ପାଇଁ ସମୟୋଚିତ ପରମର୍ଶ ଦେଇଛନ୍ତି ।

 

କ୍ଷମତାର ଅଧିକାରୀ ହେବା ମନୁଷ୍ୟର ଏକ ସହଜାତ ପ୍ରବୃତ୍ତି । କ୍ଷମତା ଜାହିର ଉଦ୍ଦେଶ୍ୟରେ ମନୁଷ୍ୟ ହିଂସା, ସଂପତ୍ତି ଓ ଜ୍ଞାନକୁ ଆୟୁଧ ଭାବରେ ବ୍ୟବହାର କରେ । ପ୍ରତ୍ୟେକ ବ୍ୟକ୍ତି, ସମାଜ ବା ଜାତି ଊଣା ଅଧିକେ ଏହି ତିନିଟି ଅବଲମ୍ବନର ସ୍ୱାର୍ଥାନ୍ଵେଷୀ ଉପଯୋଗ ବଳରେ ଇତର ବ୍ୟକ୍ତି, ସମାଜ ବା ଜାତି ଉପରେ ଆଧିପତ୍ୟ ବିସ୍ତାର କରନ୍ତି । ଆଲୋଚ୍ୟ ପୁସ୍ତକର ବୈଶିଷ୍ଟ୍ୟ ହେଉଛି ଯେ ଆଜି ପର୍ଯ୍ୟନ୍ତ ମନୁଷ୍ୟ ଯେଉଁ ପ୍ରକାର ବ୍ୟବସ୍ଥାଗୁଡ଼ିକ ଅବଲମ୍ବନରେ କ୍ଷମତା ଜାହିର କରିବା ପାଇଁ ପ୍ରଲୁବ୍‍ଧ ହେଉଥିଲା, ଏକବିଂଶ ଶତାବ୍ଦୀର ପ୍ରାରମ୍ଭବେଳକୁ ତାହାର ଢାଞ୍ଚାରେ ଯୁଗାନ୍ତକାରୀ ପରିବର୍ତ୍ତନ ଘଟୁଛି । ସେ ଆଧୁନିକ ଯୁଗକୁ କ୍ଷମତା-ବିଚଳନର ଯୁଗ ନାମରେ ଅଭିହିତ କରିବା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କୁ ବୁଝାଇ ଦେଇଛନ୍ତି ସେ କ୍ଷମତା ପ୍ରତିପାଦନ କରିବାର ସର୍ବବିଧ ସଂରଚନାତ୍ମକ ବ୍ୟବସ୍ଥାଗୁଡ଼ିକରେ ବର୍ତ୍ତମାନ ଅସନ୍ତୁଳନ ଓ ଅସ୍ଥିରତା ପରିଲକ୍ଷିତ ହେଉଛି । ଆମ ସମାଜର ପ୍ରତ୍ୟେକ ସ୍ତରରେ ପ୍ରଚ୍ଛନ୍ନ ବା ଅପ୍ରଚ୍ଛନ୍ନ ଭାବରେ ଘଟୁଥିବା ଯୁଗାନ୍ତକାରୀ ବିଘଟନ ଓ ବିଭଞ୍ଜନଗୁଡ଼ିକ ସଂପର୍କରେ ଆମ୍ଭମାନଙ୍କୁ ଚେତାଇଦେବା ପାଇଁ, ଅର୍ଥାତ୍, ଏ ରୂପ ବିବର୍ତ୍ତନର ତାତ୍ପର୍ଯ୍ୟ ସଂପର୍କରେ ଆମ୍ଭମାନଙ୍କୁ ସମ୍ୟକ ଧରଣା ଯୋଗାଇଦେବା ପାଇଁ ଟଫଲର ଏହି ପୁସ୍ତକଟିରେ ନିଜ ମହାନୁଭବୀ ବୌଦ୍ଧିକତାର ସଦୁପଯୋଗ କରିଛନ୍ତି ।

 

ଆମ ପାରିବାରିକ ଜୀବନରେ, ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ, ଅନ୍ତଃରଷ୍ଟ୍ରୀୟ ବା ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାର କ୍ଷେତ୍ରରେ, ରାଜନୈତିକ ତଥା ପ୍ରଶାସନିକ କ୍ଷେତ୍ରରେ, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ ଆଦି ସେବାକାରୀ ଅନୁଷ୍ଠାନମାନଙ୍କରେ, ଜାତୀୟ ଓ ଆନ୍ତର୍ଜାତୀୟ ଅର୍ଥନୀତି କ୍ଷେତ୍ରରେ, ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାଗୁଡ଼ିକରେ ଏବଂ ସାହିତ୍ୟ, କଳା, ସ୍ଥାପତ୍ୟ ଓ ବହୁବିଧ ସାଂସ୍କୃତିକ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଘଟୁଛି, ଟଫଲର ତତ୍‍ସମ୍ପର୍କୀୟ ଉପଭୋଗ୍ୟ ତଥା ବୋଧଗମ୍ୟ ବର୍ଣ୍ଣନା ପ୍ରଦାନ କରିଛନ୍ତି । ପ୍ରାମାଣିକ ତଥ୍ୟରାଜି ନିର୍ଭରଶୀଳ ବିଶଦ ବର୍ଣ୍ଣନା ପ୍ରଦାନ କରିବା ଅବସରରେ ସେ ବିଭିନ୍ନ ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କରେ ଘଟୁଥିବା ପରିବର୍ତ୍ତନର ଧାରା ପ୍ରତି ବିଶେଷ ପ୍ରାଧାନ୍ୟ ଆରୋପ କରିଛନ୍ତି । ବିଶେଷତଃ ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ ଓ ଜାପାନରେ ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ବ୍ୟାବୟାୟିକ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ସେ ତୁଳନାତ୍ମକ ବିଚାର ଉପସ୍ଥାପନା କରିଛନ୍ତି । ଏଥିରୁ ସ୍ପଷ୍ଟ ବୁଝି ହେଉଛି ଯେ ହିଂସା ଓ ସମ୍ପଦ ତୁଳନାରେ ବର୍ତ୍ତମାନ ସର୍ବତ୍ର ଜ୍ଞାନ ପ୍ରତି ଅଗ୍ରାଧିକାର ଆରୋପିତ ହେଉଛି । ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାର ତ୍ୱରାନ୍ୱିତ, ସମୃଦ୍ଧି ସାଧନ ଯୋଗୁଁ ବ୍ୟାବହାରିକ ଦୃଷ୍ଟିରୁ ପୃଥିବୀର ଆକାର ସଙ୍କୁଚିତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଆଦାନ-ପ୍ରଦାନ ପାଇଁ ସୁବିଧାଜନକ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି । ପୃଥିବୀର ସୀମିତ ପ୍ରାକୃତିକ ବିଭବରାଜିର ସଦୁପଯୋଗ ବଳରେ ତଥା ପର୍ଯ୍ୟାବରଣର ସୁରକ୍ଷା ଦିଗରେ ସୁଖଶାନ୍ତିମୟ ସମାଜ ପ୍ରତିଷ୍ଠା ପାଇଁ ମନୁଷ୍ୟ ସର୍ବତ୍ର ଊଣା ଅଧିକେ ସଚେତନ ହେଲାଣି । ଏପରି କ୍ଷେତ୍ରରେ ଏକ ଗ୍ରାହିକ ଶୃଙ୍ଖଳାର ପ୍ରତିଷ୍ଠା ବଳରେ ପୃଥିବୀ ବକ୍ଷରେ ମନୁଷ୍ୟର ଭବିଷ୍ୟତକୁ ବିପଦମୁକ୍ତ ତଥା ସୁଖଶାନ୍ତିପ୍ରଦ କରାଇବାର ସମ୍ଭାବନା ଉଜ୍ଜଳମୟ ହୋଇଛି । ସାଂସ୍କୃତିକ ତଥା ବୈଷୟିକ ବିବିଧତାର ସୁରକ୍ଷା ସଙ୍ଗେ ସଙ୍ଗେ ଗ୍ରାହିକ ସ୍ତରୀୟ ଐକ୍ୟ ପ୍ରତିଷ୍ଠା ଦିଗରେ ଚିନ୍ତା କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଛି । ମନୁଷ୍ୟର ଚେତନାର ଏପରି ଶୁଭକାରୀ ଉତ୍ତରଣକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରାଇବା ଦିଗରେ କ୍ଷମତାର ଅଧିକାର ଓ କ୍ଷମତାର ପ୍ରୟୋଗ ହିଁ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସ୍ୱାଭାବିକ । ଟଫଲରଙ୍କ ମତାନୁଯାୟୀ ଜ୍ଞାନଭିତ୍ତିକ ପରିବର୍ତ୍ତନଗୁଡ଼ିକ ମାଧ୍ୟମରେ ପୃଥିବୀର ପ୍ରତ୍ୟେକ ଅଞ୍ଚଳର ପ୍ରଗତିର ଧାରାକୁ ଶୁଭକାରୀ କରାଇବା ପାଇଁ ଯେଉଁ ବୌଦ୍ଧିକ ଆଲୋଡ଼ନର ସୂତ୍ରପାତ ଘଟିଛି ତଜ୍ଜନିତ କ୍ଷମତାର ବିଚଳନ ଘଟିବା ସଙ୍ଗେ ସଙ୍ଗେ କ୍ଷମତାର ଗୁଣ ବା ଧର୍ମ ମଧ୍ୟ ବଦଳିଯିବ ।

 

ପ୍ରତିରକ୍ଷାର ଆୟୁଧଗୁଡ଼ିକୁ ଇତ୍ୟବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ସମୁନ୍ନତ କରାଯାଇଛି । ପ୍ରଳୟଙ୍କରୀ ନିଉକ୍ଲିଆର୍ ବୋମା, ରାସାୟନିକ ବୋମା ଓ ଜୀବାଣୁ-ବୋମାଗୁଡ଼ିକର ପ୍ରସ୍ତୁତି ଓ ଅନିଷ୍ଟକାରୀ ଉପଯୋଗ ସମ୍ବନ୍ଧରେ ମନୁଷ୍ୟ ତିକ୍ତ ଅଭିଜ୍ଞତା ଅର୍ଜନ କରିଛି । ଏବେ ହିଂସାର ପରିସରକୁ ମହାକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ କରାଯାଇଛି । ବିଦ୍ୟୁତ୍-ଚୁମ୍ବକୀୟ ରଶ୍ମି ଓ କଣିକାରଶ୍ମିଗୁଡ଼ିକର ବିଚକ୍ଷଣ ପ୍ରୟୋଗ ବଳରେ ଶତ୍ରୁପକ୍ଷକୁ ପରାଭୂତ କରିବାର ଉପାୟଗୁଡ଼ିକୁ ସମୁନ୍ନତ କରାଯାଇଛି । ଏପରି ବ୍ୟାପକ ଆୟୋଜନ ସତ୍ତ୍ୱେ ଆମେ ବୁଝିଗଲୁଣି ଯେ କେହି କାହାଠାରୁ କିଛି ସମ୍ପୂର୍ଣ୍ଣଭାବରେ ଗୋପନୀୟ ରଖିବାର କୌଶଳ ଆଉ ଫଳପ୍ରସୂ ହେବନାହିଁ କିମ୍ବା ନିଜର ଅନିଷ୍ଟ ନ ଘଟାଇ କେହି କାହାକୁ ସମୂଳେ ଧ୍ୱଂସ କରିଦେବା ଆଉ ସମ୍ଭବ ହେବ ନାହିଁ । ବରଂ ଏପରି ଅପଚେଷ୍ଟାର ପରିଣତି ସ୍ଵରୂପ ପୃଥିବୀ ବକ୍ଷରେ ଜୀବ ମଣ୍ଡଳର ଦାରୁଣ କ୍ଷତି ଘଟିବ ଏବଂ ଏହାପାଇଁ ସଂପୃକ୍ତ ରାଷ୍ଟ୍ରଗୁଡ଼ିକ ସମେତ ଇତର ରାଷ୍ଟ୍ରଗୁଡ଼ିକରେ ପ୍ରାଣୀ ଓ ଉଦ୍ଭିଦ ଜଗତର ଅପୂରଣୀୟ କ୍ଷତି ଘଟିବ । ହିଂସାର ପଥକୁ ବର୍ଜନ କର ବୁଦ୍ଧି ବଳରେ ଅପର ରାଷ୍ଟ୍ରଗୁଡ଼ିକ ସହିତ ସହାବସ୍ଥାନ କରିବାର କୌଶଳଗୁଡ଼ିକୁ ସମୁନ୍ନତ କରାଯିବାର ଔଚିତ୍ୟ ସର୍ବଥା ଉପଲବ୍‍ଧ ହେଲାଣି-। ସମ୍ପଦ ଅଧିକାର ପାଇଁ ଏବଂ ଅର୍ଥନୈତିକ କ୍ଷମତାର ଆବର୍ଦ୍ଧନ ପାଇଁ ପୂର୍ବରୁ ଯେଉଁ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିଲା ଏବେ ସେଗୁଡ଼ିକର ଅସାରତା ପ୍ରତିପାଦିତ ହେଉଛି-। ବୃହଦାକୃତି ବହୁଦେଶୀୟ ବ୍ୟାବସାୟକ ପ୍ରତିଷ୍ଠାନଗୁଡ଼ିକ ପୃଥିବୀର ବଜାରମାନଙ୍କରେ ଏକାଧିପତ୍ୟ ବିସ୍ତାର କରିବା ପାଇଁ ଯେଉଁ କୌଶଳଗୁଡ଼ିକୁ ପ୍ରୟୋଗ କରୁଥିଲେ ସେଗୁଡ଼ିକୁ ଆଉ ପୁର୍ବବତ୍ କାର୍ଯ୍ୟକାରୀ କରାଯିବାର ଅବକାଶ ନାହିଁ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନିର୍ଭରଶୀଳ ଉତ୍ପାଦନପ୍ରକ୍ରିୟାଗୁଡ଼ିକର ବିକେନ୍ଦ୍ରୀକରଣ, ବଜାର ଦର ନିୟନ୍ତ୍ରଣ ତଥା ଉତ୍ପାଦିତ ଦ୍ରବ୍ୟର କାଟ୍‍ତି ପାଇଁ ନୂଆ ନୂଆ କୌଶଳଗୁଡ଼ିକୁ ଉଦ୍ଭାବନ କରାଯାଉଛି । ମାଇକ୍ରୋଇଲେକଟ୍ରୋନିକ୍‍ସ ନିର୍ଭରଶୀଳ କୌଶଳଗୁଡ଼ିକ ଅବଲମ୍ବନରେ ଗବେଷଣା ଓ ପ୍ରଗତି ପାଇଁ, ପରିଚାଳନା ପାଇଁ ତଥା ଉତ୍ପାଦିତ ଦ୍ରବ୍ୟଗୁଡ଼ିକର କାଟ୍‍ତି ପାଇଁ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ବିକେନ୍ଦ୍ରୀକୃତ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି । ମାଇକ୍ରୋଇଲେକ୍‍ଟ୍ରୋନିକ୍‍ସ ଓ ଜୈବ ପ୍ରଯୁକ୍ତିବିଦ୍ୟାର ସମୁନ୍ନତି ସାଧନ, ସ୍ଥିତାବସ୍ଥାର ନବୀକରଣ ବା ଆଧୁନିକୀକରଣ ତଥା ସମୁନ୍ନତ ପ୍ରଶାସନିକ ଓ ପରିଚାଳନାଗତ ବ୍ୟବସ୍ଥା ଅବଲମ୍ବନରେ ସ୍ୱଦେଶୀ ଓ ବିଦେଶୀ ଗ୍ରାହକମାନଙ୍କୁ ଶସ୍ତା, ସୁନ୍ଦର ଓ ମଜବୁତ ଦ୍ରବ୍ୟ ଯୋଗାଣ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି । ଯେଉଁ ଦେଶ ନିଜ ଦେଶର ପ୍ରତିଭାଧର ବ୍ୟକ୍ତିମାନଙ୍କ ସହଯୋଗରେ ଯେତେ ଶୀଘ୍ର ନୂଆ ନୂଆ କୌଶଳ ଉଦ୍ଭାବନ କରି ପାରିବ ଏବଂ କର୍ମକୁଶଳୀ କାରିଗରମାନଙ୍କ ଇନ୍ନୋଭେଶନ୍‍ପ୍ରବଣତାର ସଦୁପଯୋଗ ବଳରେ ଉଦ୍ଭାବିତ କୌଶଳଗୁଡ଼ିକୁ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିପାରିବ, ସେହି ଦେଶ ହିଁ କ୍ଷମତାର ଅଧିକାର ଓ ପ୍ରୟୋଗ କ୍ଷେତ୍ରରେ ଅଗ୍ରଗାମୀ ହେବ । ବାକନୀୟ ପରମ୍ପରାର ପୁନରଭ୍ୟୁଦୟ (ଜ୍ଞାନମେବ ଶକ୍ତି) କାଳରେ ଜ୍ଞାନର ଉଦ୍ଭାବନ, ଆତ୍ମୀକରଣ ଓ ଉପଯୋଗ ଦିଗରେ ଯେଉଁ ତୁମୁଳ ବୌଦ୍ଧିକ ପ୍ରତିଯୋଗିତା ଚାଲିଛି ଓ ଚାଲିବ, ତାହା ସହିତ ନିବିଡ଼ ଭାବରେ ସାମିଲ ହେବା ଦ୍ୱାରା ହିଁ ପ୍ରତ୍ୟେକ ଦେଶ ନିଜ ନିଜ ଦେଶର ପ୍ରଗତି ପାଇଁ ଠିକଣା ପଥର ଅନୁଗାମୀ ହୋଇପାରିବେ । ଟଫଲର ସୂଚାଇଛନ୍ତି ଯେ, ପ୍ରତ୍ୟେକ ଦେଶର ସରକାର ଓ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ କେନ୍ଦ୍ରୀକୃତ କ୍ଷମତାର ପ୍ରୟୋଗ ବଳରେ ଯେପରି ଭାବରେ ଜନଜୀବନକୁ ନିୟନ୍ତ୍ରଣ କରୁଥିଲେ ଏଣିକି ଆଉ ସେହି ପ୍ରଥାର ଅବିକଳ ପ୍ରଚଳନ ସମ୍ଭବ ହେବ ନାହିଁ । ଗୁଣ ଉତ୍ପାଦନ (ମାସ୍ ପ୍ରଡ଼କସ୍‍ନ) ପରିବର୍ତ୍ତେ ବୈୟକ୍ତିକ ପସନ୍ଦାଶ୍ରୟୀ ଉତ୍ପାଦନ (ଡୋମେଷ୍ଟିକେସନ) ପାଇଁ ସର୍ବବିଧ କ୍ଷେତ୍ରକୁ ସମୁନ୍ନତ କରାଯିବ । ଅଳ୍ପ ଶକ୍ତି ବିନିମୟରେ ପରିବେଶୀୟ ସନ୍ତୁଳନକୁ ଅତୁଟ ରଖିବା ପୂର୍ବକ ପୃଥିବୀର ବାସିନ୍ଦାମାନଙ୍କ ଚାହିଦା ପୂରଣ ପାଇଁ ଯେପରି ଭାବରେ କ୍ଷମତାର ପ୍ରୟୋଗ କରାଯିବ ତାହା ଭୂଲମ୍ବୀୟ ମାନରେ ପୂର୍ବବତ୍ କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଭୂସମାନ୍ତରୀୟ ମାନରେ ହିଁ କାର୍ଯ୍ୟକାରୀ ହେବ ।

 

ଅବଶ୍ୟ ଟଫଲର ସୂଚାଇଛନ୍ତି ଯେ, ‘କ୍ଷମତା-ବିଚଳନ’ ଯୁଗର ଶୁଭାରମ୍ଭ ଘଟିବା ଅବସରରେ ଆମେ ଅତି ମାତ୍ରାରେ ଆଶାବାଦୀ ମନୋଭାବ ପୋଷଣ କରିବା ଠିକ୍ ନୁହେଁ । ମାନସିକ ଜଡ଼ତା ଓ କ୍ଷଣିକ ସୁଖର ବଶବର୍ତ୍ତୀ ମନୁଷ୍ୟ ନିକଟ ଭବିଷ୍ୟତରେ ହିଂସା ଓ ଅର୍ଥ ବଳରେ ଇତର ସମାଜ, ଗୋଷ୍ଠୀ ବା ଦେଶକୁ ଶୋଷଣ କରିବାକୁ ପଶ୍ଚାତ୍‍ପଦ ହେବ ନାହିଁ । ପୂର୍ବବତ୍ ସଂଗ୍ରହପ୍ରବଣ ଓ ଶୋଷଣପ୍ରବଣ ମନୁଷ୍ୟ ହିଂସା ଓ ଅର୍ଥ ବଳରେ ଅପରକୁ ଶୋଷଣ କରିବା ପାଇଁ ହୀନ ପନ୍ଥାଗୁଡ଼ିକୁ ଆଦରି ନେବ । ମାତ୍ର ଭୂସମାନ୍ତରୀୟ ମାନରେ ଜ୍ଞାନାଶ୍ରୟୀ ଯେଉଁ ବୌଦ୍ଧିକ ଆଲୋଡ଼ନର ସୂତ୍ରପାତ ଘଟିଛି, ତାହା କାଳକ୍ରମେ ଏପରି ଘୃଣ୍ୟ ଓ ଅପରିଣାମଦର୍ଶୀ ପନ୍ଥାର ମୂଳୋତ୍ପାଟନ ଦିଗରେ ସହାୟକ ହେବ ।

 

ତଥ୍ୟ ଓ ଜ୍ଞାନ ନିର୍ଭରଶୀଳ ସମାଜର ପ୍ରତିଷ୍ଠା ପାଇଁ ଆମ ଦେଶ ଭଳି ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଯେଉଁପ୍ରକାର ଅବସ୍ଥାପନାଗତ ଓ ସଂରଚନାତ୍ମକ ପରିବର୍ତ୍ତନଗୁଡ଼ିକର ଚାହିଦା ଉପୁଜୁଛି, ତତ୍‍ସମ୍ପର୍କୀୟ ସମ୍ୟକ ଜ୍ଞାନାର୍ଜନ ଦିଗରେ ଏହି ପୁସ୍ତକଟିରୁ ବହୁ ଉପାଦେୟ ତଥା ଜ୍ଞାତବ୍ୟ ତଥ୍ୟ ମିଳୁଛି । ଆମେ ପ୍ରତ୍ୟେକେ ଏପରି ଏକ ବହୁଶାସ୍ତ୍ରାଶ୍ରୟୀ ପୁସ୍ତକକୁ ପାଠ କରିବା ଦ୍ୱାରା ପୃଥିବୀର ଚଳନ୍ତି ଘଟଣା ପ୍ରବାହ ସହିତ ପରିଚିତ ହେବା ସଙ୍ଗେ ସଙ୍ଗେ ତଥ୍ୟ ଓ ଜ୍ଞାନାଶ୍ରୟୀ ଗ୍ରାହିକ ସ୍ତରୀୟ ବୌଦ୍ଧିକ ବିପ୍ଳବ ସହିତ ନିଜ ନିଜକୁ ଅର୍ଥସୂଚକ ମାନରେ ସାମିଲ କରାଇ ପାରିବା-। ଆମ ସାଧାରଣ ଜ୍ଞାନର ପରିମାର୍ଜନ ଓ ଆବର୍ଦ୍ଧନ ପାଇଁ ତଥା ପୃଥିବୀ ବକ୍ଷରେ ସଙ୍ଘଟିତ ବୌଦ୍ଧିକ ବିପ୍ଳବ ପରିପ୍ରେକ୍ଷୀରେ ଆମ ନିଜ ନିଜର ଦାୟିତ୍ୱ ସମ୍ପର୍କରେ ସଚେତନ ହେବା ପାଇଁ ଏହି ଅମୂଲ୍ୟ ଗ୍ରନ୍ଥଟିରୁ ଆମେ ଯଥେଷ୍ଟ ଶିକ୍ଷଣୀୟ ଉପାଦାନ ସଂଗ୍ରହ କରିପାରିବା ।

☆☆☆

 

ତୃତୀୟ ଶତାବ୍ଦୀ

 

THE THIRD CENTURY

By

Joel Kotkin and Yorika Kishimato

Ballantine Books, 1990

 

ଚଳିତ ଦଶକର ପ୍ରାରମ୍ଭରେ ‘ଦି ଥାର୍ଡ଼ ସେଞ୍ଚୁରୀ’ ଶୀର୍ଷକ ଗୋଟିଏ ପ୍ରାମାଣିକ ତଥ୍ୟାଶ୍ରୟୀ, ବିଶେଷ ସୁଖପାଠ୍ୟ ଓ ଶିକ୍ଷଣୀୟ ପୁସ୍ତକ ଆତ୍ମପ୍ରକାଶ କରିଛି । ଏହି ପୁସ୍ତକଟିର ଲେଖକଦ୍ୱୟଙ୍କ ନାମ ହେଉଛି, ଜୋଏଲ କୋତକିନ ଓ ୟୋରିକା କିସ୍‍ମାତୋ । ମାର୍କିନ୍ ବୁଦ୍ଧିଜୀବୀ କୋତକିନ ସଂପ୍ରତି ଇଙ୍କ୍ ମାଗାଜିନର ସମ୍ପାଦକ । କିସିମାତୋ ଜାପାନ ଦେଶରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକତ୍ୱ ଗ୍ରହଣ କରିଛନ୍ତି ଏବଂ ପୂର୍ବ ଏସିଆ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ନିହିତ ବାଣିଜ୍ୟିକ ସମ୍ପର୍କ ପ୍ରତିଷ୍ଠା ବ୍ୟାପାରରେ ପରାମର୍ଶଦାତ୍ରୀ ଭାବରେ କାଲିଫର୍ଣ୍ଣିଆର ଲସ ଆଲମସଠାରେ କର୍ମମୁଖର ଜୀବନ ବିତାଉଛନ୍ତି ।

 

ଉଭୟେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଗତିର ଇତିହାସକୁ ତନ୍ନ ତନ୍ନ ଭାବରେ ଅଧ୍ୟୟନ କରିଛନ୍ତି ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସାଂପ୍ରତିକ ଅର୍ଥନୈତିକ ଦୁର୍ଗତିର କାରଣ ସମ୍ପର୍କରେ ନିର୍ଭୁଲ ଜ୍ଞାନ ଅର୍ଜନ କରିବା ଉଦ୍ଦେଶ୍ୟରେ ପର୍ଯ୍ୟାପ୍ତ ସର୍ବେକ୍ଷଣ ଚଳାଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ଚୀନ, ଦକ୍ଷିଣ କୋରିଆ, ହଙ୍ଗ୍‍କଙ୍ଗ୍, ଥାଇଲାଣ୍ଡ ଓ ତାଇଓ୍ୱାନର ଶିଳ୍ପଜଗତ ସମ୍ବନ୍ଧରେ ତଥା ସେମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା କ୍ରମବର୍ଦ୍ଧମାନ ବ୍ୟାବସାୟିକ ସମ୍ପର୍କ ସମ୍ବନ୍ଧରେ ଉଭୟେ ପ୍ରଭୂତ ପ୍ରାମାଣିକ ତଥ୍ୟ ସଂଗ୍ରହ କରିଛନ୍ତି । ଏପରି ଏକ ବ୍ୟାପକ ଅଧ୍ୟୟନକୁ ପାଠକ ପାଠିକାମାନଙ୍କ ଦୃଷ୍ଟିଗୋଚରକୁ ଆଣିବା ପରେ ସେମାନେ ଆଗାମୀ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୈତିକ ଭବିଷ୍ୟତକୁ ଉଜ୍ଜ୍ୱଳମୟ କରାଇବା ଉଦ୍ଦେଶ୍ୟରେ କେତେକ ପରାମର୍ଶ ଦେଇଛନ୍ତି । ସାଂପ୍ରତିକ ଘଟଣାପ୍ରବାହ ପରିପ୍ରେକ୍ଷୀରେ ଏହି ପରାମର୍ଶଗୁଡ଼ିକ ଆମ ଦେଶପ୍ରତି ବିଶେଷ ଶିକ୍ଷଣୀୟ ହୋଇଛି । ଏଣୁ ଆମ ରାଜ୍ୟର ପାଠକ ପାଠିକାମାନଙ୍କ ନିକଟରେ ପୁସ୍ତକଟିର ସାରମର୍ମ ଚୁମ୍ବକୀୟ ଭାବରେ ଉପସ୍ଥାପନା କରିବା ହିଁ ଏହି ଆଲୋଚନାର ଆଭିମୁଖ୍ୟ ।

 

ଯୁକ୍ତରାଷ୍ଟ୍ର ଆମେରିକା ଆଜି ପର୍ଯ୍ୟନ୍ତ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରସମୂହ ସହିତ ନିବିଡ଼ ରାଜନୈତିକ, ଅର୍ଥନୈତିକ ଓ ବ୍ୟାବସାୟିକ ସମ୍ପର୍କ ଅତୁଟ ରଖିଛି । ୟୁରୋପୀୟ ଆଧିପତ୍ୟ କବଳରୁ ମୁକ୍ତ ହେବାପରେ ସୁଦୀର୍ଘ ପ୍ରାପ୍ତ ଦୁଇଶତ ବର୍ଷ ବ୍ୟାପୀ ଯେଉଁ ପରମ୍ପରା ଅବ୍ୟାହତ ରହିଛି, ତାହାକୁ ଉତ୍ତରୋତ୍ତର ଭାବରେ ବଳବତ୍ତର କରାଇବାର ପ୍ରୟାସ ପ୍ରତି ଏବେ ମଧ୍ୟ ପ୍ରାଧାନ୍ୟ ଆରୋପିତ ହେଉଛି । ମାତ୍ର ଇତ୍ୟବସରରେ ଯୁକ୍ତରାଷ୍ଟ୍ର ଆମେରିକାର ଆଭ୍ୟନ୍ତରୀଣ ପରିସ୍ଥିତିରେ ଯେପରି ଅଭୂତପୂର୍ବ ପରିବର୍ତ୍ତନ ଘଟିଛି, ଠିକ୍ ସେହିପରି ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବିପ୍ଳବାତ୍ମକ ପରିବର୍ତ୍ତନ ଘଟିଛି । ଦ୍ଵିତୀୟ ମହାଯୁଦ୍ଧକାଳୀନ ‘ବେବି ବୁମ୍’ ବା ଜନସଂଖ୍ୟା ବୃଦ୍ଧି ଯୋଗୁଁ ଯେଉଁମାନେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଗତିର ନିୟନ୍ତ୍ରକ ସାଜିଥିଲେ ବୟସରେ ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ସେମାନଙ୍କ କର୍ମତତ୍ପରତାରେ ଲକ୍ଷ୍ୟଣୀୟ ହ୍ରାସ ଘଟିଛି । ସଂପ୍ରତି ଲକ୍ଷ୍ୟ କରାଯାଉଛି ଯେ ଚୀନ, ଜାପାନ, କୋରିଆ ଓ ତାଇଓ୍ୱାନ ପ୍ରଭୃତି ଦେଶମାନଙ୍କରୁ ଯୁକ୍ତରାଷ୍ଟ୍ର ଆମେରିକାକୁ ଚାଲି ଆସିଥିବା ଉଚ୍ଚାଭିଳାଷୀ କର୍ମତତ୍ପର ବ୍ୟକ୍ତିମାନେ ଏହି ଦେଶର ଶୈଳ୍ପିକ ଅଭିବୃଦ୍ଧି ଦିଗରେ ଉତ୍ସାହପ୍ରଦ ଭୂମିକା ଗ୍ରହଣ କରିଛନ୍ତି । ଇନ୍ନୋଭେଶନପ୍ରବଣ ପୂର୍ବ-ଏସୀୟ ଶିଳ୍ପୋଦ୍ୟୋଗୀମାନେ ହିଁ ମାଇକ୍ରୋ-ଇଲେକ୍‍ଟ୍ରୋନିକ୍‍ସ, କଂପ୍ୟୁଟର, ଯୋଗାଯୋଗ ଓ ଜୈବ ପ୍ରଯୁକ୍ତି ବିଦ୍ୟା ପ୍ରଭୃତି କ୍ଷେତ୍ରରେ ନୂଆ ନୂଆ କୌଶଳ ଉଦ୍ଭାବନ କରିପାରୁଛନ୍ତି । ଏହି ଶିଳ୍ପୋଦ୍ୟୋଗୀମାନେ ଛୋଟ ଛୋଟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାର ଅଳ୍ପ କିଛି ବର୍ଷ ପରେ ବୃହତ୍ ଶିଳ୍ପାନୁଷ୍ଠାନଗୁଡ଼ିକୁ ଲାଭପ୍ରଦ ରୂପ ଦେଇ ପାରୁଛନ୍ତି ଏବଂ ନିଜ ପୈତୃକ ଦେଶମାନଙ୍କ ସହିତ ସଫଳ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାର ଚଳାଇବାକୁ ସମର୍ଥ ହେଉଛନ୍ତି । ଉଭୟ ଲେଖକଙ୍କ ମତାନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକା ବର୍ତ୍ତମାନ ଗୋଟିଏ ଓ୍ୱାର୍ଲଡ଼ ନେଶନରେ ପରିଣତ ହୋଇଛି ଏବଂ ଆନୁପାତିକ ଦୃଷ୍ଟିରୁ ପୂର୍ବ ଏସିଆରୁ ଅଧିକରୁ ଅଧିକ ସଂଖ୍ୟାରେ ଆସି ଏଠାରେ ବସତି ସ୍ଥାପନା କରିଥିବା କର୍ମୋଦ୍ୟୋଗୀ ବ୍ୟକ୍ତିମାନେ ହିଁ ସର୍ବବିଧ ଉତ୍ପାଦନ-ବ୍ୟାପାରରେ ଗୁରୁତ୍ଵପୂର୍ଣ୍ଣ ତଥା ଲକ୍ଷଣୀୟ ଭୂମିକା ଗ୍ରହଣ କରିଛନ୍ତି ।

 

ଅପର ପକ୍ଷରେ ପଶ୍ଚିମ ୟୁରେପୀୟ ରାଷ୍ଟ୍ରମାନଙ୍କ ସହିତ ଯୁକ୍ତରାଷ୍ଟ୍ର ଆମେରିକା ନିବିଡ଼ ବାଣିଜ୍ୟିକ ସମ୍ପର୍କ ପ୍ରତିଷ୍ଠା କରିଛି । ସେମାନେ ଇତ୍ୟବସରରେ ଜାପାନ ଓ ଯୁକ୍ତରାଷ୍ଟ୍ର ଆମେରିକା କବଳରୁ ମୁକ୍ତ ହେବାକୁ ହିଁ ଶ୍ରେୟସ୍କର ମଣୁଛନ୍ତି । ମାର୍କିନ ଓ ଜାପାନୀ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକ ପଶ୍ଚିମ ଇଉରୋପୀୟ ବଜାରମାନଙ୍କରେ ବିଶେଷ ଭାବରେ ବିକ୍ରି ହେଉଥିବାରୁ, ଏହି ଦେଶମାନଙ୍କରେ ସ୍ୱଦେଶୀ ଶିଳ୍ପ ଉଧେଇ ପାରୁ ନଥିବାରୁ ଏବଂ ପୃଥିବୀର ବାଣିଜ୍ୟିକ ମହଲରେ ପଶ୍ଚିମ ୟୁରୋପର ଭୂମିକା ଦିନକୁ ଦିନ ଗୌଣ ହେଉଥିବାରୁ ଏମାନେ ପଶ୍ଚିମ ୟୁରୋପୀୟ ଅର୍ଥନୈତିକ ମେଣ୍ଟ (ଇ.ଇ.ସି) ଜରିଆରେ ପଶ୍ଚିମ ୟୁରୋପର ସ୍ଵାତନ୍ତ୍ର୍ୟ ବଜାୟ ରଖିବାକୁ ଶ୍ରେୟସ୍କର ମଣିଛନ୍ତି । ଏହି ଅର୍ଥନୈତିକ ମେଣ୍ଟ ୧୯୯୨ ମସିହାଠାରୁ କାର୍ଯ୍ୟକାରୀ ହେବା ଦିଗରେ ସଂପ୍ରତି ବ୍ୟାପକ ଆୟୋଜନ ଚାଲିଛି ।

 

ପୁଣି, ସମକାଳୀନ ଭାବରେ ଯୁକ୍ତରାଷ୍ଟ୍ର ଆମେରିକା ଉତ୍ପାଦନ-ପ୍ରକ୍ରିୟା ପ୍ରତି ଆଉ ଅଗ୍ରାଧିକାର ଦେଉନାହିଁ । ଶିଳ୍ପୋତ୍ତର ସମାଜ ବା ତଥ୍ୟାଶ୍ରୟୀ ସମାଜ ପ୍ରତିଷ୍ଠା ପାଇଁ ଏ ଦେଶରେ ଯେଉଁ ସଜବାଜ ଚାଲିଛି ତଜ୍ଜନିତ ସେବାକାରୀ ସଂସ୍ଥାଗୁଡ଼ିକର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ୁଛି ଏବଂ ଉତ୍ପାଦନ-ପ୍ରକ୍ରିୟାଗୁଡ଼ିକୁ ପୃଥିବୀର ଅନ୍ୟ ଦେଶମାନଙ୍କୁ ସ୍ଥାନାନ୍ତରୀତ କରାଯାଉଛି । ଏହି ଘଟଣାକୁ ହିଁ ଉଭୟ ଲେଖକ ଯୁକ୍ତରାଷ୍ଟ୍ର ଆମେରିକାର ଦୁର୍ଗତିର ମୁଖ୍ୟ କାରଣ ଭାବରେ ଚିହ୍ନଟ କରିଛନ୍ତି । ସେମାନଙ୍କ ମତାନୁଯାୟୀ ପୃଥିବୀର ସବୁଦେଶ ତୁଳନାରେ ଯୁକ୍ତରାଷ୍ଟ୍ର ଆମେରିକାରେ ମୌଳିକ ବିଜ୍ଞାନର ଭିତ୍ତିଭୂମି ଅତି ସୁଦୃଢ଼ ହୋଇଛି । ଏପରି ଅବସ୍ଥାପନା ଶିଳ୍ପୋଦ୍ୟୋଗୀମାନଙ୍କୁ ନୂଆ ନୂଆ ପ୍ରକଳ୍ପ ପ୍ରତିଷ୍ଠା ବ୍ୟାପାରରେ ବୌଦ୍ଧିକ ସହଯୋଗ ପ୍ରଦାନ କରିଛି । ଏଣୁ ଇନ୍ନୋଭେଶନ ପ୍ରବଣ ଶିଳ୍ପୋଦ୍ୟୋଗୀମାନଙ୍କ ଉଦ୍ୟମ ବଳରେ ହିଁ ଏହି ଦେଶରେ ନୂଆ ନୂଆ ଟେକ୍ନୋଲୋଜିଗୁଡ଼ିକର ଉଦ୍ଭାବନ ସମ୍ଭବ ହୋଇଛି ଏବଂ ଏହି ଟେକ୍ନୋଲୋଜିଗୁଡ଼ିକୁ ଅଚିରେ ଶିଳ୍ପାନୁଷ୍ଠାନମାନଙ୍କରେ ଉତ୍ପାଦନ-ବ୍ୟାପାରରେ ଲାଭପ୍ରଦ ମାନରେ ନିୟୋଜିତ କରିବା ସମ୍ଭବ ହୋଇଛି । ବୈଜ୍ଞାନିକ ଅବସ୍ଥାପନା ତଥା ଶିଳ୍ପୋଦ୍ୟୋଗୀମାନଙ୍କ କର୍ମତତ୍ପରତା ହିଁ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଗତିର ମାନଦଣ୍ଡ ।

 

ଉତ୍ପାଦନ-ପ୍ରକ୍ରିୟା ପ୍ରତି ବର୍ତ୍ତମାନ ବିମୁଖ ହେବାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକା ନିଜ ହାତରୁ ଲଗାମ ଛାଡ଼ିଦେବା ହିଁ ସାର ହେଉଛି । ପୂର୍ବ-ଏସିଆରୁ ଆସିଥିବା ତଥା ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିବା ନୂଆ ନୂଆ ଶିଳ୍ପୋଦ୍ୟୋଗୀମାନଙ୍କୁ ଉତ୍ସାହ ପ୍ରଦାନ କରିବାଦ୍ୱାରା ହିଁ ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୈତିକ ପ୍ରଗତିର ପୁନରୁଦ୍ଧାର ସମ୍ଭବ ହେବ-। ପୂର୍ବ ସୂଚିତ ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କରେ ସଂପ୍ରତି ଅର୍ଥନୈତିକ ବୃଦ୍ଧିର ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଛି ଏବଂ ଏହି ରାଷ୍ଟ୍ରଗୁଡ଼ିକ ଆନ୍ତଃରାଷ୍ଟ୍ରୀୟ ବଜାରମାନଙ୍କୁ ଲକ୍ଷ୍ୟଣୀୟ ମାର୍ଗରେ ନିୟନ୍ତ୍ରଣ କରୁଛନ୍ତି । ଏଣୁ ଏମାନଙ୍କ ସହିତ ଅଧିକରୁ ଅଧିକ ନିବିଡ଼ ବାଣିଜ୍ୟିକ ସମ୍ପର୍କ ପ୍ରତିଷ୍ଠା କରିବା ଦ୍ୱାରା ତଥା ନିଜ ଦେଶର ପୂର୍ବ ଏସୀୟ ଶିଳ୍ପୋଦ୍ୟୋଗୀ ଓ ଶିଳ୍ପପତିମାନଙ୍କୁ ଉତ୍ପାଦନ ପ୍ରକ୍ରିୟାର ତ୍ୱରାନ୍ୱିତ ସମୃଦ୍ଧି ଦିଗରେ ଉତ୍ସାହିତ କରିବାପୂର୍ବକ ସେମାନଙ୍କ ଜରିଆରେ ପୂର୍ବ-ଏସୀୟ ରାଷ୍ଟ୍ରମାନଙ୍କ ସହିତ ସହଜରେ ଅଧିକରୁ ଅଧିକ ବହିର୍ବାଣିଜ୍ୟ ଚଳାଇବା ଦ୍ଵାରା ଯୁକ୍ତରାଷ୍ଟ୍ର ଆମେରିକା ପୁଣି ଥରେ ଶିଳ୍ପଜଗତର ନେତୃତ୍ୱ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବ । ଆଗାମୀ ଶତାବ୍ଦୀରେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଗୋଟିଏ ଓ୍ୱାର୍ଲଡ଼ ନେଶନ ପ୍ରଶାନ୍ତ ମହାସାଗର ଅଞ୍ଚଳୀୟ ପୂର୍ବ-ଏସିଆର ଦ୍ରୁତ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସହିତ ନିବିଡ଼ତର ବାଣିଜ୍ୟିକ ସମ୍ପର୍କ ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ସର୍ବାଦୌ ନିଜ ଦେଶର ଶିଳ୍ପୋଦ୍ୟୋଗୀମାନଙ୍କ ଇନ୍ନୋଭେଶନପ୍ରବଣତାର ପରିପୂର୍ଣ୍ଣ ଉପଯୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାଦ୍ୱାରା ପୃଥିବୀ ବକ୍ଷରେ ଅର୍ଥନୈତିକ ବ୍ୟାପାରଗୁଡ଼ିକର କାର୍ଯ୍ୟକାରିତା ପାଇଁ ବଳିଷ୍ଠ ନେତୃତ୍ୱ ପ୍ରଦାନ କରିପାରିବ ।

 

ସମକାଳୀନ ଭାବରେ ଉଭୟ ଲେଖକ ସୂଚାଇଛନ୍ତି ଯେ ଜାପାନ ଆଉ ବେଶିଦିନ ପାଇଁ ଆନ୍ତଃରାଷ୍ଟ୍ରୀୟ ବଜାରରେ ପ୍ରଭୁତ୍ଵ ବିସ୍ତାର କରିପାରିବ ନାହିଁ । ଏବେ ମଧ୍ୟ ଏହି ଦେଶ ଦକ୍ଷିଣ କୋରିଆ, ତାଇଓ୍ୱାନ, ହଙ୍ଗକଙ୍ଗ ଓ ସିଙ୍ଗାପୁର ସହିତ ତୁମୁଳ ବ୍ୟାବସାୟିକ ପ୍ରତିଯୋଗିତାର ସମ୍ମୁଖୀନ ହୋଇଛି । ପଶ୍ଚିମ ୟୁରୋପୀୟ ଅର୍ଥନୈତିକ ମେଣ୍ଟ ପ୍ରତିଷ୍ଠିତ ହେବା ବେଳକୁ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର କାନାଡ଼ା ଓ ମେକ୍ସିକୋ ସହିତ ଉତ୍ତମ ବୁଝାମଣା ବଳରେ ନର୍ଥ ଆଟଲାଣ୍ଟିକ୍‍ ଫ୍ରି ଟ୍ରେଡ଼୍‍ ଆଗ୍ରିମେଣ୍ଟ (NAFTA) ଶୀର୍ଷକ ଆଉ ଏକ ଅର୍ଥନୈତିକ ମେଣ୍ଟ ପ୍ରତିଷ୍ଠା କରିବା ଦିଗରେ ବ୍ରତୀ ହୋଇଛି । ଏ ଉଭୟ ମେଣ୍ଟର କାରସାଦୀ ବଳରେ ଜାପାନୀ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ଅବାଧ କାରବାର ପଥରେ ସଂପୃକ୍ତ ଦେଶମାନଙ୍କରେ ନିଶ୍ଚିତ ଭାବରେ ଦୃଢ଼ କଟକଣା ଜାରି ହେବ । ପୁଣି ଜାପାନ ଆଉ କେତେକ ଗୁରୁତର ତ୍ରୁଟି ଯୋଗୁଁ ଭବିଷ୍ୟତରେ ପୂର୍ବ ତିନି ଚାରି ଦଶନ୍ଧି ଭଳି ବ୍ୟାବସାୟିକ କାରବାରରେ ବିଚକ୍ଷଣ କରାମତି ଦର୍ଶାଇ ପାରିବ ନାହିଁ-। ପ୍ରଥମତଃ ଜାପାନୀମାନଙ୍କ ଏକଘରକିଆ ସ୍ୱଭାବ ସେମାନଙ୍କୁ ଗୋଟିଏ ସ୍ୱାର୍ଥପର ଓ ସଂକୀର୍ଣ୍ଣ ମନୋଭାବାପନ୍ନ ଜାତି ଭାବରେ ଅପବାଦିତ କରୁଛି । ପୃଥିବୀର ବିଭିନ୍ନ ଦେଶର ବଜାରମାନଙ୍କରେ ଆଧିପତ୍ୟ ବିସ୍ତାର କରୁଥିବା ବେଳେ ଜାପାନ ନିଜ ଦେଶର ବଜାରକୁ ଅନ୍ୟମାନଙ୍କ ପାଇଁ ଉନ୍ମୁକ୍ତ ରଖିବାକୁ ଅମଙ୍ଗ ହେଉଛି । ଦ୍ୱିତୀୟତଃ ଜାପାନ ବହୁବିଧ ଜୈବ ଓ ଅଜୈବ କଞ୍ଚାମାଲ ପାଇଁ ଅପର ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭର କରୁଛି । ନିଜ ମନୋଭାବ ନ ବଦଳାଇଲେ ସୁଲଭ କଞ୍ଚାମାଲ ପ୍ରାପ୍ତି ଆଉ ଏଣିକି ସହଜସାଧ୍ୟ ହେବ ନାହିଁ । ତୃତୀୟତଃ ଜାପାନ ଦେଶରେ ମୌଳିକ ବିଜ୍ଞାନର ସମୃଦ୍ଧି ସାଧନ ଦିଗରେ ଗୁରୁତ୍ୱ ଆରୋପିତ ହୋଇନାହିଁ । ନୂଆ ନୂଆ ଟେକ୍ନୋଲଜିଗୁଡ଼ିକର ଉଦ୍ଭାବନ ବ୍ୟାପାରରେ ଏହି ଦେଶର ଭୂମିକା ନଗଣ୍ୟ ହୋଇଛି । ବିଦେଶରୁ ଟେକ୍ନୋଲଜି ଆମଦାନୀ କରି ତଥା ଇନ୍ନୋଭେଶନପ୍ରବଣ ଶିଳ୍ପୋଦ୍ୟୋଗୀମାନଙ୍କ ଏକନିଷ୍ଠ ଉଦ୍ୟମ ବଳରେ ସେହି ବହିରାଗତ ଟେକ୍ନୋଲଜିଗୁଡ଼ିକୁ ଅଦଳବଦଳ କରି ଜାପାନ ପୃଥିବୀର ବିଭିନ୍ନ ଦେଶମାନଙ୍କରେ ସ୍ୱଦେଶୀ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର କାଟ୍‍ତି ବଢ଼ାଇ ପାରିଛି । ଏଣିକି ବିଭିନ୍ନ ଅର୍ଥନୈତିକ ମେଣ୍ଟଗୁଡ଼ିକ ଠିକଣା ଭାବରେ କାମ କରିବା ପରେ ତଥା ପୃଥିବୀର ଅନ୍ୟାନ୍ୟ ଦେଶଗୁଡ଼ିକ ବିଜ୍ଞାନ ଓ ଟେକ୍ନୋଲଜି ବଳରେ ବଳୀୟାନ୍ ହେବାପାଇଁ ଆଗେଇଆସିବା ବେଳେ ଜାପାନ ଆଉ ସହଜରେ ନିଜ ଦେଶର ସମୃଦ୍ଧି ସାଧନ ପାଇଁ ପୂର୍ବବତ୍ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରମାନଙ୍କରୁ ବା ଯୁକ୍ତରାଷ୍ଟ୍ର ଆମେରିକାରୁ ଲାଭପ୍ରଦ ନୂଆ ନୂଆ ଟେକ୍ନୋଲଜି ଆମଦାନୀ କରିପାରିବ ନାହିଁ । ଏହି ସମସ୍ତ ଅସୁବିଧାର ଦୂରୀକରଣ ପାଇଁ ଯଦି ଜାପାନ ଆଜହୁଁ କର୍ମତତ୍ପର ହୁଏ, ତାହାହେଲେ ଅନ୍ୟ ସମୃଦ୍ଧ ରାଷ୍ଟ୍ରମାନଙ୍କ ସହିତ ଏହି ଦେଶଟି ମଧ୍ୟ ସମତାଳରେ ବଜାର-ଅର୍ଥନୀତିର ନିୟନ୍ତ୍ରଣ ବ୍ୟାପାରରେ ଲକ୍ଷ୍ୟଣୀୟ ଭୂମିକା ଗ୍ରହଣ କରିପାରିବ ।

 

ଅତୀବ ପରିତାପର ବିଷୟ ହେଉଛି ଯେ ବିଜ୍ଞାନ ଓ ଟେକ୍ନୋଲଜିରେ ଜ୍ଞାନ ଅର୍ଜନ କରିଥିବା ଜନସମ୍ବଳ ଦୃଷ୍ଟିରୁ ଆମ ଦେଶ ସମଗ୍ର ପୃଥିବୀରେ ତୃତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ବଜାର ଅର୍ଥନୀତିର କ୍ରିୟାଶୀଳତା ବ୍ୟାପାରରେ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ମଧ୍ୟ ଆମ ଦେଶର ଭୂମିକା ଅତି ନଗଣ୍ୟ ହୋଇଛି । ଆଲୋଚ୍ୟ ପୁସ୍ତକଟିରେ ଥରେ ବା ଦୁଇଥର ଅବଶ୍ୟ ଆମ ଦେଶର ନାମୋଲ୍ଲେଖ ହୋଇଛି; ମାତ୍ର ଆନ୍ତଃରାଷ୍ଟ୍ରୀୟ ବଜାରମାନଙ୍କରେ ଆମ ଦେଶର ଭୂମିକା ସଂପର୍କରେ କିଛି ଉଲ୍ଲେଖ କରିବାକୁ ଲେଖକଦ୍ୱୟ ପସନ୍ଦ କରି ନାହାନ୍ତି । ଆମେ ଚୀନ, କୋରିଆ, ଥାଇଲାଣ୍ଡ, ଡାଇଓ୍ୱାନ, ମାଲୟେସିଆ, ସିଙ୍ଗାପୁର ଓ ହଙ୍ଗକଙ୍ଗ ପ୍ରଭୃତି ଏସୀୟ ଦେଶଗୁଡ଼ିକ ତୁଳନାରେ ମଧ୍ୟ ବ୍ୟାବସାୟିକ ପ୍ରତିଯୋଗିତାରେ ପଛରେ ପଡ଼ିଛୁ । ବିପୁଳ ପ୍ରାକୃତିକ ସମ୍ବଳ ଓ ଜନସମ୍ବଳର ଅଧିକାରୀ ହୋଇଥିଲେ ମଧ୍ୟ ଉପଯୁକ୍ତ କର୍ମପନ୍ଥା ଆଦରି ନ ଥିବାରୁ ଆମ ଦେଶ ଶିଳ୍ପ ତଥା ବ୍ୟାବସାୟିକ ଜଗତରେ ତୀବ୍ର ପ୍ରତିଯୋଗିତାର ସମ୍ୟକ ମୁକାବିଲା କରିପାରୁ ନାହିଁ । ସୁଖର କଥା ଯେ ଏବେ ଆମେ ଉଦାର ଅର୍ଥନୀତିର ଅନୁଗାମୀ ହୋଇଛୁ । ଏଣୁ ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରଗୁଡ଼ିକ ଭଳି ଆମ ଦେଶର ଶିଳ୍ପୋଦ୍ୟୋଗୀମାନଙ୍କୁ ଯଦି ଉତ୍ସାହିତ କରାଯାଏ ଏବଂ ଦେଶର ସବୁ ଅଞ୍ଚଳରେ ସୁଲଭ ପ୍ରାକୃତିକ ବିଭବ ଓ ଜନସମ୍ବଳର ସଦୁପଯୋଗ ବଳରେ ଉତ୍ପାଦନ ପ୍ରକ୍ରିୟାକୁ ଅଧିକରୁ ଅଧିକ ସକ୍ରିୟ କରାଯାଏ, ତାହାହେଲେ ଆମ ଦେଶ ମଧ୍ୟ ଅନ୍ୟାନ୍ୟ ଉନ୍ନତ ରାଷ୍ଟ୍ରଗୁଡ଼ିକ ଭଳି ପୃଥବୀର ବଜାରମାନଙ୍କରେ ମୁଣ୍ଡ ଟେକି ପାରିବ । ଏହି ବହୁଚର୍ଚ୍ଚିତ ଶିକ୍ଷଣୀୟ ପୁସ୍ତକଟିର ଲେଖକଦ୍ୱୟ ଯେଉଁ ପ୍ରକାର ସମୟୋଚିତ ପରାମର୍ଶ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ଅଧିକରୁ ଅଧିକ ବିଭବଶାଳୀ କରାଇବା ଦିଗରେ ମନଯୋଗୀ ହୋଇଛନ୍ତି ସେଥିରୁ ଆମ ଦେଶର ନେତୃବର୍ଗ ତଥା ଜନସାଧାରଣ ଯଥେଷ୍ଟ ଶିକ୍ଷଣୀୟ ଉପାଦାନ ପାଇପାରିବେ । ଆମେ ଯଦି ଆମ ଦେଶର ପ୍ରତିଭାଧର କର୍ମକୁଶଳୀ ଶିଳ୍ପୋଦ୍ୟୋଗୀମାନଙ୍କୁ ନୂଆ ନୂଆ ଟେକ୍ନୋଲଜି ଉଦ୍ଭାବନ ଦିଗରେ ଉତ୍ସାହିତ କରିପାରୁ ଏବଂ ପ୍ରତିଷ୍ଠିତ ବୈଜ୍ଞାନିକ ଓ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ସୁଦୃଢ଼ ଅବସ୍ଥାପନାଗୁଡ଼ିକୁ ଏହି ଲକ୍ଷ୍ୟ ହାସଲ ଦିଗରେ ନିୟୋଜିତ କରିପାରୁ, ତାହାହେଲେ ସ୍ୱଦେଶୀ ଟେକ୍ନୋଲଜିଗୁଡ଼ିକର ଉଦ୍ଭାବନ ଓ ଆଶୁ ବ୍ୟାବହାରିକ ବିନିଯୋଗ ବଳରେ ଆମେ ମଧ୍ୟ ଆମ ଦେଶର ଅର୍ଥନୈତିକ ପ୍ରଗତିର ହାରକୁ ତ୍ୱରାନ୍ୱିତ କରାଇ ପାରିବା ।

☆☆☆

 

ଭାକଲାଭ ହାଭେଲଙ୍କ ସତ୍ୟାନୁସନ୍ଧାନ

 

LIVING IN TRUTH: VACLAV HAVEL

Edited by

Jan Valadislav

Faber and Faber 1989

 

ଓଜସ୍ୱିନୀ ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ନାଟ୍ୟକାର ତଥା ସତ୍ୟନିଷ୍ଠ ସଂଗ୍ରାମୀ ଜନନାୟକ ଭାବରେ ଚେକୋସ୍ଲୋଭାକିଆର ରାଷ୍ଟ୍ରପତି ଭାକଲାଭ ହାଭେଲ ପୃଥିବୀର ବୌଦ୍ଧିକ ତଥା ରାଜନୈତିକ ମହଲରେ ବେଶ୍ ସୁବିଦିତ । ଚେକୋସ୍ଲୋଭାକିଆ ସମେତ ପୂର୍ବ ୟୁରୋପୀୟ ରାଷ୍ଟ୍ରମାନଙ୍କରେ କମ୍ୟୁନିଜମର ଅପସାରଣ ଘଟିବା ପୂର୍ବରୁ ତଥା ଚେକୋସ୍ଲୋଭାକିଆର ବିପ୍ଳବୀ ଜନପ୍ରିୟ ନେତା ଭାବରେ ହାଭେଲ ସେହି ଦେଶର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହେବା ପୂର୍ବରୁ ୧୯୮୬ ମସିହାରେ ଜନୈକ ମହାନୁଭବ ନାଟ୍ୟକାର ଭାବରେ ତାଙ୍କୁ ଇରାସମସ ପୁରସ୍କାର ଦ୍ଵାରା ସମ୍ମାନିତ କରାଗଲା । ଏପରି ସମ୍ମାନ ପ୍ରଦର୍ଶନ କରାଯିବାର ଶୁଭ ଅବସରରେ ତାଙ୍କ ଗୁଣମୁଗ୍ଧ ଆୟୋଜକମାନେ ଜାନ ଭାଦସିଲାଭଙ୍କ ସମ୍ପାଦନାରେ ଗୋଟିଏ ପୁସ୍ତକ ପ୍ରକାଶ କରିଥିଲେ । ଏହି ପୁସ୍ତକଟି ୧୯୮୯ ମସିହାରେ ସୁପ୍ରସିଦ୍ଧ ଫେବର ଆଣ୍ଡ ଫେବର ପ୍ରକାଶନ ସଂସ୍ଥା ଅନୁକୂଲ୍ୟରେ ପ୍ରକାଶିତ ହେବା ପରେ ପୃଥିବୀର ସବୁ ଦେଶର ବୁଦ୍ଧିଜୀବୀମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଛି । ‘ଲିଭିଙ୍ଗ୍ ଇନ୍‍ ଟ୍ରୁଥ୍’ ନାମଧେୟ ଏହି ପୁସ୍ତକଟିରେ ହାଭେଲଙ୍କ ଦ୍ୱାରା ରଚିତ ଛ'ଟି ପ୍ରବନ୍ଧ ସମେତ ତାଙ୍କ ସମସାମୟିକ ବୁଦ୍ଧିଜୀବୀ ଓ ସାହିତ୍ୟିକମାନଙ୍କ ଦ୍ୱାରା ହାଭେଲଙ୍କ ଅନନ୍ୟ ସାହିତ୍ୟିକ ଓ ବୌଦ୍ଧିକ କୃତି ସମ୍ବନ୍ଧରେ ଆଉ ୧୬ଟି ପ୍ରବନ୍ଧ ସନ୍ନିବେଶିତ ହୋଇଛି । ପୁସ୍ତକଟି ପ୍ରକାଶିତ ହେବାର ଅଳ୍ପ ସମୟ ମଧ୍ୟରେ ହାଭେଲଙ୍କ ମହାନୁଭବତା ଓ ଦୂରଦର୍ଶିତାର ପ୍ରଶଂସକମାନେ ମାନବ ଜାତିର ଭବିଷ୍ୟତକୁ ଉଜ୍ଜ୍ୱଳମୟ କରାଇବା ଉଦ୍ଦେଶ୍ୟରେ ତାଙ୍କଦ୍ୱାରା ପ୍ରଦତ୍ତ ଦିକ୍‍ଦର୍ଶନର ପୃଥିବୀର ବୁଦ୍ଧିଜୀବୀ ମହଲରେ ବହୁଳ ପ୍ରସାର ଘଟାଇବାକୁ ଉଚିତ ମଣୁଛନ୍ତି । ଏହି ଆଲୋଚନାରେ ହାଭେଲଙ୍କ ମହିନୀୟ ଉପଲବ୍‍ଧିର ମହତ୍ତ୍ୱ ସମ୍ବନ୍ଧରେ ଚୁମ୍ବକୀୟ ସୂଚନା ପ୍ରଦତ୍ତ ହୋଇଛି ।

 

ଏଣ୍ଟ୍ରୋପିକ୍‍ ରିଜାଇମ୍‍ର ପ୍ରାଦୁର୍ଭାବ–ତାପ-ଗତିଜ ବିଜ୍ଞାନର ଦ୍ଵିତୀୟ ନିୟମ ଅନୁଯାୟୀ ଏହି ଜଡ଼ ଜଗତରେ ତାପୀୟ ବିଶୃଙ୍ଖଳା ବା ଏଣ୍ଟ୍ରୋପିର ଅଭିବୃଦ୍ଧି ଅନିବାର୍ଯ୍ୟ । ଏହା ସାର୍ବତ୍ରିକ ଅଲଙ୍ଘ୍ୟ ନିୟମାନୁବର୍ତ୍ତିତାର ଅନ୍ତିମ ପରିଣତି ସ୍ଵରୂପ ପୃଥିବୀ ବକ୍ଷରୁ ସୁଦୂର ଭବିଷ୍ୟତରେ ଜୀବଜଗତ ନିଶ୍ଚିହ୍ନ ହୋଇଯିବ । ଯେଉଁ ନିୟମଟି ଜଡ଼ ବା ନିଷ୍ପ୍ରାଣ ଜଗତର କ୍ରିୟାଶୀଳତାକୁ ନିୟନ୍ତ୍ରଣ କରୁଛି, ଜୀବନର ସଞ୍ଚାର ତଥା ବିବର୍ତ୍ତନ କ୍ଷେତ୍ରରେ ଠିକ୍ ତାହାର ବିପରୀତ ନିୟମଟି କାର୍ଯ୍ୟକାରୀ ହେଉଛି । ଜୀବନ ବିଶୃଙ୍ଖଳିତ ପରିସ୍ଥିତିକୁ ଧୀରେ ଧୀରେ ଶୃଙ୍ଖଳିତ କରୁଛି । ଏଣ୍ଟ୍ରୋପି ବିରୋଧରେ ସଂଗ୍ରାମ ହିଁ ଜୀବନର ଧର୍ମ । ହାଭେଲଙ୍କ ମତାନୁଯାୟୀ ପୃଥିବୀ ବକ୍ଷରେ ସର୍ବତ୍ର ଊଣା ଅଧିକେ ଯେଉଁ ପ୍ରକାର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି, ସେଥିରୁ ଜଣାପଡ଼ୁଛି ଯେ ମନୁଷ୍ୟ ଏକପ୍ରକାର ଏଣ୍ଟ୍ରୋପିକ୍ ରିଜାଇମ୍‍ର ବଶବର୍ତ୍ତୀ ହୋଇଛି । ନ୍ୟସ୍ତସ୍ୱାର୍ଥ କ୍ଷମତାସୀନ ନେତୃବର୍ଗ ଅମଲାତନ୍ତ୍ର ସାହାଯ୍ୟରେ ଏପରି ଭାବରେ କର୍ମପ୍ରବଣ ହେଉଛନ୍ତି ଯେ, ସ୍ଥିତାବସ୍ଥାକୁ କେହି ବିରୋଧ କରିବା ସମ୍ଭବ ହେଉନାହିଁ । ମାତ୍ର ଜୀବନର ଧର୍ମ ହେଉଛି ଧାରାବାହିକ ପ୍ରକ୍ରିୟାର ବିରୋଧ । ପ୍ରତ୍ୟେକ ମନୁଷ୍ୟ ନୂଆ କିଛି କରିବାକୁ ଚାହେଁ । ଦୁଃସାଧ୍ୟ ବ୍ୟାପାରରେ ଆତ୍ମନିୟୋଗ କରିବାକୁ ସେ ସୁଖପ୍ରଦ ମଣେ । ନିଜ ଅନ୍ତର୍ନିହିତ ସୃଷ୍ଟିଶୀଳ ପ୍ରତିଭାର ସ୍ଵଚ୍ଛନ୍ଦ ପରିପ୍ରକାଶ ଘଟାଇବାକୁ ସେ ଲାଳାୟିତ ହୁଏ । ଆତ୍ମଅବବୋଧ, କଳ୍ପନାପ୍ରବଣତା, ଅନ୍ତଃଦୃଷ୍ଟି ଓ ଦୂରଦର୍ଶିତା ବଳରେ ସର୍ଜନାତ୍ମକ ଆବେଗକୁ ବାସ୍ତବ ରୂପ ଦେବା ପାଇଁ ନିଜ ଇଚ୍ଛା ମୁତାବକ କର୍ମପ୍ରବଣ ହେବାର ଫଳ ସ୍ଵରୂପ ନୂଆ ନୂଆ ଚେତନାର ଅଭ୍ୟୁଦୟ ସମ୍ଭବ ହୁଏ । ମନୁଷ୍ୟର ଚେତନାର ଉତ୍ତରଣ ତଥା ତତ୍ନିର୍ଭରଶୀଳ ଆନୁଷ୍ଠାନିକ ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଯୋଗୁଁ ଇତିହାସର ଧାରା ବଦଳିଯାଏ । ଏବେ ଯେଉଁ ‘ଏଣ୍ଟ୍ରୋପିକ୍ ରିଜାଇମ୍’ ବା ବିଶୃଙ୍ଖଳାର ଅଭିବୃଦ୍ଧି ଭିତ୍ତିକ ଶାସନ ସର୍ବତ୍ର ଊଣା ଅଧିକେ ପ୍ରବର୍ତ୍ତିତ ହୋଇଛି, ତାହାର ଫଳ ସ୍ଵରୂପ ବର୍ତ୍ତମାନସର୍ବସ୍ୱ ବସ୍ତୁବାଦୀ ମନୁଷ୍ୟ ସଂକୀର୍ଣ୍ଣମନା, ସ୍ଵାର୍ଥପର ତଥା ଜଞ୍ଜାଳଗ୍ରସ୍ତ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ନିଜର ଐତିହାସିକ ସତ୍ତାକୁ ଭୁଲିଯାଉଛି । ହାଭେଲଙ୍କ ମତାନୁଯାୟୀ ପୁଞ୍ଜିବାଦ, ସମାଜବାଦ ବା ଯେ କୌଣସି ରାଜନୈତିକ ମତବାଦର ବାହାନାରେ ବିଶୃଙ୍ଖଳା, ବିଭ୍ରାନ୍ତି, ଭୟ ଓ ବିଭିନ୍ନ ବ୍ୟାବସାୟିକ କାରସାଦୀ ବଳରେ ମନୁଷ୍ୟକୁ ‘ମୃତ୍ୟୁସିଦ୍ଧାନ୍ତ’ (ଡେଥ୍ ପ୍ରିନ୍‍ସିପଲ୍) ଅନୁଗାମୀ କରାଇବାର ଘୃଣ୍ୟ ପ୍ରୟାସ କେବେହେଲେ ସଫଳ ହେବ ନାହିଁ । ସ୍ଵାଧୀନଚେତା ମନୁଷ୍ୟର ଐକାନ୍ତିକ ତଥା ନିରବଚ୍ଛିନ୍ନ ପ୍ରୟାସର ପରିଣାମ ହଠାତ୍ ତୀବ୍ର ରୂପ ଗ୍ରହଣ କରି ନପାରିଲେ ମଧ୍ୟ ଆସ୍ତେ ଆସ୍ତେ ପୃଥିବୀ ବକ୍ଷରେ ପୁଣି ଏପରି ପରିସ୍ଥିତି ସୃଷ୍ଟି ହେବ ଯେ ମନୁଷ୍ୟ ଇତିହାସ ସଚେତନ ହେବାକୁ ବାଧ୍ୟ ହେବ । ନିଜ ବିବେକାନୁମୋଦିତ ତଥା ଉତ୍ତରିତ ଚେତନାଭିତ୍ତିକ କର୍ମପନ୍ଥାର ଅନୁଗାମୀ ହେବା ପାଇଁ ସେ ଯେଉଁ ବିପ୍ଳବ ଚଳାଇବ, ତାହାର ସୁପରିଣତି ସ୍ୱରୂପ ମନୁଷ୍ୟ ଇତିହାସ ସଚେତନ ହୋଇ ସଭ୍ୟତା ଓ ସଂସ୍କୃତିକୁ ଶୁଭକାରୀ ରୂପ ଦେବାକୁ ପ୍ରୟାସୀ ହେବ ।

 

ଭ୍ରମାତ୍ମକ ଅଧିବିଜ୍ଞାନର ଅନୁଗାମୀ ଆଧୁନିକ ବିଜ୍ଞାନ :–ବିଜ୍ଞାନର ଯୁଗରେ ଆମେ ହୃଦୟଙ୍ଗମ କରିପାରୁଛୁ ଯେ ମନୁଷ୍ୟ ବସ୍ତୁବାଦୀ ସଭ୍ୟତାର ଉତ୍ତରୋତ୍ତର ସମୃଦ୍ଧି ସାଧନ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରୁଛି । ବିଜ୍ଞାନ ଓ ଟେକ୍ନୋଲଜିର ସମୃଦ୍ଧି ସାଧନ ପାଇଁ ବିପୁଳ ପୁଞ୍ଜି ନିୟୋଜିତ ହେଉଛି । ଶସ୍ତାରେ କଞ୍ଚାମାଲ ସଂଗ୍ରହ କରିବା ପାଇଁ, ଆଧୁନିକ ବିଜ୍ଞାନସମ୍ମତ ଟେକ୍ନୋଲଜି ଅବଲମ୍ବନରେ ଗ୍ରାହକମାନଙ୍କ କାମନାର ଆବର୍ଦ୍ଧନକାରୀ ନୂଆ ନୂଆ ଦ୍ରବ୍ୟ ଉତ୍ପାଦନ କରିବା ପାଇଁ ଏବଂ ପୃଥିବୀର ବିଭିନ୍ନ ଦେଶର ବଜାରମାନଙ୍କରେ ସେଗୁଡ଼ିକୁ ଚଢ଼ା ଦରରେ ବିକିବା ପାଇଁ ସବୁଦେଶ ବ୍ୟାକୁଳ ହେଉଛନ୍ତି । ବସ୍ତୁବାଦୀ ସଭ୍ୟତାର ଆବର୍ଦ୍ଧନ ଦିଗରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଅବସରରେ ଆମ ବସୁମାତା ଧରିତ୍ରୀର ଜୀବମଣ୍ଡଳ ଆତଙ୍କପ୍ରଦ ମାର୍ଗରେ ପ୍ରଦୂଷିତ ହେଉଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ବ୍ୟାବହାରିକ ଦୃଷ୍ଟିରୁ ପୃଥିବୀର ଆକାର ସଙ୍କୁଚିତ ହୋଇଥିବା ଅବସରରେ ମନୁଷ୍ୟର ହୃଦୟର ବିଶାଳତା ମଧ୍ୟ କ୍ରମ ସଙ୍କୁଚିତ ହେଉଛି । ହୃଦୟକୁ ଆଉ ରହସ୍ୟ, ଭାବାବେଗ, ସଂପ୍ରୀତି ବା ସମ୍ବେଦନାର ଆଧାର ଭାବରେ ଚିତ୍ରଣ କରିବା ସମ୍ଭବ ହେଉନାହିଁ । ପମ୍ପ୍‍ ତୁଲ୍ୟ କାର୍ଯ୍ୟକ୍ଷମ ହୃଦୟରୂପୀ ଯନ୍ତ୍ରର ସ୍ୱେଚ୍ଛାରେ ଅପର ପ୍ରତି ସଂପ୍ରସାରଣ ଘଟିବ ବା କିପରି ? ହାଭେଲ ଏପରି ଚରମ ବିଲକ୍ଷଣର କାରଣ ଅନ୍ଵେଷଣ କରିଛନ୍ତି । ତାଙ୍କ ମତାନୁଯାୟୀ ପୁନରୁଭ୍ୟୁଦୟ କାଳଠାରୁ ମନୁଷ୍ୟ ଗୋଟିଏ ଭ୍ରମାତ୍ମକ ଅଧିବିଜ୍ଞାନର (ମେଟାଫିଜିକସ) ବଶବର୍ତ୍ତୀ ହୋଇଛି । ବିଶ୍ଳେଷଣାତ୍ମକ ଚିନ୍ତନ ତଥା ପରୀକ୍ଷଣ ନିର୍ଭରଶୀଳ ଲଘୁକରଣ ପ୍ରକ୍ରିୟା ପ୍ରତି ଏକାନୁଗତ୍ୟ ଆରୋପିତ ହୋଇଛି । ଲଘୁକରଣ ପ୍ରକ୍ରିୟା ଭିତ୍ତିକ ଯୌକ୍ତିକତା ହିଁ ମନୁଷ୍ୟକୁ ବସ୍ତୁନିଷ୍ଠ କରିଛି । ଭାବାବେଗ, ମାନବିକତା, ଆଧ୍ୟାତ୍ମିକତା ଓ ପାରସ୍ପରିକ ନିର୍ଭରଶୀଳତାକୁ ପ୍ରଶ୍ରୟ ଦେବାର ଅବକାଶ ନାହିଁ । ବିଜ୍ଞାନ ଓ ଟେକ୍ନୋଲଜି ହିଁ ହୋଇଛି ସର୍ବମୟ କର୍ତ୍ତା ଓ ପରମେଶ୍ୱର । ପ୍ରକୃତି ମନୁଷ୍ୟର ଲୁଣ୍ଠନ ପାଇଁ ଉଦ୍ଦିଷ୍ଟ ହୋଇଛି । ଲଘୁକରଣ ପ୍ରକ୍ରିୟା ଭିତ୍ତିକ ବୈଜ୍ଞାନିକ ସତ୍ୟାନୁସନ୍ଧାନ ଓ ତତ୍‍ନିର୍ଭରଶୀଳ ପ୍ରାୟୋଗିକ କାର୍ଯ୍ୟନୁଷ୍ଠାନ ବଳରେ ନିଜର, ନିଜ ଗୋଷ୍ଠୀର ବା ନିଜ ଦେଶର ପ୍ରଗତି ସାଧନ ପାଇଁ ବାତୁଳାପ୍ରାୟ କର୍ମଚଞ୍ଚଳ ଜୀବନ ବିତାଇବା ଅବସରରେ ମନୁଷ୍ୟ ନିଜକୁ ପ୍ରକୃତିଠାରୁ ପୃଥକ କରିଛି । ପ୍ରକୃତି ଆଉ ପୂର୍ବବତ୍‍ ମନୁଷ୍ୟର ହୃଦୟରେ, ଅଲୌକିକ ବିଶ୍ୱପ୍ରେମ, ସୌନ୍ଦର୍ଯ୍ୟାନୁରାଗ ବା ରହସ୍ୟମୟ ଭାବନାଗୁଡ଼ିକର ଉଦ୍ରେକ ଘଟାଉନାହିଁ । ପାରିପାର୍ଶ୍ୱିକ ପରିବେଶୀୟ ପ୍ରଦୂଷଣର କୁପ୍ରଭାବକୁ ରୋକିବା ପାଇଁ ସେ ନିରାକରଣକ୍ଷମ ସହଜସାଧ୍ୟ ବିଜ୍ଞନାଶ୍ରୟୀ କାର୍ଯ୍ୟପନ୍ଥା ଆଦରି ନେବାକୁ ଲାଭପ୍ରଦ ମଣୁଛି । କାରଣ, ସେ ବିଚାରୁଛି ଯେ ପ୍ରଦୂଷଣକାରୀ ବ୍ୟବସ୍ଥାଗୁଡ଼ିକ ଦ୍ୱାରା ପ୍ରକାରାନ୍ତରେ ସେ ଉପକୃତ ହେଉଛି । ମାତ୍ର ସ୍ଥାନିକ ଭାବରେ ପ୍ରଦୂଷଣର ପ୍ରଭାବ ସମଗ୍ର ଜୀବମଣ୍ଡଳକୁ ଉଭରଣୀୟ ବା ଅନୁଦ୍ଧରଣୀୟ ମାର୍ଗରେ ଅସନ୍ତୁଳିତ କରୁଥିବାର ସମ୍ଭାବନାକୁ ସେ ବିଚାର ମଧ୍ୟ କରୁନାହିଁ । ହାଭେଲଙ୍କ ମତାନୁଯାୟୀ ମନୁଷ୍ୟ ନିଜ ତିକ୍ତ ଅଭିଜ୍ଞତା ଓ ଅନୁଭୂତିସିଦ୍ଧ ଏକ ଅଭିନବ ଅଧିବିଜ୍ଞାନର ଅନୁସରଣକାରୀ ହେବାର ପ୍ରକୃଷ୍ଟ ସମୟ ଉପଗତ ହୋଇଛି । କେବଳ ବିପଦର ସମ୍ମୁଖୀନ ହେବାବେଳେ ହିଁ ଲକ୍ଷ୍ୟ ପରିବର୍ତ୍ତେ ଆୟୁଧ ରୂପେ ବ୍ୟବହୃତ ବିଜ୍ଞାନ ଓ ଟେକ୍ନୋଲଜିକୁ ଅପବାଦିତ କରାଇବାର ବ୍ୟର୍ଥ ପ୍ରୟାସ ମନୁଷ୍ୟକୁ ଠିକଣା ପନ୍ଥାର ଆଶ୍ରୟ ନେବା ଦିଗରେ ଦିକ୍‍ଦର୍ଶନ ଯୋଗାଇ ପାରିବ ନାହିଁ । ମନୁଷ୍ୟରୂପୀ ଅନନ୍ୟ ପ୍ରାଣୀର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱର ବିକାଶ ଘଟାଇପାରିବା ଭଳି ଏପରି ଏକ ସାମଗ୍ରିକ ବା ହୋଲିଷ୍ଟିକ୍ ଯୁଗାଦର୍ଶର ଅନିବାର୍ଯ୍ୟ ଆବଶ୍ୟକତା ଉପୁଜିଛି, ଯାହାର ପ୍ରଚଳନ ଫଳରେ ମନୁଷ୍ୟ ନିଜସମେତ ପ୍ରକୃତିର ସକଳ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଆପଣାର କରିବା ସଙ୍ଗେ ସଙ୍ଗେ ସୁସଂଯତ ଓ ସୁଚିନ୍ତିତ ଜ୍ଞାନ ବିଜ୍ଞାନ ବଳରେ ଧରାପୃଷ୍ଠରେ ସମସ୍ତଙ୍କ ପାଇଁ ବିପଦମୁକ୍ତ ତଥା ସୁଖଶାନ୍ତିମୟ ପରିବେଶ ସୃଷ୍ଟି କରିପାରିବ । ଏଥିପାଇଁ ସମଗ୍ର ପୃଥିବୀ ବକ୍ଷରେ ଯେଉଁ ପ୍ରକାର ଅନୁକୂଳ ପରିବେଶର ଚାହିବା ଉପୁଜିଛି, ସେ ଦିଗରେ ପ୍ରଚଳିତ ଅଧିବିଜ୍ଞାନ ମନୁଷ୍ୟକୁ ସତ୍‍ପଥଗାମୀ କର୍ମପ୍ରେରଣା ଯୋଗାଇ ପାରିବ ନାହିଁ । ତାହାହେଲେ ପୃଥିବୀ ବକ୍ଷରେ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ସମ୍ଭବ ହେବ କିପରି ?

 

ଆଣ୍ଟି-ପଲିଟିକାଲ୍ ପଲିଟିକ୍‍ସ ବା ପ୍ରତି-ରାଜନୈତିକ ରାଜନୀତି–ଜନଚେତନାକୁ ବଶୀଭୂତ କରାଇବା ପାଇଁ ରାଜନୈତିକ ନେତୃବର୍ଗ ଅମଲାତନ୍ତ୍ର ସାହାଯ୍ୟରେ ଯେଉଁ ପ୍ରକାର ଟେକ୍ନୋଲଜିଗୁଡ଼ିକୁ ସ୍ୱର୍ଥାନୁକୂଳ ମାର୍ଗରେ କାର୍ଯ୍ୟକାରୀ କରାଉଛନ୍ତି, ତତ୍‍ନିର୍ଭରଶୀଳ ରାଜନୀତିର ସ୍ଥାୟିତ୍ୱକୁ କ୍ରମଶଃ ଦୁର୍ବଳ କରାଇବାକୁ ହିଁ ହେବ । ଏହି ବିନାଶମୁଖୀ ପରମ୍ପରାର ବିଲୋପ ସାଧନ ପାଇଁ ଯେଉଁ ଅଭିନବ ରାଜନୀତିର ଏକାନ୍ତ ସମୟୋପଯୋଗୀ ଆବଶ୍ୟକତା ଉପୁଜୁଛି, ତାହାକୁ ହାଭେଲ ‘ପ୍ରତିଭାରାଜନୈତିକ ରାଜନୀତି’ ନାମରେ ଅଭିହିତ କରିଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୃଥିବୀ ବକ୍ଷରେ ସୃଜନଶୀଳ, ସ୍ଵାଧୀନଚେତା, ସନ୍ତୁଳିତ ମାନସର ଅଧିକାର ମହାନୁଭବ ବାସିନ୍ଦାମାନେ ହିଁ ଏ ପ୍ରକାର ରାଜନୀତିର ସୂତ୍ରଧର ତଥା ସଂସ୍ଥାପକ ଦାୟିତ୍ୱ ବହନ କରିବା ପାଇଁ ସେ ଆବେଦନ କରିଛନ୍ତି । ଯେଉଁମାନେ ସତ୍ୟାନୁସନ୍ଧାନୀ ଏବଂ ସତ୍ୟକୁ ହିଁ ଜୀବନର ବ୍ରତ ଭାବରେ ଆଦରି ନିଅନ୍ତି, ସେମାନେ ପୃଥିବୀ ବକ୍ଷରେ ବୌଦ୍ଧିକ ଆନ୍ଦୋଳନ ଚଳାଇବା ଦ୍ୱାରା ଏବଂ ନିଜ ନିଜ ସତ୍ୟନିଷ୍ଠ ଜୀବନ ଓ ସତ୍‍କର୍ମ ଅବଲମ୍ବନରେ ଅନ୍ୟମାନଙ୍କୁ ପ୍ରଭାବିତ କରିବାଦ୍ୱାରା ହିଁ ମନୁଷ୍ୟ ବିଜ୍ଞାନ ଓ ଟେକ୍ନୋଲଜିକୁ ସଂଯତ ଓ ଶୁଭକାରୀ ମାର୍ଗରେ ବ୍ୟବହାର କରିବା ପୂର୍ବକ ଜୀବମଣ୍ଡଳର ଜୀବନରୂପୀ ଜାଲରେ ନିଜକୁ ସୁସଂହତ ମାର୍ଗରେ ଛନ୍ଦିପାରିବ । ଭାବୋଦ୍ଦୀପକ ତଥା ପଥପ୍ରଦର୍ଶନକାରୀ ଏପରି ଏକ ଉପଭୋଗ୍ୟ ଗ୍ରନ୍ଥଟିର ‘ଲିଭିଙ୍ଗ୍ ଇନ୍ ଟ୍ରୁଥ୍’ ବା ‘ସତ୍ୟରେ ବାସ’ ଶୀର୍ଷକ ନାମକରଣର ସାର୍ଥକତା ବିଦଗ୍‍ଧ ପାଠକ ପାଠିକାମାନେ ନିଶ୍ଚିତଭାବରେ ହୃଦୟଙ୍ଗମ କରିପାରିବେ ।

 

[*ଇତ୍ୟବସରରେ ଅବିଭକ୍ତ ଚେକୋସ୍ଲୋଭାକିଆର ବିଭାଜନ ଘଟି ଏହା ଚେକ୍ ଓ ଶ୍ଲୋଭାକ ନାମକ ଦୁଇଟି ରାଷ୍ଟ୍ରରେ ପରିଣତ ହୋଇଛି । ଏପରି ବିଭାଜନ ପରେ ହାଭଲାକ ହାଭେଲଙ୍କୁ ଚେକ୍‍ର ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରାଯାଇଛି ।]

☆☆☆

 

ବିଜ୍ଞାନ, ପ୍ରଗତି ଓ ହିଂସା : ଆଧୁନିକତାର ତମସାଚ୍ଛନ୍ନ କାଳ

 

SCIENCE, DEVELOPMENT AND VIOLENCE :

THE TWILIGHT OF MODERNITY

* By

Claude Alvares

Oxford University Press, 1992

 

ପୃଥିବୀ ବକ୍ଷରେ ଦ୍ରୁତ ପରିବର୍ତ୍ତନଶୀଳ ଘଟଣାପ୍ରବାହକୁ ଲକ୍ଷ୍ୟକରି ଯେଉଁ କେତେକ ଭାରତୀୟ ବୁଦ୍ଧିଜୀବୀ ଆମ୍ଭମାନଙ୍କୁ ସେଗୁଡ଼ିକର ସ୍ଵଳ୍ପମିଆଦୀ ତଥା ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ସମୟୋଚିତ ସତର୍କବାଣୀ ଶୁଣାଉଛନ୍ତି ଏବଂ ସଂଶ୍ଳେଷଣାତ୍ମକ ଚିନ୍ତନ ବଳରେ ମନୁଷ୍ୟର ଅପରିଣାମଦର୍ଶୀ କୃତକର୍ମଗୁଡ଼ିକ ସମ୍ପର୍କରେ ନିଜ ନିଜର ସତ୍ୟନିଷ୍ଠ ନିର୍ଭୀକ ମତ ବ୍ୟକ୍ତ କରୁଛନ୍ତି, ସେମାନଙ୍କ ମଧ୍ୟରେ ଗୋଆର ଅଧିବାସୀ କ୍ଳଡ଼ ଆଲଭାରେଜ ଅନ୍ୟତମ । ମନୁଷ୍ୟର ବର୍ତ୍ତମାନ ଓ ଭବିଷ୍ୟତକୁ ବ୍ୟାପକ ଭାବରେ ପ୍ରଭାବିତ କରିପାରିବାର ସମ୍ଭାବନା ଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକ ସମ୍ପର୍କରେ ସେ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳବ୍ୟାପୀ ବିଭିନ୍ନ ପତ୍ରପତ୍ରିକାଗୁଡ଼ିକରେ ନିଜସ୍ୱ ମତକୁ ବଳିଷ୍ଠ ଭାବରେ ଉପସ୍ଥାପନ କରିଛନ୍ତି ଏବଂ ତାଙ୍କ ବୌଦ୍ଧିକତାର ଅବଦାନ ଯୋଗୁଁ ଏହି ସମସ୍ୟାରାଜି ସଂପର୍କିତ ପବ୍ଲିକ୍ ଡିବେଟର ମାନ ଉଚ୍ଚକୋଟୀର ହୋଇପାରିଛି । ୧୯୭୯ ମସିହାରେ ତାଙ୍କଦ୍ୱାରା ରଚିତ ‘ହେ ମୋଫେବର’ ଶୀର୍ଷକ ପୁସ୍ତକଟି ପ୍ରକାଶିତ ହେବାପରେ ପୃଥିବୀର ବୁଦ୍ଧିଜୀବୀ ମହଲରେ ସେ ନିଜକୁ ଜଣେ ବହୁ ଶାସ୍ତ୍ରବିତ୍ ଚିନ୍ତାନାୟକ ଭାବରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ୧୯୯୨ ମସିହାରେ ତାଙ୍କ ବଳିଷ୍ଠ ଲେଖନୀ ପ୍ରସ୍ତୂତ ‘ସାଇନ୍‍ସ, ଡେଭେଲପ୍‍ମେଣ୍ଟ ଆଣ୍ଡ ଭାଓଲେନ୍‍ସ : ଦ୍ୱି ଟ୍ୱିଲାଇଟ୍ ଅଫ୍ ମଡ଼ର୍ଣ୍ଣିଟି’ ଶୀର୍ଷକ ପୁସ୍ତକଟି ଆତ୍ମପ୍ରକାଶ କରିବା ପରେ ସେହି ପୁସ୍ତକ ସନ୍ନିବିଷ୍ଟ ଭାବୋଦ୍ଦୀପକ ମନ୍ତବ୍ୟଗୁଡ଼ିକ ସମସାମୟିକ ବୁଦ୍ଧିଜୀବୀମାନଙ୍କ ମାନସପଟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରୁଥିବାର ଲକ୍ଷ୍ୟ କରାଯାଉଛି । ସମସାମୟିକ ଗୁରୁତ୍ଵପୂର୍ଣ୍ଣ ପାର୍ଥିବ ସମସ୍ୟାରାଜିର କାରଣ ଓ ପ୍ରତିକାର ସମ୍ପର୍କରେ ଦାର୍ଶନିକ ଓ ସମାଜ ବିଜ୍ଞାନୀ ଆଲଭାରେଜ୍ ଏହି ସଦ୍ୟ ପ୍ରକାଶିତ ପୁସ୍ତକଟିରେ ଯେଉଁ ମତ ବ୍ୟକ୍ତ କରିଛନ୍ତି ତାହାର ଚୁମ୍ବକୀୟ ସୂଚନା ପ୍ରଦାନ କରିବା ହିଁ ଏ ଆଲୋଚନାର ଆଭିମୁଖ୍ୟ ।

 

ଆଲଭାରେଜଙ୍କ ମତାନୁଯାୟୀ ‘ପ୍ରଗତି’ ଶବ୍ଦଟିକୁ ସଂପ୍ରତି ସାର୍ବତ୍ରିକଭାବରେ ଯେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରାଯାଉଛି, ହିଂସା ଓ ଶୋଷଣପ୍ରବଣତା ତାହାର ଏକ ସହଜାତ ପ୍ରକ୍ରିୟା । ଗୋଟିଏ କର୍ମ-ପଦ୍ଧତି ପରିବର୍ତ୍ତେ ‘ପ୍ରଗତି’ ଶବ୍ଦଟିକୁ ଗୋଟିଏ ଆଦର୍ଶ ବା ଆଇଡ଼ିଓଲଜି ଭାବରେ ବ୍ୟବହାର କରାଯାଉଛି । ପ୍ରଗତିମୂଳକ ବ୍ୟବସ୍ଥାଗୁଡ଼ିକର କାର୍ଯ୍ୟକାରିତା ଯୋଗୁଁ କେତେକେ ଉପକୃତ ହେଉଥିବା ସ୍ଥଳେ ସମକାଳୀନ ଭାବରେ ବିପୁଳ ସଂଖ୍ୟକ ଜନସାଧାରଣଙ୍କୁ ଶୋଷଣ କରଯାଉଛି । ଏହା ପ୍ରକ୍ରିୟାର ଯଥାବିଧି କାର୍ଯ୍ୟକାରିତା ପାଇଁ, ଅର୍ଥାତ୍ ଏଥିପାଇଁ ବିଭବ ସଂଗ୍ରହ ପାଇଁ, ଇତର ସ୍ଥାନର ଆବଶ୍ୟକତା ଅନିବାର୍ଯ୍ୟ ହୋଇଛି । ଏବେ ଯେଉଁ ରାଷ୍ଟ୍ରଗୁଡ଼ିକ ଶିଳ୍ପୋନ୍ନତ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଛନ୍ତି, ସେମାନେ ଏ ପ୍ରକାର ଶୈଳ୍ପିକ ଅଭିବୃଦ୍ଧି ପାଇଁ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକାର ଅନୁନ୍ନତ ରାଷ୍ଟ୍ରଗୁଡ଼ିକୁ ଲୁଣ୍ଠନ କରିଛନ୍ତି । ଶିଳ୍ପ ବିପ୍ଳବର ଆଦି ପର୍ବର ଇତିହାସକୁ ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରି ଆଲଭାରେଜ ସୂଚାଇଛନ୍ତି ଯେ ପଶ୍ଚିମ ୟୁରୋପୀୟ ରାଷ୍ଟ୍ରସମୂହ ଉତ୍ତର ଆମେରିକା ଓ ଅଷ୍ଟ୍ରେଲିଆରୁ ଦରକାରୀ କଞ୍ଚାମାଲ ସଂଗ୍ରହ କରିବା ଅବସରରେ ସେଠାକାର ଆଦିମ ଅଧିବାସୀମାନଙ୍କ ଉପରେ ଅମାନୁଷିକ, ଅତ୍ୟାଚାର ଚଳାଇଥିଲେ । ବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସାମ୍ରାଜ୍ୟବାଦୀ ଶାସନ ବଳରେ ନିଜ ନିଜ ଦେଶର ସମୃଦ୍ଧି ସାଧନ ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କଳେବଳେ କୌଶଳେ ପୃଥିବୀର ସୁବିସ୍ତୃତ ଅଞ୍ଚଳରୁ ଶସ୍ତାରେ କଞ୍ଚାମାଲ୍ ସଂଗ୍ରହ କରୁଥିଲେ । ସାମ୍ରାଜ୍ୟବାଦୀ ଶାସନର ଅବସାନ ଘଟିବା ବେଳକୁ ଏହି ଶିଳ୍ପୋନ୍ନତ ରାଷ୍ଟ୍ରମାନଙ୍କରେ ପ୍ରଗତି ସାଧନ ପ୍ରକ୍ରିୟା ପୂର୍ବବତ୍ ଅବ୍ୟାହତ ରହିଥିଲା । ଏଣୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ରାଜନୈତିକ ସ୍ଵାଧୀନତା ଲାଭ କରିବା ପରେ ମଧ୍ୟ ଏହି ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକର ପ୍ରଗତି ସାଧନ ପାଇଁ ବୈଦେଶିକ ସାମରିକ ସାହାଯ୍ୟ, କୂଟନୀତି ଓ ବ୍ୟାବସାୟିକ କାରସାଦୀ ପ୍ରୟୋଗ କରି ବିକାଶଶୀଳ ରାଷ୍ଟ୍ରଗୁଡ଼ିକରୁ ପୂର୍ବବତ୍ ଶସ୍ତା ଓ ସୁବିଧାରେ ଦରକାରୀ ଦ୍ରବ୍ୟଗୁଡ଼ିକୁ ସଂଗ୍ରହ କରିପାରୁଛନ୍ତି ।

 

ରାଜନୈତିକ ସ୍ୱାଧୀନତା ଲାଭ କରିବା ପରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପାଶ୍ଚାତ୍ୟ ଢାଞ୍ଚାରେ ନିଜ ନିଜ ଦେଶର ପ୍ରଗତି ସାଧନ ପାଇଁ ମନ ବଳାଇଲେ । ମାତ୍ର ଇତିହାସର ଏହି ସନ୍ଧିକ୍ଷଣରେ ଏମାନଙ୍କୁ ଶୋଷଣ କରିବା ପାଇଁ, ଅର୍ଥାତ୍ ଇତର ଦେଶମାନଙ୍କରୁ ଶସ୍ତା ଓ ସୁବିଧାରେ କଞ୍ଚାମାଲ ସଂଗ୍ରହ ପାଇଁ, କୌଣସି ଅବକାଶ ମିଳିଲା ନାହିଁ । ଏଣୁ ନୂତନ ସହରାଞ୍ଚଳ ଓ ଶିଳ୍ପାଞ୍ଚଳଗୁଡ଼ିକୁ ପ୍ରତିଷ୍ଠା କରିବା ଅବସରରେ ଏମାନେ ଅନିବାର୍ଯ୍ୟ ପରସ୍ଥିତିର ତାଡ଼ନାରେ ନିଜ ନିଜ ଦେଶର ନିରୀହ ଅଧିବାସୀମାନଙ୍କୁ ଶୋଷଣ କରିବାକୁ ପ୍ରଲୁବ୍‍ଧ ହେଲେ ।

 

ସ୍ଥୂଳତଃ ପୃଥିବୀ ବକ୍ଷରେ ସର୍ବତ୍ର ଊଣା ଅଧିକେ ପ୍ରଗତି ରୂପୀ ଆଦର୍ଶ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରାଯିବାର ଫଳ ସ୍ଵରୁପ ଲକ୍ଷ୍ୟ କରାଗଲା ଯେ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକର ଅଧିକ ସଂଖ୍ୟକ ବାସିନ୍ଦା ତଥା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ଵଳ୍ପସଂଖ୍ୟକ ଉପଭୋଗୀ ଗୋଷ୍ଠୀ ଏହାର ସୁଫଳ ଉପଭୋଗ କରୁଛନ୍ତି; ମାତ୍ର ସମକାଳୀନ ଭାବରେ ଏଥିପାଇଁ ପୃଥିବୀର ପ୍ରାକୃତିକ ପରିବେଶ ଦ୍ରୁତ ହାରରେ ଅସନ୍ତୁଳିତ ଓ ପ୍ରଦୂଷିତ ହେଉଛି । ପ୍ରଗତିରୂପୀ ଆଦର୍ଶର କ୍ରମବର୍ଦ୍ଧମାନ କାର୍ଯ୍ୟକାରିତା ଯୋଗୁଁ ମନୁଷ୍ୟ ବାସ୍ତବରେ ମନୁଷ୍ୟ ପଦବାଚ୍ୟ ସୁଖଶାନ୍ତିମୟ ଜୀବନ ଯାପନ କରି ପାରୁନାହିଁ । ତଥାପି ପୃଥିବୀ ବକ୍ଷରେ ସର୍ବତ୍ର ଏହାର ବନ୍ଦନା ଗାନ କରାଯାଉଛି କାହିଁକି ?

 

ଏହି ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟିର ଉତ୍ତର ଯୋଗାଇ ଦେବା ଉଦ୍ଦେଶ୍ୟରେ ଆଲଭାରେଜ ସୂଚାଇଛନ୍ତି ଯେ ଆଧୁନିକ ବିଜ୍ଞାନ ହିଁ ‘ପ୍ରଗତି’ର ପ୍ରସାର ପାଇଁ ବଳିଷ୍ଠ ଦାର୍ଶନିକ ପୃଷ୍ଠଭୂମି ଯୋଗାଇ ଦେଇଛି । ଆଧୁନିକ ବିଜ୍ଞାନ ଏହି ପ୍ରକ୍ରିୟାକୁ ବୌଦ୍ଧିକ ମର୍ଯ୍ୟାଦା ପ୍ରଦାନ କରିଛି । ତାଙ୍କ ମତାନୁଯାୟୀ ସୁଦୀର୍ଘ ପ୍ରାୟ ତିନିଶତ ବର୍ଷ ବ୍ୟାପୀ ଗାଲିଲିଓ ଓ ନିଉଟନଙ୍କ ଦ୍ଵାରା ପ୍ରତିଷ୍ଠିତ ବିଜ୍ଞାନକୁ ବସ୍ତୁନିଷ୍ଠ ଓ ନିର୍ବ୍ୟକ୍ତିକ ରୂପ ଦିଆଯାଇଛି । ପ୍ରାମାଣିକ ତଥ୍ୟ ନିର୍ଭରଶୀଳ ବିଜ୍ଞାନର ନିୟମ ଓ ଉପକଳ୍ପଗୁଡ଼ିକୁ ପ୍ରଣୟନ କରିବା ଅବସରରେ ସଂପୃକ୍ତ ଗବେଷକ କୌଣସି ବ୍ୟକ୍ତିନିଷ୍ଠ ଆବେଗର ବଶବର୍ତ୍ତୀ ହୁଅନ୍ତି ନାହିଁ । ମାତ୍ର ଆଲଭାରେଜ ଏ ପ୍ରକାର ଧାରଣା ବିରୋଧରେ ଦୃଢ଼ ମତ ବ୍ୟକ୍ତ କରୁଛନ୍ତି । ସେ ସୂଚାଇଛନ୍ତି ଯେ ଯେଉଁ ପ୍ରାକ୍ଅନୁମାନ ବା ପ୍ରି-ସପୋଜିସନ ବଳରେ ଜଣେ ଗବେଷକ ନିର୍ଦ୍ଦିଷ୍ଟ ପ୍ରାମାଣିକ ତଥ୍ୟରାଜି ନିର୍ଭରଶୀଳ ଉପକଳ୍ପ ପ୍ରତିଷ୍ଠା କରନ୍ତି, ତାହା ନିଶ୍ଚିତ ଭାବରେ ତାଙ୍କ ବ୍ୟକ୍ତିଗତ ଅବବୋଧ ବା ଅନୁଭୂତି ଦ୍ଵାରା ପ୍ରଭାବିତ ହୁଏ । ବିଖଣ୍ଡିତ ବାସ୍ତବତା ସମ୍ପର୍କିତ ନିଜ ନିଜ ମତକୁ ବୈଜ୍ଞାନିକମାନେ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଉପକଳ୍ପ ବା ନିୟମ ଆକାରରେ ଉପସ୍ଥାପନା କରନ୍ତି । ଏଗୁଡ଼ିକର ସମାହାରରେ ବାସ୍ତବତା ସମ୍ପର୍କରେ ଯେଉଁ ପରିବର୍ତ୍ତନଶୀଳ ଚିତ୍ର ମିଳୁଛି ତାହାକୁ ପରମ ସତ୍ୟ ରୂପେ ଗ୍ରହଣ କରାଯାଉ ନ ଥିଲେ ମଧ୍ୟ ତତ୍‍ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାର କରାମତି ବଳରେ ମନୁଷ୍ୟ ପ୍ରକୃତିକୁ ଲାଭପ୍ରଦ ମାର୍ଗରେ ଲୁଣ୍ଠନ କରୁଛି । ବିଜ୍ଞାନ ହିଁ ମନୁଷ୍ୟକୁ ଏକ ସ୍ୱତନ୍ତ୍ର ଅଧିବିଜ୍ଞାନ ବା ମେଟାଫିଜିକ୍ସ ଦ୍ୱାରା ସମ୍ମୋହିତ କରିଛି । ପୂର୍ବରୁ କଳା, ଧର୍ମ ଓ ପ୍ରାକୃତିକ ଦର୍ଶନର ସୁସମନ୍ୱିତ ପ୍ରଭାବ ବଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ଯେଉଁ ଅଧିବିଜ୍ଞାନର ସର୍ଜନା ସମ୍ଭବ ହୋଇଥିଲା, ଆଧୁନିକ ବିଜ୍ଞାନର ଏକଦର୍ଶୀ ପ୍ରଭାବ ବଳରେ ତାହା ଆଉ ଜନମାନସକୁ ପ୍ରଭାବିତ କରୁନାହିଁ । ଆଧୁନିକ ବିଜ୍ଞାନ ହିଁ ସର୍ବମୟ କର୍ତ୍ତା ସ୍ଥାନରେ ଅଧିଷ୍ଠିତ ହୋଇଛି ଏବଂ ଏହାବଳରେ ବଳୀୟାନ ‘ପ୍ରଗତି’ ରୂପୀ ଆଦର୍ଶର ସାର୍ବତ୍ରିକ କାର୍ଯ୍ୟକାରିତା ଯୋଗୁଁ ପୃଥିବୀ ବକ୍ଷରେ ହିଂସା ଓ ଶୋଷଣପ୍ରବଣତାର ତୀବ୍ରତାରେ ଅଭିବୃଦ୍ଧି ଘଟୁଛି ।

 

ପ୍ରଗତି ଯୋଗୁଁ ଆମେ ‘ଟ୍ରାୟେଜ’ ବ୍ୟବସ୍ଥାକୁ ହିଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟକାରୀ କରୁଛୁ । ସମ୍ବଳର ଅଭାବ ଯୋଗୁଁ ବାସ୍ତୁବାଦୀ ସଭ୍ୟତାର ସ୍ଥାୟିତ୍ୱ ଓ ଉତ୍ତରୋତ୍ତର ସମୃଦ୍ଧି ବିପନ୍ନ ହେଉଥିବାର ଆଶଙ୍କା ବର୍ତ୍ତମାନସର୍ବସ୍ଵ ମନୁଷ୍ୟକୁ ବିଚଳିତ କରୁଥିବାବେଳେ କ୍ଳବ ଅଫ୍ ରୋମ ଶୀର୍ଷକ ଏକ ସୁପ୍ରସିଦ୍ଧ ବୌଦ୍ଧିକ ଅନୁଷ୍ଠାନର ପ୍ରବୀଣ ବୁଦ୍ଧିଜୀବୀମାନେ ‘ଟ୍ରାୟେଜ’ ଶବ୍ଦଟିକୁ ସମାଜ ବିଜ୍ଞାନ କ୍ଷେତ୍ରରେ ପ୍ରୟୋଗ କରିବାକୁ ଉଚିତ ମଣିଥିଲେ । ସେମାନେ ସୂଚାଇଥିଲେ ଯେ ଚଳନ୍ତି ବସ୍ତୁବାଦୀ ସଭ୍ୟତାର ବିକାଶ ପାଇଁ ଯଦି ସମ୍ବଳର ଉତ୍କଟ ଅଭାବ ଘଟେ, ତାହାହେଲେ ସାମରିକ କ୍ଷେତ୍ରରେ ଆହତ ସୈନ୍ୟମାନଙ୍କ ହେପାଜତ ପାଇଁ ପ୍ରଯୁଜ୍ୟ ‘ଟ୍ରାୟେଜ’ ବ୍ୟବସ୍ଥାକୁ ହିଁ ସମ୍ବଳର ଆଦାନ-ପ୍ରଦାନ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବ । ଅର୍ଥାତ୍, ଯେଉଁମାନେ ସମ୍ବଳର ଅଭାବ ଯୋଗୁଁ ଜୀବନ ଧାରଣର ନ୍ୟୂନତମ ଚାହିଦା ପୂରଣ କରିବାକୁ ଅସମର୍ଥ ସେମାନଙ୍କ ପାଇଁ କୌଣସି ପ୍ରତିକାରମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସମ୍ଭବ ନୁହେଁ । କେବଳ ଯେଉଁମାନଙ୍କଠାରେ ସମ୍ବଳ ସଂଗ୍ରହ କରିପାରିବାର ଦକ୍ଷତା ରହିଛି ଏବଂ ସମ୍ବଳର ଲାଭପ୍ରଦ ବିନିଯୋଗ କରି ପାରିବାର ସାମର୍ଥ୍ୟ ରହିଛି, ସେମାନେ ପ୍ରଗତିର ସ୍ଵାଦ ଉପଭୋଗ କରିପାରିବେ । ଶିଳ୍ପୋନ୍ନତ ବା ବିକାଶଶୀଳ ରାଷ୍ଟ୍ର ନିର୍ବିଶେଷରେ ସର୍ବତ୍ର ଏହି ଟ୍ରାୟେଜ ବ୍ୟବସ୍ଥା ହିଁ ଊଣା ଅଧିକେ କାର୍ଯ୍ୟକାରୀ ହେଉନାହିଁ କି ?

 

ପ୍ରଗତିମୂଳକ କାର୍ଯ୍ୟାନୁଷ୍ଠାନଗୁଡ଼ିକର କୁପରିଣତି ସ୍ୱରୂପ ପୃଥିବୀ ବକ୍ଷରେ ଯେଉଁ ବିଲକ୍ଷଣଗୁଡ଼ିକ ପ୍ରତିଭାତ ହେଉଛି ତତ୍‍ସମ୍ପର୍କୀୟ ପ୍ରାମାଣିକ ତଥ୍ୟରାଜିକୁ ଆଲଭାରେଜ ଆଲୋଚ୍ୟ ପୁସ୍ତକରେ ବିଶଦଭାବରେ ବର୍ଣ୍ଣନା କରିଛନ୍ତି । ଜୈବବସ୍ତୁ ନିର୍ଭରଶୀଳ ବିକାଶଶୀଳ ଦେଶର ଗ୍ରାମବାସୀମାନଙ୍କର ଦୈନନ୍ଦିନ ଜୀବନର କ୍ରମବର୍ଦ୍ଧମାନ ଅସୁବିଧାଗୁଡ଼ିକ ସମ୍ପର୍କରେ ପରିବେଷିତ ତଥ୍ୟରାଜି ଆମ୍ଭମାନଙ୍କୁ ପରିପୋଷଣକ୍ଷମ ସମାଜ ବା ସସଟନେବଲ୍‍ ସୋସାଇଟିର ପ୍ରତିଷ୍ଠା ଦିଗରେ କର୍ମପ୍ରବଣ ହେବାପାଇଁ ଶିକ୍ଷଣୀୟ ଉପାଦାନ ଯୋଗାଇଛି । ବର୍ଜିତ ଜମିଗୁଡ଼ିକର ପୁନରୁଦ୍ଧାର, ସମାଜିକ ବନ ଓ ନୂତନ ଜଙ୍ଗଲାଞ୍ଚଳର ପ୍ରତିଷ୍ଠା, ନଷ୍ଟ ହୋଇଥିବା ଜଙ୍ଗଲର ପୁନରୁଦ୍ଧାର ପାଇଁ ଘରୋଇ ସୂତ୍ରରେ ଜମିବଣ୍ଟନ, ଟିଣଖାଦ୍ୟ, ଜନସ୍ୱାସ୍ଥ୍ୟର ସୁରକ୍ଷା, କାମନା ବର୍ଦ୍ଧନକାରୀ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ଓ ବିତରଣ ଆଦି ବ୍ୟାପାରଗୁଡ଼ିକରେ ଯେଉଁପ୍ରକାର ପ୍ରଗତିମୂଳକ ବ୍ୟବସ୍ଥାଗୁଡ଼ିକ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି, ତାହାହିଁ ନିଃସମ୍ବଳ ଓ ଅବହେଳିତ ଜନସାଧାରଣଙ୍କ ଦୁର୍ଦ୍ଦଶାର ମୁଖ୍ୟ କାରଣ ହୋଇଛି । ସମକାଳୀନ ଭାବରେ ଏଥିପାଇଁ ମନୁଷ୍ୟେତର ପ୍ରାଣୀ ଓ ଉଦ୍ଭିଦ ଜଗତର ସ୍ଥାୟିତ୍ୱ ମଧ୍ୟ ବିପଦାପନ୍ନ ହେଉଛି । ଅସୁସ୍ଥ ବ୍ୟାବସାୟିକ ପ୍ରତିଯୋଗିତା, ହିଂସା ଓ ଅସୂୟାର ବାତାବରଣ ମନୁଷ୍ୟକୁ ଆତ୍ମବିନାଶୀ ପଥର ଅନୁଗାମୀ କରାଇଥିଲେ ମଧ୍ୟ କୌଣସି ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ବଳରେ ପୃଥିବୀର ବାସିନ୍ଦାମାନଙ୍କୁ ସତ୍‍ପଥଗାମୀ କରାଇବା ସମ୍ଭବ ହେଉନାହିଁ । ଇତ୍ୟବସରରେ ପ୍ରଗତିର ଅନ୍ତିମ ଭୟାବହ ପରିଣତି ସମ୍ପର୍କରେ ସଚେତନ ମହାନୁଭବ ବୁଦ୍ଧିଜୀବୀମାନେ ମାନବିକତାବୋଧ, ସୌନ୍ଦର୍ଯ୍ୟବୋଧ, ସଂପ୍ରୀତି ଓ ସମ୍ବେଦନାର ପୁନଃପ୍ରତିଷ୍ଠା ବଳରେ ମନୁଷ୍ୟକୁ ଧରାପୃଷ୍ଠରେ ସୁଖଶାନ୍ତିମୟ ପରିବେଶ ସୃଷ୍ଟି କରିବା ଦିଗରେ କର୍ମତତ୍ପର ହେବା ପାଇଁ ଯେଉଁ ପରାମର୍ଶ ଦେଉଛନ୍ତି, ତାହାକୁ ଗ୍ରହଣ କରିବା ଭଳି ଅନୁକୂଳ ସାମାଜିକ ବା ବୌଦ୍ଧିକ ପରିବେଶର ସର୍ଜନା କୁତ୍ରାପି ସମ୍ଭବ ହେଉନାହିଁ । ଲକ୍ଷ୍ୟ କରାଯାଉଛି ଯେ ଜୁଡ଼ୀୟଖ୍ରୀଷ୍ଟିୟାନ ପରମ୍ପରାରେ ଲାଳିତ ପାଳିତ କେତେକ ପାଶ୍ଚାତ୍ୟ ବୁଦ୍ଧିଜୀବୀ ପ୍ରାଚ୍ୟଦର୍ଶନ ଓ ପାଶ୍ଚାତ୍ୟ ବିଜ୍ଞାନ ମଧ୍ୟରେ ସହଜିଆ ଅର୍ଥସୂଚକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛନ୍ତି । ଡେଭିଡ଼ ବୋହମ, ଗାରି ଜୁକୋଭ ଓ ଫ୍ରିଜ ଅଫ୍ କାପ୍ରା ପ୍ରମୁଖ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ରଚିତ ପୁସ୍ତକଗୁଡ଼ିକ ବେଶ୍ ଜନପ୍ରିୟ ହୋଇଛି । ଆଲଭାରେଜ ଏ ପ୍ରକାର ସାଲିଶମୂଳକ ବୌଦ୍ଧିକତାକୁ ନିର୍ମମ ଭାବରେ ସମାଲୋଚନା କରିବାକୁ ପଶ୍ଚାତ୍‍ପଦ ହୋଇନାହାନ୍ତି । ସେ ସୂଚାଇଛନ୍ତି ଯେ ଲଗାମବିହୀନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁସଂଯତ ଜନହିତକାରୀ ଉପଯୋଗ ଉଦ୍ଦେଶ୍ୟରେ କୌଣସି ସନ୍ତୋଷପ୍ରଦ ସମାଧାନର ସୂତ୍ର ନିର୍ଣ୍ଣୟ କରିବା ପାଇଁ ଏହି ବୁଦ୍ଧିଜୀବୀମାନେ ଅନନ୍ୟୋପାୟ ହୋଇ ପ୍ରାଚ୍ୟ ବିଜ୍ଞାନର ସାମୟିକ ସାହାଯ୍ୟ ଲୋଡ଼ିଛନ୍ତି । ବାହ୍ୟ ଜଗତ ସମ୍ପର୍କିତ ବିଜ୍ଞାନ ଯୁକ୍ତି ନିର୍ଭରଶୀଳ । ଲଘୁକରଣ ପ୍ରକ୍ରିୟା ଅବଲମ୍ବନରେ ଏହାର ସମୃଦ୍ଧି ସାଧିତ ହେଉଛି । ପ୍ରକୃତିର ସାମଗ୍ରିକତାର ରହସ୍ୟ ଉନ୍ମୋଚନ ବିଜ୍ଞାନର ସୀମାତିରିକ୍ତ ବ୍ୟାପାଏ । ଏଣୁ, ଲଘୁକରଣ ବା ରିଡ଼କ୍‍ସନିଜ୍‍ମ ଏବଂ ସାମଗ୍ରିକତା ବା ହୋଲିଜମ୍‍କୁ ଗୋଟିଏ ବର୍ଣ୍ଣାଳିରେ ସ୍ଥାନ ଦେବାର ଉଦ୍ୟମ କେବଳ ଅଜ୍ଞତାର ପରିଚାୟକ । ରହସ୍ୟବାଦ, ଆତ୍ମଅବବୋଧ ଓ ଆଧ୍ୟାତ୍ମିକ ଉପଲବ୍‍ଧି ପର୍ଯ୍ୟବସିତ ପ୍ରାଚ୍ୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ୍’ ଭଳି ମହାନ୍ ଧାରଣାର ଜାଗରଣ ଘଟାଇଛି । ତାର୍କିକ ମାର୍ଗରେ ଲଘୁକରଣ ପ୍ରକ୍ରିୟା ତଥା ଆନୁଭବିକ ବିଜ୍ଞାନ ସହିତ ପ୍ରାଚ୍ୟ ଦର୍ଶନକୁ ସମାସୀନ କରାଯିବାର ଅବକାଶ ନାହିଁ । ପ୍ରାଚ୍ୟ ଜୀବନାନୁଭୂତି କଳା, ଧର୍ମ ଓ ବିଜ୍ଞାନର ଅନନ୍ୟ ସମନ୍ୱୟ । ଏହା ମନୁଷ୍ୟର ଶାରୀରିକ, ମାନସିକ ଓ ଆତ୍ମିକ ପରତୃପ୍ତି ପାଇଁ ତଥା ମନୁଷ୍ୟର ମାନସପଟକୁ ସନ୍ତୁଳିତ କରାଇବା ପାଇଁ ଉଦ୍ଦିଷ୍ଟ । ସାମଗ୍ରିକତା ସମ୍ପର୍କରେ ଏହା ଯେଉଁ ଜ୍ଞାନାଲୋକ ବିତରଣ କରୁଛି, ସେଥିରୁ ବିଜ୍ଞାନକୁ ସୁସଂଯତ ଓ ଜୀବନଧର୍ମୀ କରାଇବା ଉଦ୍ଦେଶ୍ୟରେ ଅବଶ୍ୟ ଦିକ୍‍ଦର୍ଶନ ମିଳୁଛି । ମାତ୍ର ଆତ୍ମିକ ଉପଲବ୍‍ଧି ସିଦ୍ଧ ଚିରନ୍ତନ ସତ୍ୟକୁ ବୈଜ୍ଞାନିକ ସତ୍ୟ ସହିତ ସମାର୍ଥସୂଚକ ଭାବରେ ପ୍ରତିଷ୍ଠା କରିବା ପାଇଁ କାପ୍ରାଙ୍କ ଭଳି ବୁଦ୍ଧିଜୀବୀମାନଙ୍କ ଉଦ୍ୟମକୁ ଆଲଭାରେଜ ଆଦୌ ପସନ୍ଦ କରିନାହାନ୍ତି । ପରିବର୍ତ୍ତନଶୀଳ ବିଜ୍ଞାନ ଆଗେଇ ଯିବା ପରେ ଯେଉଁ ଖାପଛଡ଼ା ତୁଳନାତ୍ମକ ଦୃଷ୍ଟାନ୍ତଗୁଡ଼ିକ ଅବଲମ୍ବନରେ ପ୍ରାଚ୍ୟ ଦର୍ଶନକୁ ଆଧୁନିକ ବିଜ୍ଞାନ ସହିତ ସମାସୀନ କରାଯାଇଛି, ସେଗୁଡ଼ିକ କ’ଣ ଅସତ୍ୟ ତଥା ବର୍ଜିତ ହୋଇଯିବ ? ପ୍ରାଚ୍ୟ ଜଗତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରା ଏବଂ ଜୀବନ-ଧାରା ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହେବା ଦ୍ୱାରା ହିଁ ଚିରନ୍ତନ ସତ୍ୟର ଉପଲବ୍‍ଧି ସମ୍ଭବ ହୋଇପାରେ । ଏବଂବିଧ ଉପଲବ୍‍ଧି ହିଁ ମନୁଷ୍ୟ ରୂପୀ ପ୍ରାଣୀର ମାନସିକ ସନ୍ତୁଳନ ଦିଗରେ କଳା ଓ ଆଧ୍ୟାତ୍ମିକ ଚିନ୍ତନ ସହିତ ଆଧୁନିକ ବିଜ୍ଞାନକୁ ଠିକଣା ଭାବରେ ସଂଯୋଜିତ କରିବା ପାଇଁ ଦିକ୍‍ଦର୍ଶନ ଯୋଗାଇପାରେ ।

 

ଆଲୋଚ୍ୟ ପୁସ୍ତକର ଶେଷ ଭାଗରେ ଆଲଭାରେଜ ଏକ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ପାଇଁ କତିପୟ ଇସଲାମୀ ପଣ୍ଡିତମାନଙ୍କ ଦ୍ୱାରା ରଚିତ ଇସଲାମୀ ବିଜ୍ଞାନ ସମ୍ପର୍କୀୟ ସଦ୍ୟ ପ୍ରକାଶିତ କେତେକ ପୁସ୍ତକରୁ ଶିକ୍ଷଣୀୟ ଉପାଦାନ ପାଇଥିବା ସମ୍ପର୍କରେ ସୂଚାଇଛନ୍ତି । ଦାର୍ଶନିକ ଆଲଭାରେଜ ଆଧୁନିକ ଯୁଗର ମନୁଷ୍ୟ ପାଇଁ ବିକଳ୍ପ ଅଧିବିଜ୍ଞାନ ବା ଜୀବନାଦର୍ଶର ସନ୍ଧାନରେ ବ୍ରତୀ ହେବା ବେଳେ ବିଭିନ୍ନ ଧର୍ମଗ୍ରନ୍ଥଗୁଡ଼ିକୁ ଅଧ୍ୟୟନ କରିଥିବା ସ୍ୱାଭାବିକ । ମାତ୍ର ସେ କୌଣସି ସୁସ୍ପଷ୍ଟ ମାର୍ଗର ଅନୁଗାମୀ ହେବା ଦିଗରେ ଆମ୍ଭମାନଙ୍କୁ ପରାମର୍ଶ ଦେବାକୁ ଅପାରଗ ହୋଇଛନ୍ତି । ପୁଣି, ପ୍ରଗତିର ଧାରାକୁ କେଉଁ ପ୍ରକାରେ ବଦଳାଇ ଦେବାଦ୍ୱାରା ପୃଥିବୀ ବକ୍ଷରେ ପରିପୋଷଣକ୍ଷମ ତଥା ସର୍ବଜନ ହିତାୟ ଓ ସର୍ବଜନ ସୁଖାୟ ସମାଜ ପ୍ରତିଷ୍ଠିତ ହୋଇପାରିବ, ତତ୍‍ସମ୍ପର୍କୀୟ ସ୍ପଷ୍ଟୀକରଣ ଯୋଗାଇ ଦେବା ଦିଗରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିନାହାନ୍ତି ।

 

ଏହି ଭାବୋଦ୍ଦୀପକ ପୁସ୍ତକ ମାଧ୍ୟମରେ ଆଲଭାରେଜ ଆମ୍ଭମାନଙ୍କୁ ଗୋଟିଏ ଅଭିନବ ଜୀବନାଦର୍ଶର ସନ୍ଧାନୀ ହେବାପାଇଁ ସମୟୋଚିତ ପରାମର୍ଶ ଦେଇଛନ୍ତି । ବର୍ଣ୍ଣିତ ତଥ୍ୟରାଜି ଏପରି ମର୍ମସ୍ପର୍ଶୀ ହୋଇଛି ଯେ ତାଙ୍କ ଦ୍ୱାରା ଉପସ୍ଥାପିତ କେତେକ ମନ୍ତବ୍ୟକୁ ସମର୍ଥନ କରି ନ ପାରିଲେ ମଧ୍ୟ ଏହାକୁ ପାଠ କରିବା ଦ୍ୱାରା ଆମ୍ଭେମାନେ ସାମ୍ପ୍ରତିକ ପ୍ରଗତିର ଧାରାକୁ ବଦଳାଇ ଦେବା ଦିଗରେ ଚିନ୍ତା କରିବା ପାଇଁ ଯଥେଷ୍ଟ ପ୍ରେରଣା ପାଇ ପାରିବା । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଜନହିତକାରୀ ଉପଯୋଗ ଦିଗରେ ତଥା ସମଗ୍ର ଜୀବମଣ୍ଡଳକୁ ଆପଣାର କରିବା ଦିଗରେ ଯତ୍ନବାନ ହେବାପାଇଁ ଏହି ପୁସ୍ତକଟି ଏକ ଦାର୍ଶନିକ ଭିତ୍ତିଭୂମି ଯୋଗାଇ ପାରିଛି । ଏହି ଦୃଷ୍ଟିରୁ ଲେଖକଙ୍କ ବୌଦ୍ଧିକ ଶ୍ରମ ନିଶ୍ଚିତ ଭାବରେ ସାର୍ଥକ ହୋଇଛି ।

☆☆☆

 

ଆମ ଦେଶର ପର୍ଯ୍ୟାବରଣୀୟ ଇତିହାସ

 

THIS FISSURED LAND:

AN ECOLOGICAL HISTORY OF INDIA

By

Madhav Gadgil and Rama Chandra Guha

Oxford University Press, 1992

 

ଏକ ପକ୍ଷରେ ପର୍ଯ୍ୟାବରଣୀୟ ସନ୍ତୁଳନ ଓ ଅପର ପକ୍ଷରେ ଅର୍ଥନୈତିକ ପ୍ରଗତିକୁ କେନ୍ଦ୍ରକରି ସଂପ୍ରତି ପୃଥିବୀ ବକ୍ଷରେ ବ୍ୟାପକ ବୌଦ୍ଧିକ, ରାଜନୈତିକ ଓ ଅର୍ଥନୈତିକ ଆଲୋଡ଼ନର ସୂତ୍ରପାତ ଘଟିଛି । ତୃତୀୟ ପୃଥିବୀର ଅନ୍ୟତମ ଅଗ୍ରଗଣ୍ୟ ରାଷ୍ଟ୍ର ଭାବରେ ଦେଶ ଏହି ଆଲୋଡ଼ନକୁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ଵାର୍ଥାନୁକୂଳ କରାଇବା ଦିଗରେ ନେତୃତ୍ୱ ପ୍ରଦାନକାରୀ ଭୂମିକା ଗ୍ରହଣ କରିଛି । ସମକାଳୀନ ଭାବରେ ଆମ ଦେଶର ଅର୍ଥନୈତିକ ବ୍ୟବସ୍ଥାକୁ ଅଧିକରୁ ଅଧିକ ଉଦାର କରାଇବା ପୂର୍ବକ ଶିଳ୍ପାୟନ ଭିତ୍ତିକ ରାଷ୍ଟ୍ରୀୟ ପ୍ରଗତିର ହାରକୁ ତ୍ୱରାନ୍ୱିତ କରାଯିବା ଅବସରରେ ପରିବେଶୀୟ ପ୍ରଦୂଷଣ ଓ ପର୍ଯ୍ୟାବରଣୀୟ ଅସନ୍ତୁଳନକୁ, ରୋକିବା ଦିଗରେ ମଧ୍ୟ କଠୋର ନୀତିଗୁଡ଼ିକୁ ବୈଧାନିକ ମାର୍ଗରେ କାର୍ଯ୍ୟକାରୀ କରାଯାଉଛି । ନୀତିଗତ ଦୃଷ୍ଟିରୁ ଦୃଢ଼ ରାଜନୈତିକ ମନୋବଳର ପରିପ୍ରକାଶ ଘଟୁଥିଲେ ମଧ୍ୟ ସାଂପ୍ରତିକ ଅନ୍ତର୍ଦେଶୀୟ ଆନ୍ତଃରାଷ୍ଟ୍ରୀୟ ପରିସ୍ଥିତି ପରିପ୍ରେକ୍ଷୀରେ ଦେଶର ଦୀର୍ଘମିଆଦୀ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ପ୍ରଗତିମୂଳକ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ଯଥାବିଧି କାର୍ଯ୍ୟକାରୀ କରାଇବା ସମ୍ଭବ ହେଉନାହିଁ । କ୍ଷମତା ଓ ଅର୍ଥ ବଳରେ ବଳୀୟାନ ଉପଭୋଗୀ ଗୋଷ୍ଠୀ ଯେଉଁ ପ୍ରକାର ସ୍ୱାର୍ଥାନ୍ଵେଷୀ ଭାବଧାରର ବଶବର୍ତ୍ତୀ ହେଉଛନ୍ତି ତାହା ଦରିଦ୍ର ଚାଷୀ ଓ ଅବହେଳିତ ଜନସାଧାରଣଙ୍କ ସ୍ୱାର୍ଥର ପରିପନ୍ଥୀ ହେଉଛି । ଔପନିବେଶିକ ଶାସନ ଚାଲିଥିବା କାଳଠାରୁ ଆଜିପର୍ଯ୍ୟନ୍ତ ଯେଉଁ ପ୍ରଗତିମୂଳକ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି ଉଭୟ ପକ୍ଷର ସ୍ଵାର୍ଥ ଦୃଷ୍ଟିରୁ ତାହାକୁ ଠିକଣା ଭାବରେ କାର୍ଯ୍ୟକାରୀ କରାଇବା ସମ୍ଭବ ହେଉନାହିଁ । ଏଣୁ, ବାସ୍ତବ କ୍ଷେତ୍ରରେ ଆଦର୍ଶଗତ ତଥା ବ୍ୟାବହାରିକ ଦୃଷ୍ଟିରୁ ଦେଶ ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହାକୁ ବିଚାରକୁ ନିଆଯାଇ ପୁସ୍ତକଟିକୁ ‘ଦିସ୍ ଫିସର୍‍ଡ଼ ଲ୍ୟାଣ୍ଡ’ ଭାବରେ ନାମିତ କରାଯିବା ବେଶ୍ ଯଥାର୍ଥ ବୋଧ ହେଉଛି ।

 

ପର୍ଯ୍ୟାବରଣବିତ୍ ବା ଇକୋଲଜିଷ୍ଟ ଭାବରେ ମାଧବ ଗାଡ଼ଗିଲ ଜନୈକ ଆନ୍ତଃରାଷ୍ଟ୍ରୀୟ ସୁଖ୍ୟାତିସଂପନ୍ନ ବୈଜ୍ଞାନିକ । ବାଙ୍ଗାଲୋରସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍‍ସଠାରେ ସେ ପର୍ଯ୍ୟାବରଣ ଆଧାରିତ ଅଧ୍ୟାପନା ଓ ଗବେଷଣାର ଅଧ୍ୟକ୍ଷତା କରିଥିବା ଅବସରରେ ଆମ୍ଭମାନଙ୍କ ସାଧାରଣ ଜ୍ଞାନର ସଂପ୍ରସାରଣ ଉଦ୍ଦେଶ୍ୟରେ ବରାବର ବିଭିନ୍ନ ସମ୍ବାଦପତ୍ରରେ ଉଚ୍ଚକୋଟୀର ଶିକ୍ଷଣୀୟ ପ୍ରବନ୍ଧ ପ୍ରକାଶ କରନ୍ତି । ରାମଚନ୍ଦ୍ର ଗୁହ ଜଣେ ପ୍ରବୀଣ ଐତିହାସିକ । ସଂପ୍ରତି ସେ ନୂଆଦିଲ୍ଲୀସ୍ଥିତ ନେହେରୁ ମେମୋରିଆଲ ମ୍ୟୁଜିଅମ ଆଣ୍ଡ ଲାବୋରେଟରୀଠାରେ ପ୍ରଫେସରିଆଲ ଫେଲୋ ଭାବରେ ବ୍ୟକ୍ତିଗତ ଜୀବନ ବିତାଉଛନ୍ତି । ତାଙ୍କ ପାଣ୍ଡିତ୍ୟର ଅନ୍ୟତମ ସ୍ଵାତନ୍ତ୍ର୍ୟ ହେଉଛି ଯେ ପରିବେଶୀୟ ଇତିହାସ ରଚନା କ୍ଷେତ୍ରରେ ସେ ବେଶ୍ ପାରଦର୍ଶୀ । ହିମାଳୟ ପର୍ବତମାଳାର ପର୍ଯ୍ୟାବରଣୀୟ ପରିବର୍ତ୍ତନ ଯୋଗୁଁ ସ୍ଥାନୀୟ ଅଧିବାସୀମାନଙ୍କ ଦୁର୍ଦ୍ଦଶା ଏବଂ ପରିବର୍ତ୍ତନ ବିରୋଧୀ ଆନ୍ଦୋଳନ ସମ୍ପର୍କରେ ସେ ଗୋଟିଏ ଉଚ୍ଚକୋଟୀର ତଥ୍ୟଗର୍ଭକ ତଥା ଭାବୋଦ୍ଦୀପକ ପୁସ୍ତକ ରଚନା କରି ନିଜ ପାରଦର୍ଶିତାର ସମ୍ୟକ ପରିଚିତି ପ୍ରଦର୍ଶନ କରିଛନ୍ତି । ପ୍ରାକୃତିକ ବିଜ୍ଞାନ ଓ ସମାଜ ବିଜ୍ଞାନର ସୁସମନ୍ୱିତ ବିଚାର ଅବଲମ୍ୱନରେ ଗାଡ଼ଗିଲ ଓ ଗୁହ ଆମ ଦେଶର ପର୍ଯ୍ୟାବରଣୀୟ ଇତିହାସ ସମ୍ବନ୍ଧରେ ସର୍ବପ୍ରଥମେ ଏହି ପଥ ପ୍ରଦର୍ଶନକାରୀ ପୁସ୍ତକଟିକୁ ରଚନା କରିଛନ୍ତି । ଏପରି ସମୟୋଚିତ ସାହସିକ ପଦକ୍ଷେପର ଜରୁରୀକାଳୀନ ଆବଶ୍ୟକତା ବିଶେଷ ଭାବରେ ଉପଲବ୍‍ଧ ହେଉଥିଲା । ଏହି ଅଭାବଟିକୁ ପୂରଣ କରିବା ପୂର୍ବକ ସେମାନେ ପରବର୍ତ୍ତୀକାଳର ଗବେଷକ ଓ କର୍ମୀମାନଙ୍କ ପାଇଁ ଏକ ବୌଦ୍ଧିକ ଅବସ୍ଥାପନା ଯୋଗାଇଛନ୍ତି । ଆମ ଦେଶର ପର୍ଯ୍ୟାବରଣର ସନ୍ତୁଳନ ତଥା ସମକାଳୀନ ଅର୍ଥନୈତିକ ପ୍ରଗତି ସମ୍ବନ୍ଧରେ ଚିନ୍ତା କରୁଥିବା ବୁଦ୍ଧିଜୀବୀମାନଙ୍କ ପାଇଁ ଏହି ପୁସ୍ତକଟି ବହୁ ଜ୍ଞାତବ୍ୟ ତଥ୍ୟ ଯୋଗାଇଦେବା ସଙ୍ଗେ ସଙ୍ଗେ ବ୍ୟାପକ ସର୍ବେକ୍ଷଣଭିତ୍ତିକ ଗବେଷଣା ଚଳାଇବା ପାଇଁ ଯଥେଷ୍ଟ ଉପାଦାନ ଯୋଗାଇ ପାରିଛି । ଏଣୁ, ବାସ୍ତବରେ ଗାଡ଼ଗିଲ ଓ ଗୁହଙ୍କ ପ୍ରାରମ୍ଭିକ ପଦକ୍ଷେପ ଅଭିନନ୍ଦନୀୟ ହୋଇଛି ।

 

ସମାଜ-ବିଜ୍ଞାନୀମାନେ ଓ୍ୱେବରୀୟ ବା ମାର୍କସୀୟ ପରମ୍ପରା ଅନୁକ୍ରମରେ ଉତ୍ପାଦନର ମାର୍ଗ ଭିତ୍ତିକ ସମାଜତାତ୍ତ୍ୱିକ ବିଚାର ଚଳାଇବା ଏକ ଗତାନୁଗତିକ ପଦ୍ଧତି । ଗାଡ଼ଗିଲ ଓ ଗୁହ ଆମ ଦେଶର ପର୍ଯ୍ୟାବରଣୀୟ ଇତିହାସ ରଚନା ବ୍ୟାପାରରେ ଏପରି ତାତ୍ତ୍ୱିକ ଆଭିମୁଖ୍ୟକୁ ଆଦରି ନେବାକୁ ଉଚିତ ମଣିନାହାନ୍ତି । ଆଲୋଚ୍ୟ ପୁସ୍ତକର ପ୍ରଥମ ଭାଗରେ ସେମାନେ ଇତିହାସ ରଚନା କରିବାପାଇଁ ସମ୍ବଳ ବ୍ୟବହାର କରାଯିବାର ଭଙ୍ଗୀ (ମୋଡ଼୍‍ସ ଅଫ୍ ରିସୋର୍ସ ୟୁସ୍ ବା ଏମ୍: ଆର୍: ୟୁ:) ପ୍ରତି ପ୍ରାଥମିକ ଗୁରୁତ୍ୱ ଆରୋପ କରିଛନ୍ତି । ପ୍ରାକୃତିକ ସମ୍ବଳଗୁଡ଼ିକର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଉଭୟ ହାର୍ଡ଼୍ଓ୍ୱେଆର୍ ଓ ସଫଟ୍ଓ୍ୱେଆରକୁ ବିଚାରର ଅନ୍ତର୍ଭୁକ୍ତ କରାଯାଇଛି । ବିଭିନ୍ନ ଯୁଗରେ ପ୍ରାକୃତିକ ସମ୍ବଳର ବ୍ୟବହାର ପାଇଁ କେଉଁ କେଉଁ ପ୍ରକାରର ଟେକ୍ନୋଲଜି କାର୍ଯ୍ୟକାରୀ କରାଯାଇଛି ଏବଂ ସମ୍ପଦର ଅଧିକାର ଓ ବ୍ୟବହାର ପାଇଁ କେଉଁ କେଉଁ ପ୍ରକାର ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି, ସେଗୁଡ଼ିକ ହାର୍ଡ଼୍ଓ୍ୱେଆରର ଅନ୍ତର୍ଭୁକ୍ତ ହୋଇଛି । ପ୍ରକୃତି ସହିତ ଦୈନନ୍ଦିନ ଅନ୍ତଃକ୍ରିୟା ଚଳାଇବା ଅବସରରେ ମନୁଷ୍ୟ ଯୁଗେ ଯୁଗେ ଯେଉଁ ପ୍ରକାର ଚଳଣି, ବିଶ୍ଵାସ ଓ ଲୋକାଚାରକୁ ଆଦରି ନେଇଛି, ସେଗୁଡ଼ିକୁ ସଫ୍ଟଓ୍ୱେଆରର ଶ୍ରେଣୀଭୁକ୍ତ କରାଯାଇଛି । ଉଭୟ ହାର୍ଡ଼ଓ୍ୱେଆର୍ ଓ ସଫଟ୍ଓ୍ୱେଆରର ପ୍ରଭାବ ଯୋଗୁଁ ପ୍ରାକୃତିକ ସମ୍ୱଳରାଜିର ବ୍ୟବହାର ଫଳରେ ପର୍ଯ୍ୟାବରଣ ଯେପରି ଭାବରେ ପ୍ରଭାବିତ ହୋଇଛି, ତତ୍‍ସମ୍ପର୍କୀୟ ବିଶଦ ବିଚାର କରାଯାଇଛି । ଏପରି ଅଭିନବ ପଦ୍ଧତିର ଆଶ୍ରୟ ନିଆଯିବା ଫଳରେ ଶେଷକୁ ପ୍ରାକୃତିକ ସମ୍ବଳର ପରିପାଟୀ, ବିତରଣ ଓ ସୁଲଭତା ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବ ହେଉଛି । ଗାଡ଼ଗିଲ ଓ ଗୁହ ପୁସ୍ତକର ପ୍ରଥମ ଭାଗରେ ପର୍ଯ୍ୟାବରଣୀୟ ଇତିହାସ ରଚନା କରାଯିବାର ଏ ପ୍ରକାର ଅଭିନବ ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ସ୍ଥୂଳତଃ ଏପରି ସ୍ୱତନ୍ତ୍ର ପଦ୍ଧତି ଅବଲମ୍ବନ କରାଯିବା ଦ୍ୱାରା ପ୍ରାକୃତିକ ପରିବେଶର ସ୍ଥିତାବସ୍ଥା ପରିପ୍ରେକ୍ଷୀରେ ଭିନ୍ନ ଭିନ୍ନ ଉତ୍ପାଦନର ମାର୍ଗଗୁଡ଼ିକର ସମାଜ ଉପରେ ପ୍ରଭାବ ସମ୍ପର୍କରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ବେଶ୍ ଯୁକ୍ତିଯୁକ୍ତ ବୋଧ ହେଉଛି । ସମାଜ-ବିଜ୍ଞାନୀ-ମାନଙ୍କଦ୍ୱାରା ପ୍ରଦର୍ଶିତ ଗତାନୁଗତିକ ଗବେଷଣା-ପଦ୍ଧତିର ଅବମୂଲ୍ୟାୟନ କରିବା ପରିବର୍ତ୍ତେ ଉଭୟ ଲେଖକ ନିଜସ୍ୱ ପଦ୍ଧତିକୁ ଏକ ଅନୁପୂରକ ତଥା ଫଳପ୍ରଦ ବୌଦ୍ଧିକ ପ୍ରୟାସ ଭାବରେ ଗ୍ରହଣ କରିଛନ୍ତି ।

 

ଇତିହାସ ରଚନାର ଆଭିମୁଖ୍ୟକୁ ପୁସ୍ତକର ପ୍ରଥମ ଭାଗରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ପରେ ଦ୍ୱିତୀୟ ଭାଗରେ ଆମ ଦେଶର ପର୍ଯ୍ୟାବରଣ ସମ୍ବନ୍ଧୀୟ ଅନୁସନ୍ଧାନ କରାଯାଇଛି । ପ୍ରାକ୍–ଆଧୁନିକ ଯୁଗଠାରୁ ଆଜି ପର୍ଯ୍ୟନ୍ତ ଆମ ଦେଶର ବିଭିନ୍ନ ଅଞ୍ଚଳର ପର୍ଯ୍ୟାବରଣ ସମ୍ବନ୍ଧରେ ବିଶଦ ତଥ୍ୟ ସଂଗୃହୀତ ହୋଇଛି । ମାତ୍ର ଅନେକ କ୍ଷେତ୍ରରେ ପ୍ରାମାଣିକ ତଥ୍ୟ ମିଳୁ ନଥିବାରୁ ଲେଖକଦ୍ୱୟ ସମସାମୟିକ ପରିସ୍ଥିତି ଅନୁଧ୍ୟାନ କରି ଆନୁମାନିକ ବିଚାର ଉପସ୍ଥାପନା କରିଛନ୍ତି । ପଲ୍ଲୀବାସୀ ଓ ସହରାଞ୍ଚଳର ବାସିନ୍ଦାମାନେ ବୃତ୍ତି ପାଇଁ ପର୍ଯ୍ୟାବରଣ ନିର୍ଭରଶୀଳ ହୋଇଥିବା ସମ୍ପର୍କରେ ଏବଂ ବୃତ୍ତିଗତ କାର୍ଯ୍ୟସାଧନ ପାଇଁ ପାରମ୍ପରିକ ଟେକ୍ନୋଲୋଜିଗୁଡ଼ିକର ବ୍ୟବହାର ସମ୍ବନ୍ଧରେ ଲେଖକଦ୍ୱୟ ବହୁ ଜ୍ଞାତବ୍ୟ ତଥ୍ୟ ପରିବେଷଣ କରିଛନ୍ତି । ଗ୍ରାମାଞ୍ଚଳର ମୁହାଁମୁହିଁ ସମାଜ ଓ ସ୍ଥାନୀୟ ପର୍ଯ୍ୟାବରଣ ନିର୍ଭରଶୀଳ ସ୍ଵାବଲମ୍ବନଶୀଳତା ସମ୍ପର୍କରେ ଲେଖକଦ୍ୱୟ ଯେଉଁ ବିଚାର ଉପସ୍ଥାପନା କରିଛନ୍ତି ସେଥିରୁ ଜଣାପଡ଼ୁଛି ଯେ ପାରିପାର୍ଶ୍ୱିକ ପ୍ରାକୃତିକ ସମ୍ବଳର ବ୍ୟାବହାରିକ ଉପଯୋଗ ପାଇଁ ଓ ଜୀବିକା ନିର୍ବାହର ମୁଖ୍ୟ ଉପାଦାନଗୁଡ଼ିକ ପାଇଁ ଆମ ଦେଶର ଲୋକେ କୃଷି ଓ କୃଷି ନିର୍ଭରଶୀଳ ଶିଳ୍ପର ସମୃଦ୍ଧି ସାଧନ ଦିଗରେ ଉପଯୁକ୍ତ ସରଳ ଶ୍ରମଗହନ ଟେକ୍ନୋଲଜିଗୁଡ଼ିକୁ କାର୍ଯ୍ୟକାରୀ କରାଉଥିଲେ । ଜୈବବସ୍ତୁ ହିଁ ଥିଲା ସେମାନଙ୍କ ଜୀବନ ଧାରଣର ପାଥେୟ । ଲେଖକଦ୍ୱୟ ପୁସ୍ତକର ଏହି ପର୍ଯ୍ୟାୟରେ ସଂଗୃହୀତ ତଥ୍ୟରାଜିଭିତ୍ତିକ ବିଚାର ବଳରେ ଏକ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ସେମାନଙ୍କ ମତାନୁଯାୟୀ ପର୍ଯ୍ୟାବରଣଲବ୍‍ଧ ବସ୍ତୁଗୁଡ଼ିକର ବିତରଣକୁ କେନ୍ଦ୍ରକରି ଭୁଲ୍ ବୁଝାମଣା ଓ ବିବାଦ ଘଟିବାର ସମ୍ଭାବନାକୁ ଏଡ଼ାଇ ଦେବାପାଇଁ ଆମ ଦେଶରେ ଜାତିପ୍ରଥା କାର୍ଯ୍ୟକାରୀ ହୋଇଥିଲା । ବିଭିନ୍ନ ଜାତିର ଲୋକେ ପାରିପାର୍ଶ୍ଵିକ ପରିସଂସ୍ଥାରୁ ସମ୍ବଳ ସଂଗ୍ରହ କରିବା ଦିଗରେ କଟକଣା ଜାରି କରାଯାଇଥିବାରୁ ସମ୍ବଳ ସଂଗ୍ରହ ଓ ବିବାଦ ଉପୁଜିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇଥିଲା । ଏପରି ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣଯୋଗ୍ୟ କି ନୁହେଁ ? ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଆହୁରି ଅଧିକ ଗବେଷଣା ସାପେକ୍ଷ । ମାତ୍ର ଗାଡ଼ଗିଲ ଓ ଗୁହ ଜାତିପ୍ରଥାର ପ୍ରଚଳନ ପାଇଁ ପର୍ଯ୍ୟାବରଣର ସୁରକ୍ଷା ଓ ପ୍ରକୃତିଲବ୍‍ଧ ସମ୍ବଳର ବିତରଣ ଓ ଉପଯୋଗକୁ ଯେପରି ଅନ୍ୟତମ କାରଣ ଭାବରେ ଉପସ୍ଥାପନା କରିଛନ୍ତି, ପରବର୍ତ୍ତୀକାଳର ଗବେଷକମାନଙ୍କ ପାଇଁ ତାହା ନିଶ୍ଚିତ ଭାବରେ ଏକ ଦିକ୍‍ଦର୍ଶନକାରୀ ଭୂମିକା ଗ୍ରହଣ କରିବ ।

 

ପୁସ୍ତକର ତୃତୀୟ ଭାଗରେ ଲେଖକଦ୍ୱୟ ପର୍ଯ୍ୟାବରଣର ସୁରକ୍ଷା ଓ ଜନହିତକାରୀ ଭୂମିକା ଦୃଷ୍ଟିରୁ ଆମ ଦେଶର ଜଙ୍ଗଲାଞ୍ଚଳ ସମ୍ପର୍କରେ ବିଶଦ ଆଲୋଚନା କରିଛନ୍ତି । ନିର୍ଭରଯୋଗ୍ୟ ତଥ୍ୟରାଜିର ଅଭାବ ଯୋଗୁଁ ବିଗତ ପ୍ରାୟ ଦୁଇଶତ ବର୍ଷର ପର୍ଯ୍ୟାବରଣୀୟ ଅବସ୍ଥା ସମ୍ପର୍କରେ ସେମାନେ ନିର୍ଭୁଲ ବିଚାର ଉପସ୍ଥାପନା କରିବାକୁ ସମର୍ଥ ହୋଇଛନ୍ତି । ଏହି ସାମାଜିକ ପର୍ଯ୍ୟାବରଣୀୟ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ଆମ ଦେଶରେ ବ୍ରିଟିଶ ଶାସନ ଚାଲିବା ପରଠାରୁ ଆଜି ପର୍ଯ୍ୟନ୍ତ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ପର୍ଯ୍ୟାବରଣର ଯତ୍ନନେବା ସମ୍ଭବ ହୋଇନାହିଁ । ବ୍ରିଟିଶ ଶାସନକାଳରେ ଇଂଲଣ୍ଡର କାଠ ଅଭାବ ପୂରଣ ପାଇଁ ଆମ ଦେଶରୁ ମୂଲ୍ୟବାନ କାଠ ଚାଲାଣ କରାଯାଉଥିଲା । ଗୃହୋପକରଣ, ରେଳ ଲାଇନର ବିସ୍ତାର, ଜାହାଜ ନିର୍ମାଣ ପାଇଁ ପ୍ରଚୁର କାଠ ରପ୍ତାନି କରାଯାଉଥିଲା । ଲାଭପ୍ରଦ ଚା’, କଫି, ନୀଳ ଚାଷ ପାଇଁ ଜଙ୍ଗଲ କଟାଯାଇ ଶସ୍ୟକ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା । କାଗଜ କଳ ମାଲିକ ଓ ଠିକାଦାରମାନେ ସରକାରଙ୍କଠାରୁ ଲାଇସେନ୍‍ସ ପାଇ ଜଙ୍ଗଲଗୁଡ଼ିକୁ କାଟୁଥିଲେ । ସ୍ୱାଧୀନତା ପ୍ରାପ୍ତି ପରଠାରୁ ଜନସଂଖ୍ୟାର ବୃଦ୍ଧି ଜଙ୍ଗଲ ଉପରେ ଅଧିକରୁ ଅଧିକ ଚାପ ପକାଇଛି; ମାତ୍ର ସ୍ଵଦେଶୀ ଜଙ୍ଗଲାଞ୍ଚଳର ରକ୍ଷଣାବେକ୍ଷଣ ଓ ଜନହିତକାରୀ ଉପଯୋଗ ଦିଗରେ ମଧ୍ୟ ଊଣା ଅଧିକେ ଜାତୀୟ ସରକାର ବିଶେଷ ଫଳପ୍ରଦ ଉଦ୍ୟମ ଚଳାଇବାକୁ ଅସମର୍ଥ ହୋଇଛନ୍ତି । ସ୍ଥାନୀୟ ଅଧିବାସୀମାନେ ଜୀବନ ଧାରଣ ପାଇଁ ଜଙ୍ଗଲ ଉପର ଅନିବାର୍ଯ୍ୟ ଭାବରେ ନିର୍ଭର କରୁଥିଲେ ମଧ୍ୟ ସେମାନଙ୍କ ସହଯୋଗରେ ଜଙ୍ଗଲର ସୁରକ୍ଷା ଦିଗରେ କୌଣସି ପରିଚାଳନାଗତ ବ୍ୟବସ୍ଥାକୁ ସନ୍ତୋଷପ୍ରଦ ମାର୍ଗରେ କାର୍ଯ୍ୟକାରୀ କରାଇବା ସମ୍ଭବ ହେଉନାହିଁ । ଜଙ୍ଗଲାଞ୍ଚଳର ସୁରକ୍ଷା ପାଇଁ ବୈଧାନିକ କଟକଣା ଜାରି ହୋଇଛି; ମାତ୍ର ଜଙ୍ଗଲ ନିର୍ଭରଶୀଳ ସ୍ଥାନୀୟ ଅଧିବାସୀମାନଙ୍କ ଜାଳେଣି କାଠର ବିକଳ୍ପ କୌଣସି ଇନ୍ଧନ ଯୋଗାଇ ଦେବା ସମ୍ଭବ ହେଉନାହିଁ । ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ନୂତନ ଜଙ୍ଗଲ ସୃଷ୍ଟି (ସାଇଣ୍ଟିଫିକ୍ ଫରେଷ୍ଟ୍ରୀ) ପାଇଁ ଯେଉଁ ଅପରିମାଣଦର୍ଶୀ ଉଦ୍ୟମ ଅବ୍ୟାହତ ରହିଛି, ଲେଖକଦ୍ୱୟ ତାହାକୁ ନିର୍ମମ ଭାବରେ ସମାଲୋଚନା କରିଛନ୍ତି । ଶିଳ୍ପପତିମାନଙ୍କ କାରସାଦୀ ଯୋଗୁଁ ବର୍ଜିତ ଜମିଗୁଡ଼ିକର ଘରୋଇକରଣ ପାଇଁ ବର୍ତ୍ତମାନ ଯେଉଁ ବ୍ୟବସ୍ଥା ଚାଲିଛି, ଲେଖକଦ୍ୱୟ ତାହାକୁ ଜନସ୍ୱାର୍ଥ ବିରୋଧୀ ବ୍ୟବସ୍ଥା ଭାବରେ ବିଚାର କରିଛନ୍ତି । ଏହି ପୁସ୍ତକର ଶେଷଭାଗରେ ସାମ୍ପ୍ରତିକ ସାମାଜିକ-ପର୍ଯ୍ୟାବରଣୀୟ ସମସ୍ୟା ସମ୍ପର୍କରେ ଯେଉଁ ମତ ବ୍ୟକ୍ତ କରାଯାଇଛି, ତାହାକୁ ବିଚାରକୁ ନେଇ ସ୍ଥିତାବସ୍ଥାରେ ଶୁଭକାରୀ ପରିବର୍ତ୍ତନ ଘଟାଇବା ଏକାନ୍ତ ଜରୁରୀ ବୋଧ ହେଉଛି । ଏବେ କ୍ଲଡ଼ ଆଲଭାରେଜଙ୍କ ‘ସାଇନ୍‍ସ, ଡେଭେଲପମେଣ୍ଟ ଆଣ୍ଡ ଭାଓଲେନ୍‍ସ’ ଶୀର୍ଷକ ପୁସ୍ତକଟି ପ୍ରକାଶିତ ହୋଇଛି । ବନ୍ଦନା, ଶିବଙ୍କ ଦ୍ୱାରା ରଚିତ ‘ଷ୍ଟେଇଙ୍ଗ୍ ଆଲିଭ’ ଓ ‘ଦି ଭାଓଲେନ୍‍ସ ଅଫ୍ ଦି ଗ୍ରୀନ୍ ରିଭୋଲ୍ୟୁସନ’ ଶୀର୍ଷକ ଦୁଇଟି ପୁସ୍ତକ ପ୍ରକାଶିତ ହୋଇଛି । ସମକାଳୀନ ଭାବରେ ରଚିତ ଏହି ପୁସ୍ତକମାନଙ୍କରେ ଭାବଗତ ସାମଞ୍ଜସ୍ୟ ପରିଲକ୍ଷିତ ହେଉଛି । ପ୍ରବୀଣ ଓ ପ୍ରାଜ୍ଞ ସମାଜ-ବିଜ୍ଞାନୀମାନେ ପରସ୍ପରର ମତକୁ ଉଦ୍ଧାର କରି ଓ ସମର୍ଥନ କରି ଏହି ପୁସ୍ତକମାନଙ୍କରେ ସୂଚାଇଛନ୍ତି ଯେ ଆମ ଦେଶର ଗ୍ରାମାଞ୍ଚଳର ଓ ସହରାଞ୍ଚଳର ବିପୁଳସଂଖ୍ୟକ ଜନସାଧାରଣଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ପର୍ଯ୍ୟାବରଣର ସୁରକ୍ଷା ଓ ସମୃଦ୍ଧି ଦିଗରେ ଯେଉଁ ପ୍ରକାର ଇନ୍ନୋଭେଶନାଶ୍ରୟୀ ତଥା ବିକେନ୍ଦ୍ରୀକୃତ ବ୍ୟବସ୍ଥାର ଚାହିଦା ଉପୁଜିଛି ତାହାକୁ ବିଚାରକୁ ନେଇ ଦୃଢ଼ ରାଜନୈତିକ ମନୋବଳ ସହକାରେ ଯଥାବିଧି, କାର୍ଯ୍ୟାନୁଷ୍ଠାନ କରା ନ ଗଲେ ପର୍ଯ୍ୟାବରଣୀୟ ଦୁର୍ଗତି ଦିନକୁ ଦିନ ଶୋଚନୀୟ ରୂପ ଧାରଣ କରିବ ।

 

ପାଶ୍ଚାତ୍ୟ ବିଜ୍ଞାନୋନ୍ନତ ତଥା ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ମୁକ୍ତ ବଜାର ଅର୍ଥନୀତିର ସ୍ଵାର୍ଥାନ୍ଵେଷୀ ପ୍ରବର୍ତ୍ତନ ଦିଗରେ ନିଜ ନିଜ ଦେଶରେ ଶିଳ୍ପୋତ୍ତର ‘ପୋଷ୍ଟ-ମ୍ୟାଟେରିଆଲିଷ୍ଟ’ ସମାଜ ପ୍ରତିଷ୍ଠା ପାଇଁ ବ୍ୟାପକ ସଜବାଜ ଚଳାଇଛନ୍ତି । ବଞ୍ଚି ରହିବାର ଉପାଦାନ ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁନାହାନ୍ତି । କେବଳ ଜୀବନ ଧାରଣରେ ଗୁଣାତ୍ମକ ମାନରେ ଅଭିବୃଦ୍ଧି ଘଟାଇବା ପାଇଁ ସେମାନେ ଜଙ୍ଗଲ ପ୍ରତି ଆକୃଷ୍ଟ ହେଉଛନ୍ତି । ଆମ ଦେଶର ଅବସ୍ଥା ସେମାନଙ୍କଠାରୁ ପୂରାପୂରି ଭିନ୍ନ । ଆମେ ବଞ୍ଚି ରହିବାର ଗୁରୁତ୍ଵପୂର୍ଣ୍ଣ ଚାହିଦାଗୁଡ଼ିକର ପୂରଣ ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଛୁ । ଏଣୁ ଅତ୍ୟାଧୁନିକ ଟେକ୍ନୋଲଜିଗୁଡ଼ିକୁ ଆମେ ଏପରି ଭାବରେ ଆପଣାର କରିବାର ଚାହିଦା ଉପୁଜୁଛି ଯେ ଜନସାଧାରଣଙ୍କ ସାମୂହିକ ସ୍ୱାର୍ଥ ସାଧନ ଦିଗରେ ଯେପରି ଜଙ୍ଗଲର ଶ୍ରୀବୃଦ୍ଧି ସମ୍ଭବ ହେବ । ଲାଭ ପରିବର୍ତ୍ତେ ଜନସାଧାରଣଙ୍କ କଲ୍ୟାଣ ସାଧନ ପ୍ରତି ଅଗ୍ରାଧିକାର ଆରୋପ କରିବା ଦ୍ୱାରା ହିଁ ଆଧୁନିକୀକରଣ ପ୍ରକ୍ରିୟା ଆମ ଦେଶର ସାମାଜିକ-ଅର୍ଥନୈତିକ ଜୀବନରେ ଅସ୍ଥିରତା ବା ଅଶାନ୍ତି ସୃଷ୍ଟି କରିବାର ଅବକାଶ ରହିବ ନାହିଁ ।

☆☆☆

 

ବାସ୍ତବତାର ଏକ ଅଭିନବ ଦର୍ଶନ

 

A NEW VISION OF REALITY: WESTERN

SCIENCE, EASTERN MYSTICISM AND

CHRISTIAN FAITH

By

Bade Griffiths

Harper-Collins, India, 1992

 

ବେଦ ଗ୍ରିଫିଥ୍‍ସ । ଜଣେ ବହୁଶାସ୍ତ୍ରବିତ୍ ଦାର୍ଶନିକ ଓ ଚିନ୍ତାନାୟକ ଭାବରେ ଆନ୍ତଃରାଷ୍ଟ୍ରୀୟ ସ୍ତରରେ ସୁବିଦିତ । ‘ଦି ଗୋଲ୍ଡ଼େନ ଷ୍ଟ୍ରିଙ୍ଗ୍’, ‘ଦି ମ୍ୟାରେଜ୍ ଅଫ୍ ଇଷ୍ଟ ଆଣ୍ଡ ଓ୍ୱେଷ୍ଟ’ ‘ରିଟର୍ଣ୍ଣ ଟୁ ଦି ସେଣ୍ଟର’ ଭଳି ଭାବୋଦ୍ଦୀପକ ପୁସ୍ତକଗୁଡ଼ିକୁ ରଚନା କରି ସେ ନିଜ ବିଶ୍ଳେଷଣାତ୍ମକ ଚିନ୍ତନ ତଥା ତତ୍‍ନିର୍ଭରଶୀଳ ମହନୀୟ ଉପଲବ୍‍ଧି ସହିତ ଆମ୍ଭମାନଙ୍କୁ ପରିଚିତ କରାଇଛନ୍ତି । ବାସ୍ତବତାର ସ୍ଵରୁପକୁ ହୃଦୟଙ୍ଗମ କରିବା ପାଇଁ ମନୁଷ୍ୟ ଯୁଗ ଯୁଗ ବ୍ୟାପୀ ଯେଉଁ ବୌଦ୍ଧିକ ଉଦ୍ୟମ ଚଳାଇଛି ଏବଂ ନିଜ ଚେତନାର କ୍ରମ ଉତ୍ତରଣ ସହିତ ତାଳ ମିଳାଇ ସେ ବାସ୍ତବତାର ରହସ୍ୟ ଉନ୍ମୋଚନ ଦିଗରେ ଅଗ୍ରସର ହେବା ସହିତ ନିଜ ସଭ୍ୟତା ଓ ସଂସ୍କୃତିର ରୂପରେ ଯେପରି ପରିବର୍ତ୍ତନ ଘଟାଇଛି, ତତ୍‍ସମ୍ପର୍କୀୟ ଏକ ବୋଧଗମ୍ୟ ବିଚାର ଆଲୋଚ୍ୟ ପୁସ୍ତକରେ ପ୍ରଦତ୍ତ ହୋଇଛି । ଗ୍ରିଫିଥ୍‍ସ ‘ବାସ୍ତବତାର ଏକ ଅଭିନବ ଦର୍ଶନ’ ଶୀର୍ଷକ ଏହି ପୁସ୍ତକଟିରେ ବିଜ୍ଞାନ, ମନସ୍ତତ୍ତ୍ୱ ଓ ଧର୍ମ ସମ୍ବନ୍ଧୀୟ ମନୁଷ୍ୟର ବିବର୍ତନାତ୍ମକ ଉପଲବ୍‍ଧିକୁ ଉଭୟ ଐତିହାସିକ ତଥା ଦାର୍ଶନିକ ଦୃଷ୍ଟିରୁ ବିଚାର କରିଛନ୍ତି । ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଧର୍ମଗୁଡ଼ିକ ସମ୍ପର୍କରେ ସେ ଅଗାଧ ପାଣ୍ଡିତ୍ୟର ଅଧିକାରୀ । ପୁଣି, ପ୍ରାଚ୍ୟ ଧର୍ମ ଓ ଦର୍ଶନର ଅନ୍ତରଙ୍ଗ ଉପଲବ୍‍ଧି ପାଇଁ ସେ ବେଶ୍ କିଛି ବର୍ଷ ବ୍ୟାପୀ ଆମ ଦେଶରେ ରହି ବୈୟକ୍ତିକ ଭାବରେ ହିନ୍ଦୁଧର୍ମର ମହାତ୍ମ୍ୟ ସମ୍ପର୍କରେ ନିବିଡ଼ ଅନୁଭୂତି ଅର୍ଜନ କରୁଛନ୍ତି ।

 

ଆଲେଚ୍ୟ ପୁସ୍ତକଟିକୁ ଲେଖିବା ପାଇଁ ଦୁଇଟି ପୁସ୍ତକ ହିଁ ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି; ଯଥା–ଫ୍ରିଜ ଅଫ୍ କାପ୍ରାଙ୍କ ଦ୍ୱାରା ରଚିତ ‘ଦି ତାଓ ଅଫ୍ ଫିଜିକ୍‍ସ’ ଓ କେନ୍ଓ୍ୱିଲବରଙ୍କ ଦ୍ୱାରା ରଚିତ ‘ଅପ୍ ଫ୍ରମ୍ ଇଡ଼େନ୍' । ଏହା ସମେତ ସେ ‘ମର୍ଫୋଜେନେଟିକ୍ ଫିଲ୍ଡ଼' ଶୀର୍ଷକ ଏକ ଅଭିନବ ଚିନ୍ତାଧାରାର ଉଦ୍ଭାବକ ରୁପର୍ଟ ସେଲଡ଼୍ରେକ ଏବଂ ଦୃଶ୍ୟମାନ ଜଗତର ଅନ୍ତର୍ନିହିତ ଶୃଙ୍ଖଳାର ରହସ୍ୟାନ୍ମଚକାରୀ ତଥା ସୁଖ୍ୟାତ ପଦାର୍ଥ ବିଜ୍ଞାନୀ ଡେଭିଡ଼ ବୋହମଙ୍କ ମହନୀୟ ଉପଲବ୍‍ଧି ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି । କାପ୍ରାଙ୍କ ଦ୍ୱାରା ରଚିତ ତଥା ବହୁ ଚର୍ଚ୍ଚିତ ‘ଦି ଟର୍ନିଙ୍ଗ୍ ପଏଣ୍ଟ’ ନାମକ ଆଉ ଏକ ପୁସ୍ତକ ହିଁ ଆଲୋଚ୍ୟ ପୁସ୍ତକର ଏପରି ନାମକରଣ ଦିଗରେ ଗ୍ରିଫିଥ୍‍ସଙ୍କୁ ପ୍ରଭାବିତ କରିଛି ।

 

ଗ୍ରିଫିଥ୍‍ସ ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ ତତ୍ତ୍ଵାଶ୍ରୟୀ ଆଧୁନିକ ପଦାର୍ଥ ବିଜ୍ଞାନର ମହତ୍ତ୍ୱକୁ ସମ୍ୟକ ଭାବରେ ହୃଦୟଙ୍ଗମ କରିଛନ୍ତି । ସେ ପ୍ରାଞ୍ଜଳ ଭାବରେ ବୁଝିପାରିଛନ୍ତି ଯେ ସଜୀବ ବା ନିର୍ଜୀବ ନିର୍ବିଶେଷରେ ଏ ବିଚିତ୍ରବର୍ଣ୍ଣା ବିଶ୍ୱର ପ୍ରତ୍ୟେକ ବସ୍ତୁ, ପରସ୍ପର ସହିତ ନିବିଡ଼ ଭାବରେ ଜଡ଼ିତ । ସମ୍ପର୍କର ଜାଲ ସମସ୍ତଙ୍କୁ ପରସ୍ପର ସହିତ ବାନ୍ଧି ରଖିଛି । ବସ୍ତୁ ଓ ଶକ୍ତି ମଧ୍ୟରେ ନିହିତ ଅନାବିଳ ସମ୍ପର୍କ ସମ୍ବନ୍ଧରେ ଉପଲବ୍‍ଧ ହେବା ପାଇଁ ପଦାର୍ଥ ବିଜ୍ଞାନୀମାନେ ସଂପ୍ରତି ଯେପରି କର୍ମାଭିମୁଖ୍ୟ ବଳରେ ବିଜ୍ଞାନର ସମୃଦ୍ଧି ସାଧନ କରୁଛନ୍ତି ସେଥିରୁ ସ୍ପଷ୍ଟ ବୁଝି ହେଉଛି ଯେ ପ୍ରକୃତିର ସାମଗ୍ରିକ ରୂପକୁ ଚିହ୍ନିବା ବା ଦ୍ୱାରା ହିଁ ଆମେ ତାହାର ବହୁବିଧ ବୈଚିତ୍ର୍ୟ ସମ୍ପର୍କରେ ସମ୍ୟକ୍ ଧାରଣା ପାଇ ପାରିବା । ସଜୀବ ଓ ନିର୍ଜୀବ ବସ୍ତୁ ଯେଉଁ ଉପାଦାନଗୁଡ଼ିକ ଦ୍ୱାରା ଗଠିତ ହୋଇଛନ୍ତି ସେଗୁଡ଼ିକୁ ବିଚାରର । ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆମେ ଜାଣିପାରୁଛୁ ଯେ ସଂରଚନାତ୍ମକ ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯେଉଁ ବସ୍ତୁ-କଣିକାଗୁଡ଼ିକ ଦ୍ୱାରା ସେମାନେ ଗଠିତ ହୋଇଛନ୍ତି ଓ ଯେଉଁ ବଳଗୁଡ଼ିକ ଦ୍ୱାରା ସେମାନଙ୍କ କ୍ରିୟାଶୀଳତା ଅଭିବ୍ୟକ୍ତ ହେଉଛି ସେଗୁଡ଼ିକ ମଧ୍ୟରେ ସଜୀବ ବା ନିର୍ଜୀବ ନିର୍ବିଶେଷରେ କୌଣସି ଗୁଣାତ୍ମକ ପାର୍ଥକ୍ୟ ନାହିଁ । ସଜୀବ ବସ୍ତୁ ନିଷ୍ପ୍ରାଣ ହୋଇଯିବା ପରେ ଜଡ଼ ବସ୍ତୁରେ ପରିଣତ ହେଉଛି ଏବଂ ଜଡ଼ ବସ୍ତୁ ହିଁ ବିବର୍ତ୍ତନ କ୍ରମରେ ସଜୀବ ବସ୍ତୁର ସର୍ଜନାକାରୀ ଭୂମିକା ଗ୍ରହଣ କରୁଛି । ଶକ୍ତିର ମହାସ୍ଫୁରଣ ବା ବିଗ୍ ବ୍ୟାଙ୍ଗ୍ ହିଁ ବିଶ୍ୱର ଜନ୍ମଦାତ୍ରୀ । ଏହି ପ୍ରଚଣ୍ଡ ବିସ୍ଫୋରଣ ପରଠାରୁ ଶକ୍ତି ଯେପରି ଭାବରେ ବସ୍ତୁକୁ ରୂପାନ୍ତରୀତ ହେଉଛି ଏବଂ ତାପମାତ୍ରାରେ କ୍ରମ ହ୍ରାସ ଘଟିବାର ଫଳ ସ୍ୱରୁପ ବସ୍ତୁ ଓ ଶକ୍ତି ମଧ୍ୟରେ ଯେଉଁ ଅନ୍ତଃକ୍ରିୟା ନିରନ୍ତର ସମାହିତ ହେଉଛି, ତାହାର ପରିଣତି ସ୍ୱରୂପ ପରକୁ ପର ବିଭିନ୍ନ ବସ୍ତୁ-କଣିକା, ବିଭିନ୍ନ ପରମାଣୁ ଓ ଅଣୁଗୁଡ଼ିକର ସଂରଚନା ସମ୍ଭବ ହୋଇଛି । ପୁଣି, ଜୈବିକ ବିବର୍ତ୍ତନର ସମ ପରିଣାମ ସ୍ୱରୂପ ନିର୍ଜୀବ ବସ୍ତୁଗୁଡ଼ିକ ମଧ୍ୟରେ ବହୁବିଧ ସଙ୍ଗମ ଘଟିବାରୁ ପ୍ରାଣୀ ଓ ଉଦ୍ଭିଦ ଜଗତର ସୃଷ୍ଟି ସମ୍ଭବ ହୋଇଛି । ବିବର୍ତ୍ତନର ଏକ କ୍ରାନ୍ତିକାରୀ ପର୍ଯ୍ୟାୟରେ ଶେଷକୁ ମନୁଷ୍ୟ ରୂପୀ ଅନନ୍ୟ ପ୍ରାଣୀ ଧରାପୃଷ୍ଠରେ ଆବିର୍ଭୂତ ହୋଇଛି । ମନୁଷ୍ୟକୁ ଏକ ଅନନ୍ୟ ପ୍ରାଣୀ ଭାବରେ ଆଖ୍ୟାୟିତ କରାଯିବାର ତାତ୍ପର୍ଯ୍ୟ ହେଉଛି ଯେ ସେ ଚେତନାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଏକ ଆତ୍ମ-ସଚେତନ ପ୍ରାଣୀ ଭାବରେ କ୍ରିୟାଶୀଳ ହେଉଛି । ଗ୍ରିଫିଥ୍‍ସଙ୍କ ମତାନୁଯାୟୀ ବିଗ୍ ବ୍ୟାଙ୍ଗ୍ ପରଠାରୁ ବିବର୍ତ୍ତନପ୍ରବଣ ତଥା ପ୍ରସାରଣକ୍ଷମ ବିଶ୍ୱରେ ଚେତନା ବା କନ୍‍ସିଅସନେସ୍‍ର ସ୍ଥାୟିତ୍ୱ ବଳବତ୍ତର ରହିଛି । ଜୈବିକ ବିବର୍ତ୍ତନ ସହିତ ତାଳ ମିଳାଇ ଚେତନାର ବିବର୍ତ୍ତନ ଏପରି ବିଚକ୍ଷଣ ଭାବରେ ସଙ୍ଘଟିତ ହୋଇଛି ଯେ ପ୍ରକୃତିର ଛନ୍ଦବଦ୍ଧ କ୍ରିୟାଶୀଳତାକୁ ଏକ ଅନ୍ତର୍ନିହିତ ଚେତନା ହିଁ ନିୟନ୍ତ୍ରଣ କରୁଛି । ସଜୀବ ଓ ନିର୍ଜୀବ ବସ୍ତୁ ନିର୍ବିଶେଷରେ ଚେତନାଧାରିତ ପ୍ରତ୍ୟେକ ବସ୍ତୁ, ପାରସ୍ପରିକ ସମ୍ପର୍କ ରୂପୀ ଜାଲରେ ଗ୍ରଥିତ ହୋଇ ବିବର୍ତ୍ତନର ଧାରାକୁ ନିୟନ୍ତ୍ରଣ କରୁଛନ୍ତି । ମନୁଷ୍ୟଠାରେ ଏହି ଚେତନା ଆତ୍ମସଚେତନ ରୂପ ଧାରଣ କରିଥିବାରୁ କେବଳ ମନୁଷ୍ୟ ରୂପୀ ପ୍ରାଣୀ ହିଁ ବିଶ୍ୱର ଉତ୍ପତ୍ତି, ବିବର୍ତ୍ତନ ଓ ତାହାର ଭବିଷ୍ୟତ ସମ୍ପର୍କରେ ଜ୍ଞାନାର୍ଜନ କରିବାର ସାମର୍ଥ୍ୟ ଲାଭ କରିଛି ।

 

ଆତ୍ମସଚେତନ ମନୁଷ୍ୟ ଯୁଗେ ଯୁଗେ ବ୍ରହ୍ମାଣ୍ଡୋତ୍ପତ୍ତି ଏବଂ ପ୍ରକୃତିର ନିୟମାନୁବର୍ତ୍ତିତା ଓ ଛନ୍ଦବଦ୍ଧ କ୍ରିୟାଶୀଳତାର ରହସ୍ୟୋନ୍ନଚନ ପାଇଁ ନିଜ ଅବବୋଧ, ଅନ୍ତର୍ଦୃଷ୍ଟି ଓ କଳ୍ପନାପ୍ରବଣତାର ସଦୁପଯୋଗ କରିଛି । ପ୍ରଗାଢ଼ ଚିନ୍ତନ ଓ ସଂଶ୍ଳେଷଣାତ୍ମକ ବିଚାର ବଳରେ ଆଧ୍ୟାତ୍ମିକ ଭାବଧାରାର ବିକାଶ ସମ୍ଭବ ହୋଇଛି । ପାଶ୍ଚାତ୍ୟ ଜଗତର ଜୁଡ଼ୀୟ-ଖ୍ରୀଷ୍ଟିୟାନ୍ ଧର୍ମସମୂହ ତଥା ପ୍ରାଚ୍ୟ ଜଗତର ହିନ୍ଦୁ, ଇସଲାମ ଓ ବୌଦ୍ଧଧର୍ମର ସଂସ୍ଥାପକମାନେ ସୃଷ୍ଟିକର୍ତ୍ତାଙ୍କ ଅନବଦ୍ୟ ସୃଷ୍ଟିର ରହସ୍ୟ ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଦେବା ପାଇଁ ତଥା ମନୁଷ୍ୟକୁ ନିଜ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପର୍କରେ ଚେତାଇ ଦେବା ପାଇଁ ଯତ୍ନବାନ ହୋଇଛନ୍ତି । ଶାଶ୍ୱତ ଧର୍ମଗୁଡ଼ିକର ପ୍ରତିଷ୍ଠାତା ଓ ଉପାସକମାନେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କୁ ଭିନ୍ନ ଭିନ୍ନ ରୂପରେ ଚିତ୍ରଣ କରିଥିଲେ ମଧ୍ୟ ସର୍ବବିଧପ୍ରାଣୀ, ଉଦ୍ଭିଦ ଓ ଜଡ଼ବସ୍ତୁ ମଧ୍ୟରେ ନିହିତ ସମ୍ପର୍କକୁ ସ୍ଵୀକାର କରିଛନ୍ତି । ହିନ୍ଦୁଧର୍ମରେ ଆତ୍ମା ଓ ପରମାତ୍ମା ମାଧ୍ୟମରେ ଐଶ୍ୱରିକ ସତ୍ତାକୁ ଚିତ୍ରଣ କରାଯାଇଛି । ନିର୍ଗୁଣ ବ୍ରହ୍ମର ଉପଲବ୍‍ଧି ପାଇଁ ଚିନ୍ତନ ଓ କର୍ମ-ପଦ୍ଧତି ଆଧାରିତ ପର୍ଯ୍ୟାପ୍ତ ବର୍ଣ୍ଣନା ପ୍ରଦତ୍ତ ହୋଇଛି । ବେଦ, ଉପନିଷଦ, ଭାଗବତ ଗୀତା ଓ ଯୋଗଶାସ୍ତ୍ର ଆଦି ପବିତ୍ର ଧର୍ମଗ୍ରନ୍ଥମାନଙ୍କରେ ସୃଷ୍ଟି ଓ ସ୍ରଷ୍ଟାଙ୍କ ସମ୍ବନ୍ଧରେ ବିଶଦ ବ୍ୟାଖ୍ୟା ପ୍ରଦତ୍ତ ହୋଇଛି ଏବଂ ବ୍ରହ୍ମୋପଲବ୍‍ଧି ଅଥବା ଆତ୍ମା ଓ ପରମାତ୍ମାର ମିଳନ ପାଇଁ ଯେଉଁ ପ୍ରକାର ପରାମର୍ଶ ପ୍ରଦତ୍ତ ହୋଇଛି ସୂକ୍ଷ୍ମ ଭାବଗତ ଅନୈକ୍ୟ ସତ୍ତ୍ଵେ ସବୁ ଶାଶ୍ୱତ ଧର୍ମ ବା ଦର୍ଶନରୁ ସ୍ଥୂଳତଃ ଏକାଭଳି ଧାରଣା ମିଳୁଛି । ଏକେଶ୍ୱରବାଦ ବା ଅବତାରବାଦକୁ କେନ୍ଦ୍ର କରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଆଧ୍ୟାତ୍ମିକ ଚିନ୍ତନରେ ପାର୍ଥକ୍ୟ ପରିଲକ୍ଷିତ ହେଉଛି । ପିତୃପ୍ରଧାନ ସମାଜ ପ୍ରତିଷ୍ଠା ପାଇଁ ଈଶ୍ୱରଙ୍କ ପୁରୁଷପ୍ରଧାନ ରୂପ ପ୍ରତି ପାଶ୍ଚାତ୍ୟ ଧର୍ମଗ୍ରନ୍ଥମାନଙ୍କରେ ଅଗ୍ରାଧିକାର ଆରୋପିତ ହୋଇଛି, ମାତ୍ର ଗ୍ରିଫିଥ୍‍ସଙ୍କ ମତାନୁଯାୟୀ ପ୍ରାଚ୍ୟ ଧର୍ମରେ, ବିଶେଷତଃ ଭାରତୀୟ ତନ୍ତ୍ର ଶାସ୍ତ୍ରରେ ମାତୃରୂପିଣୀ ଦୈବୀ ଶକ୍ତିର ଅନୁରୂପ ଭୂମିକାକୁ ମଧ୍ୟ ଆଧ୍ୟାତ୍ମିକ ଚିନ୍ତନର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଭାବ ଭାବରେ ଉପସ୍ଥାପନା କରାଯାଇଛି । ହିନ୍ଦୁ, ଇସଲାମ, ଖ୍ରୀଷ୍ଟିଆନ୍ ଓ ବୌଦ୍ଧଧର୍ମ ଭଳି ଶାଶ୍ୱତ ବା ପେରେନିଆଲ ଧର୍ମଗୁଡ଼ିକର ଆଧ୍ୟାତ୍ମିକ ବିଚାରଧାରା ଓ ସ୍ୱାତନ୍ତ୍ର୍ୟକୁ ବିଶଦ ଭାବରେ ବର୍ଣ୍ଣନା କରିବା ପରେ ଗ୍ରିଫିଥ୍‍ସ ସୂଚାଇଛନ୍ତି ଯେ ଏହି ଶାଶ୍ଵତ ଧର୍ମଗୁଡ଼ିକର ପ୍ରଭାବ ଯୋଗୁଁ ହିଁ ମନୁଷ୍ୟ ଅତୀତରେ ଏକ ସାମଗ୍ରିକ ବା ହୋଲିଷ୍ଟିକ୍ ଦର୍ଶନର ଅନୁଗାମୀ ହୋଇଥିଲା । ବିଶ୍ଵପ୍ରାଣତା ହିଁ ଥିଲା ତାହାର ଜୀବନାଦର୍ଶ । ସଜୀବ ବା ନିର୍ଜୀବ ନିର୍ବିଶେଷରେ ପ୍ରତ୍ୟେକ ବସ୍ତୁଠାରେ ଐଶ୍ଵରିକ ସତ୍ତାର ଉପଲିବ୍‍ଧି ତଥା ତତ୍‍ନିର୍ଭରଶୀଳ ପ୍ରେମଭାବହିଁ ମନୁଷ୍ୟର କ୍ରିୟାଶୀଳତାକୁ ନିୟନ୍ତ୍ରଣ କରୁଥିଲା ।

 

ଗ୍ରିଫିଥ୍‍ସ ସୂଚାଇଛନ୍ତି ଯେ ଦେକାର୍ତ୍ତେ ଓ ଫ୍ରାନ୍‍ସିସ ବାକନ ପ୍ରମୁଖ ପାଶ୍ଚାତ୍ୟ ଚିନ୍ତାନାୟକମାନେ ବସ୍ତୁଜଗତ ଓ ମାନସ ଜଗତର ପୃଥିକୀକରଣ ଦିଗରେ ପ୍ରାଧାନ୍ୟ ଆରୋପ କରିବା ପରଠାରୁ ପାଶ୍ଚାତ୍ୟ ଜଗତରେ ଏକ ସ୍ୱତନ୍ତ୍ର ବୌଦ୍ଧିକ ପରମ୍ପରାର ସୂତ୍ରପାତ ଘଟିଛି । ବସ୍ତୁଠାରୁ ମନକୁ ପୃଥକ୍ କରାଯିବା ପରେ ପାଶ୍ଚାତ୍ୟ ଜଗତରେ ବସ୍ତୁବାଦୀ ଚିନ୍ତନ ବଳରେ ବିଜ୍ଞାନର ସମୃଦ୍ଧି ସାଧିତ ହୋଇଛି । ମନୁଷ୍ୟର ମାନସିକ କ୍ରିୟାଶୀଳତାର ରହସ୍ୟ ଭେଦପାଇଁ ମଧ୍ୟ କାଳକ୍ରମେ ବୈଜ୍ଞାନିକ ପଦ୍ଧତିର ଆଶ୍ରୟ ନିଆଯାଇଛି । ଏହାର ଫଳ ସ୍ୱରୂପ ମନସ୍ତାତ୍ତ୍ୱିକ ଗବେଷଣା ଜଗତରେ ଫ୍ରଏଡ଼ଙ୍କ ପ୍ରାଧାନ୍ୟ ସ୍ୱୀକୃତ ହୋଇଛି । ମନୁଷ୍ୟର ସଚେତନ ଓ ଅବଚେତନ ମାନସ ସମ୍ପର୍କରେ ତାଙ୍କ ଦିକ୍‍ଦର୍ଶନ ହିଁ ପରବର୍ତ୍ତୀ କାଳର ମନସ୍ତାତ୍ତ୍ୱିକ ବିଚାରକୁ ବିଶେଷ ଭାବରେ ପ୍ରଭାବିତ କରିଛି । ଗ୍ରିଫିଥ୍‍ସ ସୂଚାଇଛନ୍ତି ଯେ ଆଧୁନିକ ପଦାର୍ଥ ବିଜ୍ଞାନ ଭଳି ଏବେ ପାଶ୍ଚାତ୍ୟ ଜଗତର ନବ-ମନସ୍ତାତ୍ତ୍ୱିକ ବିଚାର ବଳରେ ଚେତନାର ବର୍ଣ୍ଣାଳିକୁ (ସ୍ପେକ୍ଟ୍ରମ୍ ଅଫ୍ କନ୍‍ସିଅସନେସ୍‍) ବିଶଦ ଭାବରେ ଅଧ୍ୟୟନ କରିବା ସମ୍ଭବ ହୋଇଛି । କେନ୍ ଓ୍ୱିଲବରଙ୍କ ଭଳି ପଣ୍ଡିତମାନେ ଗବେଷଣାବଳରେ ଦର୍ଶାଇଛନ୍ତି ଯେ ଅବଚେତନ ମାନସ ଓ ସଚେତନ ମାନସ ସମେତ ଅତିମାନସକୁ (ସୁପର ମାଇଣ୍ଡ ବା ସୁପରକନ୍‍ସିଅସ୍‍ନେସ୍‍) ଚେତନା-ବର୍ଣ୍ଣାଳିର ଅନ୍ତର୍ଭୁକ୍ତ କରାଯିବା ସମୀଚୀନ । ଲଘୁକରଣ ପ୍ରକ୍ରିୟା ନିର୍ଭରଶୀଳ ବିଜ୍ଞାନ ବଳରେ ମନୁଷ୍ୟ ସଚେତନ ଓ ଅବଚେତନ ମାନସର ରହସ୍ୟ ଉନ୍ମୋଚନ କରିଛି । ମାତ୍ର ପୁରାକାଳରୁ ପ୍ରାଚ୍ୟ ଦାର୍ଶନିକମାନେ ଅତିମାନସ ସମ୍ପର୍କରେ ଯେଉଁ ବୈୟକ୍ତିକ ଉପଲବ୍‍ଧି ପର୍ଯ୍ୟବସିତ ସ୍ପଷ୍ଟୀକରଣ ଯୋଗାଇଛନ୍ତି, ଓ୍ୱିଲବରଙ୍କ ମତାନୁଯାୟୀ ସେଗୁଡ଼ିକୁ ବିଚାରର ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ମନୁଷ୍ୟରୂପୀ ପ୍ରାଣୀର ଚେତନାରେ ଯେଉଁ ବିବର୍ତ୍ତନ ଘଟିଛି ଏବଂ ତାହାର କ୍ରମପରିଣାମ କ’ଣ ହେବ, ତତ୍‍ସମ୍ପର୍କୀୟ ସମ୍ୟକ୍ଜ୍ଞାନ ଅର୍ଜନ କରିବା ପାଇଁ ଅତିମାନସର ବୈଶିଷ୍ଟ୍ୟକୁ ଠିକଣା ଭାବରେ ହୃଦୟଙ୍ଗମ କରିବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଛି । ଆଧୁନିକ ବିଜ୍ଞାନ ଯେପରି ଶାଶ୍ୱତ ଧର୍ମଗୁଡ଼ିକର ଭାବଧାରାକୁ ସତ୍ୟାପିତ କରୁଛି, ଠିକ୍ ସେହିପରି ପାଶ୍ଚାତ୍ୟ ମନୋବିଜ୍ଞାନ ଓ ପ୍ରାଚ୍ୟ ଦର୍ଶନର ଅର୍ଥସୂଚକ ସଂଯୋଜନ ସମ୍ଭବ ହେବାଦ୍ୱାରା ଆମେ ଚେତନା-ଜଗତର ରହସ୍ୟକୁ ଠିକଣା ଭାବରେ ବୁଝିପାରିବା ସଙ୍ଗେ ସଙ୍ଗେ ସଭ୍ୟତା ଓ ସଂସ୍କୃତିର ସାମ୍ପ୍ରତିକ ନୈତିକ ଅବକ୍ଷୟର ଅସଲ କାରଣଟିକୁ ମଧ୍ୟ ଚିହ୍ନୋଟ କରିପାରିବା ।

 

ଗ୍ରିଫିଥ୍‍ସଙ୍କ ମତାନୁଯାୟୀ ବିଜ୍ଞାନର ଆଧିପତ୍ୟ ହିଁ ପୃଥିବୀ ବକ୍ଷରୁ ଶାଶ୍ୱତ ଧର୍ମଗୁଡ଼ିକର ପ୍ରଭାବକୁ ପ୍ରାୟତଃ ବିଲୁପ୍ତ କରିଛି । ବିଶ୍ୱପ୍ରାଣତାକୁ ଆଧୁନିକ ବିଜ୍ଞାନ ଓ ମନସ୍ତତ୍ତ୍ୱ ସ୍ୱୀକାର କରିଥିଲେ ମଧ୍ୟ ଗତାନୁଗତିକ ବିଜ୍ଞାନ ଓ ତଦାଶ୍ରୟୀ ପ୍ରଯୁକ୍ତି ବିଦ୍ୟାର ସମ୍ମୋହନ ହିଁ ମନୁଷ୍ୟର ଜୀବନାଦର୍ଶକୁ ନିୟନ୍ତ୍ରଣ କରୁଛି । ଶାଶ୍ୱତ ଧର୍ମଗୁଡ଼ିକର ପ୍ରଭାବ କ୍ଷୀଣ ହୋଇଯିବା ପରେ ମନୁଷ୍ୟର ମୂଲ୍ୟବୋଧରେ ଯେଉଁ କ୍ରାନ୍ତିକାରୀ ପରିବର୍ତ୍ତନ ଘଟିଛି, ତାହା ହିଁ ପୃଥିବୀ ବକ୍ଷରେ ସର୍ବତ୍ର ନୈତିକ ଅବକ୍ଷୟର ମୁଖ୍ୟ କାରଣ ହୋଇଛି । ଗ୍ରାହକ ସ୍ତରରେ ବସ୍ତୁବାଦୀ ଚିନ୍ତନ ମନୁଷ୍ୟକୁ ଏପରି ମୋହାବିଷ୍ଟ କରିଛି ସେ ସେ ନିଜକୃତ କର୍ମଗୁଡ଼ିକର ପରିଣତି ସମ୍ପର୍କରେ ଚିନ୍ତା କରିବାକୁ ସ୍ପୃହଣୀୟ ମଣୁ ନାହିଁ । ଅହଙ୍କାର ବଳରେ ସେ କେବଳ ଅର୍ଥ ଓ କ୍ଷମତା-ସର୍ବସ୍ୱ ଜୀବନ ଯାପନ କରୁଛି । ଗ୍ରିଫିଥ୍‍ସଙ୍କ ମହନୀୟ ବିଚାର ଅନୁଯାୟୀ ପୁନରଭ୍ୟୁଦୟର କାଳଠାରୁ ଆଜି ପର୍ଯ୍ୟନ୍ତ ମନୁଷ୍ୟ ଯେଉଁ ଭ୍ରମାତ୍ମକ ବିଚାର ତାଡ଼ନାରେ ବିପଥଗାମୀ ହେଉଛି ଏବଂ ବିବର୍ତ୍ତନର ସ୍ୱତଃଷ୍ଫୁର୍ତ୍ତ ଧାରାଠାରୁ ନିଜକୁ ବିଚ୍ଛିନ୍ନ କରୁଛି, ସେଥିରୁ ମୁକ୍ତ ହେବା ପାଇଁ ଆଧୁନିକ ବିଜ୍ଞାନ ଓ ନବ-ମନସ୍ତତ୍ତ୍ଵ ହିଁ ତାକୁ ଶୁଭକାରୀ ଦିକ୍‍ଦର୍ଶନ ପ୍ରଦାନ କରୁଛି । ମନୁଷ୍ୟ ବର୍ତ୍ତମାନ ବୁଝିବାକୁ ଆରମ୍ଭ କରିଛି ଯେ ଶାଶ୍ୱତ ଧର୍ମଗୁଡ଼ିକୁ ପୁନର୍ଜୀବିତ କରାଯିବା ଦ୍ୱାରା ହିଁ ବିଜ୍ଞାନ ଓ ଧର୍ମ ମଧ୍ୟରେ ଠିକଣା ସମ୍ପର୍କ ପ୍ରତିଷ୍ଠିତ ହୋଇ ପାରିବ ଏବଂ ଉଭୟବିଧ କାର୍ଯ୍ୟାନୁଷ୍ଠାନର ପାରସ୍ପରିକ ତଥା ଅନୁପୂରକ ପ୍ରଭାବ ବଳରେ ସେ ପୁଣି ବିଶ୍ୱପ୍ରାଣତାକୁ ନିଜର ଜୀବନାଦର୍ଶ ଭାବରେ ଆଦରି ନେବାକୁ ସମର୍ଥ ହେବ ।

 

ଗ୍ରିଫିଥ୍‍ସ ଏହି ଭାବୋଦ୍ଦୀପକ ପୁସ୍ତକଟିର ଶେଷ ଭାଗରେ ଆମ୍ଭମାନଙ୍କୁ ପରମର୍ଶ ଦେଇଛନ୍ତି ଯେ ଶାଶ୍ୱତ ଧର୍ମଗୁଡ଼ିକରେ ପ୍ରଦତ୍ତ ଦିକ୍‍ଦର୍ଶନ ଓ ପରାମର୍ଶ ଗୁଡ଼ିକରୁ ଆମେ ଶିକ୍ଷଣୀୟ ତଥା ଅନୁକରଣୀୟ ଉପାଦାନ ସଂଗ୍ରହ କରି ପାରିବା । ପାଶ୍ଚାତ୍ୟ ଆଧ୍ୟାତ୍ମିକ ଚିନ୍ତନ ଓ ପ୍ରାଚ୍ୟ ଚିନ୍ତନର ତୁଳନାତ୍ମକ ବିଚାର ଅବଲମ୍ବନରେ ଆମେ ବିବିଧତା ମଧ୍ୟରେ ଅଭିନବ ତଥା ବିଚକ୍ଷଣ ଐକ୍ୟର ସନ୍ଧାନ ପାଇ ପାରିବା । ସର୍ବଧର୍ମସାର ଏକ ସାମଗ୍ରିକ ଜୀବନାଦର୍ଶକୁ ଆମେ ଯଦି ଗ୍ରାହିକ ସ୍ତରରେ କାର୍ଯ୍ୟକାରୀ କରାଇବା ଦିଗରେ ଚିନ୍ତା କରିବା ତାହାହେଲେ ହିଁ କେବଳ ମନୁଷ୍ୟର ବୈଜ୍ଞାନିକ କ୍ରିୟାଶୀଳତାଗୁଡ଼ିକର ଜନକଲ୍ୟାଣକାରୀ ଉପଯୋଗ ସମ୍ଭବ ହେବ ଏବଂ ଧର୍ମ ଓ ବିଜ୍ଞାନର ସୁସମନ୍ୱିତ ପ୍ରଭାବ ବଳରେ ମନୁଷ୍ୟ ବିଶ୍ୱର ଜୀବନ-ରୂପୀ-ଜାଲ ସହିତ ନିବିଡ଼ ବନ୍ଧନ ସୂତ୍ରରେ ଗ୍ରଥିତ ହେବ ।

 

ଗ୍ରିଫିଥ୍‍ସଙ୍କ ଭଳି ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶରେ କେତେକ ବହୁ ଶାସ୍ତ୍ରଦର୍ଶୀ ମହାନୁଭବୀ ବୁଦ୍ଧିଜୀବୀ ଏ ପ୍ରକାର ସାମଗ୍ରିକ ଚେତନାର ଉତ୍ତରଣକାରୀ ଗ୍ରନ୍ଥଗୁଡ଼ିକୁ ରଚନା କରୁଛନ୍ତି । ପୃଥିବୀ ବକ୍ଷରେ ସର୍ବତ୍ର ମନୁଷ୍ୟର ବିବିଧ ବୌଦ୍ଧିକ ଓ ଆଧ୍ୟାତ୍ମିକ କ୍ରିୟାଶୀଳତାର ଗତିବିଧିକୁ ବିଚାରକୁ ନେଇ ଏମାନେ ଦର୍ଶାଇଛନ୍ତି ଯେ ସାଂସ୍କୃତିକ ବିବିଧତାକୁ ବଜାୟ ରଖିବା ସଙ୍ଗେ ସଙ୍ଗେ ମନୁଷ୍ୟ ଗ୍ରାହିକ ସ୍ତରରେ ଏକ ଶୁଭକାରୀ ଜୀବନାଦର୍ଶ ଦ୍ୱାରା ଦୀକ୍ଷିତ ହେବାର ଶୁଭ ସମୟ ଉପଗତ ହେଲାଣି । ବୌଦ୍ଧିକ ବିବର୍ତ୍ତନର ଏହି ଶୁଭକାରୀ ଧାରା ସହିତ ନିଜ ନିଜକୁ ସାମିଲ କରାଇବା ପାଇଁ ଏହି ମହାମତି ଚିନ୍ତାନାୟକମାନେ ଯେଉଁ ସମୟୋପଯୋଗୀ ପରାମର୍ଶ ଦେଉଛନ୍ତି ସେଗୁଡ଼ିକ ସହିତ ପରିଚିତ ହେବା ଦ୍ୱାରା ହିଁ ଆମେ ନିଜ ନିଜର ତଥା ନିଜ ଦେଶର ଭବିଷ୍ୟତ ଗଠନ ଦିଗରେ ଶିକ୍ଷଣୀୟ ଉପାଦାନ ସଂଗ୍ରହ କରି ପାରିବା ।

☆☆☆

 

Unknown

ଈଶ୍ୱର ଓ ପ୍ରକୃତି

 

BELONGING TO THE UNIVERSE :

NEW THINKING ABOUT GOD AND NATURE

By : .

Fritj of Capra, David Steindle. Rast and Thomas Matus

Penguin Books, 1992

 

ଫ୍ରିଜ ଅଫ୍ କାପ୍ରା ଆମ ଦେଶର ବୁଦ୍ଧିଜୀବୀ ମହଲରେ ବେଶ୍ ସୁବିଦିତ । ପ୍ରବୀଣ ପଦାର୍ଥବିଜ୍ଞାନୀ ତଥା ଦାର୍ଶନିକ ଭାବରେ କର୍ମରତ ଜୀବନ ବିତାଇବା ଅବସରରେ ‘ଦି ତାଓ ଅଫ୍ ଫିଜିକ୍‍ସ’, ‘ଦି ଟର୍ନିଙ୍ଗ ପଏଣ୍ଟ ଓ ‘ଅନ୍‍କମନ୍ ଓ୍ୱିଜ୍ଡ଼ମ୍’ ଶୀର୍ଷକ ତିନିଟି ଭାବୋଦ୍ଦୀପକ ପୁସ୍ତକ ରଚନା କରି ସେ ନିଜ ଅବବୋଧ ଓ ପାଣ୍ଡିତ୍ୟର ସ୍ଵାତନ୍ତ୍ର୍ୟ ପ୍ରତିପାଦନ କରିଛନ୍ତି । ବିଂଶ ଶତାବ୍ଦୀର ଶେଷ ପାଦରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ଚରମ ସୀମା ସ୍ପର୍ଶ କରିଥିଲେ ହେଁ ବିଜ୍ଞାନ ନିର୍ଭରଶୀଳ ବସ୍ତୁବାଦୀ ସଭ୍ୟତା ଓ ସଂସ୍କୃତିର ବିକାଶଧାରା ମନୁଷ୍ୟ ତଥା ଇତର ଜୀବଜଗତର ଶୁଭକାରୀ ହୋଇନାହିଁ । ପୃଥିବୀର ବିପୁଳ ସଂଖ୍ୟକ ବାସିନ୍ଦା ଦାରିଦ୍ର୍ୟର କଷାଘାତରେ ପଶୁତୁଲ୍ୟ ଜୀବନ ବିତାଉଛନ୍ତି । ଯୁଦ୍ଧର ବିଭୀଷିକା ମନୁଷ୍ୟକୁ ଆତଙ୍କିତ କରୁଛି । ପୃଥବୀର ଅଳ୍ପସଂଖ୍ୟକ ବାସିନ୍ଦା ପାର୍ଥିବ ପ୍ରାକୃତିକ, ସମ୍ପଦକୁ ବେପରବାୟ ଭାବରେ ଉପଭୋଗ କରୁଛନ୍ତି । ଉପଭୋଗୀ ଗୋଷ୍ଠୀଙ୍କ ଜୀବନ ଯାପନର ମାର୍ଗ ପାରିପାର୍ଶ୍ୱିକ ପରିବେଶକୁ ପ୍ରଦୂଷିତ କରୁଛି । ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଓ ଶିଳ୍ପାୟନ ନିର୍ଭରଶୀଳ ପ୍ରଗତିର ଧାର ମୂଲ୍ୟବାନ ପରିସଂସ୍ଥାଗୁଡ଼ିକୁ ଦାରୁଣ ଅଧୋଗତିର ସମ୍ମୁଖୀନ କରାଇଛି । ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ସମୁନ୍ନତି ସାଧନ ବଳରେ ବ୍ୟାବହାରିକ ଦୃଷ୍ଟିରୁ ପୃଥିବୀର ଆକାର ସଂକୁଚିତ ହୋଇଛି ଏବଂ ପାରସ୍ପରିକ ଭାବ ଆଦାନପ୍ରଦାନର ପଥ ସୁଗମ ହୋଇଛି । ମାତ୍ର ସମକାଳୀନ ଭାବରେ ଧର୍ମ ଜଗତର କେତେକ ଚରମପନ୍ଥୀ ମୌଳିକତାବାଦୀମାନଙ୍କ ଅସହନଶୀଳ ପ୍ରବୃତ୍ତି ବକ୍ଷରେ ଅଶାନ୍ତି ଓ ଉତ୍ତେଜନା ସୃଷ୍ଟି କରୁଛି । ଏହି ସମସ୍ତ ଘଟଣାପ୍ରବାହ–ପରିପ୍ରେକ୍ଷୀରେ-ପରିବର୍ତ୍ତନଶୀଳ ସଂସ୍କୃତିର ଭବିଷ୍ୟତ ରୂପରେଖ ସମ୍ୱନ୍ଧରେ ଯେଉଁ କେତେକ ବୁଦ୍ଧିଜୀବୀ ଚିନ୍ତା କରୁଛନ୍ତି ଏବଂ କଳା, ଧର୍ମ ଓ ବିଜ୍ଞାନର ସଂଭାବ୍ୟ ବିକାଶର ଧାରା ସମ୍ପର୍କରେ ବୋଧଗମ୍ୟ ବ୍ୟାଖ୍ୟାଶ୍ରୟୀ ଦିକ୍‍ଦର୍ଶନ ପ୍ରଦାନ କରୁଛନ୍ତି, ସେମାନଙ୍କ ମଧ୍ୟରେ କାପ୍ରା ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି ।

 

ଆଲୋଚ୍ୟ ପୁସ୍ତକଟିରେ ସେ ବିଜ୍ଞାନ ଓ ଖ୍ରୀଷ୍ଟିଆନ ଧର୍ମର ବିକାଶର ଧାରାକୁ ଲକ୍ଷ୍ୟକରି ସୂଚାଇବାକୁ ଚାହିଁଛନ୍ତି ଯେ ଉଭୟ ବିଜ୍ଞାନ ଓ ଧର୍ମ ଜଗତରେ ଗୋଟିଏ ଯୁଗର (ପାରାଡ଼ାଇମ୍‍) ଅବସାନ ଘଟୁଛି ଏବଂ ଆଉ ଗୋଟିଏ ଯୁଗ ପଦାର୍ପଣ କରୁଛି । ସରିଆସୁଥିବା ଯୁଗର ଲକ୍ଷଣ ଓ ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଯୋଗାଇଦେବା ପୂର୍ବକ ସେ ଆଗାମୀ ଯୁଗର ବୈଶିଷ୍ଟ୍ୟ ଏବଂ ପର୍ଯ୍ୟାବରଣର ଜନକଲ୍ୟାଣକାମୀ ଶୁଭକାରୀ ଭୂମିକା ସମ୍ପର୍କରେ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ବିଶିଷ୍ଟ ଧର୍ମତତ୍ତ୍ୱଜ୍ଞ ଡେଭିଡ଼ ଷ୍ଟେନ୍ଦଲ-ରାସ୍ତ ଓ ଟମାସ ମାତସଙ୍କ ସହିତ କଥୋପକଥନ ଶୈଳୀରେ ରଚିତ ତଥା ଚାରି ଅଧ୍ୟାୟ ସମ୍ବଳିତ ଏହି ପୁସ୍ତକଟିରେ ଦର୍ଶାଇ ଦିଆଯାଇଛି ଯେ ବିଜ୍ଞାନ ପୁନଶ୍ଚ ଆତ୍ମିକ ମୂଲ୍ୟବୋଧଗୁଡ଼ିକ ସହିତ ଅର୍ଥ ସୂଚକ ଯୋଗସୂତ୍ର ପ୍ରତିଷ୍ଠା କରିବାକୁ ପ୍ରୟାସୀ ହୋଇଛି । ଆଧ୍ୟାତ୍ମିକ ଜଗତର ଚିନ୍ତାନାୟକମାନେ ସାମାଜିକ ସମସ୍ୟା ରାଜି, ପର୍ଯ୍ୟାବରଣୀୟ ଦାୟିତ୍ୱ ଓ ଧର୍ମତାତ୍ତ୍ୱିକ ବିବିଧତା ସମ୍ପର୍କରେ ଚିନ୍ତା କରୁଛନ୍ତି । ଏବଂବିଧ ବୌଦ୍ଧିକ ପ୍ରୟାସ ନୂତନ ଯୁଗର ପ୍ରତିଷ୍ଠା ପାଇଁ ଅବଶ୍ୟ ପଥ ସୁଗମ କରୁଛି; ମାତ୍ର ଉଭୟ କ୍ଷେତ୍ରର ଅର୍ଥ ଓ କ୍ଷମତା ଲୋଲୁପ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ସାମୟିକ ଖଳ ଚକ୍ରାନ୍ତ, ଯୋଗୁଁ ନୂତନ ଯୁଗର ଜୀବନାଦର୍ଶ ଜନମାନସକୁ ମର୍ମସ୍ପର୍ଶୀ ମାର୍ଗରେ ପ୍ରଭାବିତ କରିନାହିଁ । ପୃଥିବୀର ବୁଦ୍ଧିଜୀବୀମାନଙ୍କୁ ଆଗାମୀ ଯୁଗର ବୈଶିଷ୍ଟ୍ୟ ସମ୍ପର୍କରେ ଚେତାଇ ଦେବାପାଇଁ ତଥା ତାହାର ପ୍ରତିଷ୍ଠା ଦିଗରେ ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ପାଇଁ ଉଦ୍ଦିଷ୍ଟ ଏହି ସମୟୋପଯୋଗୀ ପୁସ୍ତକଟିରୁ ଆମେ ନିଜ ନିଜର ତଥା ପୃଥିବୀର ଭବିଷ୍ୟତ ସମ୍ପର୍କରେ ଚିନ୍ତାକରିବା ପାଇଁ ବହୁ ଭାବୋଦ୍ଦୀପକ ତଥା ଉତ୍ସାହ ପ୍ରଦାନକାରୀ ଉପାଦାନ ପାଇପାରିବା ।

 

ପାର୍ଥିବ ପରିବେଶକୁ ସମଗ୍ର ଜୀବଜଗତର ଭବିଷ୍ୟତ ପାଇଁ ମଙ୍ଗଳମୟ କରାଇବା ଦିଗରେ ମନୁଷ୍ୟର ଭୂମିକାହିଁ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି । କାରଣ, ନିଜ ଅପରିଣାମଦର୍ଶୀ କୃତକର୍ମ ବଳରେ ସେ ଉଭୟ ସାଂସ୍କୃତିକ ତଥା ଜୈବିକ ବିବର୍ତ୍ତନର ଧାରାକୁ ବିପର୍ଯ୍ୟସ୍ତ କରାଇବା ଭଳି ପ୍ରଭୂତ କ୍ଷମତାର ଅଧିକାରୀ ହୋଇଛି । ଜ୍ଞାନ ବିଜ୍ଞାନ ବଳରେ ସେ ଯେଉଁ ପ୍ରକାର ସଭ୍ୟତା ଓ ସଂସ୍କୃତିର ଅଭ୍ୟୁତ୍‍ଥାନ ଘଟାଇଛି ଏବଂ ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ଗ୍ରାହକ ପରିବେଶ ଯେଉଁ ସମସ୍ୟାରାଜିର ସମ୍ମୁଖୀନ ହୋଇଛି, ତାହାର ସମାଧାନ ପାଇଁ ବିଜ୍ଞାନ ଓ ଧର୍ମର ଭୂମିକା ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି । ପୃଥିବୀ ବକ୍ଷରେ ସଂପ୍ରତି ବିଭିନ୍ନ ଦେଶର ମହାମତି ପ୍ରାଜ୍ଞ ବୁଦ୍ଧିଜୀବୀମାନେ ବିଚାରୁଛନ୍ତି ଯେ ଏକ ଶୁଭକାରୀ ନବ ଯୁଗର ପ୍ରତିଷ୍ଠା ପାଇଁ ବିଜ୍ଞାନ ଓ ଧର୍ମ ଜଗତରେ କ୍ରାନ୍ତିକାରୀ ପରିବର୍ତ୍ତନ ଘଟୁଛି । କାପ୍ରାଙ୍କ ମତାନୁଯାୟୀ ଦେକାର୍ତ୍ତେ, ବାକନ ଓ ନିଉଟନଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରାତନ ବୈଜ୍ଞାନିକ ଯୁଗର ଅବସାନ ଘଟୁଛି । ଦେକାର୍ତ୍ତୀୟ ବା ବାକନୀୟ ଅଥବା ନିଉଟନୀୟ ଯୁଗର ବୈଜ୍ଞାନିକ ଦର୍ଶନ ଜୀବ ଜଗତର କଲ୍ୟାଣ ସାଧନ କରିବାର ଅବକାଶ ଆଉ ନାହିଁ । ନବଯୁଗ ପ୍ରତିଷ୍ଠାକାରୀ ବୈଜ୍ଞାନିକ ଦର୍ଶନକୁ ଆମେ ପୂର୍ଣ୍ଣତାଭିମୁଖୀ ହୋଲିଷ୍ଟିକ୍), ପର୍ଯ୍ୟାବରଣୀୟ ଇକୋଲଜିକାଲ) ଅଥବା ସଂସ୍ଥିତୀୟ (ସିଷ୍ଟେମିକ୍) ଚିନ୍ତନ ଭାବରେ ବିଚାର କରି ପାରିବା । ବିଜ୍ଞାନ କ୍ଷେତ୍ରରେ ନବଯୁଗର ପ୍ରତିଷ୍ଠାକାରି ଚିନ୍ତନର ଧାରାରେ କାପ୍ରା ନିମ୍ନଲିଖିତ ପଞ୍ଚବିଧ ଲକ୍ଷଣ ଚିହ୍ନୋଟ କରିଛନ୍ତି–

 

(କ) ଅଂଶବିଶେଷ ପରିବର୍ତ୍ତେ ସାମଗ୍ରିକତା ପ୍ରତି ଗୁରୁତ୍ୱ ଆରୋପ : ଲଘୁକରଣ ପ୍ରକ୍ରିୟା ଓ ବିଶ୍ଳେଷଣାତ୍ମକ ଚିନ୍ତନ ପର୍ଯ୍ୟବସିତ ପୁରାତନ ଦର୍ଶନାନୁଯାୟୀ ଅଂଶବିଶେଷଗୁଡ଼ିକର ପ୍ରକୃତି ସମ୍ପର୍କରେ ଜ୍ଞାନାର୍ଜନ କରିବା ଦ୍ୱାରା ଆମେ ଗୋଟିଏ ସଂସ୍ଥିତିର ସାମଗ୍ରିକ ରୂପକୁ ଚିହ୍ନି ପାରିବା । ମାତ୍ର ଅଭିନବ ଯୁଗାଦର୍ଶ ଏହାର ବିପରୀତ ଦିଶାମୁଖୀ ହୋଇଛି । ଅର୍ଥାତ୍, ଗୋଟିଏ ସଂସ୍ଥିତିର ସଚଳ ସାମଗ୍ରିକ ରୂପକୁ ଚିହ୍ନିବା ଦ୍ୱାରା ହିଁ ଆମେ ତାହାର ଅଂଶବିଶେଷଗୁଡ଼ିକର ପାରସ୍ପରିକ ନିର୍ଭରଶୀଳତା ସମ୍ପର୍କରେ ସମ୍ୟକ୍ ଧାରଣା ପାଇ ପାରିବା । ଗୋଟିଏ ସଂସ୍ଥିତିର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ପୃଥକୀକୃତ ଅଂଶବିଶେଷ ଭାବରେ ଚିହ୍ନିବା ଠିକ୍ ନୁହେଁ । ଯେଉଁଗୁଡ଼ିକୁ ଆମେ କୌଣସି ଏକ ସଂସ୍ଥିତିର ଅଙ୍ଗସମୂହ ଭାବରେ ବିଚାରିଥିଲୁ ସେଗୁଡ଼ିକୁ ସେହି ସଂସ୍ଥିତିକୁ କାର୍ଯ୍ୟକ୍ଷମ କରାଉଥିବା ସମ୍ପର୍କ ରୂପୀ ଜାଲର ଗୋଟିଏ ଗୋଟିଏ ପ୍ୟାଟର୍ଣ୍ଣ ବା ପରିପାଟୀ ଭାବରେ ବିଚାର କରିବା ଦ୍ୱାରା ହିଁ ଆମେ ସେହି ସଂସ୍ଥିତିର ସନ୍ତୁଳିତ କାର୍ଯ୍ୟଦକ୍ଷତା ଦିଗରେ ପାରସ୍ପରିକ ନିର୍ଭରଶୀଳ ପରିପାଟୀଗୁଡ଼ିକର ଭୂମିକା ସମ୍ପର୍କରେ ନିର୍ଭୁଲ ଧାରଣା ପାଇପାରିବା ।

 

(ଖ) ଗଠନ ପରିବର୍ତ୍ତେ ପ୍ରକ୍ରିୟା ପ୍ରତି ଅଗ୍ରାଧିକାର : ପ୍ରଚଳିତ ଯୁଗାଦର୍ଶ ଅନୁଯାୟୀ ପ୍ରତ୍ୟେକ ସଂସ୍ଥିତି କେତେକ ମୌଳିକ ସଂରଚନାର ସମାହାରରେ କ୍ରିୟାଶୀଳ ହେଉଛି । ବିଭିନ୍ନ ବଳଗୁଡ଼ିକ ଦାହକ କଣିକାମାନଙ୍କ । ଜରିଆରେ ଭିନ୍ନ ଭିନ୍ନ ପ୍ରକାରେ ଏହି ମୌଳିକ ସଂରଚନାଗୁଡ଼ିକୁ କାର୍ଯ୍ୟକାରୀ କରାଉଥିବାରୁ ବିଭିନ୍ନ ପ୍ରକ୍ରିୟାଗୁଡ଼ିକର ସଙ୍ଘଟନ ସମ୍ଭବ ହେଉଛି । ମାତ୍ର ଅଭିନବ ଯୁଗାଦର୍ଶ ଅନୁଯାୟୀ ପ୍ରତ୍ୟେକ ସଂରଚନାକୁ ଏକ ଅନ୍ତର୍ନିହିତ ପ୍ରକ୍ରିୟାର ପରିପ୍ରକାଶ ଭାବରେ ବିଚାର କରାଯାଉଛି ଏବଂ ସମଗ୍ର ସମ୍ପର୍କ ରୂପୀ ଜାଲଗୁଡ଼ିକର ଅନ୍ତର୍ନିହିତ ଗତିଜ ପ୍ରକୃତିକୁ ହିଁ ସଂସ୍ଥିତିକ କ୍ରିୟାଶୀଳତାର ଉତ୍ସ ଭାବରେ ବିଚାର କରାଯାଉଛି ।

 

(ଗ) ବିଜ୍ଞାନର ବସ୍ତୁବାଦୀ ରୂପ ପରିବର୍ତ୍ତେ ଜ୍ଞାନ-ମିମାଂସୀୟ (ଏପିଷ୍ଟେମିକ୍) ରୂପ ପ୍ରତି ପ୍ରାଧାନ୍ୟ ଆରୋପ : ଅଦ୍ୟାବିଧି ପ୍ରଚଳିତ ଆଦର୍ଶ ଅନୁଯାୟୀ ବୈଜ୍ଞାନିକ ସ୍ପଷ୍ଟୀକରଣକୁ ବ୍ୟକ୍ତିନିରପେକ୍ଷ ବା ବସ୍ତୁବାଦୀ ରୂପ ଦିଆଯାଇଛି । ଅର୍ଥାତ୍ ଗବେଷଣାଲବ୍‍ଧ ଅବଦାନଗୁଡ଼ିକୁ ପର୍ଯ୍ୟବେକ୍ଷକଙ୍କ ଭୂମିକାଠାରୁ ତଥା ତାଙ୍କ ବ୍ୟକ୍ତିଗତ ଜ୍ଞାନାର୍ଜନ ପ୍ରକ୍ରିୟାଠାରୁ ମୁକ୍ତ ରଖାଯାଇଛି । ମାତ୍ର ଅଭିନବ ଯୁଗାଦର୍ଶରେ ଜ୍ଞାନ-ମୀମାଂସାକୁ (ଏପିଷ୍ଟେମୋଲଜି) ବିଜ୍ଞାନର ଅନ୍ତର୍ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦୃଶ୍ୟରାଜିର ବର୍ଣ୍ଣନା ବ୍ୟାପାରରେ ଜ୍ଞାନ-ମୀମାଂସୀୟ ବିଚାରକୁ ପ୍ରକାଶ୍ୟ ଭାବରେ ଉପସ୍ଥାପିତ ତତ୍ତ୍ୱର ଅନ୍ତର୍ଭୁକ୍ତ କରାଯାଇଛି ।

 

(ଘ) ବିଜ୍ଞାନର ରୂପକୁ ସୌଧ (ବିଲ୍ଡ଼ିଙ୍ଗ୍) ପରିବର୍ତ୍ତେ ସମ୍ପର୍କରୂପୀ ଜାଲ (ନେଟ୍ଓ୍ୱାର୍କ) ଭାବରେ ଚିତ୍ରଣ କରାଯିବାର ଔଚିତ୍ୟ : ପ୍ରଚଳିତ ଯୁଗାଦର୍ଶ ଅନୁଯାୟୀ ବିଜ୍ଞାନକୁ ଏକ ସୌଧ ଭାବରେ ଚିତ୍ରଣ କରାଯାଇଛି । ବିଜ୍ଞାନ ରୂପୀ ସୌଧ କେତେକ ମୌଳିକ ନିୟମ, ସିଦ୍ଧାନ୍ତ ଓ ମୌଳିକ ଉପାଦାନଗୁଡ଼ିକର ସମାହାରରେ ଗଠିତ ହେଉଥିବାର ଧାରଣା ଇତ୍ୟବସରରେ ବିଭ୍ରାନ୍ତିକର ତଥା ଭ୍ରମାତ୍ମକ ବୋଧ ହୋଇଛି । ବାସ୍ତବତାକୁ ବହୁବିଧ ସମ୍ପର୍କରୂପୀ ଜାଲଗୁଡ଼ିକର ସୁସମନ୍ୱିତ କ୍ରିୟାଶୀଳତା ଭାବରେ ବିଚାର କରିବା ଦ୍ୱାରା ହିଁ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟୋନ୍ମଚନ ବ୍ୟାପାର ଠିକଣା ପଥର ଅନୁଗାମୀ ହୋଇପାରିବାର ସମ୍ଭାବନା ଉଜ୍ୱଳମୟ ହୋଇଛି । ଆଦର୍ଶରେ ଏବଂବିଧି ପରିବର୍ତ୍ତନ ଘଟୁଥିବା ବେଳେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ପ୍ରତିଷ୍ଠିତ ମୌଳିକ ନିୟମ, ଧାରଣା ବା ମଡ଼େଲଗୁଡ଼ିକର ନିର୍ଭୁଲତା ପ୍ରତି ଏକାନୁଗତ୍ୟ ପ୍ରକାଶ କରିବାର ଅବକାଶ ଆଉ ନାହିଁ ।

 

(ଚ) ଚରମ ସତ୍ୟ ପରିବର୍ତ୍ତେ ଆପେକ୍ଷିକ ସତ୍ୟ ପ୍ରତିଷ୍ଠାପାଇଁ ବିଜ୍ଞାନ ଉଦ୍ଦିଷ୍ଟ ହୋଇଥିବାର ସ୍ୱୀକାରୋକ୍ତି : ଦେକାର୍ତ୍ତୀୟ ଯୁଗାଦର୍ଶ ଅନୁଯାୟୀ ବୈଜ୍ଞାନିକମାନେ ଦୃଢ଼ଭାବରେ ଘୋଷଣ କରୁଥିଲେ ଯେ ବିଜ୍ଞାନ ଚରମ ସତ୍ୟର ସନ୍ଧାନୀ ହୋଇଛି ଏବଂ ବୈଜ୍ଞାନିକ ଗବେଷଣାର କ୍ରମସମୃଦ୍ଧି ସାଧିତ ହେବାଦ୍ୱାରା ମନୁଷ୍ୟ ଅବଶ୍ୟ ଚରମ ସତ୍ୟାନୁସନ୍ଧାନ ବ୍ୟାପାରରେ କୃତକାର୍ଯ୍ୟ ହେବ । ଏବେ ବୈଜ୍ଞାନିକ କ୍ରିୟାଶୀଳତାର ସୀମିତତା ସମ୍ପର୍କରେ ବୈଜ୍ଞାନିକମାନେ ସଚେତନ ହୋଇଛନ୍ତି । ବୈଜ୍ଞାନିକ ଗବେଷଣା ଅବଲମ୍ବନରେ ଆମେ ବାସ୍ତବତାର ରହସ୍ୟ ଉନ୍ମୋଚନ କରିବା ଅବସରରେ ଯେଉଁ ଅନଶ୍ଚିତତା ରହିଯାଉଛି ତାହାକୁ ଅତିକ୍ରମ କରିବା ମନୁଷ୍ୟର ସାଧ୍ୟାତୀତ ବ୍ୟାପାର । କାରଣ, ପ୍ରକୃତିର ଅଭିନ୍ନ ଅଂଶବିଶେଷ ଭାବରେ ଉଭୟ ପର୍ଯ୍ୟବେକ୍ଷକ ଓ ପରିଲକ୍ଷିତ ବସ୍ତୁ ପାରସ୍ପରିକ ଅନ୍ତଃକ୍ରିୟାରେ ଜଡ଼ିତ ହେବା ଅବସରରେ ଯେଉଁ ଅପରିହାର୍ଯ୍ୟ ଅନିଶ୍ଚିତତା ସୃଷ୍ଟି ହେଉଛି, ତାହାକୁ ବୈଜ୍ଞାନିକ ଦର୍ଶନର ଅନ୍ୟତମ ତାତ୍ପର୍ଯ୍ୟପୂର୍ଣ୍ଣ ବିଭାବ ଭାବରେ ବିଚାର କରାଯାଉଛି ।

 

ବିଜ୍ଞାନ ଜଗତରେ ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା ଦିଗରେ ବୌଦ୍ଧିକ ସଜବାଜ ଚାଲିଥିବା ବେଳେ ଧର୍ମ ଜଗତରେ ମଧ୍ୟ ତଦନୁରୂପ ଯୁଗାନ୍ତକାରୀ ଆଲୋଡ଼ନର ସୂତ୍ରପାତ ଘଟିଛି । ଆଧୁନିକ ଯୁଗର ଟମାସ ମେର୍ଟନ ଭାବରେ ସୁଖ୍ୟାତ ବିଶିଷ୍ଟ ଧର୍ମତତ୍ତ୍ୱଜ୍ଞ ଡେଭିଡ଼ ଷ୍ଟେନ୍ଦଲ-ରାସ୍ତ ଓ ସମଧର୍ମୀ ଟମାସ ମାତସ୍ ଧର୍ମଜଗତରେ ନବଯୁଗର ପ୍ରତିଷ୍ଠା ପାଇଁ ସାମ୍ପ୍ରତିକ ଚିନ୍ତନର ଧାରାରେ ନିମ୍ନଲିଖିତ ପଞ୍ଚବିଧ ଲକ୍ଷଣ ଚିହ୍ନୋଟ କରିଛନ୍ତି :-

 

(କ) ଈଶ୍ୱରଙ୍କୁ ସତ୍ୟର ପ୍ରକାଶକ ଭାବରେ ବିଚାର କରିବା ପରିବର୍ତ୍ତେ ବାସ୍ତବତାକୁ ସୃଷ୍ଟିକର୍ତ୍ତାଙ୍କ ଆତ୍ମପ୍ରକାଶ ଭାବରେ ବିଚାର କରିବାର ଯଥାର୍ଥତା : ଅଦ୍ୟାବଧି ପ୍ରଚଳିତ ଖ୍ରୀଷ୍ଟୀୟ ଯୁଗାଦର୍ଶ ଅନୁଯାୟୀ ସର୍ବବିଧ ବଦ୍ଧମୂଳ ଧାରଣାଗୁଡ଼ିକର (ଡଗ୍‍ମା) ସମାହାରକୁ ଈଶ୍ୱରଙ୍କ ଦ୍ଵାରା ପ୍ରକଟିତ ସତ୍ୟ ଭାବରେ ବିଚାର କରାଯାଉଥିଲା । ମାତ୍ର ନବ ଯୁଗାଦର୍ଶ ଅନୁଯାୟୀ ଦୈବୀବାଣୀଗୁଡ଼ିକର (ରିଭିଲେସନ) ସାମଗ୍ରିକ ତାତ୍ପର୍ଯ୍ୟ ଅବଲମ୍ବନରେ ପ୍ରତ୍ୟେକ ଡଗ୍‍ମାକୁ ବୁଝି ହେବ । ପ୍ରକୃତି ଇତିହାସର କୌଣସି ଏକ ମୁହୂର୍ତ୍ତ ଏବଂ ତାତ୍କାଳିକ ମନୁଷ୍ୟର ଅଭିଜ୍ଞତା ଭିତ୍ତିକ ଈଶ୍ୱରଙ୍କ ଆତ୍ମପ୍ରକାଶ ପରିପ୍ରେକ୍ଷୀରେ ପ୍ରତ୍ୟେକ ଡଗ୍‍ମାର ତାତ୍ପର୍ଯ୍ୟକୁ ବୁଝିବା ପାଇଁ ଯତ୍ନବାନ ହେବା ଦ୍ୱାରା ହିଁ ଆମେ ଧର୍ମତତ୍ତ୍ୱର ମହିମାକୁ ଉପଲବ୍‍ଧି କରି ପାରିବା ।

 

(ଖ) ଦୈବୀବାଣୀକୁ ଚିରନ୍ତନ ସତ୍ୟ ଭାବରେ ବିଚାର କରିବା ପରିବର୍ତ୍ତେ ଐତିହାସିକ ଅଭିବ୍ୟକ୍ତି ଭାବରେ ବିଚାର କରିବାର ଔଚିତ୍ୟ: ପ୍ରଚଳିତ ଯୁଗାଦର୍ଶ ଅନୁଯାୟୀ କେତେକ ଅଲୌକିକ ସତ୍ୟର ସମାହାରକୁ ମନୁଷ୍ୟ ପାଇଁ ଈଶ୍ୱରଙ୍କ ଦ୍ୱାରା ଅଭିପ୍ରେତ ଚିରନ୍ତନ ସତ୍ୟ ଭାବରେ ବିଚାର କରାଯାଉଥିଲା । ମାତ୍ର ଯେଉଁ ଐତିହାସିକ ଘଟଣାଗୁଡ଼ିକ ମାଧ୍ୟମରେ ଈଶ୍ୱର ସେହି ଦୈବୀ ବାଣୀଗୁଡ଼ିକର ପରିପ୍ରକାଶ ଘଟାଇଥିଲେ, ସେଗୁଡ଼ିକର ଭୂମିକା ଅତୀବ ଗୌଣ ହୋଇଥିଲା । ମାତ୍ର ଅଭିନବ ଯୁଗାଦର୍ଶ ଅନୁଯାୟୀ ଦୈବୀ ବାଣୀକୁ ଏକ ସହଜାତ ଗତିଶୀଳ ପ୍ରକ୍ରିୟା ଭାବରେ ବିଚାର କରାଯାଉଛି ।

 

(ଗ) ଧର୍ମତତ୍ତ୍ୱକୁ (ଥିଓଲଜି ) ଗୋଟିଏ ବ୍ୟକ୍ତିନିରପେକ୍ଷ ବିଜ୍ଞାନ ପରିବର୍ତ୍ତେ ଜ୍ଞାନାର୍ଜନର ଅନ୍ୟତମ ମାର୍ଗ ଭାବରେ ବିଚାର କରିବାର ବାଞ୍ଛନୀୟତା : ପ୍ରଚଳିତ ପ୍ରଥା ଅନୁଯାୟୀ ଧର୍ମତତ୍ତ୍ୱଜ୍ଞମାନଙ୍କ ଦ୍ଵାରା ପ୍ରଦତ୍ତ ପରାମର୍ଶ ଗୁଡ଼ିକୁ ବ୍ୟକ୍ତି-ନିରପେକ୍ଷ ରୂପ ଦିଆଯାଇଛି । ପ୍ରଦତ୍ତ ପରାମର୍ଶ ବା ଘୋଷଣା ପ୍ରତି ଅସ୍ଥା ସ୍ଥାପନ କରିଥିବା ବ୍ୟକ୍ତିଙ୍କୁ କିମ୍ବା ପରାମର୍ଶଦାତାଙ୍କ ଜ୍ଞାନାର୍ଜନର ପଦ୍ଧତିକୁ ଘୋଷିତ ପରାମର୍ଶଠାରୁ ମୁକ୍ତ ରଖାଯାଇଛି । ମାତ୍ର ଏବେ ଧର୍ମତତ୍ତ୍ୱରେ ଧର୍ମତତ୍ତ୍ୱଜ୍ଞଙ୍କ ଅବବୋଧ, ରହସ୍ୟବାଦୀ ଚିନ୍ତନ ତଥା ଇତର ବ୍ୟକ୍ତିନିଷ୍ଠ ବିଚାରକୁ ସାମିଲ କରାଯିବା ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି ।

 

(ଘ) ଧର୍ମ-ତତ୍ତ୍ୱର ରୂପକୁ ସୌଧ ପରିବର୍ତ୍ତେ ସମ୍ପର୍କ ରୂପୀ ଜାଲ ଭାବରେ ବିଚାର କରିବାର ଯଥାର୍ଥତା : ବିଗତ ବହୁ ଶତାବ୍ଦୀ ବ୍ୟାପୀ ଧର୍ମ-ତତ୍ତ୍ୱ ରୂପୀ ବୌଦ୍ଧିକ ବିଭାବକୁ ଏକ ସୌଧ ଭାବରେ ଚିତ୍ରଣ କରାଯାଇଛି । ଏହି ସୌଧ କେତେକ ଚିରନ୍ତନ । ମୌଳିକ ନିୟମ, ସିଦ୍ଧାନ୍ତ ଓ ଉପାଦାନଗୁଡ଼ିକର ସମାହାରରେ ଗଠିତ ହୋଇଥିବାର ଧାରଣା ଇତ୍ୟବସରରେ ବିଭ୍ରାନ୍ତିକର ତଥା ଭ୍ରମାତ୍ମକ ବୋଧ ହୋଇଛି । ବିଜ୍ଞାନ ଜଗତରେ ଦିନକୁ ଦିନ ଉଦ୍ଭାବିତ ନୂଆ ନୂଆ ତତ୍ତ୍ୱ କେତେକ ବଦ୍ଧମୂଳ ଧାରଣାର ମୂଳୋତ୍ପାଟନ ଘଟାଇଛି । ନବଯୁଗୀୟ ଚିନ୍ତନ ଅନୁଯାୟୀ ଧର୍ମ-ତତ୍ତ୍ଵକୁ ସମ୍ପର୍କ ରୂପୀ ଜାଲ ଭାବରେ ବିଚାର କରିବା ଦ୍ୱାରା ପ୍ରତ୍ୟେକ ଘୋଷଣାର ଭୂମିକାକୁ ଠିକଣା ଭାବରେ ବୁଝି ପାରିବାର ସମ୍ଭାବନା ଉଜ୍ୱଳମୟ ହୋଇଛି । ସମ୍ପର୍କ ରୂପୀ ଜାଲର ସୁସମନ୍ୱିତ ପ୍ରଭାବ ଯୋଗୁଁ ପ୍ରତ୍ୟେକ ଦିକ୍‍ଦର୍ଶନର ସ୍ୱାତନ୍ତ୍ର୍ୟକୁ ତଥା ତତ୍‍ନିହିତ ଅନ୍ତଃଦୃଷ୍ଟି ବୈଶିଷ୍ଟ୍ୟକୁ ଠିକଣା ଭାବରେ ହୃଦୟଙ୍ଗମ କରିବା ସମ୍ଭବ ହେଉଛି । କୌଣସି ପ୍ରକାର ଅଖଣ୍ଡ (ମନୋଲିଥିକ) ସଂସ୍ଥିତି ଭାବରେ ଧର୍ମ-ତତ୍ତ୍ୱକୁ ବିଚାର କରିବାର ଯଥାର୍ଥତା ଆଉ ନାହିଁ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ସଂସ୍ଥାପିତ ବିଭିନ୍ନ ଧର୍ମର ଧର୍ମ-ତାତ୍ତ୍ୱିକ ବିଚାରଗୁଡ଼ିକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯିବା ଦ୍ୱାରା ଧର୍ମତାତ୍ତ୍ୱିକ ସମ୍ପର୍କ ରୂପୀ ଜାଲର ମହିମାକୁ ଅଧିକରୁ ଅଧିକ ସ୍ପଷ୍ଟ ଭାବରେ ବୁଝି ପାରିବାର ନିଶ୍ଚିତ ସମ୍ଭାବନାକୁ ଏଡ଼ାଇ ଦେବା କେବଳ ଅଜ୍ଞତାର ପରିଚାୟକ ।

 

(ଚ) ଘୋଷଣାର ନିର୍ଭୁଲତା ପରିବର୍ତ୍ତେ ଈଶ୍ୱରଙ୍କ ରହସ୍ୟବାଦୀ ଆତ୍ମପ୍ରକାଶ (ଡିଭାଇନ ମିଷ୍ଟେରିଜ୍) ପ୍ରତି ପ୍ରାଧାନ୍ୟ ଆରୋପ : ଧର୍ମ-ତାତ୍ତ୍ୱିକ ବିଜ୍ଞପ୍ତି ବା ଘୋଷଣାଗୁଡ଼ିକୁ ଶେଷ ବା ଚରମ ସତ୍ୟ ଭାବରେ ବିଚାର କରିବାର କୌଣସି ଯଥାର୍ଥତା ନାହିଁ । ଅଭିନବ ଯୁଗାଦର୍ଶର ପ୍ରତିଷ୍ଠା କାଳରେ ଆତ୍ମନିଷ୍ଠ ଚିନ୍ତନ ପ୍ରତି ବିଶେଷ ପ୍ରାଧାନ୍ୟ ଆରୋପିତ ହେଉଛି । ଏତଦ୍ଦ୍ୱାରା ସୂଚାଇ ଦିଆଯାଉଛି ଯେ ଦୈବୀ ଶକ୍ତିର ଅଲୌକିକତାକୁ ଆମେ କେବେହେଲେ ସଂପୂର୍ଣ୍ଣ ତଥା ସୁନିର୍ଦ୍ଦିଷ୍ଟ ଭାବରେ ବୁଝି ପାରିବା ନାହିଁ । ଅର୍ଥାତ୍, ଧର୍ମ-ତତ୍ତ୍ୱ ଭିତ୍ତିକ ଉପଲବ୍‍ଧି ବା ଅବବୋଧ ଆମ୍ଭମାନଙ୍କୁ ଚରମ ସତ୍ୟ ଯୋଗାଇ ପାରିବାର ଅବକାଶ ନାହିଁ ।

 

ବାସ୍ତବିକ୍ ‘ଇକୋଲଜିକାଲ’ (ପର୍ଯ୍ୟାବରଣୀୟ) ଓ ‘ଏକ୍ୟୁମେନିକାଲ୍’ (ସାର୍ବଜନିନ) ଶବ୍ଦ ଦୁଇଟି ଗୋଟିଏ ଗ୍ରୀକ ଶବ୍ଦରୁ ଉଦ୍ଧୃତ । ଏହା ‘ପୃଥିବୀ ରୂପୀ ବାସଗୃହ’କୁ ହିଁ ବୁଝାଉଛି । ନବଯୁଗର ପ୍ରତିଷ୍ଠା ପାଇଁ ସମକାଳୀନ ଭାବରେ ବିଜ୍ଞାନ ଓ ଧର୍ମ ଜଗତରେ ଯେଉଁ ପ୍ରକାର ଆଦର୍ଶଗତ ପରିବର୍ତ୍ତନଗୁଡ଼ିକ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି, ସେଥିରୁ ବୁଝି ହେଉଛି ସେ ଗ୍ରାହିକ ସ୍ତରରେ ଏକ ପ୍ରକାର ‘ପର୍ଯ୍ୟାବରଣୀୟ ମାନବବାଦ’ର (ଇକୋଲଜିକାଲ ହ୍ୟୁମାନିଜ୍‍ମ) ପ୍ରତିଷ୍ଠା ପାଇଁ ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟୁଛି । ଏତଦ୍ଦ୍ୱାରା ହିଁ କେବଳ ଗାଇଆ ବା ବସୁମାତା ବକ୍ଷରେ ମନୁଷ୍ୟ ତଥା ମନୁଷ୍ୟେତର ସମଗ୍ର ପ୍ରାଣୀ ଓ ଉଦ୍ଭିଦ ଜଗତର ସନ୍ତୁଳିତ ସହାବସ୍ଥାନ ସମ୍ଭବ ହେବ । ଏକବିଂଶ ଶତାବ୍ଦୀର ଅବ୍ୟବହିତ ପୂର୍ବରୁ ଗୋଟିଏ ଯୁଗାଦର୍ଶର ଅବସାନ ଘଟାଇ ଆଉ ଗୋଟିଏ ଯୁଗାଦର୍ଶର ପ୍ରତିଷ୍ଠା ପାଇଁ ମନୁଷ୍ୟର ଚେତନାରେ ବିଜ୍ଞାନ ଓ ଧର୍ମାଶ୍ରୟୀ ଯେଉଁ କ୍ରାନ୍ତିକାରୀ ଉତ୍ତରଣ ଘଟୁଛି, ପାଠକପାଠିକାମାନଙ୍କୁ ତତ୍‍ସମ୍ପର୍କୀୟ ବହୁ ଚିତ୍ତାକର୍ଷକ ଦୃଷ୍ଟାନ୍ତ ସମ୍ବଳିତ ସ୍ପଷ୍ଟୀକରଣ ଯୋଗାଇ ଦେବା ହିଁ ଆଲୋଚ୍ୟ ପୁସ୍ତକର ଆଭିମୁଖ୍ୟ । କଥୋପକଥନ ଶୈଳୀରେ ରଚିତ ଏହି ଭାବୋଦ୍ଦୀପକ ତଥା ଉପଭୋଗ୍ୟ ପୁସ୍ତକଟିକୁ ପାଠ କରିବା ଦ୍ୱାରା ଆମେ ବିଜ୍ଞାନ ଓ ଧର୍ମର ପରିପୂରକ ଭୂମିକା ସମ୍ପର୍କରେ ସଚେତନ ହେବା ସଙ୍ଗେ ସଙ୍ଗେ ଏକ ବିପଦମୁକ୍ତ ଓ ସୁଖଶାନ୍ତିମୟ ମାନବ ସମାଜର ପ୍ରତିଷ୍ଠା ଦିଗରେ ଚିନ୍ତା କରିବା ପାଇଁ ତଥା ନିଜ ନିଜ ଦାୟିତ୍ୱ ସମ୍ପର୍କରେ ସଚେତନ ହେବା ପାଇଁ ବହୁ ଭାବୋଦ୍ଦୀପକ ତଥା ପ୍ରେରଣାଦାୟକ ଉପାଦାନ ପାଇ ପାରିବା ।

☆☆☆

 

କ୍ୱାଣ୍ଟମ୍ ଆତ୍ମା

 

THE QUANTUM SELF

By

Danah Zohar

Flamingo, 1991

 

ଘଟଣାବହୁଳ ବିଂଶ ଶତାବ୍ଦୀ ସରିଆସୁଛି । ଏକବିଂଶ ଶତାବ୍ଦୀର ସଂଭାବ୍ୟ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆଜହୁଁ ପୃଥିବୀ ବକ୍ଷରେ ବ୍ୟାପକ ସଜବାଜ ଚାଲିଛି । ମନୁଷ୍ୟ ବିଜ୍ଞାନ ଓ ଟେକ୍ନୋଲଜି ବଳରେ ବଳୀୟାନ୍ ହୋଇ ବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଭ୍ୟତା ଓ ସଂସ୍କୃତିର ଦ୍ରୁତ ବିକାଶ ଘଟାଇବାକୁ ଯତ୍ନବାନ୍ ହୋଇଛି, ତାହାର କୁପରିଣତି ସମ୍ପର୍କରେ ସେ ନିଜ ଅନୁଭୂତିରୁ ଶିକ୍ଷଣୀୟ ଉପାଦାନ ସଂଗ୍ରହ କରିଛି । ମାତ୍ର ସମଗ୍ର ପୃଥିବୀ ବକ୍ଷରେ ଗ୍ରାହିକ ସ୍ତରର କୌଣସି ପ୍ରକାର କର୍ମାଭିମୁଖ୍ୟର ପ୍ରତିଷ୍ଠା ବଳରେ ବିଜ୍ଞାନ ଓ ଟେକ୍ନୋଲଜିର ସୁସଂଯତ ଜନହିତକାରୀ ଉପଯୋଗ କରାଯିବା ଦିଗରେ ସର୍ବବିଧ ଉଦ୍ୟମ ପ୍ରାୟତଃ ସଫଳ ହେଉନାହିଁ । ଆମେ ଜାଣୁଁ ଯେ ଚଳିତ ଶତାବ୍ଦୀରେ ମନୁଷ୍ୟର ଚେତନାରେ କ୍ରାନ୍ତିକ ଉତ୍ତରଣ ଘଟାଇବା ପାଇଁ ଉଦ୍ଭାବିତ ହୋଇଛି ଦୁଇଟି ତତ୍ତ୍ୱ; ଯଥା:–ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ତତ୍ତ୍ୱ । ଉଭୟ ତତ୍ତ୍ୱର ବହୁମୁଖୀ ପ୍ରାୟୋଗିକ ଉପଯୋଗ ବଳରେ ହିଁ ଶିଳ୍ପୋଦ୍ୟୋଗୀ ମନୁଷ୍ୟ ବସ୍ତୁବାଦୀ ସଭ୍ୟତାର ବିକାଶର ହାରକୁ ତ୍ୱରାନ୍ୱିତ କରିଛି । କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନର ସମୃଦ୍ଧି ସାଧନ ଏବଂ ବହୁମୁଖୀ ତଥା ବହୁଳ ବ୍ୟାବହାରିକ ଉପଯୋଗ ବଳରେ ମନୁଷ୍ୟ ପାରମାଣବିକ ତଥା ଅନୁପାରମାଣବିକ ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ଯୁଗାନ୍ତକାରୀ ଜ୍ଞାନ ଅର୍ଜନ କରିବା ସଙ୍ଗେ ସଙ୍ଗେ ଅର୍ଜିତ ଜ୍ଞାନର ଫଳପ୍ରଦ ତଥା ଲାଭପ୍ରଦ ବିନିଯୋଗ କରିବାକୁ ସମର୍ଥ ହୋଇଛି । ମାତ୍ର ଏହି କ୍ରାନ୍ତିକାରୀ ଚିନ୍ତାଧାରାକୁ ମନୁଷ୍ୟର ମନସ୍ତତ୍ତ୍ଵର ରହସ୍ୟଭେଦ ପାଇଁ ଲକ୍ଷ୍ୟଣୀୟ ଭାବରେ ପ୍ରୟୋଗ କରାଯିବା ସମ୍ଭବ ହୋଇନାହିଁ । ସ୍ୱନାମଧନ୍ୟ ମନସ୍ତତ୍ତ୍ୱବିତ୍ କାର୍ଲ ୟୁଙ୍ଗ ଓ ଅନ୍ୟତମ ଶ୍ରେଷ୍ଠ ପଦାର୍ଥ ବିଜ୍ଞାନୀ ଉଲଫ୍ ଗ୍ୟାଙ୍ଗ୍ ପାଉଲି କ୍ୱାଣ୍ଟମ୍ ଚିନ୍ତାଧାରାର ବିକାଶକାଳୀନ ଆଦ୍ୟ ପର୍ବରେ ଯେଉଁ ପ୍ରକାର ‘ମନସ୍ତତ୍ତ୍ଵର ପଦାର୍ଥ ବିଜ୍ଞାନ’ (ଫିଜିକସ୍ ଅଫ୍ ସାଇକୋଲଜି) ପାଇଁ ଗବେଷଣାର ଶୁଭାରମ୍ଭ ଘଟାଇଥିଲେ, ଉଭୟଙ୍କ ମହାପ୍ରୟାଣ ଘଟିବା ପରେ ସେହି ଗବେଷଣାର ଉତ୍ତରୋତ୍ତର ସମୃଦ୍ଧି ସାଧନ ଦିଗରେ କେହି ଲକ୍ଷ୍ୟଣୀୟ ମାର୍ଗରେ ଯତ୍ନବାନ୍ ହୋଇ ନ ଥିଲେ ।

 

ମାନବୀୟ ସଭ୍ୟତା ଓ ସଂସ୍କୃତିର ବିକାଶ ଦିଗରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକାକୁ ସୁସଞ୍ଜତ ତଥା ନିୟନ୍ତ୍ରିତ କରାଇବା ପାଇଁ ବର୍ତ୍ତମାନ ସମଗ୍ର ପୃଥିବୀର ବିଭିନ୍ନ ଦେଶର ଯେଉଁ ଚିନ୍ତାନାୟକମାନେ ନିଜ ନିଜ ବୌଦ୍ଧିକତାର ସଦୁପଯୋଗ କରୁଛନ୍ତି, ସେମାନେ ମୁଖ୍ୟତଃ ପଶ୍ଚାତ୍ୟ ବିଜ୍ଞାନ ଓ ପ୍ରାଚ୍ୟ ଦର୍ଶନ ମଧ୍ୟରେ କୌଣସି ପ୍ରକାର ଭାବାତ୍ମକ ସମନ୍ୱୟ ପ୍ରତିଷ୍ଠା କରିବା ପୂର୍ବକ ମନୁଷ୍ୟକୁ ଏକ ଅଭିନବ ଯୁଗାଦର୍ଶରେ ଦୀକ୍ଷିତ କରାଇବାକୁ ଚାହିଁଛନ୍ତି । ଫ୍ରିଜ-ଅଫ୍-କାପ୍ରା, ଡେଭିଡ଼ ବୋହମ, ଗାରି ଜୁକୋଭ ପ୍ରମୁଖ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ଦ୍ୱାରା ଲିଖିତ ଏ ପ୍ରକାର ବହୁଶାସ୍ତ୍ରାଶ୍ରୟୀ ପୁସ୍ତକଗୁଡ଼ିକ ବିଶେଷ ଜନପ୍ରିୟ ହେଉଥିବାର ଲକ୍ଷ୍ୟ କରାଯାଉଛି । ମାତ୍ର ଏମାନେ କେହି କ୍ୱାଣ୍ଟମ୍ ପଦାର୍ଥ ବିଜ୍ଞାନର ଦିକ୍‍ଦର୍ଶନ ବଳରେ ମନୁଷ୍ୟର ମନସ୍ତତ୍ତ୍ୱର ରହସ୍ୟ ଭେଦ କରିବାକୁ ଆଗ୍ରହୀ ହୋଇନାହାନ୍ତି । ଏଇ ମାତ୍ର ଅଳ୍ପ କିଛିବର୍ଷ ହେଲା କେତେକ ପ୍ରବୀଣ ବୈଜ୍ଞାନିକ ୟୁଙ୍ଗ ଓ ପାଉଲିଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅବଲମ୍ବନରେ ମଣିଷର ମନର ବିଚକ୍ଷଣ କ୍ରିୟାଶୀଳତାର ରହସ୍ୟଭେଦ ପାଇଁ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ସ୍ପଷ୍ଟୀକରଣ ଯୋଗାଇଦେବାକୁ ପ୍ରୟାସୀ ହୋଇଛନ୍ତି । ସେମାନଙ୍କ ବିଚାର ଅନୁଯାୟୀ ଏତଦ୍ଦ୍ୱାରା ବୈଜ୍ଞାନିକ ଦୃଷ୍ଟିକୋଣରୁ ଆମେ ମଣିଷର ମନକୁ ନିବିଡ଼ ଭାବରେ ଚିହ୍ନିପାରିବା ସଙ୍ଗେ ସଙ୍ଗେ ମାନସିକ କ୍ରିୟାଶୀଳତାର ସର୍ବୋଚ୍ଚ ସୀମା ସମ୍ପର୍କରେ ମଧ୍ୟ ଜାଣିପାରିବା । ଯଦି ବୈଜ୍ଞାନିକ ପଦ୍ଧତି ଅବଲମ୍ବନରେ ମଣିଷର ମନ ସମ୍ପର୍କୀୟ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ସ୍ପଷ୍ଟୀକରଣ ମିଳିପାରେ, ତାହାହେଲେ ସେହି ସ୍ପଷ୍ଟୀକରଣକୁ ଆଉ ଅବବୋଧ, କଳ୍ପନା-ପ୍ରବଣତା, ଅନ୍ତଃଦୃଷ୍ଟି ଓ ପ୍ରଗାଢ଼ ଧ୍ୟାନ ପର୍ଯ୍ୟବସିତ ପ୍ରାଚ୍ୟ ଦର୍ଶନ ସହିତ ତୁଳନା କରିବା ଦ୍ୱାରା ଆମେ ଉପଯୁକ୍ତ ସିଦ୍ଧାନ୍ତରେ ଉପନୀତ ହୋଇପାରିବା । ଏଣିକି ବୈଜ୍ଞାନିକ ସ୍ପଷ୍ଟୀକରଣ ଓ ଆତ୍ମୋପଲବ୍‍ଧି ପର୍ଯ୍ୟବସିତ ଜ୍ଞାନ ମଧ୍ୟରେ ତୁଳନାତ୍ମକ ବିଚାର ଚଳାଇବା ଦ୍ୱାରା ଆମେ ବିଜ୍ଞାନର ସୀମା ନିର୍ଦ୍ଧାରଣ କରିପାରିବା ଏବଂ ବିଜ୍ଞାନ ଓ ଆଧ୍ୟାତ୍ମିକ ଚିନ୍ତନ ମଧ୍ୟରେ ସଂଶ୍ଳେଷଣାତ୍ମକ ସମନ୍ୱୟ ପ୍ରତିଷ୍ଠା କରିବା ପୂର୍ବକ ଗ୍ରାହିକ ସ୍ତରରେ ଏକ ସର୍ବଜନଗ୍ରାହ୍ୟ ଯୁଗାଦର୍ଶର ପ୍ରତିଷ୍ଠା ଦିଗରେ ଠିକଣା ପଥର ଅନୁଗାମୀ ହୋଇପାରିବା ।

 

ଏବଂବିଧି ବିଚାରର ବଶବର୍ତ୍ତୀ ହୋଇ ଦାନା ଜୋହର ନାମ୍ନୀ ଜନୈକା ବିଦୂଷୀ ମହିଳା ‘ଦି କ୍ୱାଣ୍ଟମ୍ ସେଲ୍‍ଫ’ ଶୀର୍ଷକ ଗୋଟିଏ ସୁଖପାଠ୍ୟ, ଭାବୋଦ୍ଦୀପକ ତଥା ସମୟୋପଯୋଗୀ ପୁସ୍ତକ ରଚନା କରିଛନ୍ତି । ଫ୍ଲେମିଙ୍ଗୋ ପ୍ରକାଶନ ସଂସ୍ଥା ଆନୁକୂଲ୍ୟରେ ୧୯୯୧ ମସିହାରେ ପ୍ରକାଶିତ ଏହି ପୁସ୍ତକଟି ଅତି ଅଳ୍ପ ସମୟ ମଧ୍ୟରେ ପୃଥିବୀ ବକ୍ଷରେ ସର୍ବତ୍ର ବୁଦ୍ଧିଜୀବୀମାନଙ୍କ ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରୁଛି । ଏହି ଭିନ୍ନ ସ୍ୱାଦର ପୁସ୍ତକଟିର ବିଶେଷତ୍ୱ ହେଉଛି ଯେ ଏଥିରେ କ୍ୱାଣ୍ଟମ୍‍ ପଦାର୍ଥ ବିଜ୍ଞାନର ଦାର୍ଶନିକ ପୃଷ୍ଠଭୂମି ସମ୍ପର୍କରେ ବୋଧଗମ୍ୟ ସ୍ପଷ୍ଟୀକରଣ ପ୍ରଦତ୍ତ ହୋଇଛି-। ଦୈନନ୍ଦିନ ଜୀବନର ଚିତ୍ତାକର୍ଷକ ଦୃଷ୍ଟାନ୍ତଗୁଡ଼ିକର ସାହାଯ୍ୟ ନେଇ ଦାନା ଜୋହର କ୍ୱାଣ୍ଟମ ଚିନ୍ତାଧାରାର ବୈଶିଷ୍ଟ୍ୟକୁ ପ୍ରାଞ୍ଜଳ ଭାବରେ ବୁଝାଇ ପାରିଛନ୍ତି । ନିଉଟନୀୟ ଯାନ୍ତ୍ରିକୀ ଓ କ୍ୱାଣ୍ଟମ ଯାନ୍ତ୍ରିକୀ ମଧ୍ୟରେ ମୌଳିକ ଗୁଣାତ୍ମକ ପ୍ରଭେଦ, ବସ୍ତୁକଣିକାର ଉଭୟ ତରଙ୍ଗ ଓ କଣିକା ପ୍ରକୃତି ପ୍ରଦର୍ଶନ କରିବାର ପାରଙ୍ଗମତା, ହାଇଜେନ୍‍ବର୍ଗଙ୍କ ଅନଶ୍ଚିତତା-ସିଦ୍ଧାନ୍ତ, ବୋହରଙ୍କ ଅନୁପୂରକ-ତତ୍ତ୍ୱ ଓ ତରଙ୍ଗ-ଫଳନର (ଓ୍ୱେଭ୍ ଫଙ୍କ୍‍ସନ) ପୂର୍ଣ୍ଣପତନ (କୋଲାପ୍‍ସ) ସମ୍ବନ୍ଧରେ ବୁଝାଇ ଦେବା ପରେ ଜୋହର କଣିକାଗୁଡ଼ିକର ପ୍ରକାରଭେଦ ଓ ସେମାନଙ୍କ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ସମ୍ଭାବ୍ୟ ଆଚରଣ ସମ୍ବନ୍ଧରେ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ଆମେ ଜାଣୁ ଯେ ବସ୍ତୁ କଣିକାଗୁଡ଼ିକୁ ସେମାନଙ୍କ ଧର୍ମାନୁଯାୟୀ ଦୁଇଟି ଶ୍ରେଣୀଭୁକ୍ତ କରାଯାଇଛି; ଯଥା–ଫର୍ମିଅନ ଓ ବୋଷନ । ପରମାଣୁକୁ ଗଠନ କରିଥିବା ଇଲେକ୍‍ଟ୍ରନ, ପ୍ରୋଟନ ଓ ନିଉଟ୍ରନ କଣିକାଗୁଡ଼ିକ ଫର୍ମିଅନ ଶ୍ରେଣୀଭୁକ୍ତ ହୋଇଥିବାବେଳେ ଫୋଟନ, ନିଉଟ୍ରାଲ ଜେଡ଼୍, ±W, ଗ୍ଳୂଅନ ଓ ଗ୍ରାଭିଟନ ଆଦି କଣିକାଗୁଡ଼ିକ ବୋଷନ ଶ୍ରେଣୀର ଅନ୍ତର୍ଭୁକ୍ତ । ବୋଷନ ଶ୍ରେଣୀଭୁକ୍ତ ଜଣିକାଗୁଡ଼ିକ ବିଦ୍ୟୁତ୍-ଚୁମ୍ବକୀୟ ବଳ, ଦୁର୍ବଳ ନିଉକ୍ଲିଅସୀୟ ବଳ, ଶକ୍ତିଶାଳୀ ନିଉକ୍ଲିଅସୀୟ ବଳ ଓ ମହାକର୍ଷଣ ବଳର ବାହକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସ୍ୱାର୍ଥପର ଫର୍ମିଅନ୍‍ମାନଙ୍କ ବହୁବିଧ ସମାହାରରେ ଗଠିତ ସଜୀବ ଓ ନିର୍ଜୀବ ବସ୍ତୁଗୁଡ଼ିକ ବନ୍ଧନାକାଂକ୍ଷୀ ବୋଷନମାନଙ୍କ ଦ୍ୱାରା କ୍ରିୟାଶୀଳ ହୋଇ ଏହି ବିଶ୍ଵରେ ବିଭିନ୍ନ ଦୃଶ୍ୟଗୁଡ଼ିକୁ ସୃଷ୍ଟି କରୁଛନ୍ତି ।

 

ଦାନା ଜୋହର ପ୍ରାଞ୍ଜଳ ଭାବରେ ବୁଝାଇଛନ୍ତି ଯେ ଅନୁପାରମାଣବିକ ଜଗତରେ କ୍ୱାଣ୍ଟମ୍ ତତ୍ତ୍ୱାନୁସାରୀ ବୋଷନ ଓ ଫର୍ମିଅନ୍‍ମାନଙ୍କ ବିଚକ୍ଷଣ କ୍ରିୟାଶୀଳତା ହିଁ ବସ୍ତୁ ଭଳି ମନୁଷ୍ୟର ମସ୍ତିଷ୍କସ୍ଥିତ ମାନସପଟକୁ ବିଚକ୍ଷଣ ଭାବରେ କ୍ରିୟାଶୀଳ କରାଇପାରୁଛି । ତାଙ୍କ ବିଚାର ଅନୁଯାୟୀ ଆମ ମସ୍ତିଷ୍କରେ ଏକପ୍ରକାର ଘନୀଭୂତ ପରିବେଶ ସୃଷ୍ଟି ହୋଇଛି । ବିଜ୍ଞାନର ଭାଷାରେ ଏହାକୁ ‘ବୋଷ–ଆଇନ୍‍ଷ୍ଟାଇନ୍ କନ୍ଡ଼େନ୍‍ସେସନ୍’ କୁହାଯାଏ । ଏହା ଏକ ସ୍ଥାୟୀ ପୃଷ୍ଠଭୂମି ଭାବରେ ଆମ ମାନସପଟରେ ନିଜ ଅସ୍ତିତ୍ଵ ବଳବତ୍ତର କରାଇଛି । ଇନ୍ଦ୍ରିୟାନୁଭବ ଯୋଗୁଁ କିମ୍ବା ଆମେ ଚିନ୍ତା କରିବା ଯୋଗୁଁ ସ୍ନାୟବିକ ସଂସ୍ଥିତିଗୁଡ଼ିକ ଏପରି ଭାବରେ କ୍ରିୟାଶୀଳ ହେଉଛନ୍ତି ଯେ ଘନୀଭୂତ ଅବସ୍ଥା ରୂପୀ ସ୍ଥାୟୀ ମାଧ୍ୟମରେ ତରଙ୍ଗାୟିତ ଆଲୋଡ଼ନ ସୃଷ୍ଟି ହେଉଛି । ଏପରି ଆଲୋଡ଼ନର ପରିଣତି ସ୍ଵରୂପ ତରଙ୍ଗ-ଫଳନର ପୂର୍ଣ୍ଣ ପତନ ଘଟୁଛି । ତରଙ୍ଗାୟିତ ଆଲୋଡ଼ନର ଏପରି ପୂର୍ଣ୍ଣ ପତନକୁ ‘କୋଲାପ୍‍ସ ଅଫ୍‍ ଦି ଓ୍ୱେଭ୍ ଫଙ୍କସନ୍’ କୁହାଯାଏ । ଏହା ଫଳରେ ଆମେ ଯେଉଁ ଘଟଣା ବା ସମସ୍ୟା ସମ୍ପର୍କରେ ଜାଣିବାକୁ ଚାହୁଁ, ତତ୍‍ସମ୍ପର୍କୀୟ ଚେତନା ଆମ ମାନସପଟରେ ଉଦ୍ଭାସିତ ହୁଏ । ମନର ବା ଚେତନାର ଏପରି କ୍ୱାଣ୍ଟମ୍ ରୂପକୁ ଆମେ ଯଦି ସ୍ପଷ୍ଟ ଭାବରେ ବୁଝି ପାରିବା, ତାହାହେଲେ ଆମେ ମନୁଷ୍ୟର ସ୍ମରଣ ଶକ୍ତି, ସୃଜନଶୀଳତା ଓ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ ଆଦି ବୈଶିଷ୍ଟ୍ୟ ସମ୍ପର୍କରେ ନିର୍ଭରଯୋଗ୍ୟ ଜ୍ଞାନ ଅର୍ଜନ କରିପାରିବା ।

 

ଦାନା ଜୋହରଙ୍କ ମତାନୁଯାୟୀ ଦେକାର୍ତ୍ତେ, ନିଉଟନ ଓ ଗାଲିଲିଓ ପ୍ରମୁଖ ଚିନ୍ତାନାୟକମାନେ ବସ୍ତୁ ଓ ମନକୁ ଦୁଇଟି ପୃଥକ୍ ପୃଥକ୍ ସଂସ୍ଥିତି ଭାବରେ ବିଚାର କରିଛନ୍ତି । ଏହା ହିଁ ସର୍ବବିଧ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଛି । ଜୂଡ଼ୀୟ-ଖ୍ରୀଷ୍ଟିଆନ ପରମ୍ପରାର ଅନୁଗାମୀମାନେ ସୁଦୀର୍ଘକାଳ ବ୍ୟାପୀ ମନର ଅଧିକାରୀ ମନୁଷ୍ୟକୁ ଈଶ୍ୱରଙ୍କ ପ୍ରତିରୂପ ଭାବରେ ବିଚାର କରିବା ପୂର୍ବକ ମନୁଷ୍ୟ ବାହ୍ୟ ଜଗତ ଉପରେ ପ୍ରାଦୁର୍ଭାବ ବିସ୍ତାର କରିବା ପାଇଁ ଅନୁକୂଳ ଆଦର୍ଶର ପ୍ରସାର ଘଟାଇଛନ୍ତି । ଅହଙ୍କାରୀ ସ୍ଵାର୍ଥାନ୍ଵେଷୀ ମନୁଷ୍ୟ ଏଥିପାଇଁ ବାହ୍ୟ ସଜୀବ ଓ ଜଡ଼ ଜଗତ ଉପରେ ଅପରିଣାମଦର୍ଶୀ ମାର୍ଗରେ ପ୍ରାଦୁର୍ଭାବ ବିସ୍ତାର କରିଛି ଏବଂ ଏହାର ପରିଣତି ସ୍ଵରୂପ ପରିବେଶୀୟ ପ୍ରଦୂଷଣ ଓ ପର୍ଯ୍ୟାବରଣର ଦାରୁଣ ଦୁର୍ଗତି ଜୀବମଣ୍ଡଳରେ ଆତଙ୍ଗପ୍ରଦ ପରିସ୍ଥିତ ସୃଷ୍ଟି କରିଛି । ଦାନା ଜୋହରଙ୍କ ମତାନୁଯାୟୀ ମନ ଓ ବସ୍ତୁ ଅଭିନ୍ନ । ପ୍ରକୃତିର କୌଣସି ସ୍ଥାନରେ ଶୂନ୍ୟସ୍ଥାନ ନାହିଁ । ଯାହାକୁ ଆମେ ଶୂନ୍ୟସ୍ଥାନ ବୋଲି ଭାବୁଛୁ, ତାହା ପ୍ରକୃତରେ କ୍ୱାଣ୍ଟମ୍ ବିଚାର ଅନୁଯାୟୀ ବସ୍ତୁ ଓ ଶକ୍ତିର ଏକ ବିଚିତ୍ର ଅବସ୍ଥା । ସେ ଏହାକୁ ‘କ୍ୱାଣ୍ଟମ୍ ଭାକୁମ୍’ ବା କ୍ୱାଣ୍ଟମ୍‍ ଶୂନ୍ୟତା ନାମରେ ଅଭିହିତ କରିବା ସଙ୍ଗେ ସଙ୍ଗେ ଏହି ଶୂନ୍ୟତା ମଧ୍ୟରେ ବସ୍ତୁ ଓ ଶକ୍ତିର ଲୀଳା ସମ୍ପର୍କରେ ଉପଭୋଗ୍ୟ ବର୍ଣ୍ଣନା ପ୍ରଦାନ କରିଛନ୍ତି । କ୍ୱାଣ୍ଟମ୍ ଭାକୁମରେ ମଧ୍ୟ ବୋଷ-ଆଇନ୍‍ଷ୍ଟାଇନ୍ ଘନୀଭୂତ ଅବସ୍ଥା ସୃଷ୍ଟି ହୋଇଛି ଏବଂ ସେଠାରେ ମଧ୍ୟ ତରଙ୍ଗାୟିତ ଆଲୋଡ଼ନର ପରିଣତି ସ୍ୱରୂପ ତରଙ୍ଗ-ଫଳନର ପୂର୍ଣ୍ଣ ପତନ ଘଟୁଛି ।

 

କ୍ୱାଣ୍ଟମ ଭାକୁମକୁ ସେ ଯେପରି ଭାବରେ ବର୍ଣ୍ଣନା କରିଛନ୍ତି ତାହାକୁ ଆମେ ହିନ୍ଦୁ ଦର୍ଶନାନୁଯାୟୀ ପରମାତ୍ମା ଭାବରେ ଏବଂ ମଣିଷର ମାନସିକ ସଂସ୍ଥିତିକୁ ସେ ଯେଉଁ କ୍ୱାଣ୍ଟମ୍ ରୂପ ଦେଇଛନ୍ତି ତାହାକୁ ଆତ୍ମା ଭାବରେ ବିଚାର କରି ପାରିବା । ତାଙ୍କ ମତାନୁଯାୟୀ କ୍ୱାଣ୍ଟମ୍ ଭାକୁମ୍‍ସ୍ଥିତ ବୋଷ-ଆଇନଷ୍ଟାଇନ ଘନୀଭୂତ ଅବସ୍ଥା ଓ ପ୍ରତ୍ୟେକ ମଣିଷର ମସ୍ତିଷ୍କସ୍ଥିତ ତଦନୁରୂପ ସଂସ୍ଥିତି ମଧ୍ୟରେ ବସ୍ତୁ-କଣିକା ଗୁଡ଼ିକ ଜରିଆରେ ଅନ୍ତଃକ୍ରିୟା ସମାହିତ ହେଉଛି । ସଜୀବ ବା ନିର୍ଜୀବ ନିର୍ବିଶେଷରେ ସବୁ ବସ୍ତୁ ଏକାଭଳି କଣିକାଗୁଡ଼ିକର ବହୁବିଧ ସମାହାରରେ ଗଠିତ ହୋଇଥିବାରୁ ସମସ୍ତଙ୍କଠାରେ ଏପରି ଅନ୍ତଃକ୍ରିୟା ସମାହିତ ହେଉଛି । ଏହି ପ୍ରକ୍ରିୟାକୁ ସେ ଡାଇନାମିକ ଇଭୋଲ୍ୟୁସନ ବା ଗତିଶୀଳ ବିବର୍ତ୍ତନ ପ୍ରକ୍ରିୟା ଭାବରେ ଚିତ୍ରଣ କରିଛନ୍ତି । ମନ ଓ ବାହ୍ୟ ଜଗତ ମଧ୍ୟରେ, ଅଥବା ଆତ୍ମା ଓ ପରମାତ୍ମା ମଧ୍ୟରେ, ଏ ପ୍ରକାର ଯେଉଁ ଅନ୍ତଃକ୍ରିୟା ଚାଲିଛି ତାହା ସମସ୍ତଙ୍କୁ ପରସ୍ପର ସହିତ ବାନ୍ଧି ରଖିଛି ଏବଂ ସର୍ବବିଧ ପରିବର୍ତ୍ତନ ପାଇଁ ଦାୟୀ ହୋଇଛି ।

 

ସେ ସୂଚାଉଛନ୍ତି ଯେ ଆମେ ଯଦି ବିଚାର କରିବା ଯେ ସୃଷ୍ଟିକର୍ତ୍ତା ପରମେଶ୍ୱର ଦୂରରେ ଥାଇ ବିଗ୍ ବ୍ୟାଙ୍ଗ୍ ଜରିଆରେ ଏ ବିଶ୍ୱକୁ ସୃଷ୍ଟି କରିଛନ୍ତି ଏବଂ ତତ୍ପରେ କେବଳ ଜଣେ ପର୍ଯ୍ୟବେକ୍ଷକ ଭାବରେ ଏହାର ବିବର୍ତ୍ତନକୁ ଉପଭୋଗ କରୁଛନ୍ତି, ତାହାହେଲେ ଏ ରୂପ ଈଶ୍ଵରଙ୍କ ପ୍ରତି ଆମ ମନରେ କାହିଁକି ବା ଭକ୍ତି ବା ଶ୍ରଦ୍ଧା ଭାବରେ ଜାଗରଣ ଘଟିବ ? ଆଧୁନିକ ବିଜ୍ଞାନ ଈଶ୍ୱରଙ୍କୁ ଏପରି ଏକ ଆସନରେ ଅଧିଷ୍ଠିତ କରାଇଥିବା ଯୋଗୁଁ ହିଁ ମନୁଷ୍ୟ ଆଧ୍ୟାତ୍ମିକ ଚିନ୍ତନ ପ୍ରତି ବୀତସ୍ପୃହ ହୋଇଛି । ତାଙ୍କ କ୍ୱାଣ୍ଟମ୍ ବିଚାର ଅନୁଯାୟୀ ଈଶ୍ୱର ସର୍ବତ୍ର ବିଦ୍ୟମାନ । ପ୍ରତ୍ୟେକ ଘନୀଭୂତ ଅବସ୍ଥା ଉପରେ ବସ୍ତୁ ଓ ଶକ୍ତିର ତରଙ୍ଗାୟିତ ଆଲୋଡ଼ନର ଫଳ ସ୍ୱରୂପ ମନୁଷ୍ୟ ଯେଉଁ ଚେତନାର ଅଧିକାରୀ ହେଉଛି, ତାହା ହିଁ ତା’କୁ ନିଜ ସମ୍ପର୍କରେ ଓ ବାହ୍ୟ ଜଗତ ସମ୍ପର୍କରେ ସଚେତନ କରାଉଛି । ଏହି ବିଚିତ୍ର ଘନୀଭୂତ ଅବସ୍ଥାକୁ ଈଶ୍ୱରଙ୍କ ସତ୍ତା ଭାବରେ ବିଚାର କରିବା ଦ୍ୱାରା ଆମେ ଜୈବିକ ବିବତ୍ତନ ଓ ସାଂସ୍କୃତିକ ବିବର୍ତ୍ତନର ରହସ୍ୟ ଭେଦ କରି ପାରିବା ଏବଂ ବିବର୍ତ୍ତନ ପ୍ରକ୍ରିୟାକୁ ଜୀବ ଜଗତର କଲ୍ୟାଣ ସାଧନ ଦିଗରେ ଠିକଣା ପଥର ଅନୁଗାମୀ କରାଇ ପାରିବା ।

 

ବ୍ୟକ୍ତି ଓ ସମାଜ ମଧ୍ୟରେ ସମ୍ପର୍କ ତଥା ମନୁଷ୍ୟ ଓ ବାହ୍ୟ ଜଗତ ମଧ୍ୟରେ ସମ୍ପର୍କକୁ ଠିକଣା ଭାବରେ ବୁଝିବା ପାଇଁ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ଚିନ୍ତନ ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି-। ତାଙ୍କ ମତାନୁଯାୟୀ ମନସ୍ତତ୍ତ୍ଵର କ୍ୱାଣ୍ଟମ୍ ରୂପ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ପାଇବା ପରେ ହିଁ ବିଜ୍ଞାନସମ୍ମତ ବା ତର୍କସଙ୍ଗତ ବିଚାର ବଳରେ ଆମେ ବ୍ୟକ୍ତିତ୍ୱ ଗଠନ ବ୍ୟାପାରରେ ତଥା ସର୍ବବିଧ ସାମାଜିକ ଓ ସାଂସ୍କୃତିକ ପ୍ରକ୍ରିୟାଗୁଡ଼ିକରେ କଳା, ଧର୍ମ ଓ ବିଜ୍ଞାନର ପରିପୂରକ ଭୂମିକା ସମ୍ପର୍କରେ ଠିକଣା ଜ୍ଞାନର ଅଧିକାରୀ ହୋଇ ପାରିବା ।

 

ସେ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ କୌଣସି ସହଜ ପନ୍ଥା ଅବଲମ୍ବନରେ ଆଧୁନିକ ଯୁଗର ମନୁଷ୍ୟକୁ କୌଣସି ଅଭିନବ ଯୁଗାଦର୍ଶ ଦ୍ୱାରା ଦୀକ୍ଷିତ କରାଇବା ସମ୍ଭବ ନୁହେଁ । କାପ୍ରା, ବୋହମ ଓ ଜୁକଭ ପ୍ରମୁଖ ବୁଦ୍ଧିଜୀବୀମାନେ ଲଘୁକରଣ ପ୍ରକ୍ରିୟା ନିର୍ଭରଶୀଳ ବିଜ୍ଞାନକୁ ଗଭୀର ଧ୍ୟାନ ଓ ଯୋଗ ନିର୍ଭରଶୀଳ ପ୍ରାଚ୍ୟ ଦର୍ଶନ ସହିତ ସମନ୍ୱିତ କରାଇବାର ଯେଉଁ ଅପଚେଷ୍ଟା ଚଳାଇଛନ୍ତି, ତାହାକୁ ସେ ‘ବ୍ୟାଡ଼୍ ଫିଜିକ୍‍ସ’ ବା ‘ମନ୍ଦ ପଦାର୍ଥବିଜ୍ଞାନ’ ଭାବରେ ବିଚାର କରୁଛନ୍ତି । କାରଣ, ଆନୁଭବିକ ଜ୍ଞାନ ଓ ଆତ୍ମୋପଲବ୍‍ଧି ନିର୍ଭରଶୀଳ ଆଧ୍ୟାତ୍ମିକ ଚିନ୍ତନକୁ ଗୋଟିଏ ବର୍ଣ୍ଣାଳିର ଅନ୍ତର୍ଭୁକ୍ତ କରାଯାଇ ପାରିବ ନାହିଁ । କେବଳ ମନସ୍ତତ୍ତ୍ଵର ଅସଲ ବୈଜ୍ଞାନିକ ରୂପ ସମ୍ବନ୍ଧରେ ନିର୍ଭରଯୋଗ୍ୟ ଜ୍ଞାନ ଅର୍ଜନ କରିବା ପରେ ହିଁ ଏ ପ୍ରକାର ତୁଳନାତ୍ମକ ବା ସଂଶ୍ଳେଷଣାତ୍ମକ ବିଚାର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ ।

 

ଏହି ଉପଭୋଗ୍ୟ ପୁସ୍ତକଟିର ରସାସ୍ୱାଦନ କରିବା ଦ୍ୱାରା ଆମେ କ୍ୱାଣ୍ଟମ୍ ବିଚାରର ତାତ୍ପର୍ଯ୍ୟ ସମ୍ପର୍କରେ ଅବଧାରିତ ହେବା ସଙ୍ଗେ ସଙ୍ଗେ ପ୍ରକୃତିର ସନ୍ତାନ ଭାବରେ ପ୍ରକୃତିର ସୁରକ୍ଷା ଦିଗରେ ନିଜ ନିଜ ଦାୟିତ୍ଵ ସମ୍ପର୍କରେ ଏକ ବ୍ୟାପକ ଦୃଷ୍ଟିକୋଣରୁ ପ୍ରଗାଢ଼ ଚିନ୍ତା କରିବାକୁ ପ୍ରେରଣା ପାଇପାରିବା ।

☆☆☆

 

ସତ୍ୟାନୁସନ୍ଧାନ ଓ ସୌନ୍ଦର୍ଯ୍ୟବୋଧ

 

TRUTH AND BEAUTY:

AESTHETICS AND MOTIVATIONS IN SCIENCE

By

S Chandrasekhar

Viking, Penguin India, 1991

 

ସୁବ୍ରମଣ୍ୟନ ଚନ୍ଦ୍ରଶେଖର ଆମ ଜାତୀୟ ସୃଷ୍ଟିଶୀଳ ପ୍ରତିଭାର ଏକ ମୂର୍ତ୍ତିମନ୍ତ ଜାଜ୍ୱଲ୍ୟମାନ ପ୍ରତୀକ । ୧୯୧୦ ମସିହାରେ ଭୂମିଷ୍ଠ ଏହି ଭାରତୀୟ ଚିନ୍ତାନାୟକ ବିଗତ ପ୍ରାୟ ଛ’ ଦଶନ୍ଧି ବ୍ୟାପୀ ପଦାର୍ଥବିଜ୍ଞାନ, ଗଣିତ ଶାସ୍ତ୍ର ଓ ଜ୍ୟୋତିଃ ପଦାର୍ଥବିଜ୍ଞାନର ସମୃଦ୍ଧି ସାଧନ ଦିଗରେ ଆତ୍ମୋତ୍ସୃଷ୍ଟ ଜୀବନ ବିତାଇବା ଅବସରରେ ନିଜକୁ ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଭାବରେ ପ୍ରତିଷ୍ଠିତ କରାଇ ପାରିଛନ୍ତି । ଏହି ବର୍ଷୀୟାନ ବୈଜ୍ଞାନିକଙ୍କ ଓଜସ୍ୱିନୀ ପ୍ରତିଭାର ସମ୍ୟକ ମୂଲ୍ୟାୟନ କରାଯାଇଛି । ନୋବେଲ ପୁରସ୍କାର ସମେତ ପୃଥିବୀର ବିଭିନ୍ନ ଦେଶର ବିଶ୍ଵବିଦ୍ୟାଳୟ ତରଫରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ସମ୍ମାନସୂଚକ ଉପାଧି ପ୍ରଦାନ କରାଯାଇଛି । ସତ୍ୟାନୁସନ୍ଧାନକୁ ଜୀବନର ଏକନିଷ୍ଠ ବ୍ରତ ଭାବରେ ଅବଲମ୍ବନ କରିଥିବା ଏହି ଋଷିପ୍ରତିମ ବୈଜ୍ଞାନିକଙ୍କର ବିଜ୍ଞାନ ଜଗତକୁ ମହନୀୟ ଅବଦାନ ସମ୍ପର୍କରେ ଏହ ଆଲୋଚନା ଉଦ୍ଦିଷ୍ଟ ହୋଇନାହିଁ । ବିଜ୍ଞାନର ବୈଶିଷ୍ଟ୍ୟ ଓ ଦର୍ଶନ, ବୈଜ୍ଞାନିକ କ୍ରିୟାଶୀଳତାର ଉତ୍ସ ଓ ପରିପାଟୀ, କଳାତ୍ମକ ଓ ବୈଜ୍ଞାନିକ ଉଦ୍ଭାବନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ, ମୁକ୍ତ ଭାବରେ ବୈଜ୍ଞାନିକ ଗବେଷଣା ଚଳାଇବା ପାଇଁ ଦରକାରୀ ପରିବେଶ ସମ୍ପର୍କରେ ଆମ ଅମଳର ଏହି ତୁଙ୍ଗ ଚିନ୍ତାନାୟକ ‘ଟ୍ରୁଥ୍ ଆଣ୍ଡ ବିଉଟି’ ଶୀର୍ଷକ ଏକ ଭାବୋଦ୍ଦୀପକ ତଥା ଶିକ୍ଷଣୀୟ ପୁସ୍ତକରେ ଯେଉଁ ମତ ବ୍ୟକ୍ତ କରିଛନ୍ତି, ତତ୍‍ସମ୍ପର୍କୀୟ ଚୁମ୍ବକୀୟ ସୂଚନା ଯୋଗାଇଦେବା ହିଁ ଏହି ସଂକ୍ଷିପ୍ତ ଆଲୋଚନାର ଆଭିମୁଖ୍ୟ ।

 

୧୯୪୬ ମସିହା ଠାରୁ ୧୯୮୬ ମସିହା ମଧ୍ୟରେ, ଅର୍ଥାତ୍ ପ୍ରାୟ ଚାରି ଦଶନ୍ଧି ଅବସରରେ, ଚନ୍ଦ୍ରଶେଖର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣାତ୍ମକ ପ୍ରତିଷ୍ଠାନ ଦ୍ଵାରା ଆମନ୍ତ୍ରିତ ହୋଇ ଯେଉଁ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣଗୁଡ଼ିକ ଦ୍ୱାରା ବିଦଗ୍‍ଧ ଶ୍ରୋତୃବର୍ଗଙ୍କୁ ବିମୁଗ୍‍ଧ କରାଇଥିଲେ, ଆଲୋଚ୍ୟ ପୁସ୍ତକଟିରେ ତନ୍ମଧ୍ୟରୁ ସାତଟି ସୁନିର୍ବାଚିତ ଭାଷଣ ସନ୍ନିବିଷ୍ଟ ହୋଇଛି । ସୁପ୍ରସିଦ୍ଧ ଚିକାଗୋ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୧୯୪୬ ମସିହାଠାରୁ 'ଓ୍ୱାର୍କ୍‍ସ ଅଫ୍ ଦି ମାଇଣ୍ଡ’ ଶୀର୍ଷକ ଏକ ବକ୍ତୃତାମାଳାର ଆୟୋଜନ କରାଯାଇଛି । ୧୯୮୬ ମସିହା ମଧ୍ୟରେ ଚନ୍ଦ୍ରଶେଖର ଏହି ଅନୁଷ୍ଠାନରେ ତିନିଟି ଭାଷଣ ଦେଇଛନ୍ତି । ସହଧର୍ମୀ ତଥା ସ୍ୱନାମଧନ୍ୟ ଜ୍ୟୋତିଃ ପଦାର୍ଥବିଜ୍ଞାନୀ ଏଡ଼୍ଓ୍ୱାର୍ଡ଼ ଆର୍ଥର ମିଲନେ, ସାର ଆର୍ଥର ଷ୍ଟାନଲେ, ଏଡ଼ିଙ୍ଗଟନ ଓ କାର୍ଲସ୍ୱାର୍ଜ ଚାଇଲ୍ଡ଼ଙ୍କ ଗବେଷଣାର ମହତ୍ତ୍ୱ ଓ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଯେଉଁ ତିନିଟି ପ୍ରବନ୍ଧ ଏହି ପୁସ୍ତକରେ ସ୍ଥାନ ପାଇଛି, ତାହାକୁ ଅବଶ୍ୟ ସାର୍ବତ୍ରିକ ଆପେକ୍ଷିକ ତତ୍ତ୍ଵାନୁରାଗୀ ପଦାର୍ଥବିଜ୍ଞାନର ଛାତ୍ରଛାତ୍ରୀମାନେ ଠିକଣା ଭାବରେ ବୁଝି ପାରିବେ । ଏହି ତିନିଟି ପ୍ରବନ୍ଧରେ ପ୍ରଦତ୍ତ ଗାଣିତିକ ବ୍ୟାଖ୍ୟାକୁ ବାଦ ଦେଇ ଯେ କୌଣସି ରସଗ୍ରାହୀ ପାଠକ ଏଗୁଡ଼ିକୁ ଯଦି ପାଠ କରନ୍ତି, ତାହାହେଲେ ସେମାନେ ଉକ୍ତ ବୈଜ୍ଞାନିକମାନଙ୍କ ବୌଦ୍ଧିକତାର ଚରମ ବିକାଶ ଓ ଅଭିବ୍ୟକ୍ତିର ତାତ୍ପର୍ଯ୍ୟକୁ ମଧ୍ୟ ଠିକଣା ଭାବରେ ହୃଦୟଙ୍ଗମ କରିପାରିବେ ।

 

ଅବଶିଷ୍ଟ ଚାରିଟି ପ୍ରବନ୍ଧର ନାମ ହେଉଛି : ‘ଦି ସାଇଣ୍ଟିଷ୍ଟ’ (୧୯୪୬), ‘ଦି ପର୍ସୁଇଟ୍ ଅଫ୍ ସାଇନ୍‍ସ : ଇଟ୍‍ସ ମୋଟିଭେସନ୍‍ସ’ (୧୯୮୫), ‘ସାକ୍‍ସପିଅର୍, ନିଉଟନ ଆଣ୍ଡ ବିଥୋଭେନ : ପ୍ୟାଟର୍ଣ୍ଣସ ଅଫ୍ କ୍ରିଏଟିଭିଟି’ (୧୯୭୫) ଏବଂ ‘ବିଉଟି ଆଣ୍ଡ୍‍ ଦି କ୍ୱେଷ୍ଟ, ଫର୍ ବିଉଟି ଇନ୍‍ ସାଇନସ' (୧୯୭୯) । କେଉଁ ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ବୈଜ୍ଞାନିକ କୁହାଯିବ ? ସାହିତ୍ୟିକ, ସଙ୍ଗୀତଜ୍ଞ ବା ହସ୍ତଶିଳ୍ପୀମାନଙ୍କ ଠାରୁ ବୈଜ୍ଞାନିକଙ୍କୁ ପୃଥିକ ଭାବରେ ବିଚାର କରାଯିବାର ଯଥାର୍ଥତା ଅଛି କି ? ସୃଷ୍ଟିଶୀଳ କ୍ରିୟାଶୀଳତାର ଉତ୍ସ କେଉଁଠି ? ବିଭିନ୍ନ ପରିପାଟୀ ସଂପନ୍ନ କଳାତ୍ମକ ତଥା ବୈଜ୍ଞାନିକ କ୍ରିୟାଶୀଳତାର ଜନ୍ମଦାତ୍ରୀ କିଏ ? ମହାନୁଭବୀ ଚନ୍ଦ୍ରଶେଖର ଏହି ସମସ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ତଥା କୌତୂହଳୀ ପ୍ରଶ୍ନର ଉତ୍ତର ଦେବାପାଇଁ ସବୁ ପ୍ରବନ୍ଧରେ ଊଣା ଅଧିକେ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ପୁସ୍ତକଟିକୁ ପାଠ କରିବା ଦ୍ୱାରା ଆମେ ତାଙ୍କର ବହୁଶାସ୍ତ୍ରଦର୍ଶିତା, କ୍ଳାସିକାଲ ଇଂରାଜୀ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ, ସୂକ୍ଷ୍ମଦର୍ଶିତା ଓ ବିଚକ୍ଷଣ ଅବବୋଧର ସମ୍ୟକ ପରିଚିତ ପାଇପାରିବା । ସେ ସୂଚାଇଛନ୍ତି ଯେ ଏହି ଆପତତଃ ଅନନ୍ତ ପରିବ୍ୟାପ୍ତ ଦୃଶ୍ୟବହୁଳ ବିଚିତ୍ରବର୍ଣ୍ଣା ବିଶ୍ୱର ଅପରୂପ ଶୋଭା ସଂଭାର ହିଁ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ସମ୍ମୋହିତ କରେ । ପ୍ରାକୃତିକ କ୍ରିୟାଶୀଳତାର ନିୟମାନୁବର୍ତ୍ତିତା, ଛନ୍ଦବଦ୍ଧତା ସୁ-ସଂଯୋଜିତ ଶୃଙ୍ଖଳାର ରହସ୍ୟ ଭେଦ ପାଇଁ ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବ୍ୟକ୍ତିମାନେ ନିଜ ନିଜ ଅନନ୍ୟ ବୌଦ୍ଧିକତାର ସଦୁପଯୋଗ କରନ୍ତି । ସୌନ୍ଦର୍ଯ୍ୟବୋଧ ହିଁ ସତ୍ୟାନୁସନ୍ଧାନର ଜନ୍ମଦାତ୍ରୀ ଭାବରେ ସେମାନଙ୍କୁ କର୍ମ-ପ୍ରେରଣା ଯୋଗାଇଦିଏ । ଚଳିତ ଶତାବ୍ଦୀର ବହୁ ଯୋଗଜନ୍ମା ମହାମତି ବୈଜ୍ଞାନିକଙ୍କ ସହିତ ପ୍ରତ୍ୟକ୍ଷ ଭାବ ବିନିମୟ କରି ସେ ସେମାନଙ୍କ କ୍ରିୟାଶୀଳତାର ଉତ୍ସ ସମ୍ପର୍କରେ ତଥା ସେମାନଙ୍କ ଗବେଷଣାର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଅବଧାରିତ ହୋଇଛନ୍ତି । ବିଭିନ୍ନ ପ୍ରବନ୍ଧରେ ସେ ଏହି ଚିନ୍ତାନାୟକମାନଙ୍କ ମୁଖ ନିଃସୃତ ବାଣୀକୁ ଚିତ୍ତାକର୍ଷକ ତଥା ଉପଭୋଗ୍ୟ ମାର୍ଗରେ ଉପସ୍ଥାପନା କରିଥିବାରୁ ପ୍ରବନ୍ଧଗୁଡ଼ିକ ସମକାଳୀନ ଭାବରେ ମନୋଜ୍ଞ ତଥା ସୁଖପାଠ୍ୟ ହୋଇଛି । କ୍ଵାଣ୍ଟମ ଯାନ୍ତ୍ରିକୀର ଆଦ୍ୟ ବିକାଶ ପର୍ବରେ ହାଇଜେନବର୍ଗଙ୍କ ମହନୀୟ ଅବଦାନ, ସାର୍ବତ୍ରିକ ଆପେକ୍ଷିକ ତତ୍ତ୍ୱ ପ୍ରତିଷ୍ଠା ପାଇଁ ଆଇନଷ୍ଟାଇନଙ୍କ ସତ୍ୟାନୁସନ୍ଧାନର ସ୍ୱାତନ୍ତ୍ର୍ୟ, ଗଜ ଥିଓରି ପ୍ରତିଷ୍ଠା ବ୍ୟାପାରରେ ଓ୍ୱିଲଙ୍କ ଅନନ୍ୟ ବୌଦ୍ଧିକତା ପ୍ରଭୃତି ଦୃଷ୍ଟାନ୍ତ ଅବଲମ୍ବନରେ ଚନ୍ଦ୍ରଶେଖର ସୂଚାଇଛନ୍ତି ଯେ ସୌନ୍ଦର୍ଯ୍ୟାନୁରାଗ ହିଁ ଏମାନଙ୍କୁ ଯୁଗାନ୍ତକାରୀ ମାର୍ଗରେ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ ବ୍ୟାପାରରେ ସ୍ୱତନ୍ତ୍ର ପ୍ରକାରେ କର୍ମପ୍ରବଣ କରାଇଛି । ସେ ସୂଚାଇଛନ୍ତି ଯେ ସତ୍ୟାନୁସନ୍ଧାନ ପର୍ଯ୍ୟବେସିତ ବୈଜ୍ଞାନିକ ସତ୍ୟକୁ ପ୍ରତିଷ୍ଠା କରିବା କ୍ଷେତ୍ରରେ ବୈଜ୍ଞାନିକମାନେ ମଧ୍ୟ ଅନ୍ୟାନ୍ୟ ବୁଦ୍ଧିଜୀବୀମାନଙ୍କ ଭଳି ଈର୍ଷା, ଅସୂୟା ଓ ମତାନୈକ୍ୟର ସମ୍ମୁଖୀନ ହୁଅନ୍ତି । ସେମାନେ ମଧ୍ୟ ଅନ୍ୟମାନଙ୍କ ଭଳି ନିଜ ନିଜର ମତକୁ ଜାହିର କରାଇବା ପାଇଁ ଲାଳାୟିତ ହୁଅନ୍ତି ଏବଂ କେତେକ ଅଶୋଭନୀୟ ପରିସ୍ଥିତିର ତାଡ଼ନାରେ ନିଜ ନିଜକୁ ଅସହାୟ ଅନୁଭବ କରନ୍ତି । ମାତ୍ର ସତ୍ୟାନୁସନ୍ଧାନ ରୂପୀ ମହତ୍ତର ଅନ୍ତହୀନ ପ୍ରକ୍ରିୟା ସହ ନିବିଡ଼ ଭାବରେ ଜଡ଼ିତ ମହାମତି ଚିନ୍ତାନାୟକମାନେ ସତ୍ୟ ପ୍ରତିଷ୍ଠା ବ୍ୟାପାରରେ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାର ବଶବର୍ତ୍ତୀ ହୋଇଥିବାରୁ ସେମାନଙ୍କ ଅବଦାନକୁ ନିର୍ବ୍ୟକ୍ତିକ ତଥା ସାର୍ବତ୍ରିକ ଭାବରେ ମୂଲ୍ୟାୟନ କରାଯିବା ସମ୍ଭବ ହୁଏ ।

 

ଚନ୍ଦ୍ରଶେଖର ବୁଝାଇଛନ୍ତି ଯେ ସୌନ୍ଦର୍ଯ୍ୟବୋଧ ହିଁ ସର୍ବବିଧ ସୃଷ୍ଟିଶୀଳ କ୍ରିୟାଶୀଳତାର ଉତ୍ସ । ମାତ୍ର ସଙ୍ଗୀତ, ସାହିତ୍ୟ, ଚାରୁକଳା ଓ ବିଜ୍ଞାନ ସହ ସଂପୃକ୍ତ ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବ୍ୟକ୍ତିମାନଙ୍କ ପ୍ରତିଭାର ଅଭିବ୍ୟକ୍ତି ବା ପରିପ୍ରକାଶ ଭିନ୍ନ ଭିନ୍ନ ହେବା ସ୍ୱାଭାବିକ । ଏହି ସୌନ୍ଦର୍ଯ୍ୟାନୁରାଗୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ପ୍ରକାରେ ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରନ୍ତି । ରସାସ୍ୱାଦନରେ ବା ଅନୁଭୂତିରେ ପାର୍ଥକ୍ୟ ଥିବା ହେତୁ ତାହାର ପରିପ୍ରକାଶରେ ମଧ୍ୟ ଅନୁରୂପ ପାର୍ଥକ୍ୟ ପରିଲକ୍ଷିତ ହୁଏ । ସାକ୍‍ସପିଅର, ନିଉଟନ ଓ ବିଥୋଭେନଙ୍କ ଜୀବନୀ, ବୌଦ୍ଧିକତାର କ୍ରମବିକାଶ ଏବଂ ମାନବୀୟ ସଂସ୍କୃତିର ଉତ୍ତରଣ ଦିଗରେ ସେମାନଙ୍କ ମହନୀୟ ଅବଦାନ ସମ୍ପର୍କରେ ତୁଳନାତ୍ମକ ବିଚାର ଚଳାଇ ସେ ଦର୍ଶାଇଛନ୍ତି ଯେ ଏମାନଙ୍କ ସୃଷ୍ଟିଶୀଳତାର ଉତ୍ସ ଏକାଭଳି ହୋଇଥିଲେ ମଧ୍ୟ ଭାବାଭିବ୍ୟକ୍ତିର ପରିପାଟୀ ଭିନ୍ନ ଭିନ୍ନ ହୋଇଛି । ଅଭିବ୍ୟକ୍ତିର ବିଭିନ୍ନତା ସମ୍ପର୍କରେ ସେ ନିଜ ଉପଲବ୍‍ଧି ପର୍ଯ୍ୟବସିତ କୌଣସି ସ୍ପଷ୍ଟୀକରଣ ପ୍ରଦାନ କରିନାହାନ୍ତି-। ସମ୍ଭବତଃ ଏହା ତାଙ୍କ ସଦାବିନୟୀ ମନୋଭାବର ପରିଚାୟକ । ବଡ଼ ଯଶସ୍ୱୀ କବି, ଲେଖକ ଓ ବୈଜ୍ଞାନିକଙ୍କ ମତକୁ ଉଦ୍ଧାରକରି ସେ ସର୍ଜନାତ୍ମକ ପ୍ରକ୍ରିୟାର ଉତ୍ସ ଓ ବୈଶିଷ୍ଟ୍ୟ ସଂପର୍କରେ ବ୍ୟାଖ୍ୟା ପ୍ରଦାନ କରିଛନ୍ତି ।

 

ଚନ୍ଦ୍ରଶେଖର କ୍ଷୋଭ ପ୍ରକାଶ କରିଛନ୍ତି ଯେ ଦ୍ଵିତୀୟ ମହାଯୁଦ୍ଧୋତ୍ତର କାଳଠାରୁ କୌଣସି ଗବେଷକ ନିଜ ଅବବୋଧ, ଅନ୍ତଃଦୃଷ୍ଟି ଓ କଳ୍ପନାପ୍ରବଣତା ବଳରେ ସ୍ଵେଚ୍ଛାରେ କୌଣସି ଏକ ସମସ୍ୟାର ସମାଧାନ ଦିଗରେ ଗବେଷଣା ଚଳାଇବା କ୍ଷେତ୍ରରେ ଆର୍ଥିକ ଅନୁଦାନ ଦୃଷ୍ଟିରୁ ଗୁରୁତର ଅନ୍ତରାୟ ସୃଷ୍ଟି ହେଉଛି । ଆର୍ଥିକ ପୃଷ୍ଠପୋଷକତା ମୁକ୍ତ ଚିନ୍ତନର ପଥରୋଧ କରୁଛି । ହାର୍ଡ଼ ସାଇନ୍‍ସ ଓ ବିଗ୍ ସାଇନ୍‍ସ ପ୍ରତି ଯେଉଁ ପ୍ରକାର ପ୍ରାଧାନ୍ୟ ଆରୋପିତ ହେଉଛି, ସରକାରୀ ତଥା ବୃହତ୍ ବେସରକାରୀ ସଂସ୍ଥାର କର୍ଣ୍ଣଧାରମାନେ ତାହାର ନିୟନ୍ତ୍ରକ ସାଜୁଛନ୍ତି । କେଉଁ ପ୍ରକାର ଗବେଷଣା ପାଇଁ କାହାକୁ କେତେ ପରିମାଣର ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ତାହା ଗବେଷକମାନଙ୍କ ଇଚ୍ଛା ଉପରେ ନିର୍ଭର କରୁନାହିଁ । ଉପରିସ୍ଥ ନେତୃବର୍ଗ ଓ ପ୍ରଶାସକମାନଙ୍କ ଅନୁମୋଦନ କ୍ରମେ କୌଣସି ଏକ ଗବେଷକମଣ୍ଡଳି ସହିତ ନିଜକୁ ସାମିଲ କରାଇବା ପାଇଁ ଗବେଷକମାନେ ବାଧ୍ୟ ହୋଇଛନ୍ତି । ପୂର୍ବରୁ ଗାଲିଲିଓ, ନିଉଟନ, ଫାରାଡ଼େ ପ୍ରମୁଖ ବୈଜ୍ଞାନିକମାନେ ସ୍ୱେଚ୍ଛାରେ ଯେପରି ମୁକ୍ତ ଚିନ୍ତନ ବଳରେ ମୌଳିକ ବିଜ୍ଞାନର ସମୃଦ୍ଧି ସାଧନ କରୁଥିଲେ, ସେହି ପରମ୍ପରାର ଅବସାନ ଘଟୁଥିବା ପରି ଜଣାପଡ଼ୁଛି । ପ୍ରସଙ୍ଗକ୍ରମେ ଆମେ ବୁଝିବାର କଥା ଯେ ଚନ୍ଦ୍ରଶେଖର ବରାବର କନଫର୍ମିଷ୍ଟ ଭୂମିକାକୁ ଅସ୍ୱୀକାର କରିଛନ୍ତି । ସେ ନିଜ ଇଚ୍ଛା ମୁତାବକ ତାତ୍ତ୍ୱିକ ଗବେଷଣା ଚଳାଇ ପଦାର୍ଥ ବିଜ୍ଞାନ, ଗଣିତ ଶାସ୍ତ୍ର ଓ ଜ୍ୟୋତିଃ ପଦାର୍ଥବିଜ୍ଞାନର ଗୋଟିଏ ଗୋଟିଏ ସମସ୍ୟା ସମ୍ପର୍କରେ ପର୍ଯ୍ୟାପ୍ତ ଆଲୋକପାତ କରିଛନ୍ତି । ଗୋଟିଏ ସମସ୍ୟା ସମ୍ପର୍କରେ ନିଜେ ତଥା ନିଜ ସହଯୋଗୀ ଗବେଷକମାନଙ୍କ ଗହଣରେ ପର୍ଯ୍ୟାପ୍ତ ଗବେଷଣା ଚଳାଇବା ପରେ ସେ ତତ୍‍ସମ୍ପର୍କୀୟ ଗୋଟିଏ ପୁସ୍ତକ ରଚନା କରନ୍ତି । ଏହାପରେ ସେ ନିଜ ମନଲାଖି ଆଉ ଗୋଟିଏ ସମସ୍ୟା ସମ୍ପର୍କରେ ଗବେଷଣା ଆରମ୍ଭ କରନ୍ତି । ଏପରି ଭାବରେ ଗବେଷଣା ଚଳାଇ ମୌଳିକ ବିଜ୍ଞାନ ଜଗତକୁ ସମୃଦ୍ଧ କରିବା ଅବସରରେ ସେ ଅନ୍ୟୂନ ସାତଟି ଅମୂଲ୍ୟ ଗ୍ରନ୍ଥ ରଚନା କରିଛନ୍ତି । ସତ୍ୟନିଷ୍ଠତା ଭିତ୍ତିକ ସ୍ଵତଃପ୍ରବୃତ୍ତ ଅବିରତ ସାଧନା ହିଁ ତାଙ୍କୁ ଗବେଷକ ଜୀବନରେ ଆତ୍ମପ୍ରସାଦ ଯୋଗାଇ ଦେବା ସଙ୍ଗେ ସଙ୍ଗେ ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକର ମର୍ଯ୍ୟାଦା ପ୍ରଦାନ କରିଛି । ମୁକ୍ତ ଚିନ୍ତନର ଏକନିଷ୍ଠ ସମର୍ଥକ ଏହା ମହାନୁଭବ ପଣ୍ଡିତଙ୍କ ମହାର୍ଘ ଜୀବନ ହିଁ ତାଙ୍କ ବଳିଷ୍ଠ ମତର ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ମୌଳିକ ଗବେଷଣାକୁ ଜୀବନର ବ୍ରତ ଭାବରେ ଆଦରି ନେବାପାଇଁ ଯୁବ ଗବେଷକ ଓ ଗବେଷିକାମାନଙ୍କୁ କର୍ମ-ପ୍ରେରଣା ଯୋଗାଉଛି । ଏଣୁ ଏପରି ଏକ ଭିନ୍ନ ସ୍ଵାଦର ଭାବୋଦ୍ଦୀପକ ପୁସ୍ତକକୁ ପାଠ କରିବା ଦ୍ୱାରା ଆମେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନିର୍ଭରଶୀଳ ଦୁନିଆରେ ମୌଳିକ ବିଜ୍ଞାନର ଭୂମିକା ସମ୍ପର୍କରେ ଠିକଣା ଧାରଣାର ଅନୁବର୍ତ୍ତୀ ହୋଇପାରିବା ଏବଂ ସୌନ୍ଦର୍ଯ୍ୟବୋଧ ଆଶ୍ରିତ ମୌଳିକ ବିଜ୍ଞାନର ଅବଦାନଗୁଡ଼ିକୁ ସମଗ୍ର ଜୀବମଣ୍ଡଳର କଲ୍ୟାଣ ସାଧନା ଦିଗରେ ନିୟୋଜିତ କରିବା ବ୍ୟାପାରରେ ପୃଥିବୀର ଜଣେ ଜଣେ ଦାୟିତ୍ଵ ସମ୍ପନ୍ନ ବାସିନ୍ଦା ଭାବରେ କର୍ତ୍ତବ୍ୟନିଷ୍ଠ ଜୀବନ ଯାପନ କରିବାକୁ ଶିକ୍ଷଣୀୟ ତଥା ଅନୁକରଣୀୟ ଉପାଦାନ ସଂଗ୍ରହ କରିପାରିବା ।

☆☆☆

 

ସୃଷ୍ଟି ଓ ସ୍ରଷ୍ଟା

 

* A LIFE IN SCIENCE

By

Michael White and John Gribbin

Penguin India, 1992

** THEORIES OF EVERYTHING : THE

QUEST FOR ULTIMATE EXPLANATION

By

Jobo D. Barrow

Vintage, 1992

 

ତାତ୍ତ୍ୱିକ ପଦାର୍ଥବିଜ୍ଞାନର ସମୃଦ୍ଧି ସାଧନ ଯୋଗୁଁ ବିଂଶ ଶତାବ୍ଦୀରେ ମନୁଷ୍ୟର ଚେତନାରେ କ୍ରାନ୍ତିକ ଉତ୍ତରଣ ଘଟିବା ସଙ୍ଗେ ସଙ୍ଗେ ତତ୍‍ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟାର ବିଚକ୍ଷଣ କରାମତି ଯୋଗୁଁ ବସ୍ତୁବାଦୀ ସଭ୍ୟତାର ଚରମ ବିକାଶ ସଙ୍ଘଟିତ ହୋଇଛି । ଏହି ଘଟଣାବହୁଳ ଶତାବ୍ଦୀର ପ୍ରାରମ୍ଭରେ ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ତତ୍ତ୍ୱର ଉଦ୍ଭାବନ ସମ୍ଭବ ହୋଇଥିଲା । ବହୁ ଓଜସ୍ୱିନୀ ପ୍ରତିଭାସମ୍ପନ୍ନ ପଦାର୍ଥବିଜ୍ଞାନୀ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ ପାଇଁ କ୍ୱାଣ୍ଟମ ଯାନ୍ତ୍ରିକୀର ତ୍ୱରାନ୍ୱିତ ସମୃଦ୍ଧି ସାଧନ କରିପାରିଲେ । ବିଂଶ ଶତାବ୍ଦୀର ପରିସମାପ୍ତି ଘଟିବା ବେଳକୁ ଅନେକ ସୃଷ୍ଟିଶୀଳ ପ୍ରତିଭାସମ୍ପନ୍ନ ଗବେଷକ ଦୃଢ଼ ଆଶାପୋଷଣ କରୁଛନ୍ତି ଯେ ସଜୀବ ତଥା ନିର୍ଜୀବ ଜଗତରେ ଘଟୁଥିବା ସର୍ବବିଧ ଦୃଶ୍ୟକୁ ଅଳ୍ପ କେତୋଟି ନିୟମ ଆକାରରେ ପ୍ରକାଶ କରିହେବ । ଅର୍ଥାତ, ପ୍ରତ୍ୟେକ ଦୃଶ୍ୟ ବା ଘଟଣାକୁ ତାତ୍ତ୍ୱିକ ସ୍ପଷ୍ଟୀକରଣ ଅବଲମ୍ବନରେ ବୁଝାଇ ଦେବା ସମ୍ଭବ ହେବ । ଏହାକୁ ହିଁ ‘ଥିଓରି ଅଫ୍ ଏଭ୍ରିଥିଙ୍ଗ୍’ ନାମରେ ଅଭିହିତ କରାଯାଉଛି । ସୃଷ୍ଟିର କାରଣ ସମ୍ପର୍କରେ ନିର୍ଭୁଲ ସ୍ପଷ୍ଟୀକରଣ ଯୋଗାଇ ପାରୁଥିବା ମହନୀୟ ତତ୍ତ୍ୱଟିକୁ ସୃଷ୍ଟିକର୍ତ୍ତାଙ୍କ ମର୍ଯ୍ୟାଦା ପ୍ରଦାନ କରାଯିବାର ଯଥାର୍ଥତାକୁ ସମସାମୟିକ ବୈଜ୍ଞାନିକମାନେ ଅସ୍ୱୀକାର କରିପାରୁନାହାନ୍ତି । ମହିମାମୟ ପରମେଶ୍ଵରଙ୍କ ଅନବଦ୍ୟ ସୃଷ୍ଟିର ରହସ୍ୟକୁ ଯଦି ଗୋଟିଏ ନିର୍ଭୁଲ ତତ୍ତ୍ୱଦ୍ୱାରା ଉନ୍ମୋଚିତ କରାଯିବା ସମ୍ଭବ ହୁଏ, ତାହାହେଲେ ସୃଷ୍ଟିକର୍ତ୍ତାଙ୍କ ଶ୍ରେଷ୍ଠ ସର୍ଜନା ରୂପେ ଧରଣୀବକ୍ଷରେ ଆବିର୍ଭୂତ ମନୁଷ୍ୟରୂପୀ ଅନନ୍ୟ ପ୍ରାଣୀଟି ଈଶ୍ୱରଙ୍କ ମନକୁ ବୁଝି ପାରିଛି ବୋଲି ବୁଝିବାକୁ ହେବ । ଏବଂବିଧ ମନୋଭାବର ବଶବର୍ତ୍ତୀ ହୋଇ ବିଗତ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ବହୁ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ସେମାନଙ୍କ ବଳିଷ୍ଠ ଲେଖନୀପ୍ରସୂତ ପୁସ୍ତକମାନଙ୍କରେ ବିଜ୍ଞାନ ସହିତ ଈଶ୍ୱରଙ୍କ ନାମକୁ ଜଡ଼ିତ କରାଇବାକୁ ଶ୍ରେୟସ୍କର ମଣିଛନ୍ତି ।

 

ଚଳିତ ଶତାବ୍ଦୀର ଅନ୍ୟତମ ଶ୍ରେଷ୍ଠ ପଦାର୍ଥବିଜ୍ଞାନୀ ଆଲବର୍ଟ ଆଇନ୍‍ଷ୍ଟାଇନ୍ ହିଁ ଏବଂବିଧ ଦାର୍ଶନିକ ଚିନ୍ତନର ଆଦ୍ୟ ପ୍ରବକ୍ତା । ସେ ନିଜେ ଆପେକ୍ଷିକ ତତ୍ତ୍ୱର ଜନକ । ପୁଣି କ୍ୱାଣ୍ଟମ୍ ଯାନ୍ତ୍ରିକୀର ଆଦ୍ୟ ବିକାଶ ପର୍ବରେ ଆଇନ୍‍ଷ୍ଟାଇନ୍ ହିଁ ପ୍ରକାଶ-ବିଦ୍ୟୁତ୍ ଶକ୍ତି (ଫଟୋ-ଇଲେକ୍ଟ୍ରିସିଟି) ଭଳି ଏକ ଦୃଶ୍ୟର ରହସ୍ୟ ଭେଦପାଇଁ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ସ୍ପଷ୍ଟୀକରଣ ଯୋଗାଇଥିଲେ । ଏତଦ୍ଦ୍ୱାରା ସେ ଫ୍ଳାଙ୍କ୍‍ଙ୍କ ଦ୍ୱାରା ନବ ଉଦ୍ଭାବିତ ଯୁଗାନ୍ତକାରୀ ତତ୍ତ୍ୱଟିର ଭିତ୍ତିଭୂମିକୁ ସୁଦୃଢ଼ କରାଇ ପାରିଥିଲେ । ଆପେକ୍ଷିକ ତତ୍ତ୍ୱର ଉଦ୍ଭାବନ ପାଇଁ ନୁହେଁ, ଶେଷୋକ୍ତ କ୍ୱାଣ୍ଟମ୍ ତତ୍ତ୍ଵାଶ୍ରୟୀ ସ୍ପଷ୍ଟୀକରଣ ପାଇଁ ନୋବେଲ ପୁରସ୍କାର ଦ୍ଵାରା ତାଙ୍କ ସୃଷ୍ଟିଶୀଳ ପ୍ରତିଭାକୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଗଲା । ପରବର୍ତ୍ତୀକାଳରେ କ୍ୱାଣ୍ଟମ୍ ଯାନ୍ତ୍ରିକୀର କ୍ରମବିକାଶ ପର୍ବରେ ଚରମ ସତ୍ୟ ପରିବର୍ତ୍ତେ ଆପେକ୍ଷିକ ସତ୍ୟ, ଅନିଶ୍ଚିତତା ଓ ସମ୍ଭାବନାକୁ ଯେପରି ଭାବରେ ବିଜ୍ଞାନର ଅନ୍ତର୍ଭୁକ୍ତ କରାଗଲା, ତାହାକୁ ଆଇନ୍‍ଷ୍ଟାଇନ୍ ସ୍ଵୀକାର କଲେ ନାହିଁ । ସେ କହିଲେ, ‘‘ସୃଷ୍ଟିକର୍ତ୍ତା ପରମେଶ୍ଵର କେବେହେଲେ ନିଜ ସର୍ଜନା ସହିତ ପଶାଖେଳରେ ଜଡ଼ିତ ହୋଇନାହାନ୍ତି-।’’ ତାଙ୍କ ବିଚାର ଅନୁଯାୟୀ ଇନ୍ଦ୍ରିୟାନୁଭବ୍ୟ ଜଗତର ଅନ୍ତରାଳରେ ଯେଉଁ ସମସ୍ତ କାରଣଗୁଡ଼ିକ ଯୋଗୁଁ ଏ ବିଚିତ୍ରବର୍ଣ୍ଣା ବିଶ୍ୱରେ ସର୍ବବିଧ ଦୃଶ୍ୟ ସଙ୍ଘଟିତ ହେଉଛି, ତାହାର ରହସ୍ୟ ଭେଦ କରି ପାରିବା ଭଳି ଚେତନାର ବିବର୍ତ୍ତନ ସମ୍ଭବ ହୋଇନାହିଁ । ପରବର୍ତ୍ତୀକାଳରେ ମନୁଷ୍ୟର ଚେତନାର କ୍ରମ ଉତ୍ତରଣର ଫଳ ସ୍ଵରୂପ ସମ୍ଭବତଃ ସେ କ୍ୱାଣ୍ଟମ୍ ଯାନ୍ତ୍ରିକୀର ବିକାଶର ଧାରାକୁ ଠିକଣା ପଥର ଅନୁଗାମୀ କରାଇପାରିବ । ଈଶ୍ୱରଙ୍କ ବିଚିତ୍ର ଲୀଳାକୁ ବୁଝିବା ପାଇଁ ଆଇନ୍‍ଷ୍ଟାଇନ୍ ସତ୍ୟନିଷ୍ଠ ଜୀବନ ବିତାଉଥିଲେ । ତାଙ୍କୁ ଯେତେବେଳେ ପଚରାଗଲା ଯେ ପରବର୍ତ୍ତୀକାଳରେ ତାଙ୍କ ଦ୍ୱାରା ଉଦ୍ଭାବିତ ତତ୍ତ୍ୱରେ ଯଦି ତ୍ରୁଟି ପରିଲକ୍ଷିତ ହୁଏ ସେ କ’ଣ କରିବେ; ସଦାବିନୟୀ ଆଇନ୍‍ଷ୍ଟାଇନ୍ ସୂଚାଇଥିଲେ ଯେ ସେ କେବଳ ସୃଷ୍ଟିକର୍ତ୍ତାଙ୍କ ପାଇଁ ମନ ଦୁଃଖ କରିବେ । ଈଶ୍ୱର କାହିଁକି ତାଙ୍କଦ୍ୱାରା ଉଦ୍ଭାବିତ ସହଜ ବାଟଟିକୁ ଆଦରି ନ ନେଇ ଏକ ଭିନ୍ନ ପନ୍ଥାର ଆଶ୍ରୟ ନେଲେ, ତତ୍‍ସମ୍ପର୍କୀୟ ସର୍ବଶେଷ ଜ୍ଞାନ ଅର୍ଜନ କରିବା ପାଇଁ ସେ ପୁଣି ନିଜ ବୌଦ୍ଧିକତା ସୃଜନଶୀଳତାର ସଦୁପଯୋଗ କରିବେ । ଗୋଟିଏ ପରେ ଗୋଟିଏ ତତ୍ତ୍ୱ ଉଦ୍ଭାବନ କରିବା ପରେ ମହାର୍ଘ ଜୀବନର ଉତ୍ତରାର୍ଦ୍ଧରେ ଆଇନ୍‍ଷ୍ଟାଇନ୍ ସୁଦୀର୍ଘକାଳ ବ୍ୟାପୀ ଗୋଟିଏ ଏକତ୍ରିତ ତତ୍ତ୍ୱର ସନ୍ଧାନୀ ହୋଇଥିଲେ-। ସେ ଚାହିଁଥିଲେ ଯେ ଗୋଟିଏ ସରଳ ତତ୍ତ୍ୱ ଜରିଆରେ ଏ ବିଶ୍ୱର ବିଚିତ୍ର କ୍ରିୟାଶୀଳତାକୁ ବୁଝାଇ ହେବ । ତାଙ୍କ ମହନୀୟ ଉଦ୍ୟମ ଅବଶ୍ୟ ଫଳପ୍ରସୂ ହୋଇ ନଥିଲା ।

 

ଆଇନ୍‍ଷ୍ଟାଇନ୍‍ଙ୍କ ସୁଯୋଗ୍ୟ ଦାୟାଦ ଭାବରେ ସଂପ୍ରତି ପୃଥିବୀର ବହୁ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ବିଭିନ୍ନ ପ୍ରକାରେ ଏବଂବିଧ ଲକ୍ଷ୍ୟ ହାସଲ ପାଇଁ ଏକନିଷ୍ଠ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମଧ୍ୟରେ ଷ୍ଟିଫେନ ହକିଙ୍ଗ୍ ଅନ୍ୟତମ । ବିଜ୍ଞାନର ଦାର୍ଶନିକ ପୃଷ୍ଠଭୂମି ଆଧାରିତ ‘ସମୟର ସଂକ୍ଷିପ୍ତ ଇତିହାସ’ ଶୀର୍ଷକ ଏକ ଭାବୋଦ୍ଦୀପକ ତଥା ଚିତ୍ତାକର୍ଷକ ପୁସ୍ତକର ରଚୟିତା ଭାବରେ ସେ ପୃଥିବୀର ବୁଦ୍ଧିଜୀବୀ ମହଲରେ ସମାଦୃତ ହୋଇଛନ୍ତି । ଆଧୁନିକ ପଦାର୍ଥବିଜ୍ଞାନର ତାତ୍ପର୍ଯ୍ୟ ତଥା ନିଜ କର୍ମାଭିମୁଖ୍ୟ ସଂପର୍କରେ ସେ ଏହି ପୁସ୍ତକଟିରେ ଯେଉଁ ଦାମ୍ଭିକ ମତ ବ୍ୟକ୍ତ କରିଛନ୍ତି, ତାହା ହିଁ ପରବର୍ତ୍ତୀ କାଳରେ ଅତି ଅଳ୍ପ ସମୟ ମଧ୍ୟରେ ସମସାମୟିକ ପଦାର୍ଥବିଜ୍ଞାନୀ ତଥା ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ବିଜ୍ଞାନ ଓ ଈଶ୍ୱର ଆଧାରିତ ଆଲୋଚନାରେ ଭାଗ ନେବାପାଇଁ ଉଦ୍ଦୀପନା ଯୋଗାଇଛି । ଉକ୍ତ ପୁସ୍ତକରେ ସେ ପ୍ରସଙ୍ଗକ୍ରମେ ଲେଖିଛନ୍ତି, ‘‘ସାମଗ୍ରିକତାର ରହସ୍ୟ ଉନ୍ମୋଚନ କଳ୍ପେ ଏକ ନିର୍ଭୁଲ ତତ୍ତ୍ୱର ପ୍ରତିଷ୍ଠା ଯଦି ସମ୍ଭବ ହୁଏ, ତାହାହେଲେ କାର୍ଯ୍ୟକାରଣ-ସଂଗତି ଦୃଷ୍ଟିରୁ ମନୁଷ୍ୟର ବୌଦ୍ଧିକତାର ଚରମ ଉତ୍କର୍ଷ ପ୍ରତିପାଦିତ ହେବ । ସେ ପ୍ରକୃତରେ ସୃଷ୍ଟିକର୍ତ୍ତାଙ୍କ ସୃଷ୍ଟିଶୀଳ ମନକୁ ବୁଝିପାରିବ ।’’ ଏପରି ଦୃଢ଼ ଆତ୍ମପ୍ରତ୍ୟୟ ସଂପନ୍ନ ଦାମ୍ଭିକ ମତର ପରିପ୍ରକାଶ ବୌଦ୍ଧିକ ଜଗତରେ ବ୍ୟାପକ ଆଲୋଡ଼ନ ସୃଷ୍ଟି କରିବା ସ୍ୱାଭାବିକ । କାରଣ, ଥରେ ଈଶ୍ୱରଙ୍କ ମନକୁ ବୁଝିଯିବା ପରେ ଆଉ ଈଶ୍ୱରଙ୍କ ଆବଶ୍ୟକତା ଉପୁଜିବ ନାହିଁ । ‘ଥିଓରି ଅଫ୍ ଏଭ୍ରିଥିଙ୍ଗ୍’ ବଳରେ ବଳୀୟାନ ମନୁଷ୍ୟ ବିଜ୍ଞାନ ଓ ତତ୍‍ନିର୍ଭରଶୀଳ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଉଭୟ ଜୈବିକ ଓ ସାଂସ୍କୃତିକ ବିବର୍ତ୍ତନର ଧାରାକୁ ନିୟନ୍ତ୍ରଣ କରିବା ଦିଗରେ କୌଣସି ଅନ୍ତରାୟ ସୃଷ୍ଟି ହେବାର ଅବକାଶ ରହିବ ନାହିଁ ।

 

ଷ୍ଟିଫେନ୍ ହକିଙ୍ଗ୍ ବୁଦ୍ଧିଜୀବୀ ମହଲରେ ଅପରିଚିତ ହୋଇ ନାହାନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ତାଙ୍କ ବ୍ୟାଧିଗ୍ରସ୍ତ ଜୀବନ ଓ ବୌଦ୍ଧିକତା ସଂପର୍କୀୟ ଅନେକଗୁଡ଼ିଏ ସୁଖପାଠ୍ୟ ପୁସ୍ତକ ପ୍ରକାଶିତ ହୋଇଛି । ଆଲୋଚ୍ୟ ପ୍ରଥମ ପୁସ୍ତକଟିର ବିଶେଷ ଆକର୍ଷଣ ହେଉଛି ଯେ ଜନ ଗ୍ରିବିନ ଏହାର ଅନ୍ୟତମ ସହଯୋଗୀ ଲେଖକ । ସେ ନିଜେ ଜଣେ ବଶିଷ୍ଟ, ପଦାର୍ଥବିଜ୍ଞାନୀ ତଥା ଯଶସ୍ୱୀ ଜନପ୍ରିୟ ବିଜ୍ଞାନ-ସାହିତ୍ୟ ରଚୟିତା ଭାବରେ ଆନ୍ତଃରାଷ୍ଟ୍ରୀୟ ସୁଖ୍ୟାତି ଅର୍ଜନ କରିଛନ୍ତି । ଏହି ପୁସ୍ତକଟିରେ ସେ ମୋଟର ନିଉରନ ବ୍ୟାଧିଗ୍ରସ୍ତ ପଙ୍ଗୁ ହକିଙ୍ଗଙ୍କ ପାରିବାରିକ ତଥା ଗବେଷକ ଜୀବନର ନିଖୁଣ ବର୍ଣ୍ଣନା ପରିବେଷଣ କରିବା ସଙ୍ଗେ ସଙ୍ଗେ ତାଙ୍କ ମହନୀୟ ଗବେଷଣାର ବୈଶିଷ୍ଟ୍ୟ ସଂପର୍କରେ ପ୍ରାଞ୍ଜଳ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ‘ବିଗ୍ ବ୍ୟାଙ୍ଗ୍’ ବା ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିବା ପରଠାରୁ କ୍ରମ ପ୍ରସାରିତ ବିଶ୍ଵର ସୃଷ୍ଟି ସମ୍ଭବ ହୋଇଛି । ଚଳିତ ଶତାବ୍ଦୀର ଷଷ୍ଠ ଦଶକରେ ଏବଂବିଧ ଉପକଳ୍ପର ସତ୍ୟତା ପ୍ରତିପାଦିତ ହୋଇଛି । ବିଗ୍ ବ୍ୟାଙ୍ଗ୍ ପରେ ସ୍ଥାନ-କାଳ-ବସ୍ତୁ-ଶକ୍ତିର ପ୍ରସାରଣ ଯୋଗୁଁ ବିଶ୍ୱ ଯେଉଁ କ୍ରମ ବିସ୍ତୃତ ରୂପ ପ୍ରଦର୍ଶନ କରୁଛି, ତାହାକୁ ବୁଝାଇଦେବା ପାଇଁ ସାର୍ବତ୍ରିକ ଆପେକ୍ଷିକ ତତ୍ତ୍ଵାବଲମ୍ବନରେ ମହାମତି ଆଇନଷ୍ଟାଇନ ହିଁ ସର୍ବପ୍ରଥମେ ଯତ୍ନବାନ ହୋଇଥିଲେ । ଷଷ୍ଠ ଦଶକ ପରଠାରୁ କୃଷ୍ଣ ଗର୍ତ୍ତ ବା ବ୍ଲାକ୍ ହୋଲର ବିଚିତ୍ର ପ୍ରକୃତି ଓ ତାହାର ସଂଭାବ୍ୟ ଆବିଷ୍କାରକୁ କେନ୍ଦ୍ରକରି ପଦାର୍ଥବିଜ୍ଞାନ ଓ ଜ୍ୟୋତିଃ ପଦାର୍ଥବିଜ୍ଞାନ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି ହେଲା । ହକିଙ୍ଗ୍ ଜଣାଇଦେଲେ ଯେ ବିଗ୍‍ ବ୍ୟାଙ୍ଗ୍ ଉତ୍ତର କ୍ରମ ପ୍ରସାରଣ ପ୍ରକ୍ରିୟାର ଠିକ୍ ବିପରୀତଧର୍ମୀ ପ୍ରକ୍ରିୟାର ସଂଘଟନ ଯୋଗୁଁ ହିଁ କୃଷ୍ଣଗର୍ତ୍ତର ଉତ୍ପତ୍ତି ସମ୍ଭବ ହୋଇଛି-। କୃଷ୍ଣ ଗର୍ତ୍ତର ସାନ୍ଦ୍ରତା ଓ ବସ୍ତୁତ୍ୱ ଏତେ ବେଶି ଯେ ଏହାର ପ୍ରବଳ ମହାକର୍ଷଣ ବଳର ପ୍ରଭାବ ଯୋଗୁଁ ଏହା ଗୋଟିଏ ଯନ୍ତାଭଳି କ୍ରିୟାଶୀଳ ହୁଏ । ନିଜଠାରୁ ଏହା କୌଣସି ଆଲୋକ ରଶ୍ମିକୁ ସୁଦ୍ଧା ପଦାକୁ ଛାଡ଼ିଦିଏ ନାହିଁ । ମାତ୍ର ନିଜ ସମୀପବର୍ତ୍ତୀ ଅଞ୍ଚଳରୁ ଏହା ସମସ୍ତ ବସ୍ତୁ ଓ ଶକ୍ତିଙ୍କୁ ନିଜ ଆଡ଼କୁ ଟାଣିନିଏ । ବ୍ଲାକ୍ ହୋଲର ବିଚିତ୍ର ପ୍ରକୃତି ଓ କ୍ରିୟାଶୀଳତା ସମ୍ପର୍କରେ ବୁଝାଇଦେବା ପାଇଁ ହକିଙ୍ଗ୍ ହିଁ ସାର୍ବତ୍ରିକ ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ ଯାନ୍ତ୍ରିକୀର ଫଳପ୍ରଦ ସଙ୍ଗମ ଘଟାଇ ପାରିଲେ-। କ୍ୱାଣ୍ଟମ୍ ଯାନ୍ତ୍ରିକୀ ପ୍ରତି ବୀତସ୍ପୃହ ମନୋଭାବ ପୋଷଣ କରି ଆଇନଷ୍ଟାଇନ ‘ଥିଓରି ଅଫ୍ ଏଭ୍ରି ଥିଙ୍ଗ୍’ ର ପ୍ରତିଷ୍ଠା ଦିଗରେ ଯେପରି ପ୍ରଗାଢ଼ ତଥା ନିଷ୍ଫଳ ଉଦ୍ୟମ ଚଳାଇଥିଲେ, ହକିଙ୍ଗ୍ ଆଇନଷ୍ଟାଇନଙ୍କ ମହନୀୟ ଉଦ୍ଭାବନ ସହିତ ସେହି କ୍ୱାଣ୍ଟମ୍ ଯାନ୍ତ୍ରିକୀକୁ ବିଚକ୍ଷଣ ଭାବରେ ପ୍ରୟୋଗ କରି ସଫଳତାର ସିଡ଼ିରେ ପାହାଚ ପରେ ପାହାଚ ଅତିକ୍ରମ କରୁଛନ୍ତି । ‘ଥିଓରି ଅଫ୍ ଏଭ୍ରି ଥିଙ୍ଗ୍’ ର ସଫଳତା ତଥା ଈଶ୍ୱରଙ୍କ ମନକୁ ବୁଝାଇ ପାରିବା ଦିଗରେ ତାଙ୍କ ଦୃଢ଼ ଆଶା ଏହି ପୁସ୍ତକରେ ଚିର୍ତ୍ତାକର୍ଷକ ମାର୍ଗରେ ଅଭିବ୍ୟକ୍ତ ହୋଇଛି ।

 

**ଆଲୋଚ୍ୟ ଦ୍ଵିତୀୟ ପୁସ୍ତକଟି ହକିଙ୍ଗଙ୍କ ମତକୁ ବିରୋଧ କରିବା ପାଇଁ ଉଦ୍ଦିଷ୍ଟ ହୋଇଛି । ହକିଙ୍ଗ୍ ନିକଟ ଅତୀତରେ ‘ତାତ୍ତ୍ୱିକ ପଦାର୍ଥବିଜ୍ଞାନର ଯବନିକାପାତ ହେବାର ସମୟ ଉପନୀତ ହେଲାଣି କି ?’ ଶୀର୍ଷକ ଏକ ବହୁଚର୍ଚ୍ଚିତ ଭାଷଣ ଜରିଆରେ ଯେଉଁପ୍ରକାର ବିବାଦୀୟ ପରିବେଶ ସୃଷ୍ଟି କରିଥିଲେ, ଜନ୍ ଡି. ବାରୋଙ୍କ ଦ୍ୱାରା ରଚିତ ପୁସ୍ତକଟି ତାହାର ଏକ ପ୍ରତିକ୍ରିୟା । ବାରୋ ମଧ୍ୟ ବିଜ୍ଞାନପ୍ରେମୀ ପାଠକମାନଙ୍କ ନିକଟରେ ଅପରିଚିତ ନୁହଁନ୍ତି । ‘ଦି କସମୋଲକାଲ୍ ଆନ୍ଥ୍ରୋପିକ୍ ପ୍ରିନସିପ୍‍ଲ’ ଶୀର୍ଷକ ଏକ ଭାବୋଦ୍ଦୀପକ ତଥା ଜନପ୍ରିୟ ପୁସ୍ତକର ଅନ୍ୟତମ ସହଯୋଗୀ ଲେଖକ ଭାବରେ ସେ ସୁଖ୍ୟାତ । ବାରୋ ମର୍ମସ୍ପର୍ଶୀ ଭାଷା, ବୋଧଗମ୍ୟ ଯୁକ୍ତି ଓ ଉପଭୋଗ୍ୟ ଦୃଷ୍ଟାନ୍ତଗୁଡ଼ିକ ଅବଲମ୍ବନରେ ବୁଝାଇ ଦେଇଛନ୍ତି ଯେ ସତ୍ୟାନୁସନ୍ଧାନ ଏକ ଅନ୍ତହୀନ ପ୍ରକ୍ରିୟା । ତାତ୍ତ୍ୱିକ ପଦାର୍ଥବିଜ୍ଞାନର ଯବନିକାପାତ ହେବାର ଅବକାଶ ଆଦୌ ନାହିଁ । ଚଳିତ ଶତାବ୍ଦୀର ଅନ୍ୟତମ ପ୍ରବୀଣ ପଦାର୍ଥବିଜ୍ଞାନୀ ତଥା ‘ଦି ଏମ୍ପରର୍’ସ ନିଉ ମାଇଣ୍ଡ’ ଶୀର୍ଷକ ସାରଗର୍ଭକ ସୁଖପାଠ୍ୟ ପୁସ୍ତକର ରଚୟିତା ରୋଜର ପେନରୋଜଙ୍କ ଭଳି ସେ ମଧ୍ୟ ସୂଚାଇଛନ୍ତି ଯେ ସର୍ବବିଧ ଘଟଣା ବା ଦୃଶ୍ୟକୁ ଗାଣିତିକ ବିଶ୍ଳେଷଣର ଅନ୍ତର୍ଭୁକ୍ତ କରାଯିବା କିମ୍ବା ତତ୍‍ସମ ଲଘୁକରଣ ପ୍ରକ୍ରିୟା ଅବଲମ୍ବନରେ ବୁଝାଇଦେବା ସମ୍ଭବ ନୁହେଁ । ତାତ୍ତ୍ୱିକ ପଦାର୍ଥବିଜ୍ଞାନର ବିକାଶର ଧାରା ବର୍ତ୍ତମାନ ବହୁମୁଖୀ ହୋଇଛି । କଣିକା ପଦାର୍ଥବିଜ୍ଞାନ, ଜ୍ୟୋତିଃ ପଦାର୍ଥବିଜ୍ଞାନ ଓ ନିଉକ୍ଳିଆର ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉଚ୍ଚକୋଟୀର ଗବେଷଣା ଚଳାଉଥିବା ବହୁ ସମସାମୟିକ ଗବେଷକଙ୍କ ଗବେଷଣାର ମହନୀୟତା ଓ ବିଭିନ୍ନତା ସମ୍ପର୍କରେ ସେ ସୂଚନା ପ୍ରଦାନ କରିଛନ୍ତି । ସୁପ୍ରତିଷ୍ଠିତ ବିଜ୍ଞାନ-ସାହିତ୍ୟ ରଚୟିତା ପାଲ ଡେଭିଜଙ୍କ ଦ୍ୱାରା ରଚିତ ‘ଗଡ଼୍ ଆଣ୍ଡ୍ ଦି ନିଉ ଫିଜିକ୍‍ସ’ (ଈଶ୍ୱର ଓ ଆଧୁନିକ ପଦାର୍ଥ ବିଜ୍ଞାନ) ଶୀର୍ଷକ ପୁସ୍ତକରୁ ସେ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀମାନଙ୍କ ନୂଆ ନୂଆ ଚିନ୍ତାଧାର ସମ୍ପର୍କରେ ବହୁ ଜ୍ଞାତବ୍ୟ ତଥ୍ୟ ଉଦ୍ଧାର କରିଛନ୍ତି । ଫିତା-ତତ୍ତ୍ୱ ବା ଷ୍ଟ୍ରିଙ୍ଗ୍ ଥିଓରି, ସମାନ୍ତରାଳ ବିଶ୍ଵ ବା ପାରାଲାଲ୍ ୟୁନିଭର୍ସ ଭଳି ନୂଆ ନୂଆ ତତ୍ତ୍ୱ ମଡ଼େଲର ସତ୍ୟତା ପ୍ରତିପାଦନ ପାଇଁ ବର୍ତ୍ତମାନ ପଦାର୍ଥବିଜ୍ଞାନୀମାନଙ୍କ ମଧ୍ୟରେ ତୁମୁଳ ବୌଦ୍ଧିକ ପ୍ରତିଯୋଗିତା ଚାଲିଛି । ଏହି ପ୍ରତିଯୋଗିତାର ଫଳ କ’ଣ ହେବ ? –ଆଜହୁଁ ଏପରି ପ୍ରଶ୍ନର ଠିକଣା ଉତ୍ତର ଯୋଗାଇଦେବା ସମ୍ଭବ ନୁହେଁ ।

 

ବିଜ୍ଞାନର ଦାର୍ଶନିକ ଟମାସ୍ କୁହନଙ୍କ ଦିକ୍‍ଦର୍ଶନ ଅନୁଯାୟୀ ଆମେ ଏତିକି ସୂଚାଇପାରିବା ଯେ ସମ୍ଭବତଃ ଗୋଟିଏ ଯୁଗ ବା ପାରାଡ଼ାଇମ୍‍ର ପରିସମାପ୍ତି ଘଟିବାର ସମୟ ଉପନୀତ ହୋଇଛି ଏବଂ ମନୁଷ୍ୟର ଚେତନାର କ୍ରାନ୍ତିକ ଉତ୍ତରଣ ଘଟାଇପାରିବା ଭଳି ଆଉ ଗୋଟିଏ ଯୁଗର ଆଗମନକୁ ଆମେ ଅପେକ୍ଷା କରିଛୁ । ଏଣୁ ତାତ୍ତ୍ୱିକ ମନ୍ଥନରୁ ଯେଉଁ ଅମୃତ ମିଳିବ ତାହା ‘ଥିଓରି ଅଫ୍ ଏଭ୍ରିଥିଙ୍ଗ୍’ ମାର୍ଗରେ ଶେଷ ଉତ୍ତର ଯୋଗାଇଦେବା ପରିବର୍ତ୍ତେ ବିଶ୍ୱର କ୍ରିୟାଶୀଳତାର ରହସ୍ୟ ଭେଦ ପାଇଁ ମନୁଷ୍ୟର ବୌଦ୍ଧିକ ପ୍ରୟାସକୁ ଏକ ଭିନ୍ନ ଦିଗାଭିମୁଖୀ କରାଇବାର ସମ୍ଭାବନା ହିଁ ଉଜ୍ଜ୍ୱଳମୟ ହେଉଛି । ଆମ ସଭ୍ୟତା ଓ ସଂସ୍କୃତିର କ୍ରମବିକାଶ ପର୍ବର ଏପରି ଏକ ସନ୍ଧିକ୍ଷଣରେ ଆମେ ହକିଙ୍ଗଙ୍କ ଭଳି ଦାମ୍ଭିକତା ପ୍ରଦର୍ଶନ କରିବା ପରିବର୍ତ୍ତେ ଆଇନଷ୍ଟାଇନଙ୍କ ଭଳି ସୃଷ୍ଟିକର୍ତ୍ତାଙ୍କ ବିଚିତ୍ର ଲୀଳାକୁ ବୁଝିବା ପାଇଁ ଶିଶୁସମ କୌତୂହଳୀ ମନକୁ ସଜାଗ ଓ ସକ୍ରିୟ ରଖିବା ହିଁ ବିଜ୍ଞତାର ପରିଚାୟକ ।

 

ଏ ଉଭୟ ପୁସ୍ତକକୁ ପାଠ କରିବା ଦ୍ୱାରା ଆମେ ବିଜ୍ଞାନର ଦର୍ଶନ, ବିକାଶର ଧାରା ବୈଜ୍ଞାନିକ ଗବେଷଣାର ବୈଶିଷ୍ଟ୍ୟ ସମ୍ପର୍କରେ ବିଶେଷ ଧାରଣା ପାଇପାରିବା । ବୈଜ୍ଞାନିକମାନଙ୍କ ସୃଷ୍ଟିଶୀଳ ପ୍ରତିଭାର ସ୍ଵାତନ୍ତ୍ର୍ୟ ତଥା ଭବାଭିବ୍ୟକ୍ତିର ବିଭିନ୍ନତା ସମ୍ପର୍କରେ ଆମେ ଏ ଦୁଇଟି ପୁସ୍ତକରୁ ଉପାଦେୟ ତଥା ଉପଭୋଗ୍ୟ ତଥ୍ୟରାଜି ପାଇପାରିବା । ସମକାଳୀନ ଭାବରେ ବିଜ୍ଞାନ ଓ ସଂସ୍କୃତିପ୍ରେମୀ ପାଠକ ପାଠିକାମାନେ ଏପରି ଭିନ୍ନ ସ୍ଵାଦର ପୁସ୍ତକ ଦୁଇଟିକୁ ପାଠ କରିବା ଦ୍ଵାରା ସୃଷ୍ଟିକର୍ତ୍ତାଙ୍କ ଅନବଦ୍ୟ ସୃଷ୍ଟି ପ୍ରତି ଶ୍ରଦ୍ଧାଶୀଳ ମନୋଭାବ ପୋଷଣ କରିପାରିବେ ଏବଂ ପ୍ରକୃତିର ସାମଗ୍ରିକ କ୍ରିୟାଶୀଳତାର ରହସ୍ୟଭେଦ ହୋଇ ନ ଥିବା ଅବସରରେ ପାରିପାର୍ଶ୍ୱିକ ପରିବେଶକୁ ବିଖଣ୍ଡିତ ମାର୍ଗରେ ପ୍ରଦୂଷିତ ନ କରିବା ପାଇଁ ଏକ ସନ୍ତୁଳିତ ମାନସର ଅଧିକାରୀ ହେବାକୁ ସ୍ୱତଃପ୍ରବୃତ୍ତ ଭାବରେ ଆଗ୍ରହୀ ହେବେ ।

☆☆☆

 

ଭୌତିକ ନିୟମଗୁଡ଼ିକର ଚାରିତ୍ରିକ ବୈଶିଷ୍ଟ୍ୟ

 

*THE CHARACTER OF THE PHYSICAL LAW

By

Richard P. Feynman

Penguin, 1992

** QED : THE STRANGE THEORY OF LIGHT AND MATTER

By

Richard P. Feynman

Penguin, 1990

 

ବିଜ୍ଞାନର ଇତିହାସ ରଚୟିତା ଟମାସ କୁହନଙ୍କ ଭଳି ସିଦ୍ଧହସ୍ତ ଲେଖକମାନେ ସମ୍ପ୍ରତି ବୈଜ୍ଞାନିକ ବିପ୍ଳବଗୁଡ଼ିକର ତାତ୍ପର୍ଯ୍ୟ ପ୍ରତି ଗୁରୁତ୍ୱ ଆରୋପ କରୁଛନ୍ତି । ବିଜ୍ଞାନ ଜଗତରେ ଗୋଟିଏ ପରେ ଗୋଟିଏ ବିପ୍ଳବ ସଙ୍ଘଟିତ ହେଉଛି ଏବଂ ଏଥିପାଇଁ ବୈଜ୍ଞାନିକ ଗବେଷଣାର କର୍ମାଭିମୁଖ୍ୟରେ ଥରକୁ ଥର ପରିବର୍ତ୍ତନ ଘଟୁଛି । ପ୍ରତ୍ୟେକ ବିପ୍ଳବକୁ ବାସ୍ତବ ରୂପ ଦେବା ସଙ୍ଗେ ସଙ୍ଗେ ବିଜ୍ଞାନକୁ ଏକ ନବଯୁଗ ବା ପାରାଡ଼ାଇମ୍‍ରେ ପ୍ରତିଷ୍ଠିତ କରାଇବା ପାଇଁ କେତେକ ମହାମତି ପ୍ରତିଭାଧର ବୈଜ୍ଞାନିକଙ୍କ ଅନନ୍ୟ ବୌଦ୍ଧିକତାର ବିଚକ୍ଷଣ ପରିପ୍ରକାଶ ଘଟୁଛି । ସେମାନଙ୍କ ଅଧ୍ୟକ୍ଷତାରେ ବହୁ ଗବେଷକ ଓ ଗବେଷିକା ଏକନିଷ୍ଠ ଗବେଷଣା ଚଳାଇବାର ଫଳ ସ୍ଵରୂପ ବୈଜ୍ଞାନିକ ଗବେଷଣାର ଧାରା ବଦଳିଯାଉଛି । ବିଜ୍ଞାନ ଜଗତରେ ନୂଆ ନୂଆ ଚେତନାର ଜାଗରଣ ସମ୍ଭବ ହେଉଛି । ବିଜ୍ଞାନର ଅଗ୍ରଗତିରେ ଇତିହାସକୁ ପୁନଃପୁନଃ ସଙ୍ଘଟିତ ବିପ୍ଳବ ଜରିଆରେ ବୁଝାଉଥିବା ଏହି ଐତିହାସିକମାନେ ପ୍ରତ୍ୟେକ ବିପ୍ଳବ ସହ ସଂଶ୍ଳିଷ୍ଟ ଯୁଗସ୍ରଷ୍ଟା ବୈଜ୍ଞାନିକମାନଙ୍କ ଅସାମାନ୍ୟ ପ୍ରତିଭାର ସ୍ଵାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ସମ୍ପର୍କରେ ମଧ୍ୟ ବିଶଦ ସ୍ପଷ୍ଟୀକରଣ ଯୋଗାଇ ପାରୁଛନ୍ତି । ମାତ୍ର ସଂପୃକ୍ତ ବୈଜ୍ଞାନିକମାନଙ୍କ ଗବେଷଣାର ଶୈଳୀ ପ୍ରତି ଏହି ଐତିହାସିକମାନେ ବିଶେଷ ନଜର ଦେବାକୁ ସ୍ପୃହଣୀୟ ମଣୁ ନାହାନ୍ତି । ବିଜ୍ଞାନର ପ୍ରଗତିର ଧାରାକୁ ଲକ୍ଷ୍ୟ କରିବା ଦ୍ୱାରା ଉପଲବ୍‍ଧି ହେଉଛି ଯେ ବୈଜ୍ଞାନିକମାନଙ୍କ ଅନ୍ତର୍ନିହିତ ସୃଷ୍ଟିଶୀଳ ପ୍ରତିଭା ନୂଆ ନୂଆ ତତ୍ତ୍ୱଗୁଡ଼ିକର ଉଦ୍ଭାବନର ଉତ୍ସ ଭାବରେ କ୍ରିୟାଶୀଳ ହେବା ଅବସରରେ ସେମାନଙ୍କ ଗବେଷଣାର ଶୈଳୀ ମଧ୍ୟ ସମସାମୟିକ ତଥା ପରବର୍ତ୍ତୀକାଳର ବୈଜ୍ଞାନିକମାନଙ୍କ ଗବେଷଣାର ମାର୍ଗକୁ ଲକ୍ଷଣୀୟ ମାର୍ଗରେ ପ୍ରଭାବିତ କରୁଛି ।

 

ମାର୍କିନ ବୈଜ୍ଞାନିକ ରିଚାର୍ଡ଼ ପି. ଫାଇନମାନ ଓଜସ୍ୱିନୀ ସୃଜନଶୀଳ ପ୍ରତିଭାର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଏକ ବିଚକ୍ଷଣ ନିଜସ୍ୱ ଶୈଳୀ ବଳରେ ଆଧୁନିକ ପଦାର୍ଥବିଜ୍ଞାନର ପ୍ରଗତିର ଧାରାକୁ ତ୍ୱରାନ୍ୱିତ କରାଇବାକୁ ସମର୍ଥ ହୋଇଥିଲେ । ସେ ୧୯୧୮ ମସିହାରେ ଭୂମିଷ୍ଠ ହେବା ବେଳରୁ ପଦାର୍ଥବିଜ୍ଞାନ ଜଗତରେ ସମକାଳୀନ ଭାବରେ ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍-ତତ୍ତ୍ୱ ଭଳି ଦୁଇଟି ଯୁଗାନ୍ତକାରୀ ଉଦ୍ଭାବନ ସଙ୍ଘଟିତ ହେବା ଯୋଗୁଁ ଏକ ଅଭିନବ ଯୁଗ ବା ପାରାଡ଼ାଇମ୍‍ର ଶୁଭାରମ୍ଭ ଘଟିଥିଲା । ସେ ଆଧୁନିକ ପଦାର୍ଥବିଜ୍ଞାନର ପ୍ରାରମ୍ଭ ତଥା ତାହାର ଭିତ୍ତି ପ୍ରସ୍ତରକୁ ସୁଦୃଢ଼ କରାଇବା ବ୍ୟାପାର ସହିତ ଜଡ଼ିତ ହେବାର ଅବକାଶ ନ ଥିଲା । ମାତ୍ର ଏହି ଦୁଇଟି ଯୁଗାନ୍ତକାରୀ ଉତ୍ତ୍ୱର ବ୍ୟାପକ ପ୍ରଭାବ ଯୋଗୁଁ ପଦାର୍ଥ ବିଜ୍ଞାନର ଅଗ୍ରଗତି ଏକ ସୁବର୍ଣ୍ଣ ପର୍ଯ୍ୟାୟରେ ଉପନୀତ ହୋଇଥିବା ଅବସରରେ ସେ ଗବେଷକ ଜୀବନ ବିତାଇବାର ସୁଯୋଗ ପାଇଥିଲେ । ଅଭିନବ ପଦାର୍ଥ ବିଜ୍ଞାନ ରୂପୀ ସୌଧର ଭିତ୍ତି ସୁଦୃଢ଼ ହେବା ପରେ ଫାଇନମାନ ହିଁ ଏହାର ପ୍ରଥମ ମହଲାଟିକୁ ଗଢ଼ିବାରେ ଅଗ୍ରଗଣ୍ୟ ଭୂମିକାରେ ଅବତୀର୍ଣ୍ଣ ହେଲେ । ସେ ଆଧୁନିକ ପଦାର୍ଥବିଜ୍ଞାନର ପ୍ରାୟ ପ୍ରତ୍ୟେକ ବିଭାବକୁ ସମୃଦ୍ଧ କରିବା ଦିଗରେ ନିଜସ୍ୱ ମୌଳିକ ଅବଦାନ ଯୋଗାଇ ପାରିଲେ । ସର୍ବାପେକ୍ଷା ଲକ୍ଷ୍ୟଣୀୟ ତଥା ବିସ୍ମୟୋଦ୍ଦୀପକ ବ୍ୟାପାର ହେଉଛି ଯେ ତାଙ୍କ ଗବେଷଣାର ଶୈଳୀ ପାରମ୍ପରିକ ରୀତିଠାରୁ ସମ୍ପୂର୍ଣ୍ଣ ଓ ଭିନ୍ନ ଧରଣର ହୋଇଥିଲା । ନିଜ ଅନନ୍ୟ ଶୈଳୀ ଯୋଗୁଁ ସେ ଅଚିରେ ଆନ୍ତରାଷ୍ଟ୍ରୀୟ ପ୍ରତିଷ୍ଠା ଅର୍ଜନ କଲେ । ବିଜ୍ଞ ସମାଲୋଚକମାନଙ୍କ ମତାନୁଯାୟୀ ମାର୍କିନ୍ ବିଜ୍ଞାନର ବିକାଶର ଧାରାକୁ ୟୁରୋପୀୟ ପରମ୍ପରାଠାରୁ ପୃଥକ୍ ଭାବରେ ଉପସ୍ଥାପନ କରିବା ବ୍ୟାପାରରେ ସେ ଏକ ପ୍ରଭାବଶାଳୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କ ଗବେଷଣାର ଉତ୍କର୍ଷ ଓ ଗବେଷଣାର ଶୈଳୀକୁ ବିଚାରକୁ ନିଆଯାଇ ଏବେ ତାଙ୍କୁ ଦ୍ଵିତୀୟ ମହାଯୁଦ୍ଧୋତ୍ତର ପୃଥିବୀରେ ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଭାବରେ ବିଚାର କରାଯାଉଛି । ପ୍ରିନ୍‍ସଟନସ୍ଥିତ ଇନ୍‍ଷ୍ଟିଚ୍ୟୁଟ ଅଫ୍ ଆଡ଼୍‍ଭାନ୍‍ସଡ଼ ଷ୍ଟଡ଼ିଜର ସୁଖ୍ୟାତ ବୈଜ୍ଞାନିକ ଫ୍ରିମାନ ଡାଇସନଙ୍କ ମତାନୁଯାୟୀ ଫାଇନମାନ ହେଉଛନ୍ତି ତାଙ୍କ ଅମଳର ସର୍ବାପେକ୍ଷା ମୌଳିକମାନସର ଅଧିକାରୀ (‘‘The most original mind of his generation) । ୧୯୮୮ ମସିହାରେ ଫାଇନ୍‍ମାନଙ୍କ ମହାପ୍ରୟାଣ ଘଟିଲା । ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଅବସରରେ ସୁପ୍ରସିଦ୍ଧ ‘ଦି ନିଉୟର୍କ ଟାଇମ୍‍ସ’ ପତ୍ରିକାର ସମ୍ପାଦକ ପ୍ରସଙ୍ଗ କ୍ରମେ ଲେଖିଥିଲେ ଯେ ଫାଇନମାନ ହେଉଛନ୍ତି ଯୁଦ୍ଧୋତ୍ତର ପୃଥିବୀର ସର୍ବାପେକ୍ଷା ପ୍ରତିଭାଶାଳୀ ଓ ମେଧାବୀ ବୈଜ୍ଞାନିକ । ପାରମ୍ପରିକ ଶୈଳୀକୁ ଆଦରି ନେବା ପରିବର୍ତ୍ତେ ତାତ୍ତ୍ୱିକ ପଦାର୍ଥବିଜ୍ଞାନର ସମୃଦ୍ଧି ସାଧନ ପାଇଁ ସେ ଯେଉଁ ଅଭିନବ, ସହଜ, ସରଳ ଓ ହୃଦୟଗ୍ରାହୀ ପଦ୍ଧତି ଅବଲମ୍ବନ କରିଥିଲେ ତାହାହିଁ ତାଙ୍କୁ ବିଜ୍ଞାନର ଇତିହାସରେ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ କରାଇଛି ।

 

କ୍ୱାଣ୍ଟମ୍ ବିଦ୍ୟୁତ୍ ଗତିଜ ବିଜ୍ଞାନ ବା କ୍ୱାଣ୍ଟମ୍ ଇଲେକ୍ଟ୍ରୋଡାଇନାମିକସ (QED) ଭଳି ଆଧୁନିକ ପଦାର୍ଥବିଜ୍ଞାନ କ୍ଷେତ୍ରରେ ନବ ପ୍ରତିଷ୍ଠିତ ଏକ ପର୍ଯ୍ୟାୟର ପର୍ଯ୍ୟାପ୍ତ ସମୃଦ୍ଧି ସାଧନ କରିବା ଯୋଗୁଁ ଫାଇନମାନ ପୃଥିବୀର ବୈଜ୍ଞାନିକ ମହଲରେ ସର୍ବପ୍ରଥମେ ନିଜ ସୃଷ୍ଟିଶୀଳ ପ୍ରତିଭାର ପାରଦର୍ଶିତା ପ୍ରଦର୍ଶନ କରିବାକୁ ସମର୍ଥ ହେଲେ । ଦୃଶ୍ୟମାନ ଆଲୋକ ତଥା ଇତର ବିଦ୍ୟୁତ୍-ଚୁମ୍ବକୀୟ ରଶ୍ମି ଗୁଡ଼ିକର ବସ୍ତୁ ସହିତ ଅନ୍ତଃକ୍ରିୟା ଆଧାରିତ ସମସ୍ୟା ରାଜିର ସମାଧାନ ପାଇଁ ସର୍ବପ୍ରଥମେ କ୍ୱାଣ୍ଟମ୍ ତତ୍ତ୍ୱର ପ୍ରତିଷ୍ଠାତା ମ୍ୟାକ୍‍ସ ପ୍ଲାଙ୍କ୍ ୧୯୦୦ ମସିହାରେ ସୂଚାଇ ଦେଲେ ଯେ ଏବଂବିଧ ରଶ୍ମିକୁ ତରଙ୍ଗ ପରିବର୍ତ୍ତେ ଶକ୍ତି-ପୁଡ଼ିଆ ବା କ୍ୱାଣ୍ଟମ୍ ଭାବରେ ବିଚାର କରିବା ଦ୍ୱାରା ହିଁ ଅଦ୍ୟାବଧି ଅସମାଧିତ ସମସ୍ୟାରାଜିର ସମାଧାନ ସମ୍ଭବ ହେବ । ବିଦ୍ୟୁତ୍-ଚୁମ୍ବକୀୟ ରଶ୍ମିକୁ ଏହି କ୍ୱାଣ୍ଟମ୍ ଗୁଡ଼ିକର ସମାହାର ବା କ୍ୱାଣ୍ଟା ଭାବରେ ଚିତ୍ରଣ କରାଯିବା ସଙ୍ଗେ ସଙ୍ଗେ ଶକ୍ତି ରୂପୀ କ୍ୱାଣ୍ଟା ଗୁଡ଼ିକୁ ଫୋଟନ ନାମରେ ଅଭିହିତ କରାଗଲା । ଇଲେକ୍‍ଟ୍ରନ ଭଳି ବୈଦ୍ୟୁତିକ ଚାର୍ଯ ଯୁକ୍ତ କଣିକାଗୁଡ଼ିକ ସହିତ ବିଦ୍ୟୁତ୍-ଚୁମ୍ୱକୀୟ ରଶ୍ମି, ଅନ୍ତଃକ୍ରିୟାରେ ଜଡ଼ିତ ହେବା ଅବସରରେ ଫୋନଗୁଡ଼ିକର କିପରି ଭାବରେ ବିକିରଣ ବା ଅବଶୋଷଣ ଘଟୁଛି, ତାହାକୁ ବୁଝାଇଦେବା ପାଇଁ ଚଳିତ ଶତାବ୍ଦୀର ତୃତୀୟ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରବୀଣ ପଦାର୍ଥବିଜ୍ଞାନୀମାନେ କ୍ୱାଣ୍ଟମ୍ ଯାନ୍ତ୍ରିକୀଭିତ୍ତିକ ତାତ୍ତ୍ୱିକ ସ୍ପଷ୍ଟୀକରଣ ଯୋଗାଇ ଦେଲେ । ମାତ୍ର କ୍ୱାଣ୍ଟମ୍ ବିଦ୍ୟୁତ୍‍ଗତିଜ ବିଜ୍ଞାନ ଶୀର୍ଷକ ଏହି ଅଭିନବ ପର୍ଯ୍ୟାୟରେ ସୃଷ୍ଟ ସର୍ବବିଧି ସମସ୍ୟାର ସମାଧାନ ଦିଗରେ ଗୋଟିଏ ସନ୍ତୋଷପ୍ରଦ ସ୍ପଷ୍ଟୀକରଣ ମିଳିଲା ନାହିଁ । ଚଳିତ ଶତାବ୍ଦୀର ଚତୁର୍ଥ ଦଶକରେ ଫାଇନମାନ ଏହି ସମସ୍ୟାଟିର ଏକ ସର୍ବସମ୍ମତ ସ୍ପଷ୍ଟୀକରଣ ଯୋଗାଇ ଦେବାପାଇଁ ଯତ୍ନବାନ୍ ହେଲେ । ସେ ଉଭୟ କ୍ୱାଣ୍ଟମ୍-ଯାନ୍ତ୍ରିକୀ ଓ ଆପେକ୍ଷିକ ତତ୍ତ୍ୱକୁ ବିଚାରକୁ ନେଇ ସମସ୍ୟାଟିର ରହସ୍ୟୋନ୍ମଚନ ଦିଗରେ ଅଗ୍ରସର ହେଲେ । ସେ ଜାଣିପାରିଲେ ଯେ କ୍ୱାଣ୍ଟମ୍ ବିଦ୍ୟୁତ୍-ଗତିଜ ବିଜ୍ଞାନ ସମ୍ପର୍କୀୟ ସ୍ପଷ୍ଟୀକରଣକୁ କେବଳ ବିଶେଷ ଆପେକ୍ଷିକ ତତ୍ତ୍ୱ ପାଇଁ ପ୍ରଯୁଜ୍ୟ ଗାଣିତିକ ଭାଷା ଅବଲମ୍ବନରେ ବୁଝାଇ ହେବନାହିଁ କିମ୍ବା କେବଳ କ୍ୱାଣ୍ଟମ୍ ତାତ୍ତ୍ୱିକ ଗାଣିତିକ ଭାଷା ଅବଲମ୍ବନରେ ଏ ବିଷୟକ କୌଣସି ତାତ୍ତ୍ୱିକ ସ୍ପଷ୍ଟୀକରଣ ଯୋଗାଇ ଦେବା ସମ୍ଭବ ହେବନାହିଁ । ଉଭୟ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଗାଣିତିକ ଭାଷା ଭିନ୍ନ ଭିନ୍ନ ହୋଇଥିବାରୁ ସେ ନିଜ କଳ୍ପନା ପ୍ରବଣତା ଓ ଅନ୍ତଃଦୃଷ୍ଟି ପ୍ରୟୋଗ କରି ଏକ ମୌଳିକ ଶୈଳୀରେ ନିଜ ଚିନ୍ତନ ପ୍ରକ୍ରିୟାକୁ ବ୍ୟକ୍ତ କରିବାକୁ ସ୍ଥିର କଲେ । ସମସାମୟିକ ବୈଜ୍ଞାନିକମାନେ ଉଭୟ ତତ୍ତ୍ୱ ସଂଶ୍ଳିଷ୍ଟ ଗାଣିତିକ ସମୀକରଣଗୁଡ଼ିକର ସମନ୍ୱୟ ଘଟାଇ ଜଟିଳ ଗାଣିତିକ ଭାଷା ଅବଲମ୍ବନରେ କ୍ଵାଣ୍ଟମ୍ ବିଦ୍ୟୁତ୍-ଗତିଜ ବିଜ୍ଞାନର ସମୃଦ୍ଧି ସାଧନ ଦିଗରେ ଯତ୍ନବାନ୍ ହେବା ଅବସରରେ ଫାଇନମାନ ପ୍ରାୟ ଗଣିତ ଶାସ୍ତ୍ରର ବିନା ବ୍ୟବହାରରେ ତଥା ସରଳ ଚିତ୍ର ମାଧ୍ୟମରେ ସମସ୍ୟାରାଜିର ସମାଧାନ ସୂତ୍ର ନିର୍ଣ୍ଣୟ କରିପାରିଲେ । ଯେଉଁ ସରଳ ଚିତ୍ର ମାଧ୍ୟମରେ QED କ୍ଷେତ୍ରର ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ସଫଳ ଉଦ୍ୟମ ଚଳାଇଥିଲେ ପଦାର୍ଥବିଜ୍ଞାନର ଭାଷାରେ ଏବେ ସେଗୁଡ଼ିକୁ ‘ଫାଇନମାନ ଡାଇଗ୍ରାମ’ ନାମରେ ଅଭିହିତ କରାଯାଉଛି ।

 

ଅନ୍ତଃକ୍ରିୟାରେ ଜଡ଼ିତ ଫୋଟନ, ଇଲେକ୍‍ଟ୍ରନ ଓ ଅନ୍ୟାନ୍ୟ କଣିକାଗୁଡ଼ିକର ରୂପରେଖ ସମ୍ବନ୍ଧରେ ଏପରି ଚିତ୍ରରୁ ପ୍ରତୀକାତ୍ମକ ମାନରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଉଛି । ଏବେ ଫାଇନମାନ ଡାଇଗ୍ରାମର ବ୍ୟବହାର ପଦାର୍ଥ ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଏକ ସାଧାରଣ ଘଟଣା ହୋଇଥିଲେ ହେଁ ପଞ୍ଚଦଶକରେ ଏହାର ଉଦ୍ଭାବନ ଓ ବିଚକ୍ଷଣ ଉପଯୋଗ ପଦାର୍ଥବିଜ୍ଞାନ ଜଗତରେ ଅଦ୍ଭୂତପୂର୍ବ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଜଟିଳ ଗାଣିତିକ ପନ୍ଥାକୁ ଏକମାତ୍ର ପଦ୍ଧତି ଭାବରେ ପାରମ୍ପରିକ ରୀତିରେ ଆଦରି ନେବା ପରିବର୍ତ୍ତେ ବୁଦ୍ଧି ଖଟାଇ ବିକଳ୍ପ ସରଳ ଉପାୟ ଉଦ୍ଭାବନ କରିବା ବ୍ୟାପାରରେ ଫାଇନମାନ ସମସାମୟିକ ବୈଜ୍ଞାନିକମାନଙ୍କ ପାଇଁ ପଥ ପ୍ରଦର୍ଶନକାରୀ ଭୂମିକାରେ ଅବତୀର୍ଣ୍ଣ ହେଲେ ।

 

ସୁପ୍ରସିଦ୍ଧ ମାସାଚ୍ୟୁସେଟ୍‍ସ ଇନ୍‍ଷ୍ଟିଚ୍ୟୁଟ୍ ଅଫ୍‍ ଟେକ୍ନୋଲଜିଠାରେ ବିଦ୍ୟାର୍ଥୀ ଜୀବନ ବିତାଉଥିବାବେଳେ ତଥା ପ୍ରିନ୍‍ସଟନଠାରେ ପିଏଚ୍. ଡି. ଡିଗ୍ରୀ ପାଇଁ ଗବେଷକ ଜୀବନ ବିତାଉଥିବାବେଳେ ଫାଇନମାନ ତଦବଧି ଜ୍ଞାତ ପଦାର୍ଥ ବିଜ୍ଞାନ ସମ୍ବନ୍ଧୀୟ ପର୍ଯ୍ୟାପ୍ତ ଜ୍ଞାନ ଅର୍ଜନ କରିଥିଲେ । ଜ୍ଞାନାର୍ଜନ ତଥା ଅର୍ଜିତ ଜ୍ଞାନର ଆତ୍ମୀକରଣ କ୍ଷେତ୍ରରେ ସେ ଅସାଧାରଣ ପାରଦର୍ଶିତାର ଅଧିକାରୀ ହୋଇଥିଲେ । ମାତ୍ର ସମସାମୟିକ ବୈଜ୍ଞାନିକମାନଙ୍କ ଭଳି ଜଟିଳ ଗାଣିତିକ ପଦ୍ଧତି ଆଶ୍ରିତ ପାରମ୍ପରିକ ଗବେଷଣାର ପଦ୍ଧତିକୁ ଆଦରି ନେବା ପରିବର୍ତ୍ତେ କୌଣସି ଅଭିନବ ତଥା ନିଜସ୍ୱ ମାର୍ଗରେ ଜଣେ ଆଇକନୋକ୍ଳାଷ୍ଟ ଭାବରେ ହିଁ ଗବେଷଣା ଚଳାଇବା ଥିଲା ତାଙ୍କ ସହଜାତ ପ୍ରବୃତ୍ତି । ଚିରାଚରିତ ପନ୍ଥା ତଥା ତଦବିଧି ସମଧର୍ମୀ ବୈଜ୍ଞାନିକମାନଙ୍କ କର୍ମ-ପଦ୍ଧତିକୁ ସେ ଖାତିର କରୁ ନଥିଲେ । ଶିଶୁ ସୁଲଭ ଚପଳମତି ଓ ଖେଳାଳି ମନୋଭାବ ତାଙ୍କ ବ୍ୟକ୍ତିଗତ ଓ ଗବେଷକ ଜୀବନରେ ବରାବର ରୋମାଞ୍ଚ ସୃଷ୍ଟି କରୁଥିଲା । ନିଜସ୍ୱ ଗବେଷଣାର ମାର୍ଗ ପାଇଁ ସେ ଯେପରି ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର ଜଣାପଡ଼ୁଥିଲେ, ଠିକ୍ ସେହିପରି ଗବେଷଣାପ୍ରସୂ ଅବଦାନଗୁଡ଼ିକର ପ୍ରକାଶନ କ୍ଷେତ୍ରରେ ମଧ୍ୟ ସେ ନିଜସ୍ୱ ଶୈଳୀ ବ୍ୟବହାର କରୁଥିଲେ । ଜ୍ଞାନରୂପୀ ବୃକ୍ଷରୁ ଫଳ ତୋଳିବା ବ୍ୟାପାରକୁ ସେ ନିଜସ୍ୱ ମାର୍ଗରେ ଏତେ ସହଜ ଓ ସରଳ କରିପାରିଥିଲେ ଯେ ତାଙ୍କ ଅସାଧାରଣ ବୁଦ୍ଧି ଅନ୍ୟମାନଙ୍କୁ ଚମତ୍କୃତ କରିଥିଲା । ବୈଜ୍ଞାନିକ ଭାବରେ ତଥା ସାମାଜିକ ଜୀବନ ଯାପନ ଅବସରରେ ସେ ଉଭୟ ଭୌତିକ ଓ ସାମାଜିକ ପରିବେଶକୁ ପଜଲ୍ ବା ପ୍ରହେଳିକାଗୁଡ଼ିକର ସମାହାର ଭାବରେ ବିଚାର କରୁଥିଲେ ଏବଂ ଏହି ପଜଲ୍‍ଗୁଡ଼ିକର ଯଥାର୍ଥ ମୁକାବିଲା ଦିଗରେ ବୃଦ୍ଧି ଖଟାଇବାକୁ ସୁଖପ୍ରଦ ମଣୁଥିଲେ । ନିଜ ସାମାଜିକ ଜୀବନକୁ ସେ ଯେପରି ମାଦକତାପୂର୍ଣ୍ଣ ଓ ରୋମାଞ୍ଚକର ମାର୍ଗରେ ଉପଭୋଗ କରିଥିଲେ, ତାହାର ଚିତ୍ତାକର୍ଷକ ବିବରଣୀ ଆମେ ୧୯୮୫ ମସିହାରେ ପ୍ରକାଶିତ ‘ସିଓର୍‍ଲି ଇୟୁ ଆର୍ ଜୋକିଙ୍ଗ୍ ମାଷ୍ଟର ଫାଇନମାନ’ ଶୀର୍ଷକ ପୁସ୍ତକଟିରୁ ପାଇପାରିବା । ଯେଉଁ କ୍ୱାଣ୍ଟମ୍ ବିଦ୍ୟୁତ୍-ଗତିଜ ବିଜ୍ଞାନର ସମସ୍ୟାଗୁଡ଼ିକର ସମାଧାନ ପାଇଁ ତାଙ୍କୁ ୧୯୬୫ ମସିହାରେ ନୋବେଲ୍ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା, ସେହି ଐତିହାସିକ ଗବେଷଣାକୁ ସେ କିପରି ବାସ୍ତବ ରୂପ ଦେଇଥିଲେ, କେଉଁ ପ୍ରକାର ମହାନୁଭବତା ତାଙ୍କୁ ଏ ଦିଗରେ ମନୋନିବେଶ କରିବାପାଇଁ ଅନୁପ୍ରାଣିତ କରିଥିଲା ଏବଂ ଗବେଷଣାର ଫଳକୁ ସେ କିପରି ସ୍ୱତନ୍ତ୍ର ମାନରେ ପ୍ରକାଶ କରିଥିଲେ ତାହାହିଁ ‘QED’ ଶୀର୍ଷକ ପୁସ୍ତକଟିର ବିଷୟବସ୍ତୁ । ଏଣୁ ପୁସ୍ତକଟିକୁ ପାଠ କରିବା ଦ୍ୱାରା ଆମେ ବୈଜ୍ଞାନିକ ଗବେଷଣା ରୂପୀ ସୃଜନଶୀଳ ବ୍ୟାପାରର ଉତ୍ସ ତଥା ଏ ଦିଗରେ ଅସାମାନ୍ୟ କୃତିତ୍ୱ ପ୍ରଦର୍ଶନ ପାଇଁ ଦରକାରୀ ବ୍ୟାପକ ଦୃଷ୍ଟିକୋଣ, କଳ୍ପନାପ୍ରବଣତା, ଅନ୍ତଃଦୃଷ୍ଟି ଓ ସର୍ବୋପରି ବିଚକ୍ଷଣ ଅବବୋଧ ସମ୍ପର୍କରେ ଅବଧାରିତ ହୋଇପାରିବା । ଯେଉଁପ୍ରକାର ମନୋଭାବ ଓ ବୌଦ୍ଧିକତାର ସଦୁପଯୋଗ ଯୋଗୁଁ ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ବୈଜ୍ଞାନିକ ବିଜ୍ଞାନ ଜଗତର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଭାବକୁ ସମୃଦ୍ଧ କରିଥିଲେ, ତତ୍‍ସମ୍ପର୍କୀୟ ଜ୍ଞାନାର୍ଜନ କରିବା ଦ୍ୱାରା ଆମେ ବିଜ୍ଞାନର ରୂପ, ବୈଜ୍ଞାନିକ ମିଜାଜର ସ୍ୱାତନ୍ତ୍ର୍ୟ ତଥା ବୈଜ୍ଞାନିକ କ୍ରିୟାଶୀଳତାରେ ମୌଳିକ ପାରିଦର୍ଶିତା ପ୍ରଦର୍ଶନ ପାଇଁ ଆବଶ୍ୟକ ହେଉଥିବା ବୌଦ୍ଧିକ ବିଭାବରାଜି ସମ୍ପର୍କରେ ଶିକ୍ଷଣୀୟ ତଥା ଭାବୋଦ୍ଦୀପକ ଉପାଦାନଗୁଡ଼ିକୁ ସଂଗ୍ରହ କରିପାରିବା ।

 

**ଷଷ୍ଠ ଦଶକର ମଧ୍ୟଭାଗରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଫାଇନମାନଙ୍କୁ ଭୌତିକ ନିୟମଗୁଡ଼ିକର ଚାରିତ୍ରିକ ବୈଶିଷ୍ଟ୍ୟ ସମ୍ପର୍କରେ ଭାଷଣ ଦେବାପାଇଁ ଆମନ୍ତ୍ରଣ କରିଥିଲେ-। ଏହି ବକ୍ତୃତାମାଳାକୁ ବି.ବି.ସି. ଦୂରଦର୍ଶନ ଆନୁକୁଲ୍ୟରେ ପ୍ରସାର କରାଯାଇଥିଲା ଏବଂ ବି.ବି.ସି କର୍ତ୍ତୃପକ୍ଷ ବକ୍ତୃତାଗୁଡ଼ିକର ସମାହାରକୁ ‘ଦି କ୍ୟାରେକ୍ଟର ଅଫ୍ ଫିଜିକାଲ୍ ଲ’ ଶୀର୍ଷକ ପୁସ୍ତକ ଆକାରରେ ପ୍ରକାଶ କରିଥିଲେ । ସୁଖର କଥା ଯେ ‘QED’ ଭଳି ଏହି ଦୃଷ୍ପ୍ରାପ୍ୟ ପୁସ୍ତକଟି ସଂପ୍ରତି ପେଙ୍ଗୁଇନ ପ୍ରକାଶନ ସଂସ୍ଥା ଆନୁକୁଲ୍ୟରେ ଆମ ଦେଶର ବଜାରମାନଙ୍କରେ ସୁଲଭ ହୋଇଛି-। ଭୌତିକ ନିୟମର ଏକ ଦୃଷ୍ଟାନ୍ତ ମହାକର୍ଷଣର ନିୟମ, ପଦାର୍ଥ ବିଜ୍ଞାନ ସହିତ ଗଣିତର ସମ୍ପର୍କ, ଅବିନାଶିତା ଆଧାରିତ ସିଦ୍ଧାନ୍ତରାଜି, ପ୍ରକୃତିରେ ସିମେଟ୍ରୀ ବା ସମିତିର ଭୂମିକା, ସମୟର ରୂପ, ଅନିଶ୍ଚିତତା ଓ ସମ୍ଭାବନା ଆଧାରିତ ପ୍ରକୃତି ସମ୍ବନ୍ଧୀୟ କ୍ୱାଣ୍ଟମ୍ ଯାନ୍ତ୍ରିକ ଦୃଷ୍ଟିକୋଣ ଏବଂ ଅଭିନବ ନିୟମଗୁଡ଼ିକର ଅନୁସନ୍ଧାନ ଶୀର୍ଷକ ସାତଟି ଅଧ୍ୟାୟ ସମ୍ବଳିତ ପୁସ୍ତକଟିକୁ ପାଠ କରିବା ଦ୍ଵାରା ଆମେ ଜାଣିପାରିବା ଯେ ଭୌତିକ ବିଜ୍ଞାନ ଜଗତରେ ନାମ ଗୁଡ଼ିକର ଭୂମିକା କ’ଣ ଏବଂ ନିୟମଗୁଡ଼ିକୁ କିପରି ଭାବରେ ଓ କାହିଁକି ପ୍ରଣୟନ କରାଯାଇଛି । ଫାଇନମାନଙ୍କ ମତାନୁଯାୟୀ ପ୍ରକୃତିର ସରଳତା ଓ ଅନୁପମ ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ କରୁଥିବା ବ୍ୟକ୍ତି ହିଁ ତାହାର ଛନ୍ଦବଦ୍ଧ କ୍ରିୟାଶୀଳତାର ଅନ୍ତରାଳରେ କାର୍ଯ୍ୟକାରୀ ହେଉଥିବା ନିୟମଗୁଡ଼ିକର ସନ୍ଧାନ ପାଇପାରିବେ-। କେବଳ ଅଭିକ୍ରିୟା ସଂପାଦନ ତଥା ତତ୍‍ପ୍ରସୂତ ଫଳକୁ ଆଶ୍ରୟ କରି କ'ଣ ଭୌତିକ ନିୟମ ପ୍ରଣୟନ କରାଯାଏ ? ଅଭିକ୍ରିୟାତ୍ମକ ଗବେଷଣା ଦ୍ୱାରା ସତ୍ୟାପିତ କୌଣସି ଉପକଳ୍ପକୁ ବିଭିନ୍ନ ଅସମାଧିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ସଫଳ ଭାବରେ ପ୍ରୟୋଗ କରିବା ଦ୍ୱାରା କ’ଣ ସେହି ଉପକଳ୍ପଟି ଗୋଟିଏ ସର୍ବସମ୍ମତ ଭୌତିକ ନିୟମରେ ପରିଣତ ହୋଇପାରେ-? କିମ୍ବା ବୈଜ୍ଞାନିକମାନେ ନିଜ ଅନ୍ତଃଦୃଷ୍ଟି, ଅବବୋଧ ଓ କଳ୍ପନା ପ୍ରବଣତା ବିନିମୟରେ ନିୟମଗୁଡ଼ିକୁ ପ୍ରଥମେ ଉଦ୍ଭାବନ କରିବା ପରେ କ’ଣ ସେଗୁଡ଼ିକୁ ବାସ୍ତବତା ଉପରେ ଆରୋପ କରି ସେଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କରନ୍ତି ? ଭୌତିକ ନିୟମର ଉଦ୍ଭାବନ ପାଇଁ ଚିନ୍ତା କରିବାର ଉପାଦାନଗୁଡ଼ିକ ସମ୍ପର୍କରେ ସେ ବିଭିନ୍ନ ଭାଷଣ ଗୁଡ଼ିକରେ ବିଶଦ ବ୍ୟାଖ୍ୟା ପ୍ରଦାନ କରିଛନ୍ତି-। ବାସ୍ତବତାର ଉପଲବ୍‍ଧି ପାଇଁ ଗଣିତ ଶାସ୍ତ୍ରର ପ୍ରୟୋଗ ତଥା କୌଣସି ନିୟମକୁ ଗାଣିତିକ ଭାଷାରେ ପ୍ରକାଶ କରିବାର ତାତ୍ପର୍ଯ୍ୟ, ଅବିନାଶିତା ନିୟମ ଗୁଡ଼ିକର ଭୂମିକା, ସମମିତି ଆଧାରିତ ଚିନ୍ତନ, ସମୟର ଅସମମିତ ଆସିମେଟ୍ରିକ୍) ରୂପ, କ୍ୱାଣ୍ଟମ୍ ଅନିଶ୍ଚିତତା ଓ ସମ୍ଭାବନା ଆଧାରିତ ଦାର୍ଶନିକ ପୃଷ୍ଠଭୂମି ଭଳି ଭାବୋଦ୍ଦୀପକ ଉପାଦାନଗୁଡ଼ିକ ଉଦ୍ଭାବକମାନଙ୍କ ମାନସପଟରେ ଆଲୋଡ଼ନ ସୃଷ୍ଟିକରେ । ପର୍ଯ୍ୟାପ୍ତ ବା ପୂର୍ଣ୍ଣାଙ୍ଗ ନ ହେଲେ ମଧ୍ୟ ଚିନ୍ତା କରିବାର ବହୁବିଧ ଉପାଦାନ ସମ୍ପର୍କରେ ଚିତ୍ତାକର୍ଷକ ଦୃଷ୍ଟାନ୍ତ ସମ୍ବଳିତ ବିଶଦ ବିବରଣୀ ଯୋଗାଇଦେବା ଅବସରରେ ଫାଇନମାନ ସୂଚାଇଛନ୍ତି ଯେ ଉଦ୍ଭାବକ କୌଣସି ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳା ବା ଧାରା ଅନୁଯାୟୀ ନିୟମ ପ୍ରତିଷ୍ଠା କରିବାର ଅବକାଶ ନାହିଁ । ନିଉଟନ, ମାକ୍‍ସଓ୍ୱେଲ ଓ ଆଇନଷ୍ଟାଇନଙ୍କ ଉଦ୍ଭାବନର ମାର୍ଗରେ ବିବିଧତା ସମ୍ପର୍କରେ ସେ ପ୍ରାଞ୍ଜଳ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ନିୟମ ପ୍ରଣୟନ ପାଇଁ ଚିନ୍ତା କରିବାର ବହୁବିଧ ଉପାଦାନ ସମ୍ପର୍କରେ ଆମେ ଜ୍ଞାନାର୍ଜନ କରି ପାରୁଥିଲେ ମଧ୍ୟ ପ୍ରତ୍ୟେକ ଉଦ୍ଭାବକଙ୍କ ନିଜସ୍ୱ ଉପଲବ୍‍ଧି ଅବବୋଧ ଓ ଗବେଷଣାର ମାର୍ଗରେ ବିବିଧତା ପରିଲକ୍ଷିତ ହୁଏ । ଏହା ଏକ ବ୍ୟକ୍ତିନିଷ୍ଠ ସୃଜନଶୀଳ ବ୍ୟାପାର ।

 

ମୌଳିକ ନିୟମ ପ୍ରଣୟନର ଏପରି ଦାର୍ଶନିକ ପୃଷ୍ଠଭୂମି ସମ୍ବଳିତ ପୁସ୍ତକଟିକୁ ପାଠ କରିବା ଦ୍ୱାରା ଆମେ ବୁଝି ପାରୁଛୁ ଯେ ପ୍ରକୃତି ନିଜର ବିଚକ୍ଷଣ କ୍ରିୟାଶୀଳତାର ରହସ୍ୟକୁ ପ୍ରତ୍ୟକ୍ଷ ଭାବରେ ଅଭିବ୍ୟକ୍ତ କରୁ ନଥିବା ସତ୍ତ୍ୱେ କେଉଁ ପ୍ରକାର କଳ୍ପନାପ୍ରବଣତା, ଅନ୍ତଃଦୃଷ୍ଟି ଓ ଅବବୋଧ ବଳରେ ଜଣେ ପ୍ରତିଭାଧର ବୈଜ୍ଞାନିକ କୌଣସି ଗୋଟିଏ ନିୟମ ପ୍ରଣୟନ କରନ୍ତି । ଉଦାହରଣସ୍ଵରୂପ ଦୁର୍ବଳ ନିଉକ୍ଳିଅର ବଳର ପ୍ରଭାବ ଯୋଗୁଁ କେତେକ ଅନୁପାରମାଣବିକ କଣିକାଗୁଡ଼ିକର ବ୍ୟବହାର କିପରି ଭାବରେ ବଦଳିଯାଏ, ତତ୍‍ସଂପର୍କୀୟ ଏକ ନିୟମ ପ୍ରଣୟନ କରି ଫାଇନମାନ ବିଜ୍ଞାନର ଇତିହାସରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଏହି ବ୍ୟାପାରରେ ସମିତିର ଭୂମିକାଟିକୁ ସେ ଠିକଣା ଭାବରେ ବୁଝିଥିବା ଯୋଗୁଁ ହିଁ ତାଙ୍କ ଗବେଷଣା ସାଫଲ୍ୟମଣ୍ଡିତ ହୋଇଛି-। ଏଣୁ ଭବିଷ୍ୟତରେ ନୂଆ ନୂଆ ଭୌତିକ ନିୟମ ପ୍ରଣୟନ ପାଇଁ ଆଗ୍ରହୀ ବ୍ୟକ୍ତିମାନେ କୌଣସି ସମସ୍ୟା ସମ୍ପର୍କରେ ଚିନ୍ତା କରିବା ପାଇଁ ପୂର୍ବ ସୂଚିତ ବିଭିନ୍ନ ଉପାଦାନ ପାଇପାରିବେ । ଏହି ଉପାଦାନଗୁଡ଼ିକର ଏକକ ତଥା ବହୁବିଧ ସମାହାରରେ କୌଣସି ସମସ୍ୟାର ସନ୍ତୋଷପ୍ରଦ ସମାଧାନ ପାଇଁ ସେମାନେ ତାତ୍ତ୍ୱିକ ବା ଅଭିକ୍ରିୟାତ୍ମକ ଗବେଷଣା ଚଳାଇ ପାରିବେ-। ମାତ୍ର ପ୍ରକୃତିର ସରଳ ଛନ୍ଦବଦ୍ଧ ଓ ଅନୁପମ ସୌନ୍ଦର୍ଯ୍ୟକୁ ଯଦି ସେ ଠିକଣା ଭାବରେ ହୃଦୟଙ୍ଗମ କରି ନ ଥିବେ, ତାହାହେଲେ ଅନୁଷ୍ଠାନିକ ଜଟିଳ ଗଣିତ ଶାସ୍ତ୍ରାଶ୍ରୟୀ ଗବେଷଣା ତଥା ବହୁ ବ୍ୟୟସାପେକ୍ଷ ଅଭିକ୍ରିୟାତ୍ମକ ଗବେଷଣାର ବ୍ୟାପକ ଆୟୋଜନ ତାଙ୍କୁ ସଫଳତାର ସୋପାନ ଆରୋହଣ କରିବାରେ କଦାପି ସାହାଯ୍ୟ କରିପାରିବ ନାହିଁ ।

 

ଫାଇନମାନ ବିଂଶ ଶତାବ୍ଦୀ ବିଜ୍ଞାନର ଜନୈକ ପ୍ରମୁଖ ପ୍ରତିନିଧି । ପଦାର୍ଥ ବିଜ୍ଞାନର ତ୍ୱରାନ୍ୱିତ ସମୃଦ୍ଧିକାଳୀନ ସୁବର୍ଣ୍ଣ ଯୁଗର ସେ ଅନ୍ୟତମ ସଙ୍ଗଠକ, ପଥ ପ୍ରଦର୍ଶକ ଓ ମୁଖ୍ୟ ପ୍ରବକ୍ତା-। ତାଙ୍କ ମହାନୁଭବତା, ଅଗାଧ ପାଣ୍ଡିତ୍ୟ ଓ ଅନନ୍ୟ ସୃଜନଶୀଳତାର ସ୍ମାରକୀ ଭାବରେ ଆଲୋଚ୍ୟ ପୁସ୍ତକ ଦୁଇଟି ପୃଥିବୀର ବିଭିନ୍ନ ଦେଶର ବିଜ୍ଞାନର ଛାତ୍ରଛାତ୍ରୀ ଏବଂ ଗବେଷକ ଓ ଗବେଷିକାମାନଙ୍କ ସୁଗ୍ରାହୀ ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଏଣୁ ବର୍ତ୍ତମାନ ଆମ ଦେଶରେ ସୁଲଭ ଆଲୋଚ୍ୟ ପୁସ୍ତକ ଦୁଇଟିକୁ ପାଠ କରିବା ଦ୍ଵାରା ଆମ ଦେଶର ବିଜ୍ଞାନର ଛାତ୍ରଛାତ୍ରୀ ତଥା ଗବେଷକ ଓ ଗବେଷିକାମାନେ ବୈଜ୍ଞାନିକ ଗବେଷଣାରୂପୀ ବୌଦ୍ଧିକତାର ରସାସ୍ୱାଦନ କରିପାରିବେ ଏବଂ ଏ ବ୍ୟାପାରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଉଭୟ ପୁସ୍ତକରୁ ଯଥେଷ୍ଟ ଶିକ୍ଷଣୀୟ ତଥା ପ୍ରେରଣାଦାୟୀ ଉପାଦାନ ପାଇପାରିବେ ।

☆☆☆

 

Unknown

ଅନ୍ତିମ ଉତ୍ତ୍ୱର ଅନୁସନ୍ଧାନ

 

DREAMS OF A FINAL THEORY

By

Steven Weinberg

Hutchinson, U K 1992

 

ଜନୈକ ପ୍ରବୀଣ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ତଥା ପଦାର୍ଥବିଜ୍ଞାନ କ୍ଷେତ୍ରରେ ୧୯୭୯ ମସିହାର ଅନ୍ୟତମ ନୋବେଲ ପୁରସ୍କାର ବିଜେତା ଭାବରେ ଷ୍ଟିଭେନ ଓ୍ୱିନବର୍ଗ ପୃଥିବୀର ବୁଦ୍ଧିଜୀବୀ ମହଲରେ ସୁବିଦିତ । ବିଚକ୍ଷଣ ଅବବୋଧ ଓ ଅନ୍ତର୍ଦୃଷ୍ଟି ବଳରେ ସେ ତାତ୍ତ୍ୱିକ ପଦାର୍ଥବିଜ୍ଞାନର ସମୃଦ୍ଧି ସାଧନ ପାଇଁ ଯେପରି ନିଜ ଅନନ୍ୟ ସୃଜନଶୀଳତାର ସଦୁପଯୋଗ କରିଛନ୍ତି, ଠିକ୍ ସେହିପରି ଗବେଷଣାଶ୍ରୟୀ ଜଟିଳ ତତ୍ତ୍ୱଗୁଡ଼ିକୁ ସୁସଂସ୍କୃତ ଜନସାଧାରଣଙ୍କ ବୋଧଗମ୍ୟ କରାଇବା ଉଦ୍ଦେଶ୍ୟରେ ଜନପ୍ରିୟ ବିଜ୍ଞାନ ପୁସ୍ତକ ପ୍ରଣୟନ ବ୍ୟାପାରରେ ମଧ୍ୟ ସେ ତଦନୁରୂପ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ତାଙ୍କଦ୍ୱାରା ରଚିତ ତଥା ୧୯୭୭ ମସିହାରେ ପ୍ରକାଶିତ ‘ଦି ଫାଷ୍ଟ ଥ୍ରୀ ମିନିଟ୍‍ସ’ ପ୍ରଥମ ତିନି ମିନିଟ) ଶୀର୍ଷକ ବିଜ୍ଞାନ ତଥ୍ୟାଶ୍ରୟୀ ତଥା ଉପଭୋଗ୍ୟ ପୁସ୍ତକଟି ପାଠକ ପାଠିକାମାନଙ୍କୁ ତାଙ୍କ ଅସାଧାରଣ ପାଣ୍ଡିତ୍ୟ ଓ ବୈଜ୍ଞାନିକ ଚିନ୍ତନର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ପ୍ରତ୍ୟକ୍ଷ ଉପଲବ୍‍ଧି ଯୋଗାଇ ପାରିଛି । ଆଲେଚ୍ୟ ସଦ୍ୟ ପ୍ରକାଶିତ ଦ୍ୱିତୀୟ ପୁସ୍ତକଟିରେ ଓ୍ୱିନବର୍ଗ ନିଜ ବିଚାରର ପରିସରକୁ ଆବର୍ଦ୍ଧିତ କରାଇଛନ୍ତି । ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟୋନ୍ନଚନ ଦିଗରେ ଗୋଟିଏ ସର୍ବବ୍ୟାପକ ତତ୍ତ୍ୱର ସନ୍ଧାନ ପାଇଁ ଚଳିତ ଶତାବ୍ଦୀର ସୁଦୀର୍ଘ କାଳବ୍ୟାପୀ ଯେଉଁ ପ୍ରକାର ଗବେଷଣା ପ୍ରତି ଅଗ୍ରାଧିକାର ଆରୋପିତ ହୋଇଛି, ତାହାର ତାତ୍ପର୍ଯ୍ୟ ସମ୍ପର୍କରେ ସେ ଏହି ପୁସ୍ତକଟିରେ ବୋଧଗମ୍ୟ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ବ୍ରହ୍ମାଣ୍ଡୋତ୍ପତ୍ତି, ଜ୍ୟୋତି-ପଦାର୍ଥବିଜ୍ଞାନ ଓ କଣିକା-ପଦାର୍ଥ-ବିଜ୍ଞାନ ଜଗତର ଅତ୍ୟାଧୁନିକ ଅବଦାନଗୁଡ଼ିକ ସହିତ ଆମ୍ଭମାନଙ୍କୁ ପରିଚିତ କରାଇବା ସଙ୍ଗେ ସଙ୍ଗେ ସେ ଏପରି ଏକ ଚିର ଈପ୍‍ସିତ ଅନ୍ତିମ ତତ୍ତ୍ୱର, ସମ୍ଭାବ୍ୟ ଉପକାରିତା ତଥା ଆମ ସମାଜ ଓ ସଂସ୍କୃତି ଉପରେ ତାହାର ସୁଦୂରପ୍ରସାରୀ ପ୍ରଭାବ ସମ୍ପର୍କରେ ପ୍ରାକ୍ ସୂଚନା ଯୋଗାଇଛନ୍ତି । ଆଲୋଚ୍ୟ ପୁସ୍ତକଟିର ଅ ବୈଶିଷ୍ଟ୍ୟ ହେଉଛି ଯେ ତାର୍କିକ ପ୍ରତ୍ୟକ୍ଷବାଦ ବା ଲଜିକାଲ୍ ପଜିଟିଭିଜ୍‍ମକୁ ବିଜ୍ଞାନର ଦର୍ଶନ ଭାବରେ ମାନିନେବାକୁ ସେ ଘୋର ବିରୋଧ କରିଛନ୍ତି । ମୌଳିକ ବୈଜ୍ଞାନିକ ଚିନ୍ତନର ପରିପ୍ରକାଶ ଦିଗରେ ତାର୍କିକ ପ୍ରତ୍ୟକ୍ଷବାଦ ଅନ୍ତରାୟ ସୃଷ୍ଟି କରୁଥିବା ସମ୍ପର୍କରେ ସେ ପ୍ରାମାଣିକ ତଥ୍ୟାବଲମ୍ବନରେ ନିଜସ୍ଵ ସ୍ପଷ୍ଟୀକରଣ ଯୋଗାଇଛନ୍ତି । ପ୍ରାସଙ୍ଗିକତା ପରିପ୍ରେକ୍ଷୀରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ଓ ବୈଜ୍ଞାନିକ କ୍ରିୟାଶୀଳତାର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ମଧ୍ୟ ନିଜ ଉପଲବ୍‍ଧିକୁ ସେ ନିର୍ଭୀକ ତଥା ସ୍ପଷ୍ଟଭାବରେ ବୁଝାଇଛନ୍ତି । ଏଣୁ ଏହି ପୁସ୍ତକଟି ଅତ୍ୟାଧୁନିକ ତାତ୍ତ୍ୱିକ ପଦାର୍ଥବିଜ୍ଞାନର ଅଗ୍ରଗତି ସହିତ ଆମ୍ଭମାନଙ୍କୁ ପରିଚିତ କରାଇବା ସଙ୍ଗେ ସଙ୍ଗେ ମନୁଷ୍ୟର ବୌଦ୍ଧିକ ବିକାଶ ଓ ବିଚାରବୋଧକୁ ସୁସଙ୍ଗଠିତ କରାଇବା ବ୍ୟାପାରରେ ବିଜ୍ଞାନର ଭୂମିକା ସମ୍ପର୍କରେ ଚିନ୍ତା କରିବାକୁ ମଧ୍ୟ ଭାବୋଦ୍ଦୀପକ ଉପାଦାନ ଯୋଗାଇଛି ।

 

ମହାକର୍ଷଣ ବଳ, ବିଦ୍ୟୁତ୍-ଚୁମ୍ବକୀୟ ବଳ, ନିଉକ୍ଲିଆର ବଳ ଓ ଦୁର୍ବଳ ଅନ୍ତଃକ୍ରିୟା-ଏହା ଚତୁର୍ବିଧ ବଳର ପ୍ରଭାବ ଯୋଗୁଁ ହିଁ ପ୍ରକୃତି କୋଳରେ ସର୍ବବିଧ ଦୃଶ୍ୟ ସଂଘଟିତ ହେଉଛି । ପ୍ରତ୍ୟେକ ବଳର କାର୍ଯ୍ୟକାରିତାକୁ ଆମେ କ୍ଷେତ୍ର–ତତ୍ତ୍ୱ ଜରିଆରେ ବୁଝିବାକୁ ସମର୍ଥ ହେଉଛୁ । ଉଦାହରଣସ୍ଵରୂପ, ବିଦ୍ୟୁତ୍-ଚୁମ୍ବକୀୟ କ୍ଷେତ୍ରରେ ବିଦ୍ୟୁତ୍-ଚୁମ୍ବକୀୟ ବଳର କରାମତି ଫୋଟନ କଣିକା ମାଧ୍ୟମରେ ଅଭିବ୍ୟକ୍ତ ହେଉଛି । ମାତ୍ର ଏହି ଚତୁର୍ବିଧ ବଳକୁ ଚାରିଟି ସ୍ୱତନ୍ତ୍ର କ୍ଷେତ୍ର ମାଧ୍ୟମରେ ସ୍ୱତନ୍ତ୍ର ଭାବରେ କ୍ରିୟାଶୀଳ ହେବା ପରିବର୍ତ୍ତେ ଗୋଟିଏ ସର୍ବବ୍ୟାପକ କ୍ଷେତ୍ରର ଚତୁର୍ବିଧ ପରିପ୍ରକାଶ ଭାବରେ ବିଚାର କରିବାର ଯଥାର୍ଥତା ହିଁ ନିଉଟନ, ଫାରାଡ଼େ ଓ ଆଇନଷ୍ଟାଇନଙ୍କ ଅମଳଠାରୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କୁ ଗୋଟିଏ ଏକତ୍ରିତ କ୍ଷେତ୍ର-ତତ୍ତ୍ୱର (ଗ୍ରାଣ୍ଡ-ୟୁନିଫାଏଡ଼ ଥିଓରି) ପ୍ରତିଷ୍ଠା ପାଇଁ ସ୍ଵପ୍ନବିଭୋର କରାଇଛି । ଯଦି ଏହା ସମ୍ଭବ ହୋଇପାରେ, ତାହାହେଲେ ଆମେ ପ୍ରାକୃତିକ କ୍ରିୟାଶୀଳତାର ସାମଗ୍ରିକ ରୂପ ସମ୍ପର୍କରେ ଅବଧାରିକ ହୋଇପାରିବା ଏବଂ କେଉଁ ଭୌତିକ ପରିବେଶର ପ୍ରଭାବଯୋଗୁଁ କିପରି ଭାବରେ କେଉଁ ପ୍ରକାର ବଳ ପୃଥକୀକୃତ ବା ସମ୍ମିଳିତ ଭାବରେ କାର୍ଯ୍ୟକାରୀ ହେଉଛି, ତତ୍‍ସମ୍ପର୍କୀୟ ସ୍ପଷ୍ଟୀକରଣ ପାଇପାରିବା । ଏହି ପୁସ୍ତକର ରଚୟିତା ଓ ଓ୍ୱିନବର୍ଗ ଏବଂ ଆର୍ଥର ସ୍କାଲୋ ଓ ଆବଦସ ସଲାମ ବିଦ୍ୟୁତ୍-ଚୁମ୍ୱକୀୟ ବଳ ଓ ଦୁର୍ବଳ ଅନ୍ତଃକ୍ରିୟା ଭଳି ଦ୍ୱିବିଧ ବଳକୁ ଗୋଟିଏ ପ୍ରକାର ବିଦ୍ୟୁତ୍-ଦୁର୍ବଳ ବଳର ଦ୍ୱିବିଧ ପରିପ୍ରକାଶ ଭାବରେ ବୁଝାଇ ପାରିଥିବାରୁ ୧୯୭୯ ମସିହାରେ ନୋବେଲ ପୁରସ୍କାର ବିଜେତାର ଗୌରବ ଅର୍ଜନ କରିଥିଲେ । ପରବର୍ତ୍ତୀକାଳରେ ଅଭିକ୍ରିୟାତ୍ମକ ଗବେଷଣା ଜରିଆରେ ସେମାନଙ୍କ ତାତ୍ତ୍ୱିକ ସ୍ପଷ୍ଟୀକରଣର ଯଥାର୍ଥତା ପ୍ରତିପାଦିତ ହୋଇଛି । ଏଣୁ କ୍ଷୁଦ୍ରାତିକ୍ଷୁଦ୍ର ବସ୍ତୁ-କଣିକାଗୁଡ଼ିକର ବିଚିତ୍ର ପ୍ରକୃତିଠାରୁ ଅତି ବୃହତ୍ ଗାଲାକ୍‍ସି ଓ ନେବୁଲାମାନଙ୍କ ଗତିବିଧିକୁ ବୁଝାଇପାରିବା ଭଳି ଗୋଟିଏ ସର୍ବବ୍ୟାପକ ଏକତ୍ରିତ କ୍ଷେତ୍ର-ତତ୍ତ୍ୱର ପ୍ରତିଷ୍ଠା ପାଇଁ ପୃଥିବୀର ବିଭିନ୍ନ ବିଜ୍ଞାନୋନ୍ମତ ଦେଶମାନଙ୍କରେ ମହାମତି ବୈଜ୍ଞାନିକମାନେ ବିଭିନ୍ନ ଦୃଷ୍ଟିରୁ ଯେଉଁ ପ୍ରକାରର ତାତ୍ତ୍ୱିକ ଗବେଷଣା ଚଳାଇଛନ୍ତି, ଓ୍ୱିନବର୍ଗ ତତ୍‍ସମ୍ପର୍କୀୟ ପର୍ଯ୍ୟାପ୍ତ ଜ୍ଞାନ ଅର୍ଜନ କରିବା ସ୍ୱାଭାବିକ । ଆଲୋଚ୍ୟ ପୁସ୍ତକଟିରେ ସେ ଅଧୁନା ପରିଚାଳିତ ବହୁମୁଖୀ ଉଦ୍ୟମ ସମ୍ପର୍କରେ ଆମ୍ଭମାନଙ୍କୁ ବୋଧଗମ୍ୟ ସୂଚନା ଯୋଗାଇ ଦେବା ସଙ୍ଗେ ସଙ୍ଗେ ଏପରି ଏକ ଯୁଗାନ୍ତକାରୀ ତତ୍ତ୍ୱର ବୈଶିଷ୍ଟ୍ୟ ସମ୍ପର୍କରେ ମଧ୍ୟ ସଚେତନ କରାଇଛନ୍ତି । ସେ ନିଜେ ପଚାରିଛନ୍ତ : ‘‘ଏକତ୍ରିତ କ୍ଷେତ୍ର-ତତ୍ତ୍ୱ କ’ଣ ଆମ ଦୈନନ୍ଦିନ ଜୀବନ ଯାପନର ମାର୍ଗକୁ ଲକ୍ଷଣୀୟ ଭାବରେ ବଦଳାଇ ପାରିବ ? ଅଭିନବ ଟେକ୍ନୋଲଜିଗୁଡ଼ିକର ଉଦ୍ଭାବନ ପାଇଁ ଏହା କ'ଣ ପଥ ପ୍ରଦର୍ଶନ କରିପାରିବ ? ମନୁଷ୍ୟକୁ କୌଣସି ନକ୍ଷତ୍ର ପୃଷ୍ଠରେ ଅବସ୍ଥାପିତ କରାଇବା ଦିଗରେ ଏ ତତ୍ତ୍ୱ କ’ଣ ସଫଳ ଭୂମିକା ଗ୍ରହଣ କରିବ ?’’ ନିଜେ ପଚାରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ଉଦ୍ଦେଶ୍ୟରେ ସେ ସୂଚାଇଛନ୍ତି ଯେ ଏ ପ୍ରକାର ସମ୍ଭାବନାଗୁଡ଼ିକ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରେ । ମାତ୍ର ଏହି ତତ୍ତ୍ୱ ନିଶ୍ଚିତ ଭାବରେ ମୁଖ୍ୟତଃ ମନୁଷ୍ୟର ମନସ୍ତତ୍ତ୍ୱକୁ ବ୍ୟାପକ ଭାବରେ ବଦଳାଇ ଦେବ । ବିଜ୍ଞାନରୂପୀ ବୌଦ୍ଧିକ ବ୍ୟାପାର ପ୍ରତି ଏବେ ମଧ୍ୟ ଯେପରି ସଂଶୟ ଆରୋପ କରାଯାଉଛି ଏବଂ ବିଶ୍ଵାସ ନିର୍ଭରଶୀଳ ଧର୍ମ ଓ ଦର୍ଶନର କୁପ୍ରଭାବ ବିଜ୍ଞାନର ଅଗ୍ରଗତି ପଥରେ ଯେପରି ଅନ୍ତରାୟ ସୃଷ୍ଟି କରୁଛି, ଏ ତତ୍ତ୍ୱର ପ୍ରତିଷ୍ଠା ସମ୍ଭବ ହେବା ପରେ ବିଜ୍ଞାନ ପ୍ରତି ସେପରି ସଂଶୟାତ୍ମକ ବା ବିରୋଧାତ୍ମକ ମନୋଭାବ ପୋଷଣ କରିବାର ତୀବ୍ରତାରେ ତ୍ୱରାନ୍ୱିତ କ୍ରମହ୍ରାସ ଘଟିବ । ବୈଜ୍ଞାନିକମାନେ ବ୍ରହ୍ମାଣ୍ଡୋତ୍ପତ୍ତି, ବିଶ୍ୱର ସ୍ଥିତାବସ୍ଥା, ଭୌତିକ ବିବର୍ତ୍ତନ ଓ ଅନ୍ତିମ ପରିଣତି ସମ୍ପର୍କରେ ଗବେଷଣା ପ୍ରସୂତ ଅବଦାନ ଯୋଗାଇ ଦେବା ବ୍ୟାପାରକୁ ଧର୍ମ ଓ ଦର୍ଶନ ଜଗତର କର୍ଣ୍ଣଧାରମାନେ ଯେପରି ବିରୋଧ କରୁଛନ୍ତି ତାହା ଆଉ ଜନମାନସକୁ ବିଶେଷ ଭାବରେ ପ୍ରଭାବିତ କରିପାରିବ ନାହିଁ । ଏକତ୍ରିତ କ୍ଷେତ୍ରତତ୍ତ୍ୱର ତାକୁ ଠିକଣା ଭାବରେ ବୁଝିଯିବା ଦ୍ୱାରା ଜନସାଧାରଣ ବିଜ୍ଞାନକୁ ହିଁ ବୌଦ୍ଧିକ ବିବର୍ତ୍ତନର ପ୍ରକୃତ ତଥା ନିର୍ଭୁଲ ମାର୍ଗ ଭାବରେ ଆଦରି ନେବାକୁ ଆଗ୍ରହୀ ହେବେ ।

 

ଆଧୁନିକ ବିଜ୍ଞାନ ବର୍ତ୍ତମାନ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଯଥାର୍ଥ ଉତ୍ତର ଯୋଗାଇ ଦେବାକୁ ପ୍ରୟାସୀ ହୋଇଛି, ଧର୍ମ ଓ ଦର୍ଶନ ଜଗତର ପ୍ରବକ୍ତାମାନେ ସେଗୁଡ଼ିକୁ ସେମାନଙ୍କ ବୌଦ୍ଧିକ ପରିସରରେ ଅଯଥା ହସ୍ତକ୍ଷେପ ଭାବରେ ବିଚାର କରୁଛନ୍ତି । ପ୍ରକୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ବୈଜ୍ଞାନିକ ଗବେଷଣାଲବ୍‍ଧ ଜ୍ଞାନ ସେମାନଙ୍କର ଉପଲବ୍‍ଧିକୁ ବିରୋଧ କରୁଥିବାରୁ ଏପରି ବିବଦମାନ ପରିସ୍ଥିତିର ସୂତ୍ରପାତ ଘଟିଛି । ମାତ୍ର ଓ୍ୱିନବର୍ଗ ଚଳନ୍ତି ବହୁମୁଖୀ ତାତ୍ତ୍ୱିକ ଗବେଷଣାର ଧାରାକୁ ବିଚାରକୁ ନେଇ ନିର୍ଭୀକ ଭାବରେ ସୂଚାଇଛନ୍ତି ଯେ ଚିର ଇପ୍‍ସିତ ଏକତ୍ରିତ କ୍ଷେତ୍ର-ତତ୍ତ୍ୱଟିର ପ୍ରତିଷ୍ଠା ସମ୍ଭବ ହୋଇଯିବା ପରେ ମନୁଷ୍ୟ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟକୁ ଠିକଣା ଭାବରେ ବୁଝିପାରିବ ଏବଂ ପ୍ରକୃତିର ସନ୍ତାନ ଭାବରେ ସେ ନିଜ ସୀମିତ ଶକ୍ତି ସମ୍ବନ୍ଧରେ ମଧ୍ୟ ସଚେତନ ହୋଇପାରିବ । ବିଜ୍ଞାନ ଅତୀତରେ ମନୁଷ୍ୟର ଆତ୍ମବଡ଼ିମା ତଥା ଅହଙ୍କାରକୁ ପରାଭୂତ କରିବା ବ୍ୟାପାରରେ (ଯଥା : କୋପେରନିକସଙ୍କ ଭୂଭ୍ରମଣବାଦ ଓ ଦାରଉଇନଙ୍କ ବିବର୍ତ୍ତନବାଦ) ଯେଉଁ ଐତିହାସିକ ଭୂମିକା ଗ୍ରହଣ କରିଛି, ଏହି ତତ୍ତ୍ୱର ପ୍ରତିଷ୍ଠା ଯୋଗୁଁ ତାହାର ପ୍ରଭାବ ବହୁଗୁଣିତ ହେବ । ଏଣୁ ଜ୍ୟୋତିଷ ଶାସ୍ତ୍ର, ଅତୀନ୍ଦ୍ରିୟ ଦୃଷ୍ଟି ବା ଅନୁଭୂତି ଓ ପୁନର୍ଜନ୍ମ ଆଦି ସାଂସ୍କୃତିକ ବିଭାବଗୁଡ଼ିକ ମନୁଷ୍ୟର ମନସ୍ତତ୍ତ୍ଵକୁ ଯେପରି ବ୍ୟାପକ ଭାବରେ ବିଭ୍ରାନ୍ତ କରିଛି, ତାହାର ଅପସାରଣ ଦିଗରେ ଏକତ୍ରିତ କ୍ଷେତ୍ର-ତତ୍ତ୍ୱ ହିଁ ଏକ ଲକ୍ଷଣୀୟ ଭୂମିକା ଗ୍ରହଣ କରିବ ।

 

ଆଲୋଚ୍ୟ ପୁସ୍ତକର ଆଦ୍ୟଭାଗରେ ଓ୍ୱିନବର୍ଗ ସ୍ପଷ୍ଟ ଭାବରେ ସୂଚାଇଛନ୍ତି ଯେ ଦାର୍ଶନିକ ଚିନ୍ତନର ଧାରା ବିପଥଗାମୀ ହୋଇଥିବା ଯୋଗୁଁ ହିଁ ମନୁଷ୍ୟ ବିଜ୍ଞାନରୂପୀ ସର୍ଜନାତ୍ମକ ବ୍ୟାପାରର ମହନୀୟତାକୁ ସମ୍ୟକ୍ ଭାବରେ ହୃଦୟଙ୍ଗମ କରିପାରିନାହିଁ । ଓ୍ୱିଟଗେନଷ୍ଟିନ ଓ ଫାୟାରଦେଣ୍ଡ ପ୍ରମୁଖ ଦାର୍ଶନିକମାନଙ୍କ ବିଚାରକୁ କଟୁ ସମାଲୋଚନା କରିବା ସଙ୍ଗେ ସଙ୍ଗେ ସେ ବିଶେଷ ଭାବରେ ତାର୍କିକ ପ୍ରତ୍ୟକ୍ଷବାଦର ପ୍ରବକ୍ତାମାନଙ୍କ ବିଜ୍ଞାନ ବିରୋଧୀ ଭୂମିକା ସମ୍ପର୍କରେ ଆମ୍ଭମାନଙ୍କୁ ସଚେତନ କରାଇଛନ୍ତି । ପ୍ରତ୍ୟକ୍ଷବାଦୀମାନଙ୍କ ମତାନୁଯାୟୀ କୌଣସି ତତ୍ତ୍ୱ ବା ଧାରଣାକୁ ଇନ୍ଦ୍ରିୟାନୁଭୂତି ମାଧ୍ୟମରେ ସତ୍ୟାପିତ କରାଇବା ହିଁ ବୈଜ୍ଞାନିକ ପଦ୍ଧତିର ସ୍ୱାତନ୍ତ୍ର୍ୟ । ଓ୍ୱିନବର୍ଗ ସୂଚାଇଛନ୍ତି ଯେ ଏପରି ଦାର୍ଶନିକ ଚିନ୍ତନର ଅନ୍ୟତମ ଜନକ ଅରନେଷ୍ଟ ମ୍ୟାଚ ଦେହାବସାନ ଘଟିବା ପର୍ଯ୍ୟନ୍ତ ପାରମାଣବିକ ପଦାର୍ଥବିଜ୍ଞାନକୁ ବିଜ୍ଞାନର ପରିସରଭୁକ୍ତ କରାଇବାକୁ ଉଚିତ ମଣି ନ ଥିଲେ । କାରଣ ତାଙ୍କ ବିଚାର ଅନୁଯାୟୀ ଯେଉଁ ପରମାଣୁକୁ ମନୁଷ୍ୟ ଆଜି ପର୍ଯ୍ୟନ୍ତ ଦେଖିନାହିଁ, ତାହାକୁ ତାତ୍ତ୍ୱିକ ଗବେଷଣାର ମୁଖ୍ୟ ଉପାଦାନ ଭାବରେ ଗ୍ରହଣ କରିବାର କୌଣସି ଯଥାର୍ଥତା ନାହିଁ । ଓ୍ୱିନବର୍ଗଙ୍କ ଉପଲବ୍‍ଧି ଅନୁଯାୟୀ ଏ ପ୍ରକାର କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ଅବଲମ୍ବନରେ ବୈଜ୍ଞାନିକମାନଙ୍କ ସୃଷ୍ଟିଶୀଳତାକୁ ସୀମିତ କରାଇବାର ପ୍ରୟାସ କେବଳ ଅଜ୍ଞତାର ପରିଚାୟକ । ତାଙ୍କ ଉପଲବ୍‍ଧି ଅନୁଯାୟୀ ଏକ ସ୍ୱତନ୍ତ୍ର ପ୍ରକାରର ସୌନ୍ଦର୍ଯ୍ୟବୋଧ ହିଁ ସର୍ବବିଧି ବୈଜ୍ଞାନିକ ସୃଜନଶୀଳତାର ଉତ୍ସ । ନିଜସ୍ୱ ସୌନ୍ଦର୍ଯ୍ୟବୋଧକୁ ପ୍ରତ୍ୟେକ ସୃଷ୍ଟିଶୀଳ ବୈଜ୍ଞାନିକ ଏକ ସ୍ୱତନ୍ତ୍ର ପ୍ରକାରେ ଅଭିବ୍ୟକ୍ତ କରନ୍ତି । ମାତ୍ର ଯାହାକୁ କୌଣସି କାଳରେ ବୈଜ୍ଞାନିକ ସତ୍ୟଭାବରେ ଗ୍ରହଣ କରାଯାଏ, ତାହା ପୂର୍ବ ଘୋଷିତ ବହୁବିଧି ନିୟମ ଓ ସିଦ୍ଧାନ୍ତଗୁଡ଼ିକ ସହିତ ସଂଗତି ରକ୍ଷା କରିବା ସଙ୍ଗେ ସଙ୍ଗେ ତଦବଧି ଅବୋଧ୍ୟ କେତେକ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଉନ୍ମୋଚନ କରିବାକୁ ସମର୍ଥ ହୁଏ । ବୈଜ୍ଞାନିକ ରସାସ୍ୱାଦନ ଓ ଭାବାଭିବ୍ୟକ୍ତିର ସ୍ୱାତନ୍ତ୍ର୍ୟକୁ ଠିକଣା ଭାବରେ ବୁଝିପାରିବା ଦ୍ୱାରା ହିଁ ଆମେ ଧର୍ମ ଓ ବିଜ୍ଞାନ କେନ୍ଦ୍ରିକ ବିବଦମାନ ପରସ୍ଥିତିର ଠିକଣା ସମାଧାନ କରିପାରିବା । କେତେକ ଧର୍ମ ସଂସ୍ଥାପକମାନଙ୍କ ବୈୟକ୍ତିକ ଉପଲବ୍‍ଧି ପର୍ଯ୍ୟବସିତ ଜ୍ଞାନ ହିଁ ଧର୍ମ ଜଗତର ପ୍ରବକ୍ତାମାନଙ୍କ ଆରାଧ୍ୟ ବିଷୟ । ଧାର୍ମିକ ବିଚାର ବିଶ୍ଵାସ ପର୍ଯ୍ୟବସିତ । ଏଣୁ ଓ୍ୱିନବର୍ଗଙ୍କ ମତାନୁଯାୟୀ ବିଜ୍ଞାନ ଭଳି ଏକ ଅନ୍ତହୀନ ଅନୁସନ୍ଧାନାତ୍ମକ ପ୍ରକ୍ରିୟାକୁ ଧର୍ମ ସହିତ ତୁଳନା କରିବାର କୌଣସି ଅବକାଶ ନାହିଁ ।

 

ଆମେ ବୁଝିବାର କଥା ଯେ ବିଂଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ ତ୍ୱରାନ୍ୱିତ ଅଗ୍ରଗତିର ଫଳସ୍ୱରୂପ ବିଜ୍ଞାନ ଯେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଯୋଗାଇ ଦେବାକୁ ଚାହିଁଛି, ପୂର୍ବରୁ ସେଗୁଡ଼ିକ ଧର୍ମ ଓ ଦର୍ଶନ ଜଗତର ଅନ୍ତର୍ଭୁକ୍ତ ହୋଇଥିଲା । ଏବେ ଏକ ପୂର୍ଣ୍ଣତାଭିମୁଖୀ ବା ହୋଲିଷ୍ଟିକ୍‌ ଚିନ୍ତନର ଯଥାର୍ଥତା ବିଜ୍ଞାନ ଜଗତରେ ଉପଲବ୍‍ଧ ହୋଇଛି । ବିଶ୍ଳେଷଣାତ୍ମକ ଚିନ୍ତନ ଭଳି ସଂଶ୍ଳେଷଣାତ୍ମକ ଚିନ୍ତନ ପ୍ରତି ପ୍ରାଧାନ୍ୟ ଆରୋପିତ ହୋଇଛି । ଏଣୁ ଆଧୁନିକ ଯୁଗର ଜନୈକ ପ୍ରତିନିଧି ସ୍ଥାନୀୟ ବିଜ୍ଞ ବୈଜ୍ଞାନିକଙ୍କ ସୁଗ୍ରାହୀ ମାନସପଟରେ ଯେଉଁ ପ୍ରକାର ଭାବାତ୍ମକ ଆଲୋଡ଼ନ ସୃଷ୍ଟି ହୋଇଛି, ତାହାହିଁ ଏ ପୁସ୍ତକର ଆଲୋଚ୍ୟ ବିଷୟ । ଏପରି ଏକ ଭାବୋଦ୍ଦୀପକ ପୁସ୍ତକକୁ ପାଠ କରିବାଦ୍ଵାରା ଆମେ ଆଧୁନିକ ପଦାର୍ଥବିଜ୍ଞାନର ଅଗ୍ରଗତି ସହିତ ପରିଚିତ ହେବା ସଙ୍ଗେ ସଙ୍ଗେ ଆମ ସଭ୍ୟତା ଓ ସଂସ୍କୃତିର ସୁସଂଯତ ବିକାଶ ପଥରେ ବିଜ୍ଞାନର ଭୂମିକା ସମ୍ପର୍କରେ ସ୍ୱତଃପ୍ରବୃତ୍ତ ଭାବରେ ଚିନ୍ତା କରିବାକୁ ଆଗ୍ରହୀ ହେବା ।

 

ପୁସ୍ତକର ଉପସଂହାରରେ ଓ୍ୱିନବର୍ଗ ଗୋଟିଏ ଅତିପରିବାହୀ ଅତିସଂଘାତକ (ସୁପରକଣ୍ଡକ୍ଟିଙ୍ଗ୍‌ ସୁପରକଲାଇଡ଼ର୍) ନିର୍ମାଣ ପାଇଁ ଦରକାର ହେଉଥିବା ବିପୁଳ ପୁଞ୍ଜି ଯୋଗାଇ ଦେବାପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ କର୍ତ୍ତୃପକ୍ଷଙ୍କୁ ଆବେଦନ କରିଛନ୍ତି । ତାଙ୍କ ବିଚାର ଅନୁଯାୟୀ ଏହି ଶକ୍ତିଶାଳୀ ତ୍ୱରକର ନିର୍ମାଣ ସମ୍ଭବ ହେବାଦ୍ଵାର ଏକତ୍ରିତ କ୍ଷେତ୍ର-ତତ୍ତ୍ୱ ପ୍ରତିଷ୍ଠା ପାଇଁ ପଥ ସୁଗମ ହେବ । ବର୍ତ୍ତମାନ କର୍ମରତ ଗବେଷକମାନେ ଯେଉଁ ପ୍ରାକ୍‍ସୂଚନା ଯୋଗାଉଛନ୍ତି, ସେଗୁଡ଼ିକର ସତ୍ୟାପନ ଦିଗରେ ଏହି ଯନ୍ତ୍ର ଲକ୍ଷଣୀୟ ଭୂମିକା ଗ୍ରହଣ କରିବ । ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇବା ପାଇଁ ଉଦ୍ଦିଷ୍ଟ ତଥା ଇପ୍‍ସିତ ମହନୀୟ ତତ୍ତ୍ୱଟିର ପ୍ରତିଷ୍ଠା ଦିଗରେ ଅର୍ଥାଭାବ ଯେଉଁ ଗୁରୁତର ଅନ୍ତରାୟ ସୃଷ୍ଟି କରିଛି, ତାହାର ଅପସାରଣ ପାଇଁ ତାଙ୍କ ଆବେଦନ ବେଶ୍‌, ହୃଦୟଗ୍ରାହୀ ହୋଇଛି ।

☆☆☆

 

ସୃଜନଶୀଳତାର ଅନ୍ୟତମ ଉତ୍ସ : ପାକ୍ଷିକ ଚିନ୍ତନ

[Lateral Thinking]

SERIOUS CREATIVITY USING THE POWER OF LATERAL THINKING TO CREATE NEW IDEAS

By

Edward De Bono

Indus, Harper Collins. 1992

 

ସୃଜନଶୀଳତା ମନୁଷ୍ୟରୂପୀ ଅନନ୍ୟ ପ୍ରାଣୀର ଏକ ସହଜାତ ଗୁଣ । ମୌଳିକ ଚିନ୍ତା ବଳରେ ମନୁଷ୍ୟ ନିଜ ଚେତନାର ଉତ୍ତରଣ ଘଟାଇବାକୁ ଚାହେଁ । ନୂଆ ନୂଆ କୌଶଳ ପ୍ରୟୋଗ କରି ସେ ଯେକୌଣସି କର୍ମ-ପଦ୍ଧତିର ସ୍ଥିତାବସ୍ଥାକୁ ଆହୁରି ସହଜ ଓ ସରଳ କରିଦେବାକୁ ଆଗ୍ରହୀ ହୁଏ । ନିଜ ସୃଷ୍ଟିଶୀଳ ପ୍ରତିଭାର ସଦୁପଯୋଗ ବଳରେ କୌଣସି ମୌଳିକ ବା ଅଭିନବ ତତ୍ତ୍ୱ, ଧାରଣା ବା କର୍ମ-ପଦ୍ଧତି ଉଦ୍ଭାବନ କରିବା ଦ୍ୱାରା ସେ ଆତ୍ମପ୍ରସାଦ ଅନୁଭବ କରେ । ନିଜ ଦୃଷ୍ଟିଶୀଳ ପ୍ରତିଭାର ସୁରଭି ବିକଶିତ ହେବାଦ୍ୱାରା ତଥା ତଜ୍ଜନିତ କୌଣସି ନା କୌଣସି କ୍ଷେତ୍ରର ସ୍ଥିତାବସ୍ଥାରେ ଉନ୍ନତି ଘଟିବା ଦ୍ୱାରା ସେ ସମାଜରେ ପ୍ରତିଷ୍ଠା ଅର୍ଜନ କରେ । ଜୈବିକ ବିବର୍ତ୍ତନର କୌଣସି ଏକ ଶୁଭ ଲଗ୍ନରେ ଧରଣୀ ବକ୍ଷରେ ମନୁଷ୍ୟର ଆବିର୍ଭାବ ଘଟିବା ପରଠାରୁ ମନୁଷ୍ୟଠାରେ ଏହି ଅନନ୍ୟ ପ୍ରତିଭାର ପରିପ୍ରକାଶ ଯୋଗୁଁ ହିଁ ମାନବୀୟ ସଭ୍ୟତା ଓ ସଂସ୍କୃତି ପରିବର୍ତ୍ତନଶୀଳ ରୂପ ଧାରଣ କରିଛି । ସୃଷ୍ଟିଶୀଳ ପ୍ରତିଭାର ପରିପ୍ରକାଶ ଓ ଉପଯୋଗ ଯୋଗୁଁ ପୃଥିବୀ ବକ୍ଷରେ ସର୍ବତ୍ର ସଭ୍ୟତା ଓ ସଂସ୍କୃତି ପ୍ରଗତିଶୀଳ ରୂପ ଧାରଣ କରିବାକୁ ସମର୍ଥ ହୋଇଛି । ଏଣୁ ପ୍ରତ୍ୟେକ ସଭ୍ୟ ଓ ସୁସଂସ୍କୃତ ସମାଜ ନିଜ ଅଞ୍ଚଳରେ ମାନବ ସମ୍ବଳର ସହଜାତ ପ୍ରତିଭାର ପରିପ୍ରକାଶ ପାଇଁ ସମୁଚିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଦିଗରେ ପ୍ରାଧାନ୍ୟ ଆରୋପ କରିବା ସ୍ୱାଭାବିକ ବୋଧ ହେଉଛି । ଶୈଶବକାଳଠାରୁ ପ୍ରତ୍ୟେକ ପିଲାର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନଟ କରିବା ପାଇଁ, ଚିହ୍ନିତ ପ୍ରତିଭାର ସୁସଂଯତ ବିକାଶ ପାଇଁ ତଥା ସେହି ପ୍ରତିଭାର ପରିପ୍ରକାଶ ଓ ବ୍ୟାବହାରିକ ବିନିଯୋଗ ପାଇଁ ଯେଉଁ ସମାଜ ଯେତେ ଅଧିକ ସଚେତନ ଭାବରେ ସୁଦକ୍ଷ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିପାରୁଛି, ସେହି ସମାଜର ପ୍ରଗତିର ଧାରା ସେତେ ତ୍ୱରାନ୍ୱିତ ହେଉଛି ।

 

ପୃଥିବୀର ବିଭିନ୍ନ ଦେଶର ବହୁ ପ୍ରବୀଣ ଚିନ୍ତାନାୟକ ଓ ଶିକ୍ଷାବିତ୍‌ ମାନବ ସମ୍ବଳର ଏପରି ଶୁଭକାରୀ ଯତ୍ନ ନେବାପାଇଁ ବିଭିନ୍ନ ଦିଗରୁ ଚିନ୍ତାକରି ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରାଯିବା ସମ୍ପର୍କରେ ପରାମର୍ଶ ଦେଉଛନ୍ତି । ଆଧୁନିକ ଯୁଗରେ ପ୍ରବୀଣ ଶିକ୍ଷାବିତ୍ ଓ ସମାଜବିଜ୍ଞାନୀ ଏଡ଼ଓ୍ୱାର୍ଡ଼ ଦେ ବୋନୋ ଏହି ବ୍ୟାପାରରେ ବିଶେଷ ପାରିଦର୍ଶିତା ପ୍ରଦର୍ଶନ କରୁଛନ୍ତି-। କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ କ୍ରମରେ ପୁସ୍ତକ ରଚନା କରି ସେ ମାନବସମ୍ବଳର ବିକାଶପାଇଁ ନିଜ ଅବବୋଧ, ପାଣ୍ଡିତ୍ୟ ଓ ଅନ୍ତଃଦୃଷ୍ଟି ନିର୍ଭରଶୀଳ ସୁଚିନ୍ତିତ ପରାମର୍ଶ ଦେଉଛନ୍ତି-। ତାଙ୍କଦ୍ୱାରା ରଚିତ ତଥା ସଦ୍ୟ ପ୍ରକାଶିତ ‘ସିରିଅସ୍ କ୍ରିଏଟିଭିଟି’ ଶୀର୍ଷକ ପୁସ୍ତକଟିରେ ସେ ‘ପାକ୍ଷିକ ଚିନ୍ତନ’ ବା ‘ଲିଟରାଲ ଥିକିଙ୍ଗ୍’ ଭଳି ଏକ ଅଭିନବ ମନନଶୀଳତା ସମ୍ପର୍କରେ ଦିଗ୍‌ଦର୍ଶନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବହୁ ଚିତ୍ତାକର୍ଷକ ଦୃଷ୍ଟାନ୍ତ ଅବଲମ୍ବନରେ ଏହି ପଦ୍ଧତିକୁ ଆନୁଷ୍ଠାନିକ ଶିକ୍ଷା ବା ବୈଷୟିକ ଶିକ୍ଷା ସଂକ୍ରାନ୍ତୀୟ ପ୍ରଶିକ୍ଷଣ ବ୍ୟାପାରରେ କାର୍ଯ୍ୟକାରୀ କରାଇବା ପାଇଁ ଆମ୍ଭମାନଙ୍କୁ ସମୟୋଚିତ ପରାମର୍ଶ ଦେଉଛନ୍ତି । ଏଣୁ ଏପରି ଏକ ଗ୍ରନ୍ଥକୁ ମନଯୋଗ ସହକାରେ ପାଠ କରିବା ଦ୍ୱାରା ଆମ ଦେଶର ପ୍ରବୀଣ ଶିକ୍ଷାବିତ୍‍, ଶିକ୍ଷା ବିଭାଗୀୟ ପ୍ରଶାସକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଶିକ୍ଷାନୁରାଗୀ ବୁଦ୍ଧିଜୀବୀମାନେ ସ୍ୱଦେଶୀ ମାନବ ସମ୍ବଳର ବିକାଶ ପାଇଁ ଶିକ୍ଷା-ଜଗତରେ ତାଙ୍କ ଦ୍ୱାରା ପ୍ରଦତ୍ତ ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରାଇବା ପାଇଁ ଆଗ୍ରହୀ ହୋଇପାରିବେ-। ସମକାଳୀନ ଭାବରେ ଏପରି ଏକ ଉପାଦେୟ ପୁସ୍ତକ ପାଠ କରିବା ଦ୍ୱାରା ଆମ ଦେଶର ସ୍ଥିତାବସ୍ଥା ପରିପ୍ରେକ୍ଷୀରେ ପ୍ରଶିକ୍ଷଣଗତ ଓ ତାଲିମ କ୍ଷେତ୍ରରେ ନୂଆ ନୂଆ ଫଳପ୍ରଦ ଉପାୟ ସମ୍ପର୍କରେ ଚିନ୍ତା କରିବାକୁ ମଧ୍ୟ ଆମେ ପ୍ରେରଣା ପାଇପାରିବା ।

 

ନିଷ୍ପାପ ଓ ଶୁଦ୍ଧମତି ମନୁଷ୍ୟ ଚିନ୍ତନାଶ୍ରୟୀ ମୌଳିକ ଉପାଦାନ ଯୋଗାଇପାରେ । କୌଣସି ଏକ ବିଷୟ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନାର୍ଜନ କରିବା ଦ୍ୱାରା ବହୁ ପ୍ରତିଷ୍ଠିତ ତତ୍ତ୍ୱ ଓ ଧାରଣା ମାନସପଟକୁ ଆବିଳ କରେ । ଏଣୁ ବ୍ୟାପକ ଅଧ୍ୟୟନୋତ୍ତର ଚିନ୍ତନ ବଳରେ ମନୁଷ୍ୟ ନିଜ ବୌଦ୍ଧିକତା ପ୍ରସୂତ ଯେଉଁ ଅବଦାନ ଯୋଗାଏ ସେଥିରେ ନୂତନତ୍ୱ ଥିଲେ ମଧ୍ୟ ମୌଳିକତାର ଛାପ ନ ଥାଏ । ଆମେ ଜାଣୁ ଯେ ମଣ୍ଟଗୋଲଫାୟାର ଭ୍ରାତାଯୁଗଳ ପ୍ରଥମେ ଉତ୍ତପ୍ତ ବାୟୁ ସାହାଯ୍ୟରେ ଗୋଟିଏ ବେଲୁନ୍‍କୁ ଆକାଶ ମାର୍ଗରେ ଉଡ଼ାଇଥିଲେ । ଏହି ଚାଞ୍ଚଲ୍ୟକର ଘଟଣା ସମ୍ପର୍କରେ ଅବଗତ ହେବାକ୍ଷଣି ପ୍ୟାରିସର ତତ୍କାଳୀନ ସମ୍ରାଟ ପ୍ରତିରକ୍ଷା କ୍ଷେତ୍ରରେ ଏପରି ଘଟଣାର ସମ୍ଭାବ୍ୟ ଉପଯୋଗ ସମ୍ପର୍କରେ ଅବଧାରିତ ହେଲେ । ବୈଜ୍ଞାନିକ ପରାମର୍ଶଦାତା ଏମ୍. ଚାର୍ଲସଙ୍କୁ ଡକାଇ ସେ ନିର୍ଦ୍ଦେଶ ଦେଲେ ଯେ ଗୋଟିଏ ବେଲୁନ୍‌ ତିଆରି କରାଯାଉ ଏବଂ ଅବିଳମ୍ବେ ତାହାକୁ ଆକାଶ ମାର୍ଗରେ ଉଡ଼ାଇବାର ବ୍ୟବସ୍ଥା କରାଯାଉ । ଚାର୍ଲସ ଜଣେ ଚତୁର ଓ ସୁଦକ୍ଷ ବୈଜ୍ଞାନିକ ଭାବରେ ସୁନାମ ଅର୍ଜନ କରିଥିଲେ ମଧ୍ୟ ବେଲୁନ୍ ଉଡ଼ାଇବା ସମ୍ପର୍କରେ କିଛି ଜାଣି ନ ଥିଲେ । ମୌଳିକ ଚିନ୍ତା କରିବା ପରେ ବାୟୁଠାରୁ ହାଲୁକା ଉଦ୍‌ଜାନ ଗ୍ୟାସ୍‌ ସାହାଯ୍ୟରେ ସେ ବେଲୁନଟିକୁ ଉଡ଼ାଇବାକୁ ସ୍ଥିର କଲେ । ଉଦଜାନପୂର୍ଣ୍ଣ ବେଲୁନଟିକୁ ଯଥାଶୀଘ୍ର ଊର୍ଦ୍ଧ୍ୱଗାମୀ କରାଇ ସେ ସମ୍ରାଟଙ୍କୁ ସନ୍ତୁଷ୍ଟ କରିପାରିଲେ । ତାଙ୍କଦ୍ୱାରା ଉଦ୍ଭାବିତ ବେଲୁନଟିକୁ ଆକାଶରେ ଉଡ଼ାଇବାର କୌଶଳ ମଣ୍ଟଗୋଲଫାୟାର ଭ୍ରାତାମାନଙ୍କ ଦ୍ୱାରା ବ୍ୟବହୃତ କୌଶଳଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେଲା ଏବଂ ପରବର୍ତ୍ତୀ କାଳରେ ବେଲୁନ୍ ଉଡ଼ାଣ ପାଇଁ ତାଙ୍କ ପଥପ୍ରଦର୍ଶନକାରୀ ବ୍ୟବସ୍ଥାର ସମୁନ୍ନତି ସାଧନ କରାଗଲା ।

 

ପିଲାମାନେ ନିଷ୍ପାପ ଓ ଅକପଟ ମାନସର ଅଧିକାରୀ । ସେମାନଙ୍କ ନିକଟରେ କୌଣସି ସମସ୍ୟା ଉତ୍‍ଥାପନ କରିବା ଦ୍ଵାରା ବେଳେବେଳେ ସେମାନେ ଅତୀବ ତାତ୍ପର୍ଯ୍ୟପୂର୍ଣ୍ଣ ତଥା ଅତି ସରଳ ଉପାୟ ସମ୍ପର୍କରେ ସୂଚନା ଦେଇପାରନ୍ତି । ସମସ୍ୟାଟିର ପୂର୍ଣ୍ଣାଙ୍ଗ ବା ପର୍ଯ୍ୟାପ୍ତ ସମାଧନ ପାଇଁ ସେମାନଙ୍କ ପରାମର୍ଶ ଯଥେଷ୍ଟ ହୋଇ ନ ପାରେ । ମାତ୍ର ଦେ ବୋନୋ ନିଜ ଅଭିଜ୍ଞତାରୁ ଜାଣନ୍ତି ଯେ ବୟସ୍କ ଶ୍ରୋତାମାନେ ସୁଗ୍ରାହୀ ମନୋଭାବର ବଶବର୍ତ୍ତୀ ହେବାଦ୍ଵାରା ଗୋଟିଏ ଅସମାଧିତ ସମସ୍ୟାର ସମାଧାନ ପାଇଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବା ଦିଗରେ ପିଲାମାନଙ୍କଠାରୁ ପରାମର୍ଶ ପାଇପାରନ୍ତି । ଚିତ୍ତାକର୍ଷକ ଦୃଷ୍ଟାନ୍ତ ଅବଲମ୍ବନରେ ସେ ଆଲୋଚ୍ୟ ପୁସ୍ତକରେ ନିଜ ମତର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ଏଣୁ ପାରିପାର୍ଶ୍ୱିକ ଛୋଟ ବଡ଼ ସମସ୍ୟାଗୁଡ଼ିକୁ ନିଷ୍ପାପ ଶୁଦ୍ଧମତି ପିଲାମାନଙ୍କ ନିକଟରେ ଉପସ୍ଥାପିତ କରାଇବା ଦ୍ୱାରା ଆମେ ସେମାନଙ୍କ ସୃଜନଶୀଳ ମନୋବୃତ୍ତିର ଆବର୍ଦ୍ଧନ ଦିଗରେ ସହାୟକ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ମୌଳିକ ଚିନ୍ତା ପ୍ରସୂତ ଅବଦାନଗୁଡ଼ିକ ଜରିଆରେ ମଧ୍ୟ ସଂପୃକ୍ତ ସମସ୍ୟାରାଜିର ସମାଧାନ ପାଇଁ ଠିକଣା ପଥର ଅନୁଗାମୀ ହୋଇପାରିବା ।

 

ଅଭିଜ୍ଞତା ନିର୍ଭରଶୀଳ ସୃଜନଶୀଳତା :–କୌଣସି ଏକ ଅନୁଷ୍ଠାନରେ ଯୋଗ ଦେବାର ପ୍ରାୟ ଛ’ମାସ ଠାରୁ ୧୮ ମାସ ମଧ୍ୟରେ (ଏହି ସମୟର ସୀମା ଆନୁଷ୍ଠାନିକ ଜଟିଳତା ଉପରେ ନିର୍ଭର କରେ) ଜନୈକ କର୍ମଚାରୀ ସେହି ଅନୁଷ୍ଠାନର ଉତ୍ପାଦନ–ପଦ୍ଧତି ବା ପରିଚାଳନାପଦ୍ଧତିରେ ମୌଳିକ ପରିବର୍ତ୍ତନ ଘଟାଇବାକୁ ଆଗ୍ରହୀ ହୁଅନ୍ତି । ପୂର୍ବରୁ ଅନୁଷ୍ଠାନର କ୍ରିୟାଶୀଳତା ସମ୍ବନ୍ଧରେ କୌଣସି ଧାରଣା ନ ଥିବାରୁ ସେ ଶୁଦ୍ଧ ମନରେ ତାହାର କାର୍ଯ୍ୟଦକ୍ଷତାର ଆବର୍ଦ୍ଧନ ଦିଗରେ ମୌଳିକ ଚିନ୍ତା କରି ପାରନ୍ତି । ମାତ୍ର ବେଶ୍‌ କିଛିଦିନ କାମ କରିବା ପରେ ତାଙ୍କଠାରେ ଏପରି କର୍ମତତ୍ପରତା ପରିଲକ୍ଷିତ ହେବାର ଅବକାଶ ରହେ ନାହିଁ । ଓଲଟି ସ୍ଥିତାବସ୍ଥା ତାଙ୍କ ଦେହସୁହା ହୋଇଯାଏ । ପଦୋନ୍ନତିର ସୋପାନରେ ଆରୂଢ଼ ହେବାପାଇଁ ସେ ବରିଷ୍ଠ କର୍ମଚାରୀଙ୍କ ପଦାଙ୍କ ଅନୁସରଣ କରିବାକୁ ପ୍ରଲୋଭିତ ହୁଅନ୍ତି ।

 

ଗବେଷଣା କ୍ଷେତ୍ରରେ ମୌଳିକ ଅବଦାନ ଯୋଗାଇଦେବା ପାଇଁ କେବଳ ଅଧ୍ୟୟନ ଓ ଅନୁଶୀଳନ ନିର୍ଭରଶୀଳ ବୌଦ୍ଧିକତା ବିଶେଷ ଫଳପ୍ରଦ ହୁଏ ନାହିଁ । ଯେଉଁ ସମସ୍ୟା ସମ୍ପର୍କରେ ଗବେଷଣାଟି ଉଦ୍ଦିଷ୍ଟ ହୋଇଛି ତତ୍‍ସମ୍ପର୍କୀୟ ସାଧାରଣ ଜ୍ଞାନ ଅର୍ଜନ କରିବା ପରେ ଯଦି ଗବେଷକ ମୌଳିକ ଚିନ୍ତା କରିବାକୁ ଉଚିତ ମଣନ୍ତି ତାହାହେଲେ ସେ ଗବେଷଣାରେ କୌଣସି ନିଜସ୍ୱ ପଦ୍ଧତିର ଆଦରି ନେବାର ଅବକାଶ ଥାଏ । ଯଦି ସେ ଗବେଷଣାଗତ ବ୍ୟାପାରରେ କିଛି ବାଟ ଆଗେଇଯିବା ପରେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଅଧ୍ୟୟନ କରିବାକୁ ସ୍ଥିର କରନ୍ତି ତାହାହେଲେ ଏବଂବିଧ ଅର୍ଜିତ ଜ୍ଞାନ ନିଜସ୍ୱ ଗବେଷଣାପଦ୍ଧତିର ଉତ୍ତରୋତ୍ତର ସମୃଦ୍ଧି ସାଧନ ଦିଗରେ ସହାୟକ ହୁଏ ଏବଂ ସେ ମୌଳିକ ଗବେଷଣା ପାଇଁ ସୁନାମ ଅର୍ଜନ କରିପାରନ୍ତି-। ମାତ୍ର ଯଦି ଗବେଷଣା ଚଳାଇବା ପୂର୍ବରୁ ତଦବିଧି ଜ୍ଞାତ ଜ୍ଞାନରାଶିକୁ ଆୟତ୍ତ କରିବା ଦିଗରେ ସେ ବିଶେଷ ପ୍ରାଧାନ୍ୟ ଆରୋପ କରନ୍ତି, ତାହାହେଲେ ସେହି ବିଷୟରେ ସେ ଅବଶ୍ୟ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି; ମାତ୍ର ତଦନୁରୂପ ଗବେଷଣାରେ ମୌଳିକତାର ଛାପ ନ ଥାଏ-। ନିଷ୍କପଟ ବା ଶୁଦ୍ଧ ମାନସର ଅଧିକାରୀ ସର୍ଜନାତ୍ମକ ବ୍ୟାପାରରେ ଯେଉଁ ପ୍ରକାର ମୌଳିକତା ପ୍ରଦର୍ଶନ କରିପାରନ୍ତି, ଅନୁଭୂତି ବା ଅଭିଜ୍ଞତା ନିର୍ଭରଶୀଳ ବୌଦ୍ଧିକ ଶ୍ରମ ଯୋଗୁଁ ତଦନୁରୂପ ମୌଳିକତାର ପ୍ରଦର୍ଶନ ସମ୍ଭବ ହୁଏ ନାହିଁ । ବ୍ୟାବସାୟିକ ବା ବାଣିଜ୍ୟ କ୍ଷେତ୍ରରେ ଶେଷୋକ୍ତ ଧରଣର ସୃଜନଶୀଳତା ପରିଲକ୍ଷିତ ହୁଏ । ଏହାକୁ ଦେ ବୋନୋ ‘ଲୋ ରିସ୍କ କ୍ରିଏଟିଭ’ ଭାବରେ ଚିତ୍ରଣ କରିଛନ୍ତି । ଜଣେ ବ୍ୟକ୍ତି ଗୋଟିଏ ପ୍ରକାର ଉତ୍ପାଦନ-ପ୍ରକ୍ରିୟା ଅବଲମ୍ବନରେ ଯଦି କୌଣସି କାରଖାନାର ଲାଭ ବଢ଼ାଇ ପାରନ୍ତି, କିମ୍ବା ଜଣେ କେହି ନୂଆ ପ୍ରକାର ବିଜ୍ଞାପନ-କୌଶଳ ଜରିଆରେ ଯଦି ଗ୍ରାହକମାନଙ୍କ ମନ କିଣି ପାରନ୍ତି, ଅଥବା କେହି ପ୍ରଯୋଜକ ବିଶେଷ ଧରଣର ବିଷୟବସ୍ତୁ ନିର୍ଭରଶୀଳ ଚଳଚ୍ଚିତ୍ର ପ୍ରଯୋଜନାରେ ପ୍ରଚୁର ଲାଭ ପାଇପାରନ୍ତି, ତାହାହେଲେ ପରବର୍ତ୍ତୀକାଳରେ ସମଧର୍ମୀ ବିଶେଷଜ୍ଞମାନେ ସେହି ଅଭିଜ୍ଞତାସିଦ୍ଧ ପଦ୍ଧତିକୁ ବୁଦ୍ଧି ବଦଳରେ ବଦଳାଇ ଫାଇଦା ଉଠାଇବାକୁ ଗୋଟିଏ ସହଜ ପନ୍ଥା ରୂପେ ଆଦରି ନିଅନ୍ତି । ସୁବିଧାବାଦିତାର ବଶବର୍ତ୍ତୀ ବ୍ୟକ୍ତିମାନେ ସ୍ଥିତାବସ୍ଥାରେ ଲାଭପ୍ରଦ ସାମାନ୍ୟ ଅଦଳ ବଦଳ କରିବା ଦିଗରେ ଯତ୍ନବାନ୍‌ ହୁଅନ୍ତି । ଏପରି କ୍ଷେତ୍ରରେ ନିମ୍ନମାନର ସୃଜନଶୀଳତାକୁ ହିଁ ପ୍ରଶ୍ରୟ ଦିଆଯାଏ-। ପୃଷ୍ଠପୋଷକମାନେ ମୌଳିକତାକୁ ପ୍ରଶ୍ରୟ ଦେବାକୁ ଆଗ୍ରହୀ ହୁଅନ୍ତି ନାହିଁ । କାରଣ, ଧାରଣାଟି ବାସ୍ତବ କ୍ଷେତ୍ରରେ ଫଳପ୍ରସୂ ହୋଇ ନ ପାରିଲେ ବିପୁଳ କ୍ଷତି ଘଟିବାର ସମ୍ଭାବନା ଥାଏ-

 

ପ୍ରବର୍ତ୍ତନା ବା ମୋଟିଭେଶନ ନିର୍ଭରଶୀଳ ସୃଜନଶୀଳତା:–ପରିସ୍ଥିତୀୟ ପ୍ରବର୍ତ୍ତନା ଅନେକ ବ୍ୟକ୍ତିଙ୍କୁ ନିଜ ନିଜ ସୃଜନଶୀଳତାର ସଦୁପଯୋଗ କରିବା ପାଇଁ ଅସୀମ କର୍ମ-ପ୍ରେରଣା ଯୋଗାଇଦିଏ । ଏମାନେ ଯେକୌଣସି ସ୍ଥିତାବସ୍ଥାର ସମୁନ୍ନତି ସାଧନ ପାଇଁ ସ୍ୱତଃସ୍ଫୁର୍ତ୍ତ ଭାବରେ ଆଗ୍ରହୀ ହୁଅନ୍ତି । ବିକଳ୍ପ ପଦ୍ଧତି ବା କୌଶଳର ଉଦ୍ଭାବନ ଦିଗରେ ବୁଦ୍ଧି ଖଟାଇବାକୁ ଏମାନେ ସୁଖପ୍ରଦ ମଣନ୍ତି । ଗତାନୁଗତିକ ଦୃଷ୍ଟିଭଙ୍ଗୀକୁ ପରିହାର କରି ଅଭିନବ ରୀତିରେ ତଥା ପୂର୍ବାପେକ୍ଷା ସହଜରେ ସୁବିଧାରେ କାର୍ଯ୍ୟ ସାଧନ ପାଇଁ ଏମାନେ ନିଜ ନିଜ ସୃଷ୍ଟିଶୀଳ ପ୍ରତିଭାର ସଦୁପଯୋଗ କରନ୍ତି । ସୃଜନଶୀଳତାର ପରିପ୍ରକାଶ ଘଟାଇବାର ଉଚ୍ଚାକାଂକ୍ଷା ଓ ଆବେଗ ଏମାନଙ୍କୁ ଯଥେଷ୍ଟ ସମୟ ଓ ଶ୍ରମ ବିନିମୟରେ ଏକନିଷ୍ଠ ସାଧନା ଚଳାଇବାକୁ ପ୍ରବର୍ତ୍ତନା ଯୋଗାଏ । ଏପରି ସର୍ଜନାତ୍ମକ ପ୍ରବର୍ତ୍ତନାକୁ ହିଁ ଆମେ ଅନେକ କ୍ଷେତ୍ରରେ ସୃଜନଶୀଳ ବୌଦ୍ଧିକତା ଭାବରେ ସମ୍ମାନ ପ୍ରଦର୍ଶନ କରୁ । ମୌଳିକ ଉଦ୍ଭାବନ ସଂଘଟିତ ହେବାର ସମ୍ଭାବନା ଖୁବ୍‌ କମ୍ ହେଲେ ମଧ୍ୟ ବ୍ୟାବହାରିକ ଦୃଷ୍ଟିରୁ ଏତଦ୍ଦ୍ୱାରା ସମାଜର କଲ୍ୟାଣ ସାଧିତ ହୁଏ । ଗତାନୁଗତିକ ଉତ୍ପାଦନ–ପ୍ରକ୍ରିୟା, ପ୍ରଶାସନିକ ଓ ପରିଚାଳନାଗତ ପଦ୍ଧତି କିମ୍ବା ଦୈନନ୍ଦିନ ଜୀବନର କର୍ମ-ପଦ୍ଧତିକୁ ସହଜ, ସରଳ ଓ ଲାଭପ୍ରଦ କରାଇବା ଦିଗରେ ଏପରି ସୃଜନଶୀଳ ବ୍ୟାପାର ବିଶେଷ ସହାୟକ ହୁଏ ।

 

ଅନେକ କ୍ଷେତ୍ରରେ ପୂର୍ବରୁ କୌଣସି ଧାରଣା ବା ତତ୍ତ୍ୱର ସୂତ୍ରପାତ ଘଟିଥାଏ । ମାତ୍ର ସୃଜନଶୀଳ ଶକ୍ତି ବଳରେ ସେହି ମୌଳିକ ଧାରଣାକୁ ବା ତାହାର କୌଣସି ପରିମାର୍ଜିତ ରୂପକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବା ସମ୍ଭବ ହୋଇ ନଥାଏ । ଯେଉଁମାନେ କୌଣସି ଧାରଣାର ସମ୍ଭାବ୍ୟ ଉପଯୋଗ ସମ୍ବନ୍ଧରେ ସଚେତନ ହେବା ସଙ୍ଗେ ସଙ୍ଗେ ତାହାକୁ ସୃଜନଶୀଳ କ୍ରିୟାଶୀଳତାରେ ରୂପାନ୍ତରୀତ କରିପାରନ୍ତି, ସେମାନେ ମଧ୍ୟ ମୌଳିକ ଧାରଣାର ଉଦ୍ଭାବକମାନଙ୍କ ଭଳି ଯଥାଯୋଗ୍ୟ ସମ୍ମାନର ଅଧିକାରୀ ହୁଅନ୍ତି । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଇତିହାସରେ ଏପରି ଦୃଷ୍ଟାନ୍ତ ବିରଳ ନୁହେଁ ।

 

ସୁଯୋଗ ବା ଚାନ୍‍ସ, ଦୁର୍ଘଟଣା, ତ୍ରୁଟି ଓ ପାଗଳାମି ପ୍ରସୂତ ସୃଜନଶୀଳ କ୍ରିୟାଶୀଳତା:–ଆମ ସାଂସ୍କୃତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ବୁଝି ହେଉଛି ଯେ ଅପ୍ରତ୍ୟାଶିତ ଭାବରେ ସୃଷ୍ଟ କେତେକ ଘଟଣା ବା ଦୃଶ୍ୟ ନୂଆ ନୂଆ ଧାରଣାର ସୂତ୍ରପାତ ଘଟାଇଛି । ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ କୌଣସି କାର୍ଯ୍ୟ କରାଯାଉଥିବାବେଳେ ଅଥବା କୌଣସି ଗବେଷଣାକୁ ସୁସଂଯୋଜିତ ମାର୍ଗରେ ଉଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ପରିଚାଳନା କରାଯାଉଥିବା ବେଳେ କିମ୍ବା କୌଣସି କାର୍ଯ୍ୟ ସାଧନ ପାଇଁ ତ୍ରୁଟିସମ୍ୱଳିତ ଧାରଣାର ବଶବର୍ତ୍ତୀ ହେବାର ପରିଣତି ସ୍ୱରୂପ ନୂଆ ନୂଆ ଘଟଣା ବା ଦୃଶ୍ୟ ଉତ୍ପନ୍ନ ହୁଏ । ଯେଉଁମାନେ ଏ ପ୍ରକାର ଦୃଶ୍ୟ ବା ଘଟଣାକୁ ଉପେକ୍ଷା ବା ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ଏହାର କାରଣ ସମ୍ପର୍କରେ ଜାଣିବା ପାଇଁ କିମ୍ବା ଏହି ଅପ୍ରତ୍ୟାଶିତ ଘଟଣାକୁ ବୁଝିବାପାଇଁ ଅନୁସନ୍ଧାନର ମାର୍ଗରୁ ଆନୁସଙ୍ଗିକ ମାର୍ଗରେ ବଦଳାଇପାରନ୍ତି, ସେମାନେ ଜ୍ଞାନବିଜ୍ଞାନ ଜଗତରେ ନୂଆ ନୂଆ ଧାରଣାର ଉଦ୍ଭାବକ ଭାବରେ ସମ୍ମାନିତ ହୁଅନ୍ତି । କଲମ୍ବସଙ୍କ ଯୁକ୍ତରାଷ୍ଟ୍ର ଆମେରିକା ଆବିଷ୍କାର ଏପରି ଗୋଟିଏ ଐତିହାସିକ ଘଟଣା । ଟଲେମିଙ୍କ ଦ୍ଵାରା ନିର୍ଦ୍ଧାରିତ ପୃଥିବୀର ପରିଧି ସମ୍ପର୍କୀୟ ମାପକୁ ବିଚାରକୁ ନେଇ ସେ ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜ ଆଡ଼କୁ ଯାତ୍ରା ଆରମ୍ଭ କରିଥିଲେ; ମାତ୍ର ସେ ପହଞ୍ଚିଲେ ଯୁକ୍ତରାଷ୍ଟ୍ର ଆମେରିକାରେ । ଟଲେମିଙ୍କ ବହୁ ପୂର୍ବରୁ ଏରାଟୋସ୍ଥେନିସ୍‌ ଏ ସମ୍ପର୍କୀୟ ଯେଉଁ ଗଣନା କରିଥିଲେ ତାହାକୁ ଯଦି କଲମ୍ବସ ବିଚାରକୁ ନେଇଥାଆନ୍ତେ, ତାହାହେଲେ ସେ ଉଦ୍ଦିଷ୍ଟ ନୌଯାତ୍ରାକୁ ବାସ୍ତବ ରୂପ ଦେବାକୁ ସାହସ କରି ନଥା’ନ୍ତେ । କାରଣ, ଏହି ଯାତ୍ରା ଏତେ ସୁଦୀର୍ଘ ହୋଇଥାଆନ୍ତା ଯେ ସେ ସହଯାତ୍ରୀମାନଙ୍କ ପାଇଁ ଜାହାଜରେ ଦରକାରୀ ସାମଗ୍ରୀ ବୋହି ନେବାପାଇଁ ଅସମର୍ଥ ହେବାର ପ୍ରାକ୍‍ସୂଚନା ପାଇପାରିଥାଆନ୍ତେ । ରଂଜେନଙ୍କ ଦ୍ୱାରା ରଞ୍ଜନ ରଶ୍ମି ଆବିଷ୍କାର ତଥା ଫ୍ଲେମିଙ୍ଗଙ୍କ ଦ୍ୱାରା ପେନ୍‌ସିଲିନର ଆବିଷ୍କାର ମଧ୍ୟ ଦୁଇଟି ଅପ୍ରତ୍ୟାଶିତ ଘଟଣା । ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲପାଇଁ ଅଭିକ୍ରିୟାତ୍ମକ ଗବେଷଣା ପରିଚାଳିତ ହେବା ଅବସରରେ ଅପ୍ରତ୍ୟାଶିତ ଦୃଶ୍ୟର ଆବିର୍ଭାବ ହିଁ ଶେଷୋକ୍ତ ବ୍ୟାପାରର ରହସ୍ୟୋନ୍ମଚନ ଦିଗରେ ସଂପୃକ୍ତ ଗବେଷକମାନଙ୍କୁ କର୍ମତତ୍ପର କରାଇଥିଲା । ଇଲେକ୍‌ଟ୍ରୋନିକ୍ ଶିଳ୍ପ ବର୍ତ୍ତମାନ ପୃଥିବୀ ବକ୍ଷରେ ଏକ ଲାଭପ୍ରଦ ଶିଳ୍ପରେ ପରିଣତ ହୋଇଛି । ତଥ୍ୟାଶ୍ରୟୀ ଯୁଗର ସର୍ଜନା ପାଇଁ ଦିନକୁ ଦିନ ଗ୍ରାହକମାନଙ୍କ ମନଲାଖି ନୂଆ ନୂଆ ଇଲେକ୍‍ଟ୍ରୋନିକ୍‍ ଉପକରଣ ପ୍ରସ୍ତୁତ କରାଯାଉଛି । ଏହି ଶିଳ୍ପର ସମୃଦ୍ଧି ସାଧନର ଭିତ୍ତି ପ୍ରସ୍ତର ପ୍ରତିଷ୍ଠା କରିଥିଲେ ଲି ଜେ ଫରେଷ୍ଟ । ସେ ଗୋଟିଏ ଡାୟୋଡ଼ ଅଭ୍ୟନ୍ତରରେ ଆଉ ଗୋଟିଏ ବିଦ୍ୟୁଦଗ୍ର ସ୍ଥାପନା କରି ଗୋଟିଏ ଟ୍ରାୟୋଡ଼ ଭଲ୍‍ଭ ପ୍ରସ୍ତୁତ କଲେ । ମାତ୍ର ଯେଉଁ ତ୍ରୁଟିକୁ ସୁଧାରିବା ପାଇଁ ସେ ଡାୟୋଡ଼ ଭଲ୍‍ଭକୁ ଟ୍ରାୟୋଡ଼୍‌ ଭଲ୍‍ଭରେ ପରିଣତ କରିଥିଲେ, ତାହାର କାରଣକୁ ସେ ତ୍ରୁଟିପୂର୍ଣ୍ଣ ମାନରେ ନିର୍ଣ୍ଣୟ କରିଥିଲେ । ଟ୍ରାୟୋଡ଼ ଭଲ୍‍ଭଟି ପ୍ରସ୍ତୁତ ହେବାପରେ ଦେଖାଗଲା ଯେ ଏହା ଏକ ଆବର୍ଦ୍ଧକ ବା ଆମ୍‍ପ୍ଳିଫାୟାରର ଦାୟିତ୍ୱ ସୁଦକ୍ଷ ମାର୍ଗରେ ତୁଲାଇ ପାରୁଛି । ଏହାହିଁ ପରବର୍ତ୍ତୀକାଳରେ ଇଲେକଟ୍ରୋନିକ୍‌ ଶିଳ୍ପର ତ୍ୱରାନ୍ୱିତ ସମୃଦ୍ଧି ସାଧନ ଦିଗରେ ସହାୟକ ହେଲା । ଟ୍ରାନଜିଷ୍ଟର ଉଦ୍ଭାବିତ ହେବା ପର୍ଯ୍ୟନ୍ତ ସର୍ବବିଧ ଇଲେକ୍‍ଟ୍ରୋନିକ୍‍ ଉପକରଣକୁ ଇଲେକ୍‍ଟ୍ରୋନିକ୍‌ ଭଲବ ସାହାଯ୍ୟରେ ହିଁ ନିର୍ମାଣ କରାଯାଉଥିଲା ।

 

ଯୁଗାଦର୍ଶର ତାଡ଼ନାରେ ସୃଜନଶୀଳ ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସାଧନ ପାଇଁ ପ୍ରଚଳିତ ରୀତିଗୁଡ଼ିକର ଅନୁଗାମୀ ହୁଅନ୍ତି । ବୈଜ୍ଞାନିକ ଗବେଷଣାର ଆଭିମୁଖ୍ୟ ମଧ୍ୟ ଯୁଗାଦର୍ଶ ବା ପାରାଡ଼ାଇମ୍‍ର ବଶବର୍ତ୍ତୀ ହୁଏ । ଗବେଷକମାନେ ଯୁଗାଦର୍ଶ ପ୍ରତିଷ୍ଠାକାରୀ ମୌଳିକ ତତ୍ତ୍ୱଗୁଡ଼ିକୁ ମାନିନେଇ ସେଗୁଡ଼ିକର ଆବର୍ଦ୍ଧନ ବା ପରିମାର୍ଜନ ବଳରେ ବିଜ୍ଞାନର କ୍ରମ ସମୃଦ୍ଧି ସାଧନ କରନ୍ତି । ମାତ୍ର କେତେକ ବ୍ୟକ୍ତି ଯୁଗାଦର୍ଶକୁ ମାନିନେବାକୁ ସମ୍ମତ ହୁଅନ୍ତି ନାହିଁ । ତାତ୍କାଳିକ ସମଧର୍ମୀ ବୈଜ୍ଞାନିକ ଓ ବୁଦ୍ଧିଜୀବୀମାନେ ସେମାନଙ୍କୁ ପାଗଳ ଭାବରେ ବିଚାର କରନ୍ତି ଏବଂ ଏହା ପାଗଳାମି ବିରୋଧରେ ସ୍ଵର ଉତ୍ତୋଳନ କରନ୍ତି । ନବ ଚେତନାର ଉନ୍ମେଷ ପାଇଁ ମନଯୋଗୀ ହୋଇଥିବା ଏ ପ୍ରକାର ବହୁ ବ୍ୟକ୍ତିଙ୍କ ସାଧନା ଅବଶ୍ୟ ତ୍ରୁଟି ସମ୍ବଳିତ ହୁଏ । ମାତ୍ର କେତେକ ଯୁଗସ୍ରଷ୍ଟା ଚିନ୍ତାନାୟକ ସମସାମୟିକ ପଣ୍ଡିତମାନଙ୍କ ବିଷୋଦଗାରକୁ ଭୂକ୍ଷେପ ନକରି ନିଜ ନିଜ ସାଧନାରେ ବ୍ରତୀ ହୁଅନ୍ତି । ଅବିଳମ୍ୱେ କିମ୍ବା ଭବିଷ୍ୟତରେ ସେମାନଙ୍କ ଦ୍ଵାରା ଉଦ୍ଭାବିତ ଅଭିନବ ତଥା ମହାନୀୟ ମୌଳିକ ଧାରଣାର ସତ୍ୟତା ପ୍ରତିପାଦିତ ହୁଏ ଏବଂ ସେମାନେହିଁ ସଭ୍ୟତା ଓ ସଂସ୍କୃତିକୁ ନୂତନ ମୋଡ଼ ଦେଇପାରନ୍ତି । ଯୁଗ ପ୍ରବର୍ତ୍ତକ ଏହି ଚିନ୍ତାନାୟକମାନେ ହିଁ ଜ୍ଞାନ ବିଜ୍ଞାନ ଜଗତରେ କ୍ରମାଗତ ଭାବରେ ଗୋଟିଏ ଯୁଗ ପରେ ଆଉ ଗୋଟିଏ ଯୁଗ ସୃଷ୍ଟି କରନ୍ତି । (ଜ୍ଞାନ-ବିଜ୍ଞାନ ଜଗତର ଏପରି ବିପ୍ଳବାତ୍ମକ ବ୍ୟାପାର ସମ୍ପର୍କରେ ଟମାସ କୁହନଙ୍କ ଦ୍ୱାରା ରଚିତ ‘ଦି ଷ୍ଟକଚର୍‌ ଅଫ୍‌ ସାଇଣ୍ଟିଫିକ୍‌ ରିଭୋଲ୍ୟୁସନ୍‍ସ’ ଶୀର୍ଷକ ଅମୂଲ୍ୟ ଗ୍ରନ୍ଥରେ ବିଶଦ ବର୍ଣ୍ଣନା ପ୍ରଦତ୍ତ ହୋଇଛି ।)

 

ଦେ ବୋନୋଙ୍କ ମତାନୁଯାୟୀ ଜାଣିଶୁଣି ଭୁଲ୍‌ କରିବା ଦ୍ଵାରା ବା ଦୁର୍ଘଟଣା ଘଟାଇବା ଦ୍ୱାରା କିମ୍ବା ପାଗଳାମି କରିବା ଦ୍ୱାରା କେହି ନବ ଚେତନାର ଜାଗରଣ ଘଟାଇ ପାରିବେ ନାହିଁ । ମାତ୍ର ଜ୍ଞାନ-ବିଜ୍ଞାନ ଜଗତରେ ଯେଉଁ ଗୁରୁତର ତ୍ରୁଟି, ବିରୋଧାଭାଷ ଓ ମତାନୈକ୍ୟ ପରିଲକ୍ଷିତ ହେଉଛି ସେଗୁଡ଼ିକ ପ୍ରତି ଯଥୋଚିତ ତଥା ସମୟୋଚିତ ଗୁରୁତ୍ୱ ଆରୋପ କରିବା ଦ୍ଵାରା ମଧ୍ୟ ଆମେ ନୂଆ ନୂଆ ଧାରଣା ସୃଷ୍ଟି ହେବାର ସମ୍ଭାବନାକୁ ଉଜ୍ଜଳମୟ କରିପାରିବା । ଦେ ବୋନୋ ସୂଚାଇଛନ୍ତି ଯେ ଯେଉଁ ସମାଜରେ ବା ଯେଉଁ ରାଷ୍ଟ୍ରରେ ଏକକ ଭାବରେ ଗବେଷଣା ଚଳାଇବା ପାଇଁ ପ୍ରତିଭାଧର ଏକସିଙ୍ଗା ବ୍ୟକ୍ତିମାନଙ୍କୁ ସୁବିଧା ଯୋଗାଇ ଦିଆଯାଏ, ସେଠାକାର ପରିବେଶ ମୌଳିକ ଧାରଣାଗୁଡ଼ିକର ସର୍ଜନା ଦିଗରେ ସହାୟକ ହୁଏ । ଜାପାନ ଦେଶର ‘ମିଟି’ ଆନୁକୂଲ୍ୟରେ ପରିଚାଳିତ ଏକ ପରିସଂଖ୍ୟାନରୁ ଜଣାପଡ଼ୁଛି ଯେ ବିଂଶ ଶତାବ୍ଦୀରେ ଉଦ୍ଭାବିତ ମୌଳିକ ଧାରଣା ବା କୌଶଳଗୁଡ଼ିକ ମଧ୍ୟରୁ ଶତକଡ଼ା ୫୧ ଭାଗ ଇଂଲଣ୍ଡରେ ସଂଘଟିତ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାତ୍ର ଶତକଡ଼ା ୨୧ ଭାଗର ସଂଘଟନ ସମ୍ଭବ ହୋଇଛି । ଏପରି ଘଟିବାର ତାତ୍ପର୍ଯ୍ୟ ହେଉଛି ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ଦଳଗତ ବା ସହଯୋଗିତାମୂଳକ ଗବେଷଣା ଚଳାଇବା ପାଇଁ ବିଶେଷ ସୁବିଧା ମିଳେ । ଯୁକ୍ତରାଷ୍ଟ୍ର ଆମେରିକାର ଗବେଷଣା ଓ ପ୍ରଗତି ବାବଦ ବ୍ୟୟଭାର ଇଂଲଣ୍ଡ ତୁଳନାରେ ଯଥେଷ୍ଟ ଅଧିକ ହୋଇଛି; ମାତ୍ର ମୌଳିକ ଧାରଣା ବା କୌଶଳଗୁଡ଼ିକର ଜାଗରଣ ପାଇଁ ଇଂଲଣ୍ଡ ତୁଳନାରେ ସେଠାକାର ପରିବେଶ ଅନୁକୂଳ ହୋଇନାହିଁ । ଦେ ବୋନୋ ଜଣାଇଛନ୍ତି ଯେ ବ୍ୟୟବହୁଳତା, ଜଟିଳତା ଓ ଆଦର୍ଶଗତ ଦୃଷ୍ଟିରୁ ଏଣିକି ବୈୟକ୍ତିକ ମାର୍ଗରେ ଗବେଷଣା ଚଳାଇବା ପାଇଁ ବିଶେଷ ସୁବିଧା ମିଳିବ ନାହିଁ । ପୁଣି, ବହୁ ଶୃଙ୍ଖଳାଶ୍ରୟୀ ଗବେଷଣା ପ୍ରତି ବିଶେଷ ପ୍ରାଧାନ୍ୟ ଆରୋପିତ ହେବ । ଏଣୁ, ଏପରି ପରିବେଶକୁ ମୌଳିକ ଚିନ୍ତାର ଜାଗରଣ ଦିଗରେ ଅନୁକୂଳ କରାଇବା ପାଇଁ ନୂଆ ନୂଆ ଉଦ୍ଦୀପନା ଯୋଗାଣକାରୀ ପଦ୍ଧତିଗୁଡ଼ିକର ଆଶ୍ରୟ ନେବାକୁ ହେବ । ବୁଦ୍ଧିଜୀବୀମାନେ ଆଗାମୀ ଯୁଗର ଏ ରୂପ ସମସ୍ୟା ସମ୍ପର୍କରେ ଆଜହୁଁ ଚିନ୍ତା କରିବା ପାଇଁ ତଥା ସମାଧାନର ପଥ ନିର୍ଣ୍ଣୟ କରିବା ପାଇଁ ଦେ ବୋନୋଙ୍କ ସମୟୋଚିତ ଚେତାବନୀର ଗୁରୁତ୍ୱ ଉପଲବ୍‍ଧି ହେଉଛି ।

 

ଏହି ପୁସ୍ତକଟିକୁ ପାଠ କରିବା ଦ୍ୱାରା ଆମେ ସୃଜନଶୀଳତାର ରୂପ ଓ ପ୍ରକାରଭେଦ ସମ୍ପର୍କରେ ଅବଗତ ହୋଇପାରୁଛୁ ଏବଂ ଏହାର ପରିପ୍ରକାଶ ଓ ସଦୁପଯୋଗ ପାଇଁ ଅନୁକୂଳ ପରିବେଶର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସଚେତନ ହୋଇପାରୁଛୁ । ଏଣୁ ଏପରି ଏକ ଉପାଦେୟ ସାରଗର୍ଭକ ପୁସ୍ତକକୁ ପାଠ କରିବା ଦ୍ୱାର ଆମେ ମଧ୍ୟ ଜାତୀୟ ପ୍ରତିଭାର ବିକାଶ ଓ ସଦୁପଯୋଗ ଦିଗରେ ସଚେତନ ହେବାପୂର୍ବକ ଏଥିପାଇଁ ଆମ ଦେଶରେ ସର୍ବତ୍ର ଅଧିକରୁ ଅଧିକ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ ଯତ୍ନବାନ୍‌ ହୋଇପାରିବା ।

☆☆☆

 

ପରିଶିଷ୍ଟ

ଆଧୁନିକତୋତ୍ତରତା [Postmodernism]

 

ସୃଜନଶୀଳ ସାହିତ୍ୟ, ଚାରୁକଳା, ସଙ୍ଗୀତ, ନୃତ୍ୟ, ହସ୍ତଶିଳ୍ପ, ସ୍ଥାପତ୍ୟ ପ୍ରଭୃତି ବିଭାବରାଜିର ସମାହାରକୁ ଆମେ ଗୋଟିଏ ସଭ୍ୟତାର ସାଂସ୍କୃତିକ ପରିପାଟୀ ଭାବରେ ବିଚାର କରୁ । ପର୍ଯ୍ୟାୟକ୍ରମେ ମାନବୀୟ ସଭ୍ୟତାର ବିକାଶଧାରା ଅନୁକ୍ରମରେ ଏହି ସାଂସ୍କୃତିକ ପରିପାଟୀର ଢାଞ୍ଚାରେ ପରିବର୍ତ୍ତନ ଘଟିବା ସ୍ୱାଭାବିକ । ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତିର ପ୍ରଭାବ ପୁନରଭ୍ୟୁଦୟ କାଳଠାରୁ ପୃଥିବୀର ସବୁ ରାଷ୍ଟ୍ରକୁ ଊଣା ଅଧିକେ ପ୍ରଭାବିତ କରିଥିଲେ । ଊନବିଂଶ ଶତାବ୍ଦୀରେ ସାଂସ୍କୃତିକ ପରପାଟୀର ବୈଶିଷ୍ଟ୍ୟକୁ ବାସ୍ତବତା ବା ରିଅଲିଜମ ନାମରେ ଅଭିହିତ କରାଯାଇଥିଲା ଏବଂ ବିଂଶ ଶତାବ୍ଦୀରେ ଏହା ଆଧୁନିକତା(ମଡ଼ର୍ଣ୍ଣିଜ୍‍ମ)କୁ ରୂପାନ୍ତରିତ ହେଲା । ବିଂଶ ଶତାବ୍ଦୀର ଷଷ୍ଠ ଦଶକରେ ବହୁ ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ରରେ ଯୁବକ ଯୁବତୀମାନେ ଆଧୁନିକତା ବିରୋଧରେ ପ୍ରତିସାଂସ୍କୃତିକ ବିକ୍ଷୋଭ ପ୍ରଦର୍ଶନ କଲେ । ହଠାତ୍‌ ତୀବ୍ର ରୂପ ଧାରଣ କରିଥିବା ଏହି ଆଲୋଡ଼ନ ସପ୍ତଦଶକ ବେଳକୁ ପ୍ରଶମିତ ହେଲା । ସପ୍ତଦଶକଠାରୁ ଉନ୍ନତ ରାଷ୍ଟ୍ରଗୁଡ଼ିକରେ ସାଂସ୍କୃତିକ ପରିପାଟୀର ସାମୂହିକ ରୂପକୁ ‘ଆଧୁନିକତୋତ୍ତରତା’ ବା ପୋଷ୍ଟ-ମଡ଼ର୍ଣ୍ଣିଜମ ନାମରେ ଅଭିହିତ କରାଯାଉଛି ଏବଂ ସାଂପ୍ରତିକ ସଂସ୍କୃତିର ଏହି ଅଭିନବ ପରିପାଟୀର ଉତ୍ସ ଓ ବୈଶିଷ୍ଟ୍ୟ ସମ୍ପର୍କରେ ବହୁ ସମାଲୋଚକ ତଥା ସମାଜ ବିଜ୍ଞାନୀ ସ୍ପଷ୍ଟୀକରଣ ପ୍ରଦାନ କରୁଛନ୍ତି । ଲକ୍ଷ୍ୟ କରାଯାଉଛି ଯେ ଯୋଗାଯୋଗ ଓ ସାଂସ୍କୃତିକ ଆଦାନ-ପ୍ରଦାନ ବ୍ୟବସ୍ଥାର ଅଭୂତପୂର୍ବ ସମୃଦ୍ଧି ସାଧିତ ହୋଇଥିବା ଯୋଗୁଁ ପୃଥିବୀର ଅଧିକାଂଶ ରାଷ୍ଟ୍ର ଗଣତାନ୍ତ୍ରିକ ଶାସନ ଓ ଖୋଲା ବଜାର ଅର୍ଥନୀତି ପ୍ରତି ଆସ୍ଥା ସ୍ଥାପନା କରିବା ପରଠାରୁ ଏହି ଆଧୁନିକତୋତ୍ତରତା ଅଧିକାଂଶ ବିକାଶଶୀଳ ରାଷ୍ଟ୍ରର ସାଂସ୍କୃତିକ ଜୀବନକୁ ଲକ୍ଷ୍ୟଣୀୟ ମାର୍ଗରେ ପ୍ରଭାବିତ କରୁଛି ।

 

ପ୍ରଥମ ମହାଯୁଦ୍ଧୋତ୍ତର କାଳରେ ବୈଷୟିକ ବିପ୍ଳବର ତୀବ୍ରତା ଅଦ୍ଭୂତପୂର୍ବ ମାନରେ ଆବର୍ଦ୍ଧିତ ହେଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ଉଭୟ ଅର୍ଥନୈତିକ ଓ ପ୍ରତିରକ୍ଷା ସଂକ୍ରାନ୍ତୀୟ ବ୍ୟାପାରଗୁଡ଼ିକରେ ବଳୀୟାନ ହେବାପାଇଁ ପାଶ୍ଚାତ୍ୟ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ତୁମୁଳ ପ୍ରତିଯୋଗିତାର ସୂତ୍ରପାତ ଘଟିଲା । ଶିଳ୍ପାୟନର ତ୍ୱରାନ୍ୱିତ ସମୃଦ୍ଧି ସାଧନ ପାଇଁ ତଥା ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାରଗୁଡ଼ିକୁ ଲାଭପ୍ରଦ ମାର୍ଗରେ ଚଳାଇବା ପାଇଁ ଆନୁଷଙ୍ଗିକ ଅବସ୍ଥାପନାଗୁଡ଼ିକୁ ପ୍ରତିଷ୍ଠା କରାଗଲା । ସାଧାରଣ ଶିକ୍ଷା ଓ ବୈଷୟିକ ଶିକ୍ଷାର ପ୍ରସାର ଓ ବିଭିନ୍ନ ପ୍ରକାର ବୈଷୟିକ ତାଲିମ ବଳରେ ସବୁ କ୍ଷେତ୍ରରେ ଉତ୍ପାଦନରେ ଅଭିବୃଦ୍ଧି ଘଟାଯିବା ସଙ୍ଗେ ସଙ୍ଗେ ଉପଭୋକ୍ତାମାନଙ୍କ ପାଇଁ ବଜାରକୁ ନୂଆ ନୂଆ ଶିଳ୍ପଜାତ ଦ୍ରବ୍ୟଗୁଡ଼ିକୁ ପଠାଗଲା । ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ସମତାଳରେ ସମୃଦ୍ଧି ସାଧନ କରାଗଲା । ଏଣୁ କାର୍ଯ୍ୟକ୍ଷମ ଜନସାଧାରଣ ଅର୍ଥ ଓ କ୍ଷମତା ବଳରେ ବଳୀୟାନ ହେବାପାଇଁ ବହୁବିଧି ବିକଳ୍ପ ପନ୍ଥା ମଧ୍ୟରୁ ନିଜ ରୁଚି ଅନୁଯାୟୀ କୌଣସି ପନ୍ଥା ବାଛିନେବା ଦିଗରେ ଅନ୍ତରାୟ ସୃଷ୍ଟି ହେଲାନାହିଁ । ଏଥିପାଇଁ ସେହି ଉନ୍ନତ ରାଷ୍ଟ୍ରଗୁଡ଼ିକରେ ସାମାଜିକ ଚଳଣିର ସ୍ଥିତାବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିଲା । ମନୁଷ୍ୟ ନିଜ ବୁଦ୍ଧି ବଳରେ ବଳୀୟାନ ହେବାପାଇଁ ବସ୍ତୁବାଦୀ ଆଭିମୁଖ୍ୟର ପ୍ରରୋଚନାରେ କର୍ମଚଞ୍ଚଳ ଜୀବନ ବିତାଇଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଉନ୍ନୟନ ପ୍ରକ୍ରିୟାଗୁଡ଼ିକର ଲାଭପ୍ରଦ ବିନିଯୋଗ ହିଁ ହେଲା ପ୍ରଗତିର ମାନଦଣ୍ଡ । ଆଧ୍ୟାତ୍ମିକ ଚିନ୍ତନ, ନୈତିକ ମୂଲ୍ୟବୋଧ, ସୌନ୍ଦର୍ଯ୍ୟାନୁରାଗ, ଯୌଥ ପାରିବାରିକ ଜୀବନ, ପ୍ରତିବେଶୀମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଓ ସାମାଜିକ ମୂଲ୍ୟବୋଧଗୁଡ଼ିକ ପ୍ରତି ମନୁଷ୍ୟ ଆଉ ପୂର୍ବବତ୍ ଅନୁରାଗୀ ହେଲାନାହିଁ । ଲକ୍ଷ୍ୟ କରାଗଲା ଯେ ବସ୍ତୁବାଦୀ ତଥା ଯାନ୍ତ୍ରିକ ସଭ୍ୟତାର ତାଡ଼ନାରେ ସେ ଦିନକୁ ଦିନ ଅଧିକରୁ ଅଧିକ ଆତ୍ମକୈନ୍ଦ୍ରିକ ତଥା ସ୍ୱାର୍ଥପର ଜୀବନଯାପନ କରିବାକୁ ପ୍ରଲୋଭିତ ହେଉଛି । କୌଣସିମତେ ଅର୍ଥ ଓ କ୍ଷମତା ବଳରେ ବଳୀୟାନ ହେବାପାଇଁ ସେ ନିଜକୁ ତୁମୂଳ ବସ୍ତୁବାଦୀ ପ୍ରତିଯୋଗିତା ମଧ୍ୟରେ ନିମଜ୍ଜିତ କରାଇଛି । ଆଧ୍ୟାତ୍ମିକ ଚିନ୍ତନ ପର୍ଯ୍ୟବସିତ କୌଣସି ଜୀବନାଦର୍ଶ ବା ସାମାଜିକ ଜୀବନର ସୁଖଶାନ୍ତିମୟତା ପ୍ରତି ଆକୃଷ୍ଟ ହେବାର ଅବକାଶ ରହୁନାହିଁ । ମନୁଷ୍ୟ ବହୁବିଧ କେନ୍ଦ୍ରାପସାରୀ ବଳଦ୍ଵାରା ସମ୍ମୋହିତ ହୋଇ ନିଜ ମାନମର୍ଯ୍ୟାଦାରେ ବୃଦ୍ଧି ଘଟାଇବା ପାଇଁ ଯେଉଁ ପ୍ରକାର ସ୍ୱାର୍ଥାନ୍ଵେଷୀ ଜୀବନଯାପନ କରୁଛି, ତଜ୍ଜନିତ ସେ ନିଜ ସମାଜର ବା ପାରିପାର୍ଶ୍ଵିକ ପରିବେଶର ସୁଖସ୍ୱାଚ୍ଛନ୍ଦ୍ୟ ପ୍ରତି ନଜର ଦେବାକୁ ସ୍ପୃହଣୀୟ ମଣୁନାହିଁ । ମନୁଷ୍ୟର ଏପରି ବସ୍ତୁସର୍ବସ୍ୱ ଏକଦର୍ଶୀ କ୍ରିୟାଶୀଳତା ବିରୋଧରେ ବିଜ୍ଞ ବ୍ୟକ୍ତିମାନେ ପରାମର୍ଶ ଦେବା ପରିବର୍ତ୍ତେ ନୀରବ ଓ ନିଷ୍କ୍ରିୟ ରହିବାକୁ ଶ୍ରେୟସ୍କର ମଣୁଛନ୍ତି । ଆଡ଼ମ୍ୱରବହୁଳ ବିଜ୍ଞାପନସର୍ବସ୍ୱ ଯୁଗରେ ବଣିକସୁଲଭ କାରସାଦି ବା କୂଟନୈତିକ ଚକ୍ରାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରାଇବା ବ୍ୟକ୍ତିମାନଙ୍କର ଯଶ ଗାନ କରାଯାଉଛି । ବୈଷୟିକ ସଭ୍ୟତାର ପ୍ରଥମ ମହାଯୁଦ୍ଧୋତ୍ତରକାଳୀନ ବିକାଶଧାରାର ଏପରି ଦୁର୍ଗତିକୁ ଲକ୍ଷ୍ୟକରି ସ୍ୱନାମଧନ୍ୟ ଦାର୍ଶନିକ ମନୋଭାବାପନ୍ନ କବି ଇଟ୍‍ସ ୧୯୧୯ ମସିହାରେ ନିଜ ମର୍ମବେଦନା ନିମ୍ନମତେ କବିତା ରୂପରେ ବ୍ୟକ୍ତ କରିଥିଲେ :

 

‘‘Things fall apart : the centre cannot hold;/ Mere anarchy is loosed upon the world.../ The best lack all conviction, while the worst / Are full of passionate intensity.’’

 

ମହାନୁଭବୀ ଇଟ୍‍ସ ଯଦି ବିଂଶ ଶତାବ୍ଦୀର ଶେଷ ଦଶକର ଅବସ୍ଥା ଦେଖିବାକୁ ବଞ୍ଚି ରହିଥାଆନ୍ତେ, ତାହାହେଲେ ସେ ଆଧୁନିକତା-ଉତ୍ତର ସଂସ୍କୃତି ଭାବରେ ଇତ୍ୟବସରରେ ମନୁଷ୍ୟ ଆଦରି ନେଇଥିବା ବୈୟକ୍ତିକ ଜୀବନାଦର୍ଶକୁ ଦେଖି ହତଚକିତ ହୋଇଥାଆନ୍ତେ । ତାଙ୍କ ଅମଳଠାରୁ ଆଧୁନିକତା ବା ମଡ଼ର୍ଣ୍ଣିଜମର ବିକାଶଧାରା ମନୁଷ୍ୟକୁ ଦ୍ଵିତୀୟ ମହାଯୁଦ୍ଧର ସମ୍ମୁଖୀନ କରାଇଛି । ଏହି ପ୍ରଳୟଙ୍କାରୀ ମହାଯୁଦ୍ଧର ନାଟକୀୟ ଅବସାନ ଘଟାଇବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଜାପାନର ଦୁଇଟି ସହର ଉପରେ ପରମାଣୁବୋମାର ବିସ୍ଫୋରଣ ଘଟାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ମନୁଷ୍ୟର ବିନାଶ ଘଟାଇବା ପାଇଁ ପ୍ରୟୋଗ କରାଯିବା ବ୍ୟାପାରରେ ଦ୍ଵିତୀୟ ମହାଯୁଦ୍ଧୋତ୍ତର କାଳଠାରୁ ଦୁଇଟି ବିରୋଧାତ୍ମକ ରାଜନୈତିକ ଆଦର୍ଶର ଅନୁଗାମୀ ଦୁଇ ସୁପର୍ ପାଓ୍ୱାର‌ ମଧ୍ୟରେ ତୁମୁଳ ପ୍ରତିଯୋଗିତା ସଂଘଟିତ ହୋଇଛି । ‘ଶୀତଳ ଯୁଦ୍ଧ’ ନାମରେ ଆଖ୍ୟାୟିତ ଏହି ପ୍ରତିଯୋଗିତାକୁ ବଜାୟ ରଖାଯିବା ଅବସରରେ ପୃଥିବୀ ପୃଷ୍ଠରୁ ପ୍ରାୟତଃ ସାମ୍ରାଜ୍ୟବାଦର ଅପସାରଣ ସମ୍ଭବ ହୋଇଛି ଏବଂ ସ୍ୱାଧୀନତା ଲାଭ କରିଥିବା ଅନୁନ୍ନତ ବା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବଳରେ ନିଜ ନିଜ ଦେଶର ସମୃଦ୍ଧି ସାଧନ ପାଇଁ ଦୁଇ ସୁପର୍ ପାଓ୍ୱାର‌ମଧ୍ୟରୁ ଗୋଟିକର ଆନୁଗତ୍ୟ ବା ଅନୁକମ୍ପା ଲାଭ କରିବାକୁ ପ୍ରୟାସୀ ହୋଇଛନ୍ତି ।

 

ଯୁକ୍ତରାଷ୍ଟ୍ର ଆମେରିକାର ପୃଷ୍ଠପୋଷକତା ଓ ଅଧ୍ୟକ୍ଷତା ବଳରେ ପଶ୍ଚିମ ୟୁରୋପୀୟ ରାଷ୍ଟ୍ର ସମୂହ ତଥା ଜାପାନ ଦେଶର ପ୍ରଭୂତ ଅଗ୍ରଗତି ସାଧିତ ହୋଇଛି । ମାତ୍ର ଏକଛତ୍ରାଧିପତି କମ୍ୟୁନିଷ୍ଟ ଶାସନ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଥିବା ସୋଭିଏତ୍ ଋଷିଆ ଓ ପୂର୍ବ-ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ପ୍ରଗତି ତୁଳନାତ୍ମକ ଦୃଷ୍ଟିରୁ ନିକୃଷ୍ଟ ମନସଂପନ୍ନ ହୋଇଛି । କମ୍ୟୁନିଜମ ପ୍ରବର୍ତ୍ତିତ ରାଷ୍ଟ୍ରମାନଙ୍କରେ ଶ୍ରେଣୀବିହୀନ ସମାଜ ପ୍ରତିଷ୍ଠା ବାହାନାରେ ସର୍ବବିଧ ଉତ୍ପାଦନ ପ୍ରକ୍ରିୟାକୁ ରାଷ୍ଟ୍ରାୟତ୍ତ ମାର୍ଗରେ କାର୍ଯ୍ୟକାରୀ କରାଯାଇଛି । କମ୍ୟୁନିଷ୍ଟ ଦଳର ନେତୃବର୍ଗ ସର୍ବବ୍ୟାପକ ଅମଲାତନ୍ତ୍ର ମନୁଷ୍ୟର ସହଜାତ ପ୍ରତିଭା ଓ ଇନ୍ନୋଭେଶନପ୍ରବଣତାର ଉପଯୋଗ ଦିଗରେ ଅନ୍ତରାୟ ସୃଷ୍ଟି କରିଛନ୍ତି । ଉପଭୋକ୍ତାମାନଙ୍କ ଜୀବନ ଧାରଣର ଗୁଣାତ୍ମକ ମାନ ତୁଳନାତ୍ମକ ଦୃଷ୍ଟିରୁ ନିକୃଷ୍ଟ ହେବାର ଅନୁଭୂତି ଓ କ୍ରମବର୍ଦ୍ଧମାନ ଦାରିଦ୍ର୍ୟ ହିଁ ଜନବିକ୍ଷୋଭର ସୂତ୍ରପାତ ଘଟାଇଛି । ଏଣୁ ଏହି ଶେଷ ଦଶକର ଅବ୍ୟବହିତ ପୂର୍ବରୁ ସୋଭିଏତ ଋଷିଆ, ପୂର୍ବ ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ, ବୁଲଗେରିଆ, ପୋଲାଣ୍ଡ ପ୍ରଭୃତି ରାଷ୍ଟ୍ରଗୁଡ଼ିକରୁ କମ୍ୟୁନିଷ୍ଟ ଶାସନର ଅବସାନ ଘଟିବା ସଙ୍ଗେ ସଙ୍ଗେ ବହୁଦଳୀୟ ଗଣତାନ୍ତ୍ରିକ ଶାସନ ଓ ଖୋଲାବଜାର ଅର୍ଥନୀତିର ପ୍ରବର୍ତ୍ତନ ପାଇଁ ପ୍ରାରମ୍ଭିକ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି । ଶୀତଳ ଯୁଦ୍ଧର ଅବସାନ ଘଟିଛି । ଯୋଗାଯୋଗ କ୍ଷେତ୍ରର ଅଭୂତ ପୂର୍ବ ସାଫଲ୍ୟ ଯୋଗୁଁ ହିଁ ଏପରି ବ୍ୟାପକ ଜନଆନ୍ଦୋଳନକୁ ସଫଳତାର ସହିତ ପରିଚାଳନା କରାଯିବା ସମ୍ଭବ ହୋଇଛି । ବର୍ତ୍ତମାନ ଲକ୍ଷ୍ୟ କରାଯାଉଛି ଯେ କେବଳ ଚୀନ, କ୍ୟୁବା ଭଳି ମୁଷ୍ଟିମେୟ ରାଷ୍ଟ୍ରକୁ ବାଦ୍‌ ଦେଲେ ପୃଥିବୀ ବକ୍ଷରେ ସର୍ବତ୍ର ଗଣତାନ୍ତ୍ରିକ ଶାସନ-ପଦ୍ଧତି ଓ ଖୋଲା ବଜାରର ଜୟଗାନ କରାଯାଉଛି । ଚୀନରେ ମଧ୍ୟ ସୀମିତ ଭାବରେ ବହୁଦେଶୀୟ କର୍ପୋରେସନଗୁଡ଼ିକ ମାଧ୍ୟମରେ ଉତ୍ପାଦନ-ପ୍ରକ୍ରିୟାଗୁଡ଼ିକର ନବୀକରଣ ଦିଗରେ ସୀମିତ କାର୍ଯ୍ୟକ୍ରମଗୁଡ଼ିକୁ ସଫଳ ମାର୍ଗରେ କାର୍ଯ୍ୟକାରୀ କରାଯାଉଛି । ଏଣୁ, ଏବେ ଗ୍ରାହିକ ସ୍ତରରେ ବଜାର ପ୍ରତି ହିଁ ଅଗ୍ରାଧିକାର ଆରୋପିତ ହୋଇଛି । ପୃଥିବୀର ବିଭିନ୍ନ ଦେଶର ବଜାରଗୁଡ଼ିକୁ ନୂଆ ନୂଆ ପ୍ରକାରେ କର୍ମପ୍ରବଣ ଶସ୍ତା, ସୁନ୍ଦର ଓ ମଜବୁତ ମାଲ ପଠାଇବା ପାଇଁ ଏବଂ ଉପଭୋକ୍ତାମାନଙ୍କ ମନଲାଖି କରାଇବା ପାଇଁ ଦ୍ରୁତହାରରେ କ୍ରମସମୃଦ୍ଧ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯତ୍‍ପରୋନାସ୍ତି ବିନିଯୋଗ କରାଯାଉଛି । ଯେଉଁମାନେ ନିଜ ଦେଶରେ ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବହିର୍ବାଣିଜ୍ୟ ଓ ଅନ୍ତର୍ଦେଶୀୟ ବାଣିଜ୍ୟ ବଳରେ ବିଦେଶୀ ଓ ସ୍ୱଦେଶୀ ବଜାରମାନଙ୍କରେ ସଂଗ୍ରହପ୍ରବଣ ଗ୍ରାହକ ଗ୍ରାହିକାମାନଙ୍କ ମନ କିଣି ପାରୁଛନ୍ତି, ସେମାନେ ହିଁ ପୃଥିବୀର ଅର୍ଥନୀତିକୁ ନିୟନ୍ତ୍ରଣ କରିବା ବ୍ୟାପାରରେ ଫଳପ୍ରଦ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଲକ୍ଷ୍ୟ କରିବାର କଥା ଯେ ଦୁଇ ମହାଯୁଦ୍ଧ ମଧ୍ୟବର୍ତ୍ତୀ ସମୟାନ୍ତର ତୁଳନାରେ ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ଖୋଲା ବଜାର ଅର୍ଥନୀତିର ଅଧିକ ବ୍ୟାପକ ପ୍ରସାର ଓ ସମୃଦ୍ଧି ଘଟିବା ଅବସରରେ ମାଇକ୍ରୋ ଇଲେକ୍ଟ୍ରୋନିକ୍ ଟେକନୋଲଜି ପର୍ଯ୍ୟବସିତ ଯୋଗାଯୋଗ କ୍ଷେତ୍ରର ଅଭୂତପୂର୍ବ ତଥା ଯୁଗାନ୍ତକାରୀ ସମୃଦ୍ଧି ସାଧିତ ହୋଇଛି । ଯେକୌଣସି ଦେଶର ଫେଶନ, ନୃତ୍ୟ, ସଙ୍ଗୀତ, ସାମାଜିକ ଚଳଣି ଓ ବ୍ୟବହାର୍ଯ୍ୟ ଦ୍ରବ୍ୟଗୁଡ଼ିକର ବୈଶିଷ୍ଟ୍ୟକୁ ସାରା ପୃଥିବୀରେ ଜନପ୍ରିୟ କରାଇବା ପାଇଁ ସହଜ ଓ ନିର୍ଭରଯୋଗ୍ୟ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି । ଏଣୁ କର୍ମ–ଚଞ୍ଚଳତାର ପରିସର ବ୍ୟାପକ ରୂପ ଧାରଣ କରିଛି ଏବଂ ବ୍ୟାବହାରିକ ଦୃଷ୍ଟିରୁ ପୃଥିବୀ ଗୋଟିଏ ଇଲେକ୍ଟ୍ରୋନିକ୍‍ ଗ୍ରାମରେ ପରିଣତ ହୋଇଛି ।

 

ବିଂଶ ଶତାବ୍ଦୀରୁ ପରିସମାପ୍ତି ଘଟିବା ବେଳକୁ ବସ୍ତୁବାଦୀ ସଭ୍ୟତାର ବଜାରକୈନ୍ଦ୍ରିକ ରୂପର ବିଶେଷତ୍ଵ ହେଉଛି ଯେ କୌଣସି ଘଟଣା, ବସ୍ତୁ ବା ଦୃଶ୍ୟ ଆଉ ମନୁଷ୍ୟକୁ ବାସ୍ତବ ବା ଚିରନ୍ତନ ଜଣା ପଡ଼ୁନାହିଁ । ସବୁକିଛି ଅସ୍ଥିର ଓ ଚଞ୍ଚଳ । ସାହିତ୍ୟ, ରାଜନୀତି, ସମାଜତତ୍ତ୍ୱ, ମନସ୍ତତ୍ତ୍ୱ ଓ ବିଜ୍ଞାନକୁ ମଧ୍ୟ ମନୁଷ୍ୟ ଅବାସ୍ତବ ବା ଅସ୍ଥିର ବିଚାରୁଛି । ସ୍ଥାନ ବା ସ୍ପେସର ପରିବ୍ୟାପ୍ତି ବା ଗଭୀରତାକୁ ମଧ୍ୟ ସେ ଅବାସ୍ତବ ରୂପ ଦେବାକୁ ପଶ୍ଚାତ୍‍ପଦ ହେଉନାହିଁ । କେବଳ ସମୟ ପ୍ରତି ହିଁ ମନୁଷ୍ୟ ବିଶେଷ ସଚେତନ ହୋଇଛି । କାରଣ, ବର୍ତ୍ତମାନସର୍ବସ୍ଵ ମନୁଷ୍ୟ କେବଳ ବର୍ତ୍ତମାନକୁ ହିଁ ନିଜ ରୁଚି ମୁତାବକ ଉପଭୋଗ କରିବାକୁ ଲାଳାୟିତ ହେଉଛି । ଆଜି ଯାହା ଘଟୁଛି, କାଲିକୁ ତାହା, ପୁରୁଣା ବା ବର୍ଜନୀୟ ହେଉଛି । ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆଁରେ ସେ କୌଣସି ଖାଦ୍ୟ, ପୋଷାକ, ସଙ୍ଗୀତ, ଫେଶନ ବା ଚଳଣିକୁ ଦୀର୍ଘମିଆଦୀ ସୂତ୍ରରେ ଆପଣାର କରିନେବାକୁ ଚାହୁଁ ନାହିଁ । କୌଣସି ପାରମ୍ପରିକ ଚଳଣି ବା ଐତିହ୍ୟ, ଲୋକାଚାର, ସମାଜ-ତାତ୍ତ୍ୱିକ ବିଚାର ପ୍ରତି ଦୃଢ଼ ଆସ୍ଥା ସ୍ଥାପନ କରିବାକୁ ସେ ସ୍ପୃହଣୀୟ ମଣୁନାହିଁ । ପରିବର୍ତ୍ତନଶୀଳ ଦୁନିଆଁରେ କେବଳ ବର୍ତ୍ତମାନ ହିଁ ସତ୍ୟ । ବାସ୍ତବତାର କୌଣସି ଅନମନୀୟ ବା ଶାଶ୍ୱତ ରୂପ ନାହିଁ । ବହୁବିଧି ବିକଳ୍ପ ସମ୍ଭାବନା ମଧ୍ୟରୁ ଭବିଷ୍ୟତରେ କ’ଣ ଘଟିବ, ତତ୍‍ସମ୍ପର୍କୀୟ ନିର୍ଭରଯୋଗ୍ୟ ପ୍ରାକ୍‍ସୂଚନା ମିଳିବା ଅସମ୍ଭବ ହୋଇଥିବାରୁ ଆଜି ଯାହା ଭଲ ଜଣାପଡ଼ୁଛି, ଯେଉଁ ବୃତ୍ତିକୁ ଆଦରି ନେବାଦ୍ୱାରା ଅର୍ଥ ଓ କ୍ଷମତାରେ ଆଶାନୁରୂପ ଅଭିବୃଦ୍ଧି ଘଟୁଛି, ଯେଉଁ ଚିତ୍ତବିନୋଦନକାରୀ ବ୍ୟବସ୍ଥା ଜୀବନରେ ରୋମାଞ୍ଚ ଓ ମାଦକତା ଭରି ଦେଉଛି, ତାହାହିଁ କେବଳ ଗ୍ରାହ୍ୟ । ଏହାହିଁ ଆଧୁନିକତା-ଉତ୍ତର ବା ପୋଷ୍ଟ-ମଡ଼ର୍ଣ୍ଣ ଯୁଗର ଜୀବନାଭିମୁଖ୍ୟ । ସବୁକିଛିର ବିଭଞ୍ଜନ ଓ ବିଖଣ୍ଡନ ଘଟିଛି । ଜଣେ ବ୍ୟକ୍ତି ସକାଳେ ଭୁବନେଶ୍ୱରରେ ନିଜ ଘରେ ବସି ରେଡ଼ିଓରୁ ଓଡ଼ିଶୀ ଗୀତ ଶୁଣୁଛନ୍ତି; ଅଧଘଣ୍ଟାକ ପରେ ସେ ଟେଲିଭିଜନର ପରଦା ଉପରେ ରୋମାଞ୍ଚକାରୀ ଓ୍ୱେଷ୍ଟର୍ଣ୍ଣ ଚଳଚ୍ଚିତ୍ର ଦେଖୁଛନ୍ତି । ଦୁଇଘଣ୍ଟା ପରେ ସେ କଲିକତାକୁ ଚାଲିଯାଇ ମ୍ୟାକ୍ଡ଼ୋନାଲ୍ଡ଼ କର୍ପୋରେସନ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଭକ୍ଷଣ କରୁଛନ୍ତି, ସାନ୍ଧ୍ୟକାଳରେ ହଙ୍ଗ୍‍କଙ୍ଗରେ ତିଆରି ରେଟ୍ରୋ ପୋଷାକ ପରିଧାନ କରି ଦିଲ୍ଲୀର ରାଜପଥରେ ବୁଲୁଛନ୍ତି । ଏହି ବ୍ୟକ୍ତିକୁ ଆମେ କେଉଁ ଜାତି, ରାଜ୍ୟ ବା ଦେଶର ଲୋକ ବୋଲି ବିଚାରିବା ? କେଉଁ ସାମାଜିକ ବା ସାଂସ୍କୃତିକ ଚଳଣିର ଅନୁରାଗୀ ଭାବରେ ଆମେ ତାକୁ ଚିହ୍ନୋଟ କରିବା ? ଆଧୁନିକତା ଉତ୍ତର ସଂସ୍କୃତିର ଏହି ରୂପକୁ ସମାଲୋଚନା କରିବାର କିମ୍ବା ଏହାର ଭଲ ମନ୍ଦ ବିଷୟରେ ଯୁକ୍ତି କରିବାର ଅବକାଶ ନାହିଁ । ଆମେ ଏତଦ୍ଦ୍ୱାରା ସାଂପ୍ରତିକ କାଳର ମନୁଷ୍ୟର ଜୀବନଯାପନର ମାର୍ଗକୁ ଆଖିବୁଜି ଅସ୍ୱୀକାର କରିବା ହିଁ ସାରହେବ ।

 

X X X

 

ଆଧୁନିକତା ଓ ଆଧୁନିକତୋତ୍ତରତା ମଧ୍ୟରେ ପରିଲକ୍ଷିତ ଗୁଣାତ୍ମକ ପାର୍ଥକ୍ୟ ସମ୍ପର୍କରେ ସବିଶେଷ ବ୍ୟାଖ୍ୟା ପ୍ରଦାନ କରିବାପୂର୍ବକ ଆଧୁନିକତୋତ୍ତରତାର କେତେକ ମୁଖ୍ୟ କାରଣ ସହିତ ଆମ୍ଭମାନଙ୍କୁ ପରିଚିତ କରାଇବା ପାଇଁ ଜିଗମନ୍ତ ବାଉମାନ ନାମକ ଜନୈକ ପ୍ରବୀଣ ସମାଜ-ବିଜ୍ଞାନୀ ‘ଇଣ୍ଟି-ମେସନ୍‍ସ ଅଫ୍ ପୋଷ୍ଟମଡ଼ର୍ଣ୍ଣିଟି’* ଶୀର୍ଷକ ଗୋଟିଏ ପୁସ୍ତକ ରଚନା କରିଛନ୍ତି । ବିଂଶ ଶତାବ୍ଦୀର ଆଧୁନିକତା କିପରି ଭାବରେ ଓ କେଉଁ କେଉଁ କାରଣଗୁଡ଼ିକ ଯୋଗୁଁ କାଳକ୍ରମେ ଅଧିକରୁ ଅଧିକ ବିଭାଜିତ, ବିଖଣ୍ଡିତ ଓ ଅସଙ୍ଗଠିତ ହେବାଯୋଗୁଁ ଗୁଣାତ୍ମକ ଦୃଷ୍ଟିରୁ ଆଧୁନିକତୋତ୍ତରତାର ଅଭ୍ୟୁଦୟ ଘଟାଇଛି, ତତ୍‍ସମ୍ପର୍କୀୟ ବିଶଦ ସ୍ପଷ୍ଟୀକରଣ ଯୋଗାଇଦେବା ହିଁ ଏହି ସମୟୋପଯୋଗୀ ତଥା ଉପାଦେୟ ପୁସ୍ତକର ଆଭିମୁଖ୍ୟ ।

 

* Intimations of Postmodernity by Zygmunt Bauman Routledge, 1992

 

ବାଉମାନ ସୂଚାଇଛନ୍ତି ଯେ ଚଳିତ ଶତାବ୍ଦୀରେ ଆଧୁନିକତା ବା ମଡ଼ର୍ଣ୍ଣିଜମକୁ ରୂପ ଦେଇଥିବା ବସ୍ତୁସର୍ବସ୍ୱ ସାଂସ୍କୃତିକ ପରିପାଟୀର ଆହୁରି ଦ୍ରୁତ ହାରରେ ବିଭଞ୍ଜନ ବା ବିଖଣ୍ଡନ ଘଟିବା ଫଳରେ ପୂର୍ବସୂଚିତ ଚିର ଚଞ୍ଚଳ ଓ ଅସ୍ଥିର ରୂପଧାରୀ ଆଧୁନିକତୋତ୍ତରତା ବା ପୋଷ୍ଟମଡ଼ର୍ଣ୍ଣିଜିମର ଅଭ୍ୟୁଦୟ ଘଟିଛି । ମଣିଷ ଚାରିପଟେ ଅସ୍ଥିରତା ଓ ଅବାସ୍ତବତାର ବାତାବରଣ ସୃଷ୍ଟି ହୋଇଛି କାହିଁକି ? ଏପରି ପ୍ରଶ୍ନର କୌଣସି ସ୍ପଷ୍ଟ ବା ସୁନିର୍ଦ୍ଦିଷ୍ଟ ଉତ୍ତର ଯୋଗାଇଦେବା ସମ୍ଭବ ହୋଇନାହିଁ । ମାତ୍ର ଏପରି କେନ୍ଦ୍ରାପସାରୀ ଓ ବିଖଣ୍ଡିତ କର୍ମପ୍ରବଣତା ଯୋଗୁଁ ମାନବୀୟ ସଭ୍ୟତା ଓ ସଂସ୍କୃତିର କେଉଁ ମହତ୍ତର ଲକ୍ଷ୍ୟ ପୂରଣ ହେବାର ଅବକାଶ ରହିଛି-? ଆଧୁନିକତୋତ୍ତରତାର ଉତ୍ସ ସମ୍ବନ୍ଧରେ ବହୁବିଧ କାରଣ ଉପସ୍ଥାପନା କରୁଥିବା ପଣ୍ଡିତମାନେ ଶେଷୋକ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଶ୍ନଟିର ଯଥାର୍ଥ ଉତ୍ତର ଯୋଗାଇ ପାରୁନାହାନ୍ତି । ସେମାନଙ୍କ ମତାନୁଯାୟୀ, ‘‘କୁଆଡ଼େ ଯାଉଛି ମୁଁ ଜାଣେନାହିଁ; ମାତ୍ର ମୁଁ ମୋ ବାଟରେ ଚାଲିଛି ।’’ (‘‘I do not know where I am going, but I am on nfy way.’)

 

ଆଧୁନିକତାର ବିକାଶ ପର୍ବରେ ମଧ୍ୟ ସଂସ୍କୃତିର ରୂପ ବିଚିତ୍ରବର୍ଣ୍ଣା ଓ ବହୁବିଧ ହୋଇଥିଲା । ସାହିତ୍ୟ, ଚିତ୍ରକଳା ଓ ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ବହୁବିଧ ଭାବାଭିବ୍ୟକ୍ତି ସମ୍ଭବ ହୋଇଥିଲା । ତତ୍କାଳିକ ସଭ୍ୟତା ଓ ସଂସ୍କୃତିର ବିଖଣ୍ଡନ ଓ ବୈୟକ୍ତିକ ରୂପକୁ ତଥା ବସ୍ତୁବାଦୀ ନିଃସଙ୍ଗ ମଣିଷର ନିଃସହାୟତାକୁ ବିଭିନ୍ନ ଦିଗରୁ ବିଚାର କରାଯାଇଥିଲା । ପରମ୍ପରା ଓ ଆଧୁନିକତା ମଧ୍ୟରେ ଘଟିଥିବା ଭାବଗତ ଓ ସଂସ୍କୃତିଗତ ବୈଷମ୍ୟକୁ ଫମ୍ପା ମଣିଷ ଓ ବର୍ଜିତ ଭୂମିର (Hollow Men and Wasteland) ରୂପଦେଇ ଟି. ଏସ୍. ଏଲିଅଟ ସୁଗ୍ରାହୀ ପାଠକପାଠିକାମାନଙ୍କ ମାନସପଟରେ ଆଲୋଡ଼ନ ସୃଷ୍ଟି କରିଥିଲେ । ଭାବଗତ ବିବିଧତା ସତ୍ତ୍ୱେ ଉଚ୍ଚାଙ୍ଗ ସାହିତ୍ୟର ସ୍ରଷ୍ଟାମାନଙ୍କୁ ତଥା ଆଧୁନିକତାର ମୁଖ୍ୟ ପ୍ରବକ୍ତାମାନଙ୍କୁ ଚିହ୍ନି ପାରିବାରେ କୌଣସି ଅସୁବିଧା ନ ଥିଲା । ଜଏସ, ମାନ୍ନ, ଏଲିଏଟ କୋନାର୍ଡ଼ ପ୍ରଭୃତି ଯୁଗସ୍ରଷ୍ଟା ସାହିତ୍ୟିକମାନଙ୍କ କାଳଜୟୀ ସୃଷ୍ଟିର ସମ୍ୟକ୍ ମୂଲ୍ୟାୟନ ସମ୍ଭବ ହୋଇଥିଲା । ସବୁକିଛି ପରସ୍ପରଠାରୁ ପୃଥକ ହୋଇଯାଉଥିଲେ ମଧ୍ୟ କଳାକାର ବା ସାହିତ୍ୟିକ ଏପରି ପୃଥକୀକରଣ ଓ ନିଃସଙ୍ଗତାକୁ ନିଜ ନିଜ କଳ୍ପନାପ୍ରବଣତା ଓ ଅବବୋଧ ବଳରେ ଅର୍ଥସୂଚକ ତଥା ଉପଭୋଗ୍ୟ ରୂପ ଦେବାକୁ ସମର୍ଥ ହୋଇଥିଲେ । ଦୃଢ଼ ଆତ୍ମପ୍ରତ୍ୟୟ ସହକାରେ ସେମାନେ ନିଜ ନିଜ ସୃଷ୍ଟିଶୀଳତାର ସାର୍ବଭୌମତ୍ୱ ରକ୍ଷା କରିବାକୁ ସମର୍ଥ ହୋଇଥିଲେ (‘With the masterly confidence of a sovereign maker’’ ) ।

 

ଯୋଗାଯୋଗ ବ୍ୟବସ୍ଥାର ଯାଦୁକରୀ ସମ୍ମୋହନ, ମନସ୍ତାତ୍ତ୍ୱିକ କୌଶଳଭିତ୍ତିକ କାମନାବର୍ଦ୍ଧକ ବିଜ୍ଞାପନ, ଦିନକୁ ଦିନ ଉଭାବିତ ନୂଆ ନୂଆ କର୍ମକୁଶଳୀ ଯନ୍ତ୍ରଗୁଡ଼ିକୁ କ୍ରୟ କରିବାର ଆଗ୍ରହାତିଶଯ୍ୟ ତଥା ସର୍ବୋପରି ପ୍ରାୟତଃ ଗ୍ରାହିକ ସ୍ତରରେ ଖୋଲା ବଜାର ଅର୍ଥନୀତିର ଆଧିପତ୍ୟ ଓ ତତ୍‍ଭିତ୍ତିକ ସାମାଜିକ ଓ ସାଂସ୍କୃତିକ ବିଚଳନର ତୀବ୍ରତା ଆଜିର ମନୁଷ୍ୟକୁ ଆତ୍ମନିଷ୍ଠ କରାଇଛି । କୌଣସି ସାହିତ୍ୟିକ କୃତିକୁ ପାଠ କରିବାବେଳେ ସେ ନିଜେ ତାହାକୁ ଯେଉଁ ପ୍ରକାରେ ବୁଝୁଛି, ତାହାହିଁ ହେଉଛି ସେହି ପୁସ୍ତକର ତାଙ୍କପାଇଁ ଯଥାର୍ଥ ମୂଲ୍ୟାୟନ । ଯେ କୌଣସି ସାହିତ୍ୟିକ କୃତି ପାଠକସର୍ବସ୍ଵ ରୂପ ଧାରଣ କରିଛି । କୌଣସି ମୌଳିକ ଚିନ୍ତନ ବା ଶାଶ୍ୱତ ମୂଲ୍ୟବୋଧ ଜରିଆରେ ପୁସ୍ତକଟିର ଲେଖକଙ୍କ ଜୀବନ-ଦର୍ଶନ, ଦିକ୍‍ଦର୍ଶନ ବା ଅବବୋଧର ମୂଲ୍ୟାୟନ କରାଯିବାର ଅବକାଶ ହିଁ ନାହିଁ । ଲେଖକଙ୍କ ଭୂମିକା ଗୌଣ ହୋଇଛି । ଅସ୍ଥିରତାର ସାଗର ମଧ୍ୟରେ ନିମଜ୍ଜିତ ମଣିଷ କୌଣସି ପୁସ୍ତକରେ ବର୍ଣ୍ଣିତ କାହାଣୀ ବା ଚରିତ୍ରକୁ ‘ବାସ୍ତବ’ ଅର୍ଥରେ ବୁଝିବାକୁ ରାଜି ନୁହେଁ । ସବୁକିଛି କେବଳ ଫିକ୍‍ସନ ବା ମନଗଢ଼ା କଥା । ଏଣୁ କୌଣସି ସର୍ବଜନଗ୍ରାହ୍ୟ ସତ୍ୟର ସନ୍ଧାନ କରାଯିବାର ଅବକାଶ କାହିଁ ? ଫିକ୍‍ସନକୁ ଆତ୍ମସଚେତନ ମେଟାଫିକ୍‍ସନ ଭାବରେ ଗ୍ରହଣ କରାଯିବା ଭିନ୍ନ ଅନ୍ୟ ଗତି ନାହିଁ । ବର୍ତ୍ତମାନ ଆଧୁନିକ ସାହିତ୍ୟର ରସାନୁଭୂତି ସମ୍ପର୍କୀୟ ଏପରି ବିଚାରକୁ ବୁଝାଇଦେବା ଉଦ୍ଦେଶ୍ୟରେ ବାଉମାନ ଲେଖିଛନ୍ତି :

 

‘‘If there is nothing to reveal but fiction, then fiction, some writers believe, cannot tell us anything but itself. So they give metafiction which is self-conscious fiction that draws attention to itself. It is no longer enough for the conjuror to perform the trick without declaring that it is a trick.’’

 

ଇତିହାସ ମଧ୍ୟ ଯୁକ୍ତିନିଷ୍ଠ ମନଗଢ଼ା କଥାରେ ପରିଣତ ହୋଇଛି । ଏହାକୁ କେବଳ ‘ଲିଟରାରୀ ଆର୍ଟିଫ୍ୟାକ୍ଟ’ ଭାବରେ ବିଚାର କରିବା ହିଁ ଯଥାର୍ଥ ବୋଧ ହେଉଛି । କାରଣ, ଚିରନ୍ତନ ସତ୍ୟର ଯଦି କୌଣସି ଅସ୍ତିତ୍ୱ ନାହିଁ, ଐତିହାସିକ ତଥ୍ୟରାଜିକୁ ବ୍ୟକ୍ତିନିଷ୍ଠ ଆଁଶିକ ସତ୍ୟ ଭାବରେ ଉପସ୍ଥାପିତ କରାଯାଉଥିଲେ ମଧ୍ୟ ତତନିହିତ ତଥ୍ୟରାଜିର ସତ୍ୟତା ପ୍ରତି କାହିଁକ ବା ଆସ୍ଥା ସ୍ଥାପନ କରାଯିବ ? ଏଣୁ ଐତିହାସିକମାନେ ନିଜ ନିଜ ରୁଚି ବା ପସନ୍ଦ ଅନୁଯାୟୀ ସାଂପ୍ରତିକ ଅନୁଭୂତି ପରିପ୍ରେକ୍ଷୀରେ ମାନବୀୟ ସଭ୍ୟତା ଓ ସଂସ୍କୃତି ସମ୍ବନ୍ଧୀୟ ତଥ୍ୟରାଜିର ଉପସ୍ଥାପନା ଦିଗରେ ମନଯୋଗୀ ହୋଇଛନ୍ତି । ଏପରି ଭାବରେ ଐତିହାସିକମାନେ ବୌଦ୍ଧିକ ଶ୍ରମ ବିନିମୟରେ ଆମ ସମସ୍ତଙ୍କୁ ଅତୀତ ସମ୍ବନ୍ଧରେ ଏକାଭଳି କୌଣସି ବିଶ୍ଵାସଯୋଗ୍ୟ ସୂଚନା ଯୋଗାଇଦେବାକୁ ଅସମର୍ଥ ହୋଇଛନ୍ତି । ସମାଜବିଜ୍ଞାନୀମାନଙ୍କୁ ମାନବୀୟ ଅଭିଜ୍ଞତା ଓ ଅନୁଭୂତିର ନିରବଚ୍ଛିନ୍ନ ବାର୍ତ୍ତାବହ ଭାବରେ ବିଚାର କରାଯାଉଛି । ସେମାନଙ୍କ ନିଜସ୍ୱ ମୌଳିକ ଅବଦାନର ଅସ୍ତିତ୍ତ୍ୱକୁ ମଧ୍ୟ ଅସ୍ୱୀକାର କରାଯାଉଛି । ପାରିପାର୍ଶ୍ୱିକ ବୃହତ୍ତର ସମାଜ ସହିତ ସେମାନେ ଯେଉଁ ସମ୍ପର୍କ ପ୍ରତିଷ୍ଠା କରିଛନ୍ତି, ତାହାର ପ୍ରତିଫଳନ ହିଁ ସମାଜ ବିଜ୍ଞାନର ବିକାଶଧାରାକୁ ନିୟନ୍ତ୍ରଣ କରୁଛି । ବୃହତ୍ତର ସମାଜ ସହିତ ଜଡ଼ିତ ହେବା ଅବସରରେ ସମାଜ ବିଜ୍ଞାନୀମାନେ ବହୁବିଧ ପରିବର୍ତ୍ତନଶୀଳ ସାମାଜିକ ପରିସ୍ଥିତି ସମ୍ପର୍କରେ ଭିନ୍ନ ଭିନ୍ନ ଅନୁଭୂତି ଅର୍ଜନ କରୁଥିବାରୁ ପ୍ରତ୍ୟେକ ସମାଜବିଜ୍ଞାନୀ ସମାଜର ଏକ ବିଖଣ୍ଡିତ ଚିତ୍ର ପ୍ରଦାନ କରିବା ସ୍ୱାଭାବିକ ବୋଧ ହେଉଛି । ଏଣୁ କେହି ଜଣେ ସମାଜବିଜ୍ଞାନୀ ନିଜ ସ୍ୱତନ୍ତ୍ର ଅନୁଭୂତି ବଳରେ ବୃହତ୍ତର ସମାଜର ସାମଗ୍ରିକ ଚିତ୍ର ଅଙ୍କନ କରିବେ ବା କିପରି ? ଏପରି ଭାବରେ ସାହିତ୍ୟ ଓ ଇତିହାସ ଭଳି ସମାଜବିଜ୍ଞାନ ମଧ୍ୟ ବ୍ୟକ୍ତିନିଷ୍ଠ ଓ ଅସ୍ଥିର ରୂପ ଧାରଣ କରିଛି । ଏବଂବିଧ ପରିସ୍ଥିତିରୁ ସମ୍ଭାବ୍ୟତାକୁ ଲକ୍ଷ୍ୟକରି ଓ୍ୱିଟଗେନଷ୍ଟିନ ସମ୍ଭବତଃ ବ୍ୟଙ୍ଗାତ୍ମକ ମାର୍ଗରେ ସୂଚାଇଥିଲେ ଯେ ଆଧୁନିକ ଯୁଗର ଦାର୍ଶନିକ ସମସ୍ୟାଗୁଡ଼ିକର ସମାଧାନ ବା ପୁନଃ ପୁନଃ ସମାଧାନ ପାଇଁ ରେଳ ଷ୍ଟେସନ ହିଁ ଉପଯୁକ୍ତ ସ୍ଥାନ (...‘The only place where real philosophical problems can be solved and resolved is the railway station.’’) ।

 

X X X

 

ଆମେ ଚାହୁଁ ବା ନ ଚାହୁଁ ସାଂପ୍ରତିକ ସମାଜ ଗ୍ରାହିକ ସ୍ତରରେ ଆଧୁନିକତୋତ୍ତରତାର ବଶବର୍ତ୍ତୀ ହୋଇଛି । ସର୍ବବିଧ ସାଙ୍ଗଠନିକ ସଂରଚନାଗୁଡ଼ିକର ବିଖଣ୍ତନ ଘଟିଥିବା ଅବସ୍ଥାରେ ଏକବିଂଶ ଶତାବ୍ଦୀରେ ପଦାର୍ପଣ କରିବା ପୂର୍ବରୁ ମନୁଷ୍ୟ ପୋଷ୍ଟମଡ଼ର୍ଣ୍ଣିଜମର ଉତ୍ପତ୍ତି ସମ୍ବନ୍ଧରେ ତାତ୍ତ୍ୱିକ ସ୍ପଷ୍ଟୀକରଣ ପାଇବାକୁ ବିଶେଷ ଆଗ୍ରହୀ ହୋଇଛି ଏବଂ ବହୁ ବିଜ୍ଞ ବୁଦ୍ଧିଜୀବୀ ଏହାର ସର୍ଜନା ସମ୍ବନ୍ଧରେ ଭିନ୍ନ ଭିନ୍ନ ମତ ବ୍ୟକ୍ତ କରୁଛନ୍ତି । କୌଣସି ଗୋଟିଏ ମତକୁ ଆଧୁନିକତୋତ୍ତରତାର ଏକମାତ୍ର ଉତ୍ସ ଭାବରେ ବିଚାର କରିବା ଯୁକ୍ତିଯୁକ୍ତ ବୋଧ ହେଉନାହିଁ । ଆଧୁନିକ ସଭ୍ୟତାର ବିଖଣ୍ଡିତ ରୂପ ପାଇଁ ଏହି ପ୍ରକାର ବହୁବିଧ କାରଣଗୁଡ଼ିକର ସମକାଳିକ ପ୍ରଭାବକୁ ବିଚାରର ଅନ୍ତର୍ଭୁକ୍ତ କରିବା ସମୀଚୀନ ବୋଧ ହେଉଛି ।

 

(୧) ମାର୍କସୀୟ ବିଚାରଧାରାର ଅନୁଗାମୀମାନେ ସୂଚାଉଛନ୍ତି ଯେ ଏବେ ପୁଞ୍ଜିବାଦର ବ୍ୟାପକ ପ୍ରସାର ଘଟାଇବା ପାଇଁ ପୋଷ୍ଟମଡ଼ର୍ଣ୍ଣିଜମ୍‍କୁ ଏକ ସୁବିଧାବାଦୀ ତଥା ସହଜ ବୋଧଗମ୍ୟ ଜୀବନାଦର୍ଶ ଭାବରେ ବିଜ୍ଞାପିତ କରାଯାଉଛି । ପୁଞ୍ଜିବାଦ ବା କ୍ୟାପିଟାଲିଜ୍‍ମକୁ ଗ୍ରାହକ ସ୍ତରୀୟ ଅର୍ଥନୀତିରେ ରୂପାନ୍ତରୀତ କରାଇବା ପାଇଁ ତଥା ବିକଳ୍ପ ରାଜନୈତିକ ଆଦର୍ଶଗୁଡ଼ିକର ଅସାରତା ପ୍ରତିପାଦନ ପାଇଁ ଏପରି ଆଦର୍ଶକୁ ଉଜ୍ଜୀବିତ ରଖାଯିବା ଦିଗରେ ଅଗ୍ରାଧିକାର ଆରୋପିତ ହୋଇଛି । ଉପଭୋକ୍ତାମାନଙ୍କ ଜୀବନଯାପନ ପ୍ରଣାଳୀରେ ଘନ ଘନ ପରିବର୍ତ୍ତନ ଘଟାଇ ପାରିବା ଭଳି ଦ୍ରବ୍ୟ ବା ଉପକରଣଗୁଡ଼ିକୁ ବଜାରରେ ସୁଲଭ କରାଇବା ପାଇଁ ତଥା ଉପଭୋକ୍ତାମାନଙ୍କ ସଂଗ୍ରହ ପ୍ରବଣତା ବା କନଜ୍ୟୁମରିଜ୍‍ମର-ମାନକୁ ଆବର୍ଦ୍ଧିତ କରାଇବା ପାଇଁ ଏହି ଆଦର୍ଶ ଅନୁକୂଳ ପରିବେଶ ଯୋଗାଇ ପାରୁଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୃଥିବୀର ପ୍ରତ୍ୟେକ ଦେଶର ଉପଭୋକ୍ତା ନୂଆ ନୂଆ ଯନ୍ତ୍ର ଓ ଉପକରଣଗୁଡ଼ିକର ମାଲିକ ସାଜିବାକୁ ଆଗ୍ରହୀ ହେଉଛନ୍ତି । ଆଜି ଯାହା କରୁଛନ୍ତି ଅଳ୍ପ କିଛିଦନ ପରେ ତାହାଠାରୁ ଆହୁରି ଉନ୍ନତ ଓ ସହଜ ବ୍ୟବହାରଯୋଗ୍ୟ ଦ୍ରବ୍ୟ କିଣିବାକୁ ସେମାନେ ଉତ୍କଣ୍ଠିତ ହେଉଛନ୍ତି । ଏପରି ଉତ୍କଣ୍ଠାର ଜାଗରଣ ପାଇଁ ପ୍ରସାର ମାଧ୍ୟମଗୁଡ଼ିକୁ ଏପରି ବିଚକ୍ଷଣ ମାର୍ଗରେ କାର୍ଯ୍ୟକାରୀ କରାଯାଉଛି ଯେ ପୃଥିବୀ ବକ୍ଷରେ ସର୍ବତ୍ର ଊଣା ଅଧିକେ ବର୍ତ୍ତମାନ ଏକପ୍ରକାର ସଂଗ୍ରହପ୍ରବଣ ଗଣ-ସଂସ୍କୃତି ବା ମାସ୍-କଲଚରର‌ ବନ୍ଦନା ଗାନ କରାଯାଉଛି । ଖାଦ୍ୟ, ପୋଷାକ, ଚାଲିଚଳଣି ଓ ବୃତ୍ତିରେ ଘନ ଘନ ପରିବର୍ତ୍ତନ ଘଟାଇବା ପାଇଁ ଉପଭୋକ୍ତାମାନଙ୍କୁ ମର୍ମସ୍ପର୍ଶୀ ମାର୍ଗରେ ପ୍ରବର୍ତ୍ତନା ଯୋଗାଇଦେବାର ପରିଣତି ସ୍ୱରୂପ ପୁଞ୍ଜିବାଦ ଓ ଖୋଲା ବଜାର ଅର୍ଥନୀତିର ଲାଭପ୍ରଦ ପ୍ରସାର ଘଟୁଛି । ମନୁଷ୍ୟ ଏପରି ପ୍ରତିଯୋଗିତାମୟ କାମନା ଆବର୍ଦ୍ଧନକାରୀ ପରିବେଶରେ କେବଳ ବର୍ତ୍ତମାନକୁ ହିଁ ସ୍ୱୀକାର କରୁଛି-। ସେ ‘ଚିରନ୍ତନ ବର୍ତ୍ତମାନ’ର (perpetual present) ସର୍ବବିଧ ସୁବିଧା ଉପଭୋଗ କରିବାକୁ ହିଁ ସ୍ପୃହଣୀୟ ମାଣୁଛି । ନିଜକୁ ସୁସଂସ୍କୃତ ଓ ସୁସଭ୍ୟ ଭାବରେ ପରିଚିତ କରାଇବା ପାଇଁ ସେ ଏପରି ବର୍ତ୍ତମାନସର୍ବସ୍ୱ କର୍ମପନ୍ଥା ଆଦରି ନେଉଛି ଯେ ନିଜ ଅତୀତ ପରିପ୍ରେକ୍ଷୀରେ ଭବିଷ୍ୟତ ସମ୍ପର୍କରେ ଚିନ୍ତା କରିବାକୁ ମଧ୍ୟ ତାକୁ ସମୟ ମିଳୁ ନାହିଁ । ଚିର ଚଞ୍ଚଳ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାଗୁଡ଼ିକର ଅଭୂତପୂର୍ବ କରାମତି ଯୋଗୁଁ ସେ ସ୍ଥାନକୁ ଗୁରୁତ୍ୱ ଦେଉ ନାହିଁ-। କେବଳ ସମୟ ହିଁ ତାହାର କର୍ମମୟ ଜୀବନରେ ଅର୍ଥସୂଚକ ଭୂମିକା ଗ୍ରହଣ କରିଛି ।

 

(୨) ଆଧୁନିକ ବିଜ୍ଞାନ ମନୁଷ୍ୟର ଅନ୍ଧବିଶ୍ଵାସ ଓ କୁସଂସ୍କାରଗୁଡ଼ିକର ଅପସାରଣ ଘଟାଇବା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଂଶ ଶତାବ୍ଦୀର ଅୟମାରମ୍ଭ ଘଟିବା ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଜ୍ଞାନ ବଳରେ ସକଳ ସମସ୍ୟାର ସମାଧାନ କରିଦେବା ପାଇଁ ତଥା ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦପାଇଁ ଯେପରି ଦାମ୍ଭିକ ଭାବରେ ନିର୍ଣ୍ଣାୟତ୍ମକ ଘୋଷଣା କରୁଥିଲେ, ଆଧୁନିକ ବିଜ୍ଞାନ ତାହାକୁ ଅସ୍ୱୀକାର କରୁଛି । ବିଂଶ ଶତାବ୍ଦୀରେ ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ମାଧ୍ୟମରେ ମନୁଷ୍ୟର ଚେତନାରେ କ୍ରାନ୍ତିକ ଉତ୍ତରଣ ଘଟିଛି । ଏବଂ ସମକାଳୀନ ଭାବରେ ଏହି ଦୁଇଟି ତତ୍ତ୍ଵର ଯୁଗାନ୍ତକାରୀ ବ୍ୟାବହାରିକ ଉପଯୋଗ ବଳରେ ବସ୍ତୁବାଦୀ ସଭ୍ୟତାର ଚରମ ପ୍ରଗତି ସଂଘଟିତ ହୋଇଛି । ମାତ୍ର ଆଧୁନିକ ବିଜ୍ଞାନ ସୂଚାଉଛି ଯେ ମନୁଷ୍ୟ ସୂକ୍ଷ୍ମ ପ୍ରାକୃତିକ କ୍ରିୟାଶୀଳତାର ରହସ୍ୟ ଭେଦ ବ୍ୟାପାରରେ କୌଣସି ପରମ ସତ୍ୟର ସନ୍ଧାନ ପାଇପାରିବ ନାହିଁ । ବିଜ୍ଞାନର ସମୃଦ୍ଧି ସାଧନ ଅନୁକ୍ରମରେ ସେ କେବଳ ସମ୍ଭାବ୍ୟ ସତ୍ୟର ମାନକୁ ଆବର୍ଦ୍ଧିତ କରାଇପାରିଛି । ପୁଣି, ଆଧୁନିକ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ବିଜ୍ଞାନ ସଜୀବ ଓ ନିର୍ଜୀବ ନିର୍ବିଶେଷରେ ବିଶ୍ୱର ପ୍ରତ୍ୟେକ ବସ୍ତୁ ମଧ୍ୟରେ ସଂସ୍ଥାପିତ ସମ୍ପର୍କରୂପୀ ଜାଲର ବିଶେଷତ୍ତ୍ୱ ସମ୍ପର୍କରେ ଦିକ୍‍ଦର୍ଶନ ପ୍ରଦାନ କରୁଛି । ପାରସ୍ପରିକ ନିର୍ଭରଶୀଳତା ବଳରେ କ୍ରିୟାଶୀଳ ବିଶ୍ୱର (participatory universe) ସଂରଚନାକୁ ବୁଝିବା ପାଇଁ ତାତ୍ତ୍ୱିକ ଓ ଅଭିକ୍ରିୟାତ୍ମକ ଗବେଷଣା ବଳରେ ବୈଜ୍ଞାନିକମାନେ ଗୋଟିଏ ମହା ଏକତ୍ରୀକରଣ ତତ୍ତ୍ୱ (Grand Unified Theory) ପ୍ରତିଷ୍ଠା କରିବାକୁ ପ୍ରଗାଢ଼ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ମତାନୁଯାୟୀ ପ୍ରକୃତିର ସାମଗ୍ରିକ ରୂପ ସମ୍ବନ୍ଧରେ ଜାଣିଯିବା ଦ୍ୱାରା ଆମେ ତାହାର ଅଂଶବିଶେଷର ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଅବଧାରିତ ହେବା ଏବଂ କୌଣସି ଅଂଶବିଶେଷର ଅଦଳବଦଳ ଘଟାଇବା ବେଳେ ସାମଗ୍ରିକତା ଉପରେ ତାହାର କୁପ୍ରଭାବ ବା ସୁପ୍ରଭାବ ସମ୍ପର୍କରେ ପ୍ରାକସୂଚନା ପାଇପାରିବା । ଆଧୁନିକ ବିଜ୍ଞାନ ଓ ଦର୍ଶନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ସଙ୍କୁଚିତ ହେଉଥିବାର ଲକ୍ଷ୍ୟ କରାଯାଉଛି । ଯାହା ବୁଝି ନହେଉଛି ତାହାକୁ ଧୈର୍ଯ୍ୟ ସହକାରେ ବୁଝିବା ପାଇଁ ଚେଷ୍ଟା କରିବାକୁ ମୌଳିକ ବିଜ୍ଞାନ ଆମ୍ଭମାନଙ୍କୁ କର୍ମ-ପ୍ରେରଣା ଯୋଗାଉଛି । କ୍ୱାଣ୍ଟମ୍ ତତ୍ତ୍ୱର ସମ୍ଭାବନା (probability) ଓ ବିଚ୍ଛିନ୍ନତା (discrete or discontinuous) ଭିତ୍ତିକ ଦାର୍ଶନିକ ପୃଷ୍ଠଭୂମିକୁ ଜନସାଧାରଣ ଠିକଣା ଭାବରେ ଗ୍ରହଣ କରିବାକୁ ଅଦ୍ୟାବଧି ଅସମର୍ଥ ହୋଇଛନ୍ତି । ସେମାନଙ୍କୁ ଜଣାପଡ଼ୁଛି ଯେ ସାହିତ୍ୟ, ସଙ୍ଗୀତ, ଇତିହାସ, ସମାଜ-ବିଜ୍ଞାନ ଓ ଅନ୍ୟାନ୍ୟ ସାଂସ୍କୃତିକ ବିଭବଗୁଡ଼ିକ ଭଳି ବିଜ୍ଞାନ ମଧ୍ୟ ଅସ୍ଥିର । ଏହା ମଧ୍ୟ କୌଣସି ପରମ ସତ୍ୟ ଯୋଗାଇବା ପାଇଁ ଉଦ୍ଦିଷ୍ଟ ନୁହେଁ । ଏଣୁ ବର୍ତ୍ତମାନ ଯେଉଁ ସୁବିଧା ସୁଯୋଗ ମିଳୁଛି ନିଜ ପସନ୍ଦ ଅନୁଯାୟୀ ତାହାକୁ ପୂରା ମାତ୍ରାରେ ଉପଭୋଗ କରିବା ହିଁ ଶ୍ରେୟସ୍କର ।

 

(୩) ସମାଜ ସମ୍ପର୍କୀୟ ବିଖଣ୍ଡିତ ଚିତ୍ର ଯୋଗାଇଦେବା ବ୍ୟାପାରରେ ତଥା ମନୁଷ୍ୟକୁ କେବଳ ବର୍ତ୍ତମାନସର୍ବସ୍ୱ ଚିନ୍ତାଧାରାର ଅନୁଗାମୀ କରାଇବା ଦିଗରେ ଦୂରଦର୍ଶନ ବା ଟେଲିଭିଜନ ଏକପ୍ରକାର ସର୍ବଗ୍ରାସୀ ଭୂମିକା ଗ୍ରହଣ କରିଛି । ମିଳୁଥିବା ଅବସର ସମୟରେ ଜନସାଧାରଣ ବିଭିନ୍ନ ଚ୍ୟାନେଲଗୁଡ଼ିକ ଜରିଆରେ ଦୂରଦର୍ଶନର ପରଦା ପ୍ରତି ଦୃଷ୍ଟି ନିବୃଦ୍ଧ କରିବାକୁ ଉପଭୋଗ୍ୟ ମଣୁଛନ୍ତି । ଆଧୁନିକତୋତ୍ତର ବା ପୋଷ୍ଟମଡ଼ର୍ଣ୍ଣ ଫିକ୍‍ସନ ଲକ୍ଷଣ୍ୟୟ ତଥା ପ୍ରଭାବଶାଳୀ ମାର୍ଗରେ ‘ଭିଡ଼ିଓ ଫିକସନ’ କୁ ରୂପାନ୍ତରିତ ହୋଇଛି ଏବଂ ଦୂରଦର୍ଶନରେ ପ୍ରଦର୍ଶିତ ପରିବର୍ତ୍ତନଶୀଳ ପ୍ରତିବିମ୍ବଗୁଡ଼ିକ ହିଁ ମନୁଷ୍ୟର ରୁଚିକୁ ସୀମିତ କରୁଛି । ପରଦାରେ ଉଦ୍ଭାସିତ ଦୃଶ୍ୟରାଜିର ଆଦି ନାହିଁ କି ଅନ୍ତ ନାହିଁ । ବିଖଣ୍ଡିତ ଦୃଶ୍ୟଗୁଡ଼ିକରେ କେବଳ କାର୍ଯ୍ୟର ମହିମା କୀର୍ତ୍ତିତ ହେଉଛି । ଛୋଟ ଛୋଟ ଦୃଶ୍ୟଗୁଡ଼ିକୁ ଗୋଟିକ ପରେ ଗୋଟିଏ କ୍ରମରେ ଏପରି ଭାବରେ ଉଦ୍ଭାସିତ କରାଯାଉଛି ଯେ ଦର୍ଶକ କେବଳ ଏତଦ୍ଦ୍ୱାରା ବିମୁଗ୍‍ଧ ବା ରୋମାଞ୍ଚିତ ହେଉଛନ୍ତି; ତାଙ୍କ ମନରେ ମୌଳିକ ଚିନ୍ତା କରିବା ପାଇଁ କିମ୍ବା ପ୍ରତିକ୍ରିୟାଶ୍ରୟୀ କୌଣସି ଅଭିନବ ଚେତନାର ଜାଗରଣ ପାଇଁ ଏଥିରୁ ଆନୁଷଙ୍ଗିକ ଉପାଦାନ ମିଳୁନାହିଁ । ଟେଲିଭିଜନର ଭାଷା କେବଳ ବର୍ତ୍ତମାନର ଭାଷା । ସବୁକିଛି ଦର୍ଶକଙ୍କ ଚକ୍ଷୁ ସମ୍ମୁଖରେ ତାତ୍‍କ୍ଷଣିକ ମାର୍ଗରେ ଘଟିଯାଉଛି । ଏଣୁ ଏପରି ଘନ ଘନ ପରିବର୍ତ୍ତନଶୀଳ ତାତ୍‍କ୍ଷଣିକ ବା ବିଖଣ୍ଡିତ ପ୍ରତିବିମ୍ବଗୁଡ଼ିକ ଦର୍ଶକଙ୍କୁ ଜଣାଇ ଦେଉଛି ଯେ ଏ ଦୁନିଆଁ ପରିବର୍ତ୍ତନଶୀଳ ଏବଂ ପରିବର୍ତ୍ତନକୁ ସ୍ୱାଗତ କରି ସେଥିରେ ମଜ୍ଜିଯିବା ଦ୍ୱାରା ହିଁ ଜୀବନକୁ ଉପଭୋଗ କରିହେବ ।

 

(୪) ଆଧୁନିକତୋତ୍ତରତା ଯୁକ୍ତରାଷ୍ଟ୍ର ଆମେରିକାରେ ଜନ୍ମଗ୍ରହଣ କରିଛି । ସଂଘୀୟ ସଂସ୍କୃତି ବା ଫେଡ଼େରେଶନ ଅଫ୍ କଲଚରସର ସର୍ଜନା ପାଇଁ ଏହି ଦେଶରେ ହିଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ପୃଥିବୀର ବିଭିନ୍ନ ଦେଶରୁ ଭିନ୍ନ ଭିନ୍ନ ଜାତି, ଧର୍ମ ଓ ବର୍ଣ୍ଣର ଲୋକମାନେ ଏଠାକୁ ଚାଲିଆସି, ଏଠାରେ ଉପାର୍ଜନକ୍ଷମ ଜୀବିକା ପାଇ ପାରୁଛନ୍ତି । ବିଭିନ୍ନ ଧର୍ମ ଓ ସଂସ୍କୃତିର ଲୋକେ ଏଠାରେ ବସତି ସ୍ଥାପନା କରିବା ଅବସରରେ ଭିନ୍ନ ଭିନ୍ନ ଚଳଣି ବା ଫେଶନର ସୂତ୍ରପାତ ଘଟାଇଛନ୍ତି । ମାତ୍ର ଏଗୁଡ଼ିକ ମଧ୍ୟରୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ଗୋଟିକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଭାବରେ ବିଚାର କରାଯାଉନାହିଁ । ଏଠାରେ ଯେଉଁ ବଜାର ସୃଷ୍ଟି ହୋଇଛି ଏବଂ ‘ମାର୍କେଟପ୍ଳେସ୍‌, ଜାମ୍ବୋରୀ’ର ରୂପ ଯେପରି ଘନ ଘନ ଭାବରେ ବଦଳୁଛି, ତାହା ସହିତ ସଙ୍ଗତି ରକ୍ଷା କରି ନିଜ ନିଜକୁ ଚଳାଇନେବାକୁ ହିଁ ଏଠାକାର ବାସିନ୍ଦାମାନେ ଏକ ସାମାଜିକ ମର୍ଯ୍ୟାଦା ପ୍ରଦାନକାରୀ କ୍ରିୟାଶୀଳତା ଭାବରେ ବିଚାର କରୁଛନ୍ତି ।

 

(୫) ଷଷ୍ଠ ଦଶକରେ ଆଧୁନିକତା ବିରୋଧରେ ପ୍ରତିସାଂସ୍କୃତିକ (counter-culture) ବିପ୍ଳବର ବହ୍ନି ପ୍ରଜ୍ଜ୍ୱଳିତ ହେଲା । ପାଶ୍ଚାତ୍ୟ ଉନ୍ନତ ଦେଶମାନଙ୍କରେ ଏହି ବିପ୍ଳବ ସାମୟିକ ଭାବରେ ବ୍ୟାପକ ଉତ୍ତେଜନା ଓ ଅସ୍ଥିରତାର ସୂତ୍ରପାତ ଘଟାଇଲା । ମାତ୍ର କିଛି ସମୟ ପରେ ଅନ୍ୟ କୌଣସି ଆଦର୍ଶକୁ ବିକଳ୍ପ କର୍ମାଭିମୁଖ୍ୟ ଭାବରେ କାର୍ଯ୍ୟକାରୀ କରାଇବାକୁ ଏହି ବିପ୍ଳବର ଆୟୋଜକ ଓ ସଙ୍ଗଠକମାନେ ସଫଳ ହେଲେ ନାହିଁ । ସାଂସ୍କୃତିକ ଦୃଷ୍ଟିରୁ ଏକ ନିଃସହାୟତାର ବାତାବରଣ ସୃଷ୍ଟି ହେଲା । ଷଷ୍ଠ ଦଶକୋତ୍ତର କାଳରେ କୌଣସି ବିକଳ୍ପ ଆଦର୍ଶର ପ୍ରତିଷ୍ଠା ସମ୍ଭବ ନ ହେବାରୁ ଜଣାଗଲା ଯେ ମନୁଷ୍ୟ ବଜାରକେନ୍ଦ୍ରିକ ବସ୍ତୁବାଦୀ ସଭ୍ୟତାର ଜାଲରେ ଛନ୍ଦି ହୋଇଛି ଏବଂ ଏଥିରୁ ମୁକ୍ତ ହେବାର କୌଣସି ସହଜ ଉପାୟ ନାହିଁ । ଏପରି ପରିସ୍ଥିତରେ ପ୍ରତ୍ୟେକେ ନିଜ ନିଜ ଅବସ୍ଥା ଓ ରୁଚି ଅନୁଯାୟୀ ନିଜ ନିଜ ଜୀବନର ଚଲାପଥ ବାଛିନେବାକୁ ଉଚିତ ମଣିଲେ ।

 

(୬) ଆଧୁନିକତୋତ୍ତରତାର ଏକ ଯୋଗାଣ ଓ ମାଗଣ (supply and demand) ଦିଗ ରହିଛି । ପାଶ୍ଚାତ୍ୟ ଦେଶମାନଙ୍କରେ ଏହାକୁ ‘ୟୁପ୍‍ପି’ (yuppi) ଦୃଷ୍ଟିଭଙ୍ଗୀ ଭାବରେ ବିଚାର କରାଯାଉଛି । ଟେଲିଭିଜନ ସମେତ ଏହି ଦୃଷ୍ଟିଭଙ୍ଗୀର ଅତିଶଯ୍ୟ ଯୋଗୁଁ ମନୁଷ୍ୟ ସୁପର୍‌ ମାର୍କେଟଗୁଡ଼ିକ ପ୍ରତି ଆକୃଷ୍ଟ ହୋଇଛି । ବିଭିନ୍ନ ପ୍ରକାରେ ନିଜ ବୃଦ୍ଧି ଓ କର୍ମକୁଶଳତା ବଳରେ ସେ ଯେଉଁ ଅର୍ଥ ଉପାର୍ଜନ କରୁଛି ତାହାକୁ ସେ କିପରି ଖର୍ଚ୍ଚ କରୁଛି ? ଅର୍ଥ ବଦଳରେ ନିଜ ମର୍ଯ୍ୟାଦା ଓ ପ୍ରତିପତ୍ତି ବିସ୍ତାର କରିବାର ଉପାୟ କ’ଣ ? ଏଥିପାଇଁ ସେ ବଜାରକୁ ସଦା ଆସୁଥିବା ନୂଆ ନୂଆ ଯାନ, ଯନ୍ତ୍ର ଓ ଉପକରଣଗୁଡ଼ିକୁ କିଣିବା ପାଇଁ ଯତ୍ନବାନ ହେଉଛି । ନିଜ ବାସଗୃହକୁ ସେ ବିଭିନ୍ନ ଯାନ୍ତ୍ରିକ ଓ ଇଲେକ୍‍ଟ୍ରୋନିକ୍‍ ପଦ୍ଧତି ଅବଲମ୍ବନରେ ଯେତେ ଅଧିକ ସୁସଜ୍ଜିତ କରାଇପାରୁଛି, ନିଜ ମାଲିକାନାରେ ଥିବା ଯାନ ଓ ଯନ୍ତ୍ରଗୁଡ଼ିକୁ ସେ ଯେତେଶୀଘ୍ର ବଦଳାଇ ନୂଆ ନୂଆ ପ୍ରକାରର ଅତ୍ୟାଧୁନିକ ଉପକରଣ କିଣି ପାରୁଛି, ସେ ସେତେ ଅଧିକ ପରିମାଣରେ ଆରାମଦାୟକ ଓ ସୁସଂସ୍କୃତ ଜୀବନଯାପନ କରୁଛି ବୋଲି ବିଚାରୁଛି । ସଂଗ୍ରହପ୍ରବଣତାର ଉତ୍କଣ୍ଠାକୁ ଆବର୍ଦ୍ଧିତ କରାଇବା ପାଇଁ ଖୋଲା ବଜାର ଅର୍ଥନୀତିକୁ ବିଭିନ୍ନ କାରସାଦୀ ବଳରେ ଉଜ୍ଜୀବିତ ରଖାଯାଇଛି ଏବଂ ସମକାଳୀନ ଭାବରେ ଜନସାଧାରଣଙ୍କ ଉପାର୍ଜନ-କ୍ଷମତାର ଆବର୍ଦ୍ଧନ ପାଇଁ ମଧ୍ୟ ନୂଆ ନୂଆ ବୃତ୍ତିର ସର୍ଜନା ସମ୍ଭବ ହେଉଛି । ସଭ୍ୟତା ଓ ସଂସ୍କୃତିର ବିକାଶ-ଧାରାରେ ଘଟୁଥିବା ଏପରି ଦ୍ରୁତ ପରିବର୍ତ୍ତନକୁ ସ୍ୱାଗତ କରୁଥିବା ମନୁଷ୍ୟ ହିଁ ଧରଣୀ ବକ୍ଷରେ ପୋଷ୍ଟ-ମଡ଼ର୍ଣ୍ଣିଜମର ଉତ୍ପତ୍ତି ଓ ସ୍ଥାୟିତ୍ୱକୁ ସମ୍ଭବ କରାଇଛି ।

 

ପୋଷ୍ଟମଡ଼ର୍ଣ୍ଣିଜମର ଉତ୍ସ ସମ୍ବନ୍ଧୀୟ ଏପରୀ ଷଡ଼ବିଧ ସ୍ପଷ୍ଟୀକରଣ ପ୍ରଦାନ କରିବା ପରେ ସେ ଏହି ସ୍ପଷ୍ଟୀକରଣଗୁଡ଼ିକ ଜରିଆରେ କମ୍ୟୁନିଜମର ଦୁର୍ଗ ଭୁଷୁଡ଼ି ପଡ଼ିବାର ରହସ୍ୟଟିକୁ ଉନ୍ମୋଚନ କରିବାକୁ ପ୍ରୟାସୀ ହୋଇଛନ୍ତି । ‘କୌଣସି ବିକଳ୍ପ ଆଦର୍ଶ ବିନା ଜୀବନ ଧାରଣ’ ବା ‘Living without an alternative' ଶୀର୍ଷକ ଅଧ୍ୟାୟରେ ବାଉମାନ ସୂଚାଇଛନ୍ତି ଯେ ସୋଭିଏତ ଋଷିଆ ଭଳି ଗୋଟିଏ ବିଶାଳ ରାଷ୍ଟ୍ରକୁ ଗଠନ କରିବା ପାଇଁ ଓ ଶାସନ କରିବା ପାଇଁ ଏକ ନିର୍ଦ୍ଧାରିତ ଲକ୍ଷ୍ୟ ଘେନି ପ୍ରଶାସନିକ ଓ ପରିଚଳାନଗତ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଥିଲା । ଗୋଟିଏ ପୂର୍ବ ନିର୍ଦ୍ଧାରିତ ସମାଜକୁ ବା ଡିଜାଇନଡ଼ ସୋସାଇଟିକୁ ନିର୍ଣ୍ଣାୟତ୍ମକ ମାର୍ଗରେ କାର୍ଯ୍ୟକାରୀ କରାଇବାକୁ କମ୍ୟୁନିଷ୍ଟ ପାର୍ଟିର ନେତୃବର୍ଗ ଅନମନୀୟ ନୀତିଗୁଡ଼ିକୁ ଅମଲାତାନ୍ତ୍ରିକ ବ୍ୟବସ୍ଥା ଅବଲମ୍ବନରେ କାର୍ଯ୍ୟକାରୀ କରାଇଥିଲେ । ବିଭିନ୍ନ ରାଜ୍ୟଗୁଡ଼ିକୁ ଏକ ସଙ୍ଘୀୟ ବ୍ୟବସ୍ଥା ଅବଲମ୍ବନରେ ଏକଜୁଟ କରାଯାଇ କମ୍ୟୁନିଜମ୍ ରୂପୀ ଅନମନୀୟ ଆଦର୍ଶର ରାଷ୍ଟ୍ରାୟତ୍ତ ସ୍ତରୀୟ କାର୍ଯ୍ୟକାରିତା ପାଇଁ ଯେଉଁ କର୍ମପନ୍ଥା ଅନୁସୃତ ହେଲା, ତାହାର ଭଲ ମନ୍ଦ ବିଚାର କରିବା ପାଇଁ ଜନସାଧାରଣଙ୍କୁ ସୁବିଧା ବା ସୁଯୋଗ ମିଳିଲା ନାହିଁ । ପ୍ରଚଳିତ ଆଦର୍ଶରେ ଅଭିଜ୍ଞତା ପର୍ଯ୍ୟବସିତ ଶୁଭକାରୀ ପରିବର୍ତ୍ତନ ଘଟାଇବା ଦିଗରେ ଜନସାଧାରଣଙ୍କ ଅନ୍ତର୍ନିହିତ ପ୍ରତିଭା ଓ ଇନ୍ନୋଭେଶନପ୍ରବଣତାର ସଦୁପଯୋଗ ସମ୍ଭବ ହେଲା ନାହିଁ । ବାସ୍ତବତାର ପରିବର୍ତ୍ତନଶୀଳ ରୂପକୁ କମ୍ୟୁନିଜମର ଉପାସକମାନେ ସ୍ୱୀକାର ନ କରିବାରୁ ପରୋକ୍ଷଭାବରେ ସେମାନେ ମନୁଷ୍ୟର ଅନନ୍ୟସାଧାରଣ ସୃଷ୍ଟିଶୀଳ ପ୍ରତିଭା ଓ କର୍ମକୁଶଳତାକୁ ଅସ୍ଵୀକାର କଲେ । ସ୍ଵାଧୀନଚେତା ମନୁଷ୍ୟର ଚିରଚଞ୍ଚଳ ମନକୁ ଗୋଟିଏ ସୀମିତ ତଥା ପୂର୍ବ ନିର୍ଦ୍ଧାରିତ ପରିସର ମଧ୍ୟରେ ଆବଦ୍ଧ ରଖାଯିବାର ପ୍ରଚେଷ୍ଟା ଅସଫଳ ହେବା ସ୍ୱାଭାବିକ । ନିଜ ଦେଶର ଅର୍ଥନୈତିକ ଦୁର୍ଗତିର ପ୍ରତିକାର ପାଇଁ ତଥା ବିକ୍ଷୁବ୍‍ଧ ଜନସାଧାରଣଙ୍କ ଜୀବନ ଧାରଣର ଗୁଣାତ୍ମକ ମାନରେ କ୍ରମୋନ୍ନତି ଘଟାଇବା ପାଇଁ ଯେଉଁ ସ୍ଵଚ୍ଛନ୍ଦ ଓ ମୁକ୍ତ ପରିବେଶର ଆବଶ୍ୟକତା ଅନୁଭୂତ ହେଉଥିଲା, ବିଳମ୍ବରେ ହେଲେ ମଧ୍ୟ ମିଖାଏଲ ଗୋର୍ବାଚୋଭ ନିଜ ଦେଶରେ ତଦନୁରୂପ ପରିବେଶର ସର୍ଜନାପାଇଁ ଚିନ୍ତା କଲେ । ସେ ନିଜ ମହାନ୍ ଉପଲବ୍‍ଧିକୁ ପେରିସ୍ତ୍ରୋଇକା (ଅର୍ଥନୈତିକ ପୁନର୍ଗଠନ) ଓ ଗ୍ଳାସନସ୍ତ (ମୁକ୍ତ ପରିବେଶର ସର୍ଜନା) ଭଳି ଦ୍ୱିବିଧ ପଦ୍ଧତି ଅବଲମ୍ବନରେ କାର୍ଯ୍ୟକାରୀ କରାଇଲେ । ଏହା ହିଁ ସାରା ସୋଭିଏତ ଋଷିଆ ଓ ପୂର୍ବ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଜନବିକ୍ଷୋଭର ସୂତ୍ରପାତ ଘଟାଇଲା । ବିକଳ୍ପ ପନ୍ଥା ଆଦରିନେବାର ସମ୍ଭାବନା ସୃଷ୍ଟି କରିପାରିବା ଭଲ ନୀତିର ଅନୁଗାମୀ ହେବା ପାଇଁ ଓ ସେଥିପାଇଁ ଅନୁକୂଳ ପରିବେଶର ସର୍ଜନା ପାଇଁ ଜନସାଧାରଣ ବ୍ୟଗ୍ରତା ପ୍ରକାଶ କଲେ । ଏହାର ପରିଣତି ସ୍ୱରୂପ ଅଖଣ୍ଡ ସୋଭିଏତ ଋଷିଆ କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଷ୍ଟ୍ରରେ ବିଭାଜିତ ହେଲା, ବିଗତ ପୂର୍ବ ଓ ପଶ୍ଚିମ ଜର୍ମାନୀର ପୂନର୍ମିଳନ ସମ୍ଭବ ହେଲା ଏବଂ ସବୁ ପୂର୍ବ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ଜନସାଧାରଣ ଗଣତାନ୍ତ୍ରିକ ଶାସନ ପଦ୍ଧତି ଓ ଖୋଲା ବଜାର ଅର୍ଥନୀତିକୁ ରାଷ୍ଟ୍ରୀୟ ନୀତି ଭାବରେ ଆଦରିନେବାକୁ ସ୍ପୃହଣୀୟ ମନେକଲେ । ଏତଦ୍ଦ୍ୱାରା ଚଳିତ ଶତାବ୍ଦୀର ଶେଷ ଦଶକର ପ୍ରାରମ୍ଭରୁ ଅଧୁନିକତୋତ୍ତରତାର ପରିସର ଓ ତୀବ୍ରତାରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି ।

 

X X X

 

ଆଧୁନିକତୋତ୍ତରତା ବା ପୋଷ୍ଟମଡ଼ର୍ଣ୍ଣିଜମ ନାମରେ ଆଖ୍ୟାୟିତ ଲକ୍ଷ୍ୟହୀନ ଓ କ୍ଷଣଭଙ୍ଗୁର ସଂସ୍କୃତି ଆଉ କେତେକାଳ ପାଇଁ ପୃଥିବୀ ବକ୍ଷରେ ବିରାଜିତ ହେବ ? ଏହାର ଉତ୍ପତ୍ତି, ପରିପାଟୀ ଦୋଷଗୁଣ ସମ୍ପର୍କରେ ଅବଧାରିତ ହେବା ପରେ ଗ୍ରାହିକ ସ୍ତରରେ ଏପରି ଦ୍ରୁତ ପରିବର୍ତ୍ତନଶୀଳ ତଥା କୌଣସି ମହତ୍ତର ଲକ୍ଷ୍ୟ ବିବର୍ଜିତ ପରମ୍ପରାକୁ ଦୀର୍ଘମିଆଦୀ ସୂତ୍ରରେ ପ୍ରଶ୍ରୟ ଦିଆଯିବାର ସମ୍ଭାବନା ଅଛି କି ? ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ଓ ମହତ୍ତ୍ୱାକାଂକ୍ଷାଭିତ୍ତିକ ପ୍ରଶ୍ନଗୁଡ଼ିକର ସନ୍ତୋଷପ୍ରଦ ଉତ୍ତର ପାଇଁ ଏକ ବ୍ୟାପକ ଦୃଷ୍ଟିରୁ ବିଚାର କରିବାକୁ ହେବ ।

 

ଉଲ୍ଲିଖିତ ଆଲୋଚନାରୁ ବୁଝି ହେଉଛି ଯେ ପୋଷ୍ଟମଡ଼ର୍ଣ୍ଣିଜମର ପ୍ରସାର ଓ ବିକାଶ ଘଟିବା ଫଳରେ ମନୁଷ୍ୟ ବୈୟକ୍ତିକ ସ୍ୱାଧୀନତା ଉପଭୋଗ କରିବାକୁ ସମର୍ଥ ହୋଇଛି । ସେ ବୈୟକ୍ତିକ ସ୍ୱାଧୀନତାର କିପରି ଭାବରେ ସଦୁପଯୋଗ କରୁଛି, ତାହା ହିଁ ଆଲୋଚନାସାପେକ୍ଷ । ଦ୍ରୁତ ପରିବର୍ତ୍ତନଶୀଳ ତଥା ବଜାରକେନ୍ଦ୍ରିକ ସଭ୍ୟତାର ଚାପରେ ସେ ପ୍ରତିଯୋଗିତାମୟ ବାତାବରଣ ମଧ୍ୟରେ ନିଜକୁ ନିମଜ୍ଜିତ କରିଛି । ସର୍ବବିଧ ଉତ୍ପାଦନରେ ଅଭିବୃଦ୍ଧି, ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାର ଅଭୂତପୂର୍ବ ସମୃଦ୍ଧି, ଅନ୍ତର୍ଦେଶୀୟ ଓ ଆନ୍ତରାଷ୍ଟ୍ରୀୟ ବାଣିଜ୍ୟ ପରିଚାଳନା ପାଇଁ ଉଦ୍ଦିଷ୍ଟ ପ୍ରଶାସନିକ ଓ ପରିଚାଳନାଗତ କାରସାଦୀ, ପ୍ରସାର ମାଧ୍ୟମଗୁଡ଼ିକ ଜରିଆରେ ତଥ୍ୟରାଜିର ବିସ୍ଫୋରଣ, ସଂଗ୍ରହପ୍ରବଣତା ବା କନଜ୍ୟୁମରିଜମର ଆବର୍ଦ୍ଧନ ପାଇଁ ବ୍ୟାପକ ଆୟୋଜନ ମନୁଷ୍ୟକୁ ବିଭ୍ରାନ୍ତିକର ପରିସ୍ଥିତିର ସମ୍ମୁଖୀନ କରାଇଛି । ନିଜ ସାମାଜିକ ଓ ଅର୍ଥନୈତିକ କ୍ଷମତାରେ ଆବର୍ଦ୍ଧନ ଘଟାଇବା ସଙ୍ଗେ ସଙ୍ଗେ ନିଜକୁ ଜଣେ ସୁରୁଚିସଂପନ୍ନ ବ୍ୟକ୍ତି ଭାବରେ ପ୍ରତିଷ୍ଠିତ କରାଇବା ପାଇଁ ସେ ନିଜ ସଂଗ୍ରହପ୍ରବଣତାର ପରିପୂର୍ଣ୍ଣ ଉପଯୋଗ କରିବାକୁ ପ୍ରଲୋଭିତ ହେଉଛି । ରାଜନୈତିକ ବା ଆଇନସମ୍ମତ ଦୃଷ୍ଟିରୁ ମିଳିଥିବା ବୈୟକ୍ତିକ ସ୍ଵାଧୀନତା ନିରର୍ଥକ ହୋଇଛି; କାରଣ ବସ୍ତୁସର୍ବସ୍ୱ ସଂଗ୍ରହପ୍ରବଣ ସଂସ୍କୃତିର ଜାଲରେ ସେ ଏପରି ଛନ୍ଦି ହୋଇଛି ଯେ ନୂଆ ନୂଆ ଯାନ, ଦ୍ରବ୍ୟ ଉପକରଣଗୁଡ଼ିକୁ ବ୍ୟବହାର କରି ନିଜ ସାମାଜିକ ମର୍ଯ୍ୟାଦାର ଅଭିବୃଦ୍ଧି ଘଟାଇବାକୁ ହିଁ ସେ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ବିଚାର କରୁଛି । ବସ୍ତୁସର୍ବସ୍ଵ ପ୍ରତିଯୋଗିତାର ତାଡ଼ନା ମନୁଷ୍ୟକୁ ଏପରି କର୍ମଚଞ୍ଚଳ ଓ ସ୍ୱାର୍ଥପର କରାଉଛି ଯେ ସେ ଯତ୍ନବତ୍‌ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଛି । ନିଃସଙ୍ଗ ଜୀବନରେ ଯେତିକି ବା ଅବସର ମିଳୁଛି ତାହାକୁ ଚିତ୍ତବିନୋଦନ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସେ ଦୂରଦର୍ଶନ ପ୍ରତି ବିଶେଷ ଭାବରେ ଆକୃଷ୍ଟ ହେଉଛି । କେତେକେ ଅର୍ଥ ବଳରେ ଜୀବନର ମାଦକତା ଉପଭୋଗ କରିବା ପାଇଁ ତଥା ପ୍ରତିଯୋଗିତାମୟ ଜୀବନର ମାନସିକ ବୋଝ ବା ଟେନସନକୁ ଲାଘବ କରିବା ପାଇଁ ବହୁବିଧ ମାଦକ ଦ୍ରବ୍ୟ ବା ଡ୍ରଗସ ସେବନ କରୁଛନ୍ତି । ଯେଉଁ ତ୍ୱରାନ୍ୱିତ ପରିବର୍ତ୍ତନକୁ ଆଧୁନିକତୋତ୍ତରତାର ବୈଶିଷ୍ଟ୍ୟ ଭାବରେ ବିଚାର କରାଯାଉଛି, ତାହାକୁ ମନୁଷ୍ୟ କୌଣସି ପ୍ରକାରେ ନିୟନ୍ତ୍ରଣ କରିବାର ଅବକାଶ ନାହିଁ । ସାହିତ୍ୟ, ସଙ୍ଗୀତ, ଚାରୁକଳା ଓ ହସ୍ତଶିଳ୍ପଗୁଡ଼ିକୁ ମୂଲ୍ୟାୟନ କରିବା ବେଳେ ସେ ଏହାର ସ୍ରଷ୍ଟାମାନଙ୍କ ଭୂମିକାକୁ ଗୌଣ ମନେ କରୁଛି । ସବୁ କିଛି ଅସ୍ଥିର ଓ କ୍ଷଣିକ ରୂପ ଧାରଣ କରିଥିବାର ଧାରଣା ସ୍ୱାର୍ଥପର ମନୁଷ୍ୟକୁ କେବଳ ନିଜ ବିଚାର ଅନୁଯାୟୀ ଏଗୁଡ଼ିକର ଅର୍ଥ ବୁଝିବାକୁ ବାଧ୍ୟ କରୁଛି । ଏପରି ମୂଲ୍ୟାୟନ ପଦ୍ଧତିକୁ ପଣ୍ଡିତମାନେ ‘ଡିକନଷ୍ଟ୍ରକସନ’ ବା ବିଗଠନ ପ୍ରକ୍ରିୟା ନାମରେ ଅଭିହିତ କରୁଛନ୍ତି । ସାହିତ୍ୟ, ସଙ୍ଗୀତ, ନୃତ୍ୟଠାରୁ ଆରମ୍ଭ କରି ଇତିହାସ ଓ ସମାଜବିଜ୍ଞାନ ପର୍ଯ୍ୟନ୍ତ, ଏପରିକି ମୌଳିକ ବିଜ୍ଞାନର ଅବଦାନଗୁଡ଼ିକୁ ମଧ୍ୟ, ମନୁଷ୍ୟ ନିଜସ୍ୱ ତାତ୍କାଳିକ ବସ୍ତୁର ବା ଉପଲବ୍‍ଧି ଅନୁଯାୟୀ ବୁଝିବାକୁ ଶ୍ରେୟସ୍କର ମଣୁଛି । ତାହାର ଧାରଣା ହୋଇଛି ଯେ ଏଗୁଡ଼ିକର କୌଣସି ଚିରନ୍ତନ ମୂଲ୍ୟବୋଧ ନାହିଁ । କୌଣସି ବାସ୍ତବତା ତଥା ସ୍ଥାୟୀ ମହତ୍ତର ଲକ୍ଷ୍ୟକୁ ସେ ଅସ୍ୱୀକାର କରୁଛି ।

 

ମନୁଷ୍ୟ ଡିକନ୍‍ଷ୍ଟ୍ରକସନ ଭିତ୍ତିକ କର୍ମପ୍ରବଣତାକୁ ଆଦରି ନେବାଦ୍ଵାରା କୌଣସି ସାମାଜିକ ବା ଆଧ୍ୟାତ୍ମିକ ମୂଲ୍ୟବୋଧ ତାହାର ଚଳଣିକୁ ପ୍ରଭାବିତ କରିବାର ଅବକାଶ ମଧ୍ୟ ନାହିଁ । ଏଣୁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପ୍ରଶାସନ, ପରିଚାଳନା, ଶିଳ୍ପ ଓ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ପ୍ରଭୃତି କ୍ଷେତ୍ରରେ ଦିନକୁ ଦିନ ଯେଉଁ ନୂଆ ନୂଆ କୌଶଳଗୁଡ଼ିକୁ ପ୍ରୟୋଗ କରାଯାଉଛି ଏବଂ ଯେଉଁଗୁଡ଼ିକ ପୃଥିବୀର ବଜାରମାନଙ୍କୁ ବିଶେଷ ଭାବରେ ପ୍ରଭାବିତ କରିବାର ଫଳସ୍ଵରୂପ ଖୋଲା ବଜାର ଅର୍ଥନୀତିର ପ୍ରସାର ସମ୍ଭବ ହୋଇଛି, ସେଗୁଡ଼ିକର ମନୁଷ୍ୟ ତଥା ମନୁଷ୍ୟେତର ପ୍ରାଣୀ ଓ ଉଦ୍ଭିଦ ଜଗତ ଉପରେ ପ୍ରଭାବ ସମ୍ପର୍କରେ ବହୁ ଶୃଙ୍ଖଳାଶ୍ରୟୀ ସଂଶେଷଣାତ୍ମକ ବିଚାର ଚଳାଇବାକୁ ମଧ୍ୟ ସେ ଆଗ୍ରହୀ ହେଉନାହିଁ । ସ୍ଥୂଳତଃ ପୋଷ୍ଟ-ମଡ଼ର୍ଣ୍ଣ ବା ଆଧୁନିକତୋତ୍ତର ମନୁଷ୍ୟର ଆତ୍ମବିସ୍ମରଣ ଘଟିଛି । ମନୁଷ୍ୟରୂପୀ ବୁଦ୍ଧି ଓ ବିବେକଧାରିତ ପ୍ରାଣୀର ଅନନ୍ୟସାଧାରଣ ବୈଶିଷ୍ଟ୍ୟଟିକୁ ସେ ପାଶୋରି ପକାଇଛି । ତାହାର ଅସନ୍ତୁଳିତ ମାନସପଟରେ କେବଳ ପରିବର୍ତ୍ତନକୁ ହିଁ ସ୍ୱାଗତ କରାଯାଉଛି ଏବଂ ପରିବର୍ତ୍ତିତ ପରିସ୍ଥିତ ସହିତ ଖାପ ଖୁଆଇ ନିଜକୁ ଜଣେ ସୁଦକ୍ଷ ଉପଭୋକ୍ତା ଭାବରେ ଚଳାଇ ନେବାପାଇଁ ସେ ଆପ୍ରାଣ ଉଦ୍ୟମ କରୁଛି । ଏହାର ଫଳସ୍ୱରୂପ ଯେଉଁ ଦେଶଗୁଡ଼ିକ ପୂର୍ବରୁ ବହୁବିଧ ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ କାରଣଗୁଡ଼ିକଯୋଗୁଁ ଉନ୍ନତ ରାଷ୍ଟ୍ର ଭାବରେ ମୁଣ୍ଡ ଟେକିଛନ୍ତି, ସେହି ଦେଶର ସ୍ୱଳ୍ପସଂଖ୍ୟକ ଜନସଧାରଣ ସମଗ୍ର ମାନବ ଜାତି ଏବଂ ଜୀବ ଓ ଉଦ୍ଭିଦ ଜଗତ ପାଇଁ ଉଦ୍ଦିଷ୍ଟ ପ୍ରାକୃତିକ ବିଭାବରାଜିର ବିପୁଳାଂଶକୁ ବେପରବାୟ ଭାବରେ ଉପଭୋଗ କରୁଛନ୍ତି । ଖୋଲା ବଜାର ଅର୍ଥନୀତି ବହୁଦେଶୀୟ ବ୍ୟାବସାୟିକ କର୍ପୋରେସନଗୁଡ଼ିକ ଜରିଆରେ ସେମାନେ ହିଁ ନିୟନ୍ତ୍ରଣ କରୁଛନ୍ତି । ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କାରବାରକୁ ସମସ୍ତଙ୍କ ସୁଖଶାନ୍ତି ପାଇଁ ଏକାଭଳି ନିୟମ ଜରିଆରେ ନିରପେକ୍ଷ ଭାବରେ କାର୍ଯ୍ୟକାରୀ କରାଇବା ଦିଗରେ ସେମାନେ ଖଳ କାରସାଦୀଗୁଡ଼ିକୁ ପ୍ରୟୋଗ କରୁଛନ୍ତି । ଉନ୍ନତ ରାଷ୍ଟ୍ରଗୁଡ଼ିକ ଯେପରି ଦରିଦ୍ର ରାଷ୍ଟ୍ରଗୁଡ଼ିକ ପ୍ରତି ଶୋଷଣପ୍ରବଣ ନୀତି ଅବଲମ୍ବନ କରୁଛନ୍ତି, ଠିକ୍ ସେହିପରି ଧନୀ ଦରିଦ୍ର ନିର୍ବିଶେଷରେ ପ୍ରତ୍ୟେକ ରାଷ୍ଟ୍ରର ବିଭବଶାଳୀ ଓ କ୍ଷମତାଶାଳୀ ବାସିନ୍ଦାମାନେ ସ୍ୱଦେଶୀ ଦରିଦ୍ର ଓ ଅବହେଳିତ ବାସିନ୍ଦାମାନଙ୍କ ପ୍ରତି ଶୋଷଣପ୍ରବଣ ନୀତି ଅନୁସରଣ କରୁଛନ୍ତି । ଉଭୟ ଉନ୍ନତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଆର୍ଥିକ ସ୍ଵଚ୍ଛଳତା ବା ଦାରିଦ୍ର୍ୟ ନିର୍ବିଶେଷରେ ବାସ୍ତବତା ଦୃଷ୍ଟିରୁ ସର୍ବତ୍ର ମନୁଷ୍ୟର କଲ୍ୟାଣକାମୀ ତଥା ପ୍ରକୃତିର ସନ୍ତୁଳନ ରକ୍ଷାକାରୀ ଗୋଟିଏ ପରିପୋଷଣକ୍ଷମ ବା ସସଟେନେବଲ ସମାଜର ସର୍ଜନା ଦିଗରେ ସରକାରୀ ବା ବେସରକାରୀ ସ୍ତରୀୟ ନିଷ୍ଠାପର ଆନ୍ତରିକ ଉଦ୍ୟମର ଅଭାବ ଅନୁଭୂତ ହେଉଛି । ଏହି ଆଲୋଚନାଟିକୁ ଲେଖାଯାଉଥିବା ସମୟରେ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ କ୍ଷେତ୍ରରେ ଏକ ରାଜିନାମାରେ ଉପନୀତ ହେବା ଉଦ୍ଦେଶ୍ୟରେ ଗ୍ୟାଟ୍ଟ୍ (GATT) ଆନୁକୁଲ୍ୟରେ ତଥା ତାହାର ଅଧ୍ୟକ୍ଷ ଆର୍ଥର ଡଙ୍କେଲଙ୍କ ଅଧ୍ୟକ୍ଷତାରେ ପ୍ରଣୀତ ‘ଡଙ୍କେଲ ଡ୍ରାଫଟ’ ଶୀର୍ଷକ ଚିଠା ପ୍ରସ୍ତାବକୁ କେନ୍ଦ୍ରକରି ଉତ୍ତର-ଦକ୍ଷିଣ ବିବାଦର ତୀବ୍ରତା ଯେପରି ଦିନକୁ ଦିନ ଆବର୍ଦ୍ଧିତ ହେଉଛି, ସେଥିରୁ ଆନ୍ତଃରାଷ୍ଟ୍ରୀୟ ଆଇନ ପ୍ରଣୟନ ବ୍ୟାପାରରେ ପକ୍ଷପାତିତାର ପ୍ରଭାବ ସ୍ପଷ୍ଟ ଭାବରେ ବାରି ହେଉଛି । ଖୋଲା ବଜାର ପାଇଁ ସର୍ବତ୍ର ସ୍ୱଚ୍ଛନ୍ଦ ଓ ଅବାରିତ ପରିବେଶର ସର୍ଜନା ଦିଗରେ ମାନବିକତାବୋଧ ଓ ମହାନୁଭବତାର ଉତ୍କଟ ଅଭାବ ପରିଲକ୍ଷିତ ହେଉଛି । ଜ୍ଞାନ ବିଜ୍ଞାନର ବିସ୍ଫୋରଣ ଘଟୁଥିବା ଅବସରରେ, ମନୁଷ୍ୟର ଜ୍ଞାନରୂପୀ ଗନ୍ତାଘର ପରିମାଣାତ୍ମକ ଦୃଷ୍ଟିରୁ ପ୍ରତି ଦଶ ବର୍ଷ ଅନ୍ତରାଳରେ ଦ୍ୱିଗୁଣିତ ହେଉଥିବା ବେଳେ, ଦ୍ରୁତ ପରିବର୍ତ୍ତନଶୀଳ ସଂସ୍କୃତିର ପ୍ରସାର ଘଟାଉଥିବା ମନୁଷ୍ୟଠାରୁ ପ୍ରଜ୍ଞାର ଦାରୁଣ ଅଭାବ ଅନୁଭୂତ ହେଉଛି । ସେ ନିଜ ସ୍ୱାର୍ଥସାଧନ ପାଇଁ ପ୍ରକୃତିକୁ, ନିଜ ପଡ଼ୋଶୀକୁ ଓ ପାରିପାର୍ଶ୍ୱିକ ପରିବେଶକୁ ଭୁଲି ଯାଉଛି । ଚିର ଚଞ୍ଚଳ ପରିବେଶ ମଧ୍ୟରେ ମନୁଷ୍ୟର ହୃଦୟ ସ୍ଥାଣୁ ପାଲଟି ଯାଇଛି । ଏଥିପାଇଁ ନୈତିକ ପ୍ରଦୂଷଣ ଓ ପରିବେଶୀୟ ପ୍ରଦୂଷଣ ଦିନକୁ ଦିନ ତୀବ୍ରତର ରୂପ ଧାରଣ କରୁଛି । ମନୁଷ୍ୟର ଗଗନଚୁମ୍ବୀ କାମନାର ପୂରଣ ପାଇଁ ତଥା ଧନୀ ଦରିଦ୍ର ନିର୍ବିଶେଷରେ ସବୁ ରାଷ୍ଟ୍ରରେ ଉପଭୋକ୍ତାମାନଙ୍କ ସଂଗ୍ରହପ୍ରବଣତାର ମାନରେ ଅଭିବୃଦ୍ଧି ଘଟାଇବା ପାଇଁ ମନୁଷ୍ୟ ଯେପରି ବସ୍ତୁସର୍ବସ୍ୱ ଜୀବନ ଯାପନ କରୁଛି, ସେଥିପାଇଁ ସାମାଜିକ ଜୀବନରେ ବ୍ୟଭିଚାର ଓ ହିଂସାର ବାତାବରଣ ସୃଷ୍ଟି ହେଉଛି । ଦରିଦ୍ର ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ପ୍ରପୀଡ଼ିତ ଜନସାଧାରଣ ଜୀବନଧାରଣର ନ୍ୟୂନତମ ଚାହିଦା ପୂରଣ ପାଇଁ ପାରିପାର୍ଶ୍ଵିକ ପରିବେଶକୁ ପ୍ରଦୂଷିତ କରୁଛନ୍ତି । ପୁଣି, କ୍ରମବର୍ଦ୍ଧମାନ ଜନସଂଖ୍ୟା ଏହି ପ୍ରଦୂଷଣର ତୀବ୍ରତାକୁ ବହୁଗୁଣିତ କରୁଛି । ଏହି ରାଷ୍ଟ୍ରଗୁଡ଼ିକର ଉପଭୋଗୀ ଓ କ୍ଷମତାସୀନ ଗୋଷ୍ଠୀ ବହୁବିଧ ଦୁର୍ନୀତିପରାୟଣ ଓ ଖଳ କାରସାଦୀ ବଳରେ ନିଜ ନିଜ ଅର୍ଥ ଓ କ୍ଷମତାର ଅଭିବୃଦ୍ଧି ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ବର୍ତ୍ତମାନ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥାଗୁଡ଼ିକର ସମୃଦ୍ଧି ସାଧିତ ହେବା ଅବସରରେ, ତଥା ବ୍ୟାବହାରିକ ଦୃଷ୍ଟିରୁ ପୃଥିବୀର ଆକାର ସଙ୍କୁଚିତ ହୋଇଯିବା ପରେ ଲକ୍ଷ୍ୟ କରାଯାଉଛି ଯେ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିରୁ ସୁବିଧା ହାସଲ କରିବା ପାଇଁ ନ୍ୟସ୍ତସ୍ୱାର୍ଥ ସୁବିଧାବାଦୀ ବ୍ୟକ୍ତିମାନେ ସଂପ୍ରଦାୟ, ଜାତି ବା ଧର୍ମର ସ୍ୱାର୍ଥରକ୍ଷା ବାହାନାରେ ଅତୀତର ପୁରାଣ, ସାମାଜିକ ପ୍ରଥା ଓ ଇତିହାସକୁ ନିଜ ନିଜ ସ୍ଵାର୍ଥାନୁକୂଳ ମାର୍ଗରେ ପୁନଃସମୀକ୍ଷା କରୁଛନ୍ତି । ଏପରି ‘ଡିକନଷ୍ଟ୍ରକସନ’ ବା ପୁନଃମୂଲ୍ୟାୟନ ବଳରେ ସେମାନେ ଚାହୁଁଛନ୍ତି ଯେ ପୃଥିବୀ ବକ୍ଷରେ ପ୍ରାୟତଃ ଏକାଭଳି ବଜାର-କେନ୍ଦ୍ରିକ ସଂସ୍କୃତି ବଳବତ୍ତର ହେଉଥିବା ସମୟରେ ସେମାନେ ନିଜ ନିଜ ସ୍ଵାର୍ଥ ସାଧନ ପାଇଁ ଅନ୍ତଃରାଷ୍ଟ୍ରୀୟ ଓ ଆନ୍ତଃରାଷ୍ଟ୍ରୀୟ ରାଜନୀତି, ଅର୍ଥନୀତି ଓ ବାଣିଜ୍ୟ-ନୀତିକୁ ପ୍ରଭାବିତ କରିବେ ଏବଂ ପୃଥିବୀ ବକ୍ଷରେ ନିଜ ନିଜ ଧର୍ମ ବା ପାରମ୍ପରିକ ସଂସ୍କୃତିର ବଡ଼ିମା ପ୍ରଦର୍ଶନ କରାଇବାପୂର୍ବକ ତାହାର ସ୍ୱାତନ୍ତ୍ର୍ୟର ସୁରକ୍ଷା ଦିଗରେ ଯତ୍ନବାନ ହେବେ । ଏଣୁ ପୋଷ୍ଟମଡ଼ର୍ଣ୍ଣ ମନୁଷ୍ୟ ଗଣତନ୍ତ୍ର ଓ ଖୋଲା ବଜାର ଅର୍ଥନୀତି ପ୍ରତି ଏକାନୁଗତ୍ୟ ପ୍ରଦର୍ଶନ କରୁଥିବା ବେଳେ, ଦ୍ଵିତୀୟ ମହାଯୁଦ୍ଧୋତ୍ତର କାଳଠାରୁ ପୁଞ୍ଜିବାଦ ଓ ସମାଜବାଦ ମଧ୍ୟରେ ଚାଲିଥିବା ଶୀତଳଯୁଦ୍ଧର ଅବସାନ ଘଟିଥିଲେ ମଧ୍ୟ, ଧର୍ମକୁ ରାଜନୀତି ସହିତ ଜଡ଼ିତ କରାଯିବା ଫଳରେ ପୃଥିବୀ ବକ୍ଷର ବହୁସ୍ଥାନରେ ଅଶାନ୍ତ ଓ ହିଂସାତ୍ମକ ବାତାବରଣ ସୃଷ୍ଟି ହେଉଛି ।

 

କୌଣସି ମହତ୍ତର ଲକ୍ଷ୍ୟ ବିବର୍ଜିତ ତଥା କୌଣସି ପ୍ରକାର ମୂଲ୍ୟବୋଧ ବା ବାସ୍ତବତା ପ୍ରତି ବୀତସ୍ପୃତ ସଂସ୍କୃତିକୁ ଆଉ ଅଧିକ କାଳପାଇଁ ପ୍ରଶ୍ରୟ ଦିଆଗଲେ, ଜ୍ଞାନ ବିଜ୍ଞାନର ତ୍ୱରାନ୍ୱିତ ସମୃଦ୍ଧିସତ୍ତ୍ୱେ, ନିଶ୍ଚିତ ଭାବରେ ପୃଥିବୀ ବକ୍ଷରେ ମନୁଷ୍ୟ ତଥା ସମଗ୍ର ଜୀବ ଓ ଉଦ୍ଭିଦ ଜଗତର ସ୍ଥାୟିତ୍ଵ ବିପଦାପନ୍ନ ହୋଇଯିବ । ଏବଂବିଧ ମହାନୁଭବତା ପୃଥିବୀର ଅତି ସୀମିତ ମହାମନା ବୁଦ୍ଧିଜୀବୀମାନଙ୍କ ମାନସପଟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି । ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍ ତତ୍ତ୍ୱାଶ୍ରୟୀ ଆଧୁନିକ ପଦାର୍ଥବିଜ୍ଞାନ ଆମ୍ଭମାନଙ୍କୁ ସମ୍ପର୍କରୂପୀ ଜାଲ ତଥା ପାରସ୍ପରିକ ନିର୍ଭରଶୀଳତା ସମ୍ପର୍କୀୟ ଯେଉଁ ଦିକ୍‍ଦର୍ଶନ ଯୋଗାଇ ଦେଉଛି, ତାହା ମଧ୍ୟ ଜନମାନସକୁ ଲକ୍ଷ୍ୟଣୀୟ ମାର୍ଗରେ ସ୍ପର୍ଶ କରିନାହିଁ । କେବଳ ପରିବେଶୀୟ ପ୍ରଦୂଷଣର ତୀବ୍ରତା ତଥା ଏହାର କୁପରିଣାମ ମନୁଷ୍ୟକୁ ପରିବେଶର ସୁରକ୍ଷା ଦିଗରେ ଯତ୍ନବାନ ହେବାପାଇଁ ସଚେତନ କରାଇଛି । ମାତ୍ର ଏବଂବିଧ ସଚେତନତାକୁ ବ୍ୟାବହାରିକ ସ୍ତରରେ କାର୍ଯ୍ୟକାରୀ କରାଇବା ପାଇଁ ଗ୍ରାହିକ ସ୍ତରୀୟ ଯେଉଁ ଯୁଗାଦର୍ଶର ଜରୁରୀକାଳୀନ ଆବଶ୍ୟକତା ଉପୁଜୁଛି, ତାହାକୁ ସର୍ବସମ୍ମତ ଭାବରେ ଗ୍ରହଣ କରିନେବା ଭଳି ବୌଦ୍ଧିକ ବା ସାମାଜିକ ପରିବେଶର ସର୍ଜନା ପୃଥିବୀ ପୃଷ୍ଠରେ କୁତ୍ରାପି ସମ୍ଭବ ହୋଇନାହିଁ । ତଥ୍ୟ-ବିପ୍ଳବର ଶୁଭାରମ୍ଭ ଘଟିଛି ଏବଂ ତଥ୍ୟର ଗୁରୁତ୍ୱକୁ ମନୁଷ୍ୟ ହୃଦୟଙ୍ଗମ କରୁଛି । ତଥ୍ୟାଶ୍ରୟୀ ସମାଜର ପ୍ରତିଷ୍ଠା ଦିଗରେ ବ୍ୟାପକ ଆୟୋଜନ ଚାଲିଛି । ପରିବେଶୀୟ ପ୍ରଦୂଷଣର ପ୍ରତିକାର ଦିଗରେ ତଥା ସମକାଳୀନ ଭାବରେ ବୈଷୟିକ ସଭ୍ୟତାର ସମୃଦ୍ଧି ସାଧନ ବ୍ୟାପାରରେ ମାଇକ୍ରୋଇଲେକ୍ଟୋନିକ୍ ଟେକ୍ନୋଲଜିଗୁଡ଼ିକର ଓ ଜୈବପ୍ରଯୁକ୍ତି ବିଦ୍ୟା ବା ବାୟୋଟେକନୋଲଜିର ଗୁରୁତ୍ଵପୂର୍ଣ୍ଣ ଭୂମିକା ସମ୍ପର୍କରେ ମନୁଷ୍ୟ ପ୍ରାଥମିକ ଭାବରେ ସଚେତନ ହୋଇଛି । ସୁଖର କଥା ଯେ ଏଇ ମାତ୍ର ଅଳ୍ପ କିଛି ବର୍ଷ ହେଲା ନିଜର, ନିଜ ପାରିପାର୍ଶ୍ୱିକ ପରିବେଶର ତଥା ପୃଥିବୀରୂପୀ ବ୍ୟୋମପୋତର ସୀମିତ ପରିବେଶକୁ ସଂଗ୍ରହପ୍ରବଣତାର ଆତିଶଯ୍ୟ ଯୋଗୁଁ ପ୍ରଦୂଷିତ ନକରିବା ପାଇଁ ଉନ୍ନତ ଦେଶମାନଙ୍କରେ ଜନଚେତନାର ଜାଗରଣ ଦିନକୁ ଦିନ ଆବର୍ଦ୍ଧିତ ହେଉଛି । ‘କରପୋରେଟ୍‌ ଏନଭାଇରନମେଣ୍ଟାଲିଜମ୍’ ବା ‘ବ୍ୟାବସାୟିକ ପରିବେଶୀୟତା’ ବର୍ତ୍ତମାନ ବୃହଦାକୃତି ବହୁଦେଶୀୟ କର୍ପୋରେସନଗୁଡ଼ିକର ଗବେଷଣା ଓ ପ୍ରଗତି ବିଭାଗକୁ ବିଶେଷ କର୍ମତତ୍ପର କରାଉଥିବାର ଲକ୍ଷ୍ୟ କରାଯାଉଛି । ଆଶା କରାଯାଉଛି ଯେ ଏଣିକି ଛୋଟ ବଡ଼ ଶିଳ୍ପାନୁଷ୍ଠାନମାନଙ୍କରେ ମଧ୍ୟ ଉପଭୋକ୍ତାମାନଙ୍କ ପାଇଁ ଏପରି ବ୍ୟବହାରଯୋଗ୍ୟ ଦ୍ରବ୍ୟ ଓ ଉପକରଣଗୁଡ଼ିକୁ ପ୍ରସ୍ତୁତ କରାଯିବ ସେ ସେଗୁଡ଼ିକର ଦୈନନ୍ଦିନ ବ୍ୟବହାରଯୋଗୁଁ କିମ୍ବା ବର୍ଜିତ ଅବସ୍ଥାରେ ମଧ୍ୟ ସେଗୁଡ଼ିକ ପାରିପାର୍ଶ୍ୱିକ ପରିବେଶକୁ ପ୍ରଭାବିତ କରିବାର ଅବକାଶ ରହିବ ନାହିଁ ।

 

ଆମେ ଆଶା କରିବା ଯେ ଗ୍ରାହିକ ସ୍ତରୀୟ ତଥ୍ୟାଶ୍ରୟୀ ସମାଜର ପ୍ରତିଷ୍ଠା ସମ୍ଭବ ହେବାପରେ ମନୁଷ୍ୟ କ୍ଷଣଭଙ୍ଗୁର ଦ୍ରୂତ ପରିବର୍ତ୍ତନଶୀଳ ସଂସ୍କୃତିକୁ ଆଉ ଲକ୍ଷ୍ୟବିହୀନ ବା ଲଗାମବିହୀନ ମାର୍ଗରେ ବଳବତ୍ତର ରଖାଇବାକୁ ଉଚିତ ମଣିବ ନାହିଁ । ପ୍ରତ୍ୟେକ ଜାତି, ଧର୍ମ, ବର୍ଣ୍ଣର ସ୍ୱାତନ୍ତ୍ର୍ୟର ସୁରକ୍ଷା ପ୍ରତି ସଚେତନ ହେବାପୂର୍ବକ ପୃଥିବୀ ବକ୍ଷରେ ସବୁ ବାସିନ୍ଦାମାନଙ୍କ ଜୀବନଧାରଣର ଗୁଣାତ୍ମକ ମାନର ସୁଷମ ଆବର୍ଦ୍ଧନ ପାଇଁ ଗୋଟିଏ ‘ପୃଥିବୀ ସରକାର’ (ଓ୍ୱାର୍ଲଡ଼ ଗଭର୍ଣ୍ଣମେଣ୍ଟ) ପ୍ରତିଷ୍ଠା କରାଯିବାର ପଥ ସୁଗମ ହେବ । ଏବେ ବିଜ୍ଞାନ ଓ ତଦାଶ୍ରୟୀ ପ୍ରଯୁକ୍ତି ବିଦ୍ୟାଗୁଡ଼ିକର ପ୍ରୟୋଗ ଯୋଗୁଁ ତଥା ବିଶେଷ ଭାବରେ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାଗୁଡ଼ିକର କରାମତିଯୋଗୁଁ କେତେକ ଦୃଷ୍ଟିରୁ ପ୍ରତ୍ୟେକ ରାଷ୍ଟ୍ରର ସାର୍ବଭୌମତ୍ୱ ବା ସୋଭେରେନଟି ଅର୍ଥହୀନ ବୋଧ ହେଉଛି । ଗୋଟିଏ ଦେଶରେ ଘଟୁଥିବା ପରୀକ୍ଷାମୂଳକ, ନିଉକ୍ଲିଆର୍‌ ବିସ୍ଫୋରଣ ବା ପରିବେଶୀୟ ପ୍ରଦୂଷଣ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରୁଛି । କୃତ୍ରିମ ଉପଗ୍ରହ ଗୁଡ଼ିକରୁ ବିଚକ୍ଷଣ କର୍ମକୁଶଳତା ଯୋଗୁଁ ଏବଂ କଂପ୍ୟୁଟରାଶ୍ରୟୀ ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥାର କ୍ରମବର୍ଦ୍ଧମାନ କରାମତି ଯୋଗୁଁ କୌଣସି ରାଷ୍ଟ୍ରର କୌଣସି ଗୁରୁତ୍ୱପୂର୍ଣ୍ଣ ଘଟଣା ଅନ୍ୟ କାହା ପ୍ରତି ଅପ୍ରକାଶ୍ୟ ରହିବାର ଅବକାଶ ନାହିଁ । ଏଣୁ କେତେକ ମହାନୁଭବ ବୁଦ୍ଧିଜୀବୀଙ୍କ ମତାନୁଯାୟୀ ପୋଷ୍ଟ-ମଡ଼ର୍ଣ୍ଣ ମନୁଷ୍ୟ ଆଉ କିଛି କାଳ ପାଇଁ ସ୍ଥିତାବସ୍ଥାର ଉତ୍ପୀଡ଼ନଭିତ୍ତିକ ତିକ୍ତ ଅନୁଭୂତି ଅର୍ଜନ କରିବା ପରେ ଗୋଟିଏ ‘ପୃଥିବୀ ସରକାର’ ପ୍ରତିଷ୍ଠା କରିବାକୁ ହିଁ ଉଚିତ୍‌ ମନେ କରିବ । ନିଜର, ନିଜ ଦେଶର ତଥା ସମଗ୍ର ପୃଥିବୀର ମଙ୍ଗଳ ପାଇଁ ଚିନ୍ତା କରିବାକୁ ସେ ପ୍ରଚୁର ସମୟ ପାଇ ପାରିବ; କାରଣ ସେତେବେଳକୁ ସର୍ବବିଧ ଉତ୍ପାଦନ ଏବଂ ପ୍ରଶାସନିକ ଓ ପରିଚାଳନାଗତ ରୁଟିନବନ୍ଧା ବ୍ୟାପାରଗୁଡ଼ିକୁ ସେ ସ୍ୱୟଂକ୍ରିୟା ପଦ୍ଧତି ଅବଲମ୍ବନରେ କାର୍ଯ୍ୟକାରୀ କରାଇବାକୁ ସମର୍ଥ ହେବ । ‘ଆଧୁନିକତୋତ୍ତରତା’ ରୂପୀ ସଂସ୍କୃତିର ଦୋଷଗୁଣକୁ ସଂଶ୍ଳେଷଣାତ୍ମକ ବିଚାର ବଳରେ ମୂଲ୍ୟାୟନ କରାଯିବାର ପରିଣତି ସ୍ୱରୂପ ମନୁଷ୍ୟ ପୁଣି ଆତ୍ମସଚେତନ ହେବ । ଆମ ଅମଳର କେତେକ ଉଦାର ବୁଦ୍ଧିଜୀବୀଙ୍କ ମତାନୁଯାୟୀ ଏହି ଆତ୍ମ-ସଚେତନା ହିଁ ସମ୍ଭବତଃ ଏକବିଂଶ ଶତାବ୍ଦୀର ଅପରାର୍ଦ୍ଧରେ ‘ପର୍ଯ୍ୟାବରଣୀୟ ମାନବବାଦ’ ବା ‘ଇକୋଲଜିକାଲ ହ୍ୟୁମାନିଜମ’ କୁ ଏକ ଜନକଲ୍ୟାଣକାମୀ ଯୁଗାଦର୍ଶ ଭାବରେ ଆଦରି ନେବାପାଇଁ ପୃଥିବୀ ବକ୍ଷରେ ଅନୁକୂଳ ବୌଦ୍ଧିକ, ରାଜନୈତିକ ଓ ସାମାଜିକ ପରିବେଶ ସୃଷ୍ଟି କରିଥିବ ।

 

ସ୍ଥୂଳତଃ ପୋଷ୍ଟ-ମଡ଼ର୍ଣ୍ଣିଜମର ଅଭିଜ୍ଞତା ଅନୁଭୂତି ପୋଷ୍ଟମଡ଼ର୍ଣ୍ଣ ଯୁଗ ପାଇଁ ଶିକ୍ଷଣୀୟ ଉପାଦାନ ଯୋଗାଇପାରିବ । କଳା, ବିଜ୍ଞାନ ଓ ଧର୍ମର ସନ୍ତୁଳିତ ପ୍ରଭାବ ମନୁଷ୍ୟକୁ ପ୍ରଜ୍ଞାବନ୍ତ କରାଇବା ସଙ୍ଗେ ସଙ୍ଗେ ଶୁଭକାରୀ ପଦକ୍ଷେପଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ କର୍ମ-ପ୍ରେରଣା ଯୋଗାଇ ପାରିବ । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ସେ ମାନବିକତାବୋଧ ବିନିମୟରେ ଏପରି ଭାବରେ କାର୍ଯ୍ୟକାରୀ କରାଇବାକୁ ସମର୍ଥ ହେବ ଯେ କେତେକ ଭବିଷ୍ୟତ ପ୍ରବକ୍ତା ତତ୍କାଳୀକ ଯୁଗାଦର୍ଶକୁ ‘ଇକୋଲଜିକାଲ ହୁମାନିଜମ’ ପରିବର୍ତ୍ତେ ବ୍ୟାପକ ଦୃଷ୍ଟିରୁ ‘ବୈଜ୍ଞାନିକ ମାନବବାଦ’ ବା ‘ସାଇଣ୍ଟିଫିକ୍ ହ୍ୟୁମାନିଜମ’ ଭାବରେ ଆଖ୍ୟାୟିତ କରିବାକୁ ସମୀଚୀନ ମଣୁଛନ୍ତି ।

 

ଏଣୁ ପୋଷ୍ଟ-ମଡ଼ର୍ଣ୍ଣ ସଂସ୍କୃତିର ଠିକ୍‌ କେଉଁ ସମୟରେ ଯବନିକାପାତ ହେବ, ତତସମ୍ପର୍କୀୟ ସ୍ପଷ୍ଟ ଉତ୍ତର ବା ପ୍ରାକସୂଚନା ଆଜହୁଁ ଯୋଗାଇଦେବା ସମ୍ଭବ ନୁହେଁ । ଏହା ନିଶ୍ଚିତ ଯେ ଗୋଟିଏ ଯୁଗାଦର୍ଶର (ପାରାଡ଼ାଇମ୍‍) ଅବସାନ ତଥା ଆଉ ଗୋଟିଏ ଅଭିନବ ଯୁଗାଦର୍ଶର ପ୍ରବର୍ତ୍ତନ ପାଇଁ ପୃଥିବୀର ବୌଦ୍ଧିକ ପରିବେଶ ସଂତୃପ୍ତ ଅବସ୍ଥାରେ ପଦାର୍ପଣ କରିଛି । ମାତ୍ର ଏହି ଅଭିନବ ଯୁଗାଦର୍ଶର ମହତ୍ତ୍ୱ ଜନମାନସକୁ ଅଦ୍ୟାବଧି ଲକ୍ଷଣୀୟ ମାର୍ଗରେ ପ୍ରଭାବିତ କରିନାହିଁ । ମାନସିକ ଜଡ଼ତା, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତ ଓ ପରିବର୍ତ୍ତନ କେନ୍ଦ୍ରିକ ଅନିଶ୍ଚିତ ଭବିଷ୍ୟତର ଭୟ ମନୁଷ୍ୟକୁ ଏହି ଯୁଗ୍ମାଦର୍ଶକୁ ସର୍ବତ୍ର ଠିକଣା ଭାବରେ ଆଦରି ନେବାକୁ ସାମର୍ଥ୍ୟ ପ୍ରଦାନ କରିନାହିଁ । ଏଥିପାଇଁ ଆଉ କିଛିକାଳ ଅପେକ୍ଷା କରିବାକୁ ହେବ । ଆମେ ବୁଝିବାର କଥା ଯେ ଏହି ଅପେକ୍ଷମାଣ ପରିସ୍ଥିତିରେ, ଅର୍ଥାତ୍ ପୃଥିବୀବକ୍ଷରେ ଅଭିନବ ଯୁଗାଦର୍ଶର ଭିତ୍ତିପ୍ରସ୍ତର ସୁଦୃଢ଼ ହେବା ପୂର୍ବରୁ, ଯଦି କାହାର ପାଗଳାମି ବା ଅପରିଣାମଦର୍ଶିତା ଯୋଗୁଁ ଆଉ ଗୋଟିଏ ମହାଯୁଦ୍ଧ ଆରମ୍ଭ ହୋଇଯାଏ କିମ୍ବା ଅପରିଣାମଦର୍ଶୀ କର୍ମଗୁଡ଼ିକୁ ପ୍ରଶ୍ରୟ ଦେଇ ଆମେ ‘ପାର୍ଥିବ ପରିବେଶର କୌଣସି ଅଂଶବିଶେଷକୁ ଯଦି ଅନୁଦ୍ଧରଣୀୟ ମାର୍ଗରେ ଆହୁରି ପ୍ରଦୂଷିତ କରୁ, ତାହା ହେଲେ ଆମ ଦାୟାଦମାନଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ଅନ୍ଧକାରମୟ ହୋଇଯିବ । ଏବଂବିଧ ବୈୟକ୍ତିକ ଉପଲବ୍‍ଧିକୁ ଗଣ-ଉପଲବ୍‍ଧିରେ ରୂପାନ୍ତରିତ କରାଇବା ହିଁ ବର୍ତ୍ତମାନ ବିଶେଷ ଜରୁରୀ ବୋଧ ହେଉଛି । ବୁଦ୍ଧିବିବେକସମ୍ପନ୍ନ ମନୁଷ୍ୟ ସଂଯତ ଆଚରଣ, ତଥ୍ୟାନୁସନ୍ଧାନ, ତଥ୍ୟଗୁଡ଼ିକର ଆତ୍ମୀକରଣ ଏବଂ ଉଭୟ ବିଶ୍ଳେଷଣାତ୍ମକ ଓ ସଂଶ୍ଳେଷଣାତ୍ମକ ଚିନ୍ତନ ବଳରେ ପୂର୍ବାପର ସଙ୍ଗତି କ୍ରମେ ଯଦି ପ୍ରକୃତି ସହିତ ସହାବସ୍ଥାନ କରିବାକୁ ଯତ୍ନବାନ ହୁଏ, ତାହାହେଲେ ‘ପୋଷ୍ଟ–ମଡ଼ର୍ଣ୍ଣିଜମ’ ରୂପୀ ଯୁଗାଦର୍ଶ ନିଶ୍ଚିତ ଭାବରେ ଏକ ଜନକଲ୍ୟାଣକାରୀ ମହତ୍ତର ଲକ୍ଷ୍ୟ ପ୍ରଣୋଦିତ ଯୁଗାଦର୍ଶକୁ ରୂପାନ୍ତରିତ ହୋଇପାରିବ ।

 

ଏପରି ଭାବଧାରାର ବଶବର୍ତ୍ତୀ ହୋଇ ସୁଖ୍ୟାତ ମାର୍କିନ ସମାଜ-ବିଜ୍ଞାନୀ କ୍ଲାକ୍‌କେର୍‍ ସ୍ୱରଚିତ ତଥା ବହୁ ଚର୍ଚ୍ଚିତ ‘ଫ୍ୟୁଚର୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ସୋସାଇଟିଜ୍’ (ବୈଷୟିକ ସମାଜଗୁଡ଼ିକର ଭବିଷ୍ୟତ)* ଶୀର୍ଷକ ଭାବୋଦ୍ଦୀପକ ତଥା ସମୟୋପଯୋଗୀ ପୁସ୍ତକର ଉପସଂହାରରେ ଯେଉଁ ମତ ବ୍ୟକ୍ତ କରିଛନ୍ତି ତାହାକୁ ଉଦ୍ଧାର କରି ଏହି ଆଲୋଚନାର ପରିସମାପ୍ତି ଘଟାଇବା ବିଶେଷ ପ୍ରାସଙ୍ଗିକ ବୋଧ ହେଉଛି :

 

*The Future of Industrial Societies by Clark Kerr–Harvard University Press, 1983

 

‘‘Bertrand Russell wrote in 1923 that the important fact of the present time is not the struggle between capitalism and socialism but the struggle between industrial civilization and humanity'. Some new visions of the future beyond either capitalism or socialism will be required: visions of reasonable adjustments between efficiency and equality, between individual freedom and economic stability; visions of how to continue economic growth without denuding the planet of its nonrenewable resources; visions of a reasonable, if perhaps lower level of per capita income combined with a higher per capita quality of life; and visions of a new world order organised around the solution to common problems rather than mostly around the compromise of conflicts between and among nations. The world should converge on the optimum policies of sustainable growth, and on the best ways to use the time thus gained to discover how to satisfy the human spirit more effectively than through greater affluence alone’’.

Image